ଶେଷ ସଂଳାପ

ସବିତା କଳାକାର । ଅଭିନୟ କଲାବେଳେ ଚରିତ୍ରଟି ସହ ଏକାତ୍ମ ହୋଇଯାଏ ସେ । ଘୋଷିଥିବା ସଂଳାପ ସ୍ଵତଃ ବାହାରିଯାଏ ତା’ ମୁହଁରୁ । ଜୀବନରେ ଘଟୁଥିବା ସୁଖ ଦୁଃଖର ଛାଇ ପଡେନା ତା’ ମୁହଁରେ । ମଞ୍ଚରେ ମିଛ ସମ୍ପର୍କର ମୁଖା ଭିତରେ ବେଶ୍ ସହଜରେ ଲୁଚିଯାଏ ତା’ର ସତ ଜୀବନ । ପୃଷ୍ଠା ପରେ ପୃଷ୍ଠା ସଂଳାପ ଖୁବ୍ କମ୍ ସମୟରେ ମନେ ରଖିଦେଇ ପାରୁଥିବା ସବିତା, ଶଶଧର ଘୋଷେଇ ଥିବା ସେଇ ଚାରିଧାଡ଼ି ଆଦୌ ଦୋହରାଇ ପାରୁନଥିଲା ଆଜି। ମଞ୍ଚ ଉପରେ ଅନର୍ଗଳ ମିଛ ଅଭିନୟ କରିପାରୁଥିବା ଦକ୍ଷ କଳାକାରଟିଏ ଆଜି ଜୀବନର କାଠଗଡାରେ ଠିଆ ହୋଇ ଦୁର୍ବଳ ହୋଇଯାଉଛି । କାହିଁକି ସେ କହିପାରୁନି ସେଇ ଶବ୍ଦ କେତୋଟି !

‘ମିଛ, ମିଛ, ମିଛ – ଯାହାସବୁ କହିବାକୁ ମୋତେ ଶିଖାଯାଇଛି ସେସବୁ ମିଛ’ – କାଠଗଡାର ବାଡ ଉପରକୁ ଝୁଙ୍କିପଡି ଚିତ୍କାର କରିବାକୁ ଚାହୁଁଥିଲା ସବିତା । ଓଃ, କଣ୍ଠ ରୁଦ୍ଧ ହୋଇଯାଉଥିଲା ତା’ର । ସାମାନ୍ୟ ଶବ୍ଦଟିଏ ବି ବାହାରୁନଥିଲା ତା’ ପାଟିରୁ । ଆଖିରୁ ଝରିଯାଉଥିଲା ଧାରଧାର ଲୁହ । କିଏ ଯେମିତି ଚାପିଧରିଥିଲା ତା’ ସ୍ୱରତନ୍ତ୍ରୀକୁ।

ହଁ, ମିଛ ଯେ ସେ କହିପାରେନା, ସେକଥା ନୁହେଁ । ବେଶ୍ ସହଜ ଭାବରେ ମିଛ କହିପାରୁଥିଲା ସବିତା । ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ କତରାଲଗା ତା’ ବାପା ଘରକୋଣରେ ପଡିରହିବା ପରେ ମାଆ ତାର ରାତିରେ ଠିକାଦାର ବୁଢାଟି ସାଙ୍ଗରେ ଯାଇ କେଉଁଠୁ ପଇସା ନେଇ ଆସୁଥିଲା, ସେକଥା ଜାଣି ମଧ୍ୟ କିଶୋରୀ ସବିତା ମିଛର ଲମ୍ବା ତାଲିକାଟି ମନରୁ ଫାନ୍ଦି ସାଙ୍ଗମାନଙ୍କ ସହ ନିଜକୁ ବି ଶୁଣାଇ ପ୍ରବୋଧନା ଦେଉଥିଲା । ସେ ମିଛ ତାର ପିଠି ଥାପୁଡାଇ ଦେଉଥିଲା ସିନା ପ୍ରବଞ୍ଚକର ମୋହର ମାରୁନଥିଲା କେବେ ତା’ ହୃଦୟରେ । ଜୀବନ ନାଟକର ଅପ୍ରତିଦ୍ଵନ୍ଦୀ କଳାକାର ଥିଲା ସେ । ମାଆର ରହସ୍ୟମୟ ଅନୁପସ୍ଥିତି, ଅନୈତିକ ରୋଜଗାରର ନାଚାର ପନ୍ଥା କଥା ଜାଣିପାରୁ ଥିଲେ ମଧ୍ୟ କହି ପାରୁନଥିଲା କାହାକୁ ସେ। ମିଛ ଅଭିନୟ କରିବାକୁ ବାଧ୍ୟ ହେଉଥିଲା ସେତେବେଳେ ଆଉ କରୁଥିଲା ମଧ୍ୟ ।

ଯୌବନର ସୁନେଲି ପାହାଚରେ ଚଢିଗଲାବେଳେ ନାଟକକୁ ଜୀବିକା କରିଥିବା ଶଶଧରର ହାତଧରି ଅଭିନୟର ଦୁନିଆକୁ ଓହ୍ଲେଇ ଆସିଥିଲା ସବିତା । ଅଭିନୟ ତାର ପେଶା ହେଲା। ମଞ୍ଚରେ ପରଦା ଉଠିଲେ ତାର ଅଭିନୟରେ ଆତ୍ମବିଭୋର ଦର୍ଶକମାନଙ୍କୁ ଦେଖି ଉଲ୍ଲସିତା ହୁଏ ସେ । ମଞ୍ଚରେ ଅଭିନୟ କରିବା ସହ ମିଛ ମାୟାଭରା ଦୁନିଆରେ ଅଭିନୟ କରିଚାଲେ ଅହରହ । ଜୀବନର ଅଭିନୟରେ ତାକୁ ସଂଳାପ ଘୋଷିବାକୁ ପଡେନା । ଅଦୃଷ୍ଟ କେହିଜଣେ ତା’ ହାତ ଧରି ବାଟ କଢ଼େଇ ନିଏ, ସତ ମିଛ ସେ ହିଁ ଜାଣେ । ଗୋଟିକ ପରେ ଗୋଟିଏ ଅଙ୍କରେ ନିରବଚ୍ଛିନ୍ନ ଅଭିନୟ କରି ଚାଲେ ସବିତା ତା’ରି ନିର୍ଦ୍ଦେଶରେ ।

ଆଜିର ଏ ମିଛ କିନ୍ତୁ ଖଣ୍ଡଖଣ୍ଡ ହୋଇ ଭାଙ୍ଗିଦେଉଛି ତାର ବିଶ୍ୱାସକୁ, ଖିନଭିନ୍ କରିଦେଉଛି ତାର ଅନ୍ତରାତ୍ମାକୁ । କେମିତି କହିବ ସେ ଏ ମିଛ? ଅବାଟରେ ଯାଉଥିବା ଶଶଧରକୁ ବାଟକୁ ଫେରେଇ ଆଣିବାକୁ ସର୍ବଦା ଉଦ୍ୟମ କରୁଥିଲା ବନ୍ଧୁ ନିଲୁଦାଦା । ସାଧାରଣ ଯୁକ୍ତିତର୍କ ପରେ ଉତ୍ତେଜିତ ଶଶଧର ଅଗତ୍ୟା ଛୁରୀଭୁଷି ଦେଇଥିଲା, ଆଉ ନିଲୁଦାଦାର ମୃତ୍ଯୁ ଘଟିଥିଲା । କୋର୍ଟରେ ପ୍ରତ୍ୟକ୍ଷଦର୍ଶୀ ସବିତାର ମିଛ ବୟାନ ହିଁ ବଞ୍ଚେଇ ପାରିବ ଶଶଧରକୁ । ଶୁଆକୁ ଶିଖେଇଲା ପରି ସବିତାକୁ ଶିଖେଇଥିଲା ଚାରିଧାଡି ମିଛ – ନିଲୁଦାଦାର ପାଶବିକ ଆକ୍ରମଣରୁ ଆତ୍ମରକ୍ଷା କରିବାକୁ ଯାଇ ସବିତା କାଳେ ଛୁରୀ ଭୁଷିଦେଇଥିଲା ତା ଛାତିରେ । ସ୍ଵାମୀଙ୍କୁ ରକ୍ଷାକରିବାପାଇଁ ଧାଡିକ ମିଛକୁ ଘୋଷିଥିଲା ସେ ବାରମ୍ବାର । ପବିତ୍ର ଗୀତା ଉପରେ ହାତଥୋଇ ଶପଥ ନେଲାବେଳେ ବି ସ୍ଥିରଥିଲା ସେ । କିନ୍ତୁ ନିର୍ଦ୍ଦୋଷ ନିଲୁଦାଦା ସହ ରହିଥିବା ପାରିବାରିକ ସମ୍ପର୍କକୁ କଳୁଷିତ କରିବାକୁ ଯିବାବେଳେ କିଏ ଯେମିତି ଚାପି ଧରିଥିଲା ତା କଣ୍ଠନଳୀକୁ । ମଞ୍ଚ ଉପରେ ଅନର୍ଗଳ ସଂଳାପ କହୁଥିବା ସବିତା ମାତ୍ର ଧାଡିଏ ମିଛ କହିବାକୁ ଯାଇ ଅବଶ ହୋଇପଡୁଥିଲା ।

ପ୍ରତିପକ୍ଷ ଓକିଲଙ୍କୁ, ”ଆଜ୍ଞା ଏସବୁ ସମ୍ପୂର୍ଣ୍ଣ ସତ” କହି ନିଜକୁ ଓ ଶଶଧରକୁ ଦୋଷମୁକ୍ତ କରିବା ପରିବର୍ତ୍ତେ “ଏସବୁ ମିଛ”- ବୋଲି ଚିତ୍କାର କରିବାକୁ କାଠଗଡାର ବାଡ ଉପରେ ଝୁଙ୍କି ପଡିଲା ବେଳେ ଥରିଥରି ବସିପଡିଥିଲା ତଳେ । କରିପାରିନଥିଲା ଅଭିନୟ । ତା ଭିତରର କଳାକାର ବିବଶ ହୋଇ ପଡ଼ୁଥିଲା ।

ବିଗତ ପାଞ୍ଚବର୍ଷହେଲା ସେ ଶଶଧର ସହିତ ଗୋଟିଏ ଛାତତଳେ ରହିଛି କେବଳ । ଶଶଧର କିନ୍ତୁ ତାକୁ କାଠକଣ୍ଢେଇଟେ ପରି ନଚେଇଛି । ରଙ୍ଗମଞ୍ଚରେ ପରଦା ଆଗରେ ଆଉ ଜୀବନ ନାଟକରେ ପରଦା ଆଢୁଆଳରେ କେବଳ ନାଚିଛି ସେ ଆଜିଯାଏଁ । ଥକିଗଲାଣି ପାଦ ତା’ର । ସେ ଜାଣେ, ଆଜି ସତ କହି ସେ ହୁଏତ ଦୋଷୀ ସାବ୍ୟସ୍ତ କରିଦେବ ଶଶଧରକୁ, ଆଉ ତା ସହ ନିଜେ ମଧ୍ୟ ସର୍ବସ୍ଵାନ୍ତ ହୋଇଯିବ । ସବିତା ମୁଠେଇ ଧରିଥିଲା ନିଜ ଶାଢିଟିକୁ ଛାତି ଉପରେ, ନିଜକୁ ଦୃଢକରି ସତ କହିବାକୁ ଗଲାବେଳେ ଖୋଜିହେଉଥିଲା ଆତ୍ମପ୍ରତ୍ୟୟର କ୍ଷୀଣ ଶିଖାଟିକୁ । ଆଖିରୁ ଝରି ପଡୁଥିଲା ଧାର ଧାର ଲୁହ । ନିଜ ସଂସାରର ରଙ୍ଗମଞ୍ଚରେ ଯବନିକା ପଡ଼ିବାକୁ ଯାଉଥିବା ବେଳେ ସବିତା ପ୍ରସ୍ତୁତ ହେଉଥିଲା କହିବାକୁ ତା’ର ଶେଷ ସଂଳାପ ।

………..

Leave a comment