କାଠିକୁଟା ଜମେଇ ବାଲକୋନୀକୁ ଖୋଲିଥିବା ଝରକା ଉପର ପାରାପେଟ୍ ଉପରେ ପାରାଟି ତା’ର ଘର ଗଢି ସାରିଥିଲା । ମାସେ ପରେ ନିଜ ଘରକୁ ଫେରିଚି ସୁନନ୍ଦା । ବାଲକୋନୀରେ ଇତସ୍ତତଃ ହୋଇ ପଡିଥିବା କାଠିକୁଟା ଓ ପିମ୍ପୁଡ଼ି ଧାର ଲାଗିଥିବା ଖାଦ୍ୟାଂଶକୁ ଦେଖି ଅସଜ ଦେହରେ ନିଶୁଣି ପକେଇ ଚଢିଥିଲା ସେ ପାରାବସାଟିକୁ ଭାଙ୍ଗିଦେବାକୁ ତ ଦୁର୍ବଳିଆ ପାରାଟି ଧଳାଧଳା ଅଣ୍ଡା କେତୋଟି ଉପରେ ବସିଥିବାର ଦେଖିବା ପରେ ସେତକ ସଫାକରି ଫୋପାଡି ଦେବାକୁ ଆଦୌ ମନବଳି ନଥିଲା ତା’ର । ସେଇଠି ସେମିତି ଛାଡିଦେଇଥିଲା ପାରାଟିକୁ ତାର ଅଣ୍ଡା ମାନଙ୍କ ସହିତ । ତାକୁ ଦେଖି ଭୟରେ କୁଂକୁରି କାଂକୁରି ହୋଇ ସାଉଁଟି ହୋଇଯାଇଥିବା ପାରାଟି, ସେ ନିଶୁଣିରୁ ଓହ୍ଲେଇ ଆସିବାପରେ ପକ୍ଷୀ ଝାଡିଦେଇ ପୁଣିଥରେ ବସିଯାଇଥିଲା ଅଣ୍ଡା ମାନଙ୍କ ଉପରେ ନିଶ୍ଚିନ୍ତ ହୋଇ ।
ଏଇ ପାରାଟି ଅନ୍ୟ ମାନଙ୍କଠାରୁ ଟିକେ ଭିନ୍ନ ମନେହେଉଥିଲା ସୁନନ୍ଦାକୁ। ତା’ ବେକରେ ଘେରିହୋଇ ରହିଥିବା ଧଳା ପଟିଟି ତାକୁ ଅନ୍ୟ ମାନଙ୍କଠାରୁ ସ୍ଵତନ୍ତ୍ର କରି ରଖିଥିଲା । ପାରାଟି ପ୍ରତି କେମିତି ଗୋଟେ ଦୁର୍ବଳତା ଆସିଯାଇଥିଲା ସୁନନ୍ଦାର । ଅଣ୍ଡା ଫୁଟେଇ କୁନି କୁନି ଛୁଆମାନଙ୍କୁ ବାହାର ଦୁନିଆର ଆଲୋକ ଦେଖେଇବା ଚେଷ୍ଟାରେ ଥିବା ସେ ପାରାଟି ଭିତରେ ଗୋଟିଏ ମାଆର ନିଃସର୍ତ୍ତ ସ୍ନେହ, ଅମାପ କର୍ତ୍ତବ୍ୟ ପରାୟଣତା ଦେଖିପାରୁଥିଲା ସୁନନ୍ଦା । କାହାର ଉପସ୍ଥିତିର ସାମାନ୍ୟ ଆଶଙ୍କାରେ ନିଜକୁ ସୁରକ୍ଷିତ କରି ଉଡ଼ିଯାଉଥିବା ପାରାଟି ସୁନନ୍ଦା ତାର ନିକଟବର୍ତ୍ତୀ ହେବା ପରେ ମଧ୍ୟ ଜାକିଜୁକି ହୋଇ ବସିଥିଲା ଅଣ୍ଡା ମାନଙ୍କ ଉପରେ । ସେଠାରୁ ଉଡ଼ିଯିବାର ସାମାନ୍ୟତମ ଉପକ୍ରମ କହୁନଥିଲା ସେ । ସୁନନ୍ଦା ପ୍ରଭାବିତ ହେଲା । ତାର ସମ୍ବେଦନଶୀଳ ମନରେ ଅପୂର୍ବ ଏକ ଶିହରଣ ସୃଷ୍ଟି ହୋଇଥିଲା । ଅକ୍ଷୁର୍ଣ୍ଣ ପାରାଅଣ୍ଡା ମାନଙ୍କ ଭିତରେ ଥିବା କୁନି ଛୁଆ ଗୁଡ଼ିକ ପ୍ରତି ତା’ ମନରେ ବି ମମତା ଜାଗୁଥିଲା । ମାଆ ଛୁଆଂକର ସମ୍ପର୍କର ଏ ସ୍ୱର୍ଗୀୟ ଅନୁଭବ ଚହଲେଇ ଦେଉଥିଲା ତା ମନପ୍ରାଣକୁ ।
ଗତକାଲି ଚାରିମାସ ପୁରିଲା । ଯାଆଁଳା ଛୁଆ ଦୁଇଟି ତା’ ଭିତରେ ବଢ଼ୁଛନ୍ତି ଏକଥା ଡାକ୍ତରାଣୀଙ୍କ ଠାରୁ ଶୁଣିଲା ପରେ ଟିକେ ରୋମାଞ୍ଚିତା ହୋଇଥିଲା ସେ । ବାପା ମାଆ ଶାଶୁ ଶ୍ୱଶୁର କିନ୍ତୁ ବ୍ୟସ୍ତ ହୋଇ ପଡ଼ିଥିଲେ । ସବୁଠାରୁ ବେଶୀ ବିଚଳିତ ହୋଇ ପଡ଼ିଥିଲେ ନିନାଦ । ବୋଧହୁଏ ଭିତରେ ଭିତରେ ଟିକେ ଭୟ, ଟିକେ ଅସହଜ ପଣ ଘାରିଥିଲା ତାଙ୍କୁ । ମାସ ଗଡିଚାଲିଲା । ସ୍ଵାଭାବିକ ଭାବରେ ନିଜକୁ ଜଗିରଖି ଚଳୁଛି ସୁନନ୍ଦା । ଏ ଭିତରେ ଧିରେ ଧିରେ ସହଜ ହୋଇଗଲେଣି ସମସ୍ତେ । ସୁନନ୍ଦାପ୍ରତି ଯତ୍ନଶୀଳ ହୋଇପଡ଼ିଛନ୍ତି ପୁରା ପରିବାର । ନିନାଦଙ୍କର ତତ୍ପରତା ଆଖିଦୃଷ୍ଟିଆ । ସଙ୍କୁଚିତା ହୁଏ ସୁନନ୍ଦା । ‘’ଏଇଟା ଖୁବ୍ ଗୋଟେ ପିଲାଳିଆମି ତୁମର’’ କହି ଆକଟ କରେ କେବେ କେବେ ।
ଆଜିକୁ ମାସେ ହେଲାଣି ଅଫିସର ଏକ ଜରୁରୀ କାମରେ ବିଦେଶ ଯାଇଛନ୍ତି ନିନାଦ । ଯିବାକୁ ବାଧ୍ୟ ହୋଇଛନ୍ତି । ତାଙ୍କ ଅନୁପସ୍ଥିତିରେ ଖୁବ୍ ବେଶୀ ଏକୁଟିଆ ଅନୁଭବ କରୁଥିଲା ସୁନନ୍ଦା । ନିନାଦ ଯିବା ପରେ ପରେ ବାପାମାଆଙ୍କ ପାଖକୁ ଚାଲିଯାଇଥିଲା ଗତ କିଛିଦିନ । ତାର ଅନୁପସ୍ଥିତିରେ ପାରା ବସା ଗଢି ଅଣ୍ଡା ଦେଇସାରିଲାଣି ।
ପାରାବସା ଭାଙ୍ଗି ନ ପାରି ଛାଡିଦେବାପରେ କେଜାଣି କାହିଁକି ଆଶ୍ୱସ୍ତ ଲାଗୁଛି ତାକୁ । କୁନି କୁନି ଅଣ୍ଡା ଭିତରୁ ଛୁଆ ବାହାରିବାର ଅପେକ୍ଷାରେ ଏବେ ସେ । କେତେଦିନ ହେଲାଣି ଏ ଭିତରେ କେଜାଣି ? ଧଳା ପଟିଥିବା ପାରାଟି ସାରାଦିନ ଅଣ୍ଡା ଉପରେ ବସିଥାଏ । ସେଇଟି ନିଶ୍ଚୟ ମାଆ ପାରା ହୋଇଥିବ । କେବେ କେମିତି ଆଉ ଗୋଟିଏ ପାରା ଉଡ଼ିଆସି ବସେ ସେ ବସାରେ । ସୁନନ୍ଦା ଅନେକ ସମୟ ବସି ଦେଖେ ସେ ପାରାଯୋଡ଼ିକୁ । ବେକର ଧଳା ପଟିର ଅନୁପସ୍ଥିତି ଚିହ୍ନେଇ ଦିଏ ପୁରୁଷ ପାରାଟିକୁ । ଚଢେଇ ଦୁଇଟିଂକୁ ଦେଖି ଅନେକ କଥା ଭାବିହୁଏ ସୁନନ୍ଦା ।
କେତେକେତେ ସମ୍ପର୍କରେ ଗୁନ୍ଥା ଏ ଜୀବନ । ସବୁ ସମ୍ପର୍କରେ ଥାଏ ଗୋଟିଏ ଅଲେଖା ରାଜିନାମା । ସ୍ନେହ, ପ୍ରେମ ମମତାରେ ସିଂଚା ସେ ରାଜିନାମାର ପୃଷ୍ଠାସବୁ । ସେସବୁକୁ ଦେଖି ହୁଏନି , ଦେଖେଇ ହୁଏନି କେବଳ ଅନୁଭବ କରିହୁଏ । ଅଦୃଷ୍ଟର ଇଂଗିତରେ ଓଲଟିଥାଏ ଫର୍ଦ୍ଦ ପରେ ଫର୍ଦ୍ଦ । ପକ୍ଷୀ ଜଗତରେ କଣ ସେମିତି ପ୍ରେମଥାଏ ? ଥାଏ ପରସ୍ପରକୁ ଝୁରିହେବାର ଆବେଗପଣ ?
ଗଭୀର ରାତିର ନିଃଶବ୍ଦ ପ୍ରହରରେ ପାରାଟି ଗୁମୁରୁ ଥିବାର ଶୁଣିପାରେ ସୁନନ୍ଦା । କାହିଁକି କେଜାଣି ଖୁବ୍ ଅନ୍ୟମନସ୍କ ହୋଇପଡେ । ସେମିତି ହୋଇଥିଲା ଗତ ରାତିରେ । ନିନାଦଙ୍କ ଫୋନ୍ କୁ ଅପେକ୍ଷା କରିଥିଲା ସଞ୍ଜବେଳୁ । ହୁଏତ ଜରୁରୀ କାମରେ ବ୍ୟସ୍ତ ରହି ଫୋନ୍ କରିପାରିନାହାନ୍ତି। ନିଦ ଆଦୌ ଆସୁନଥିଲା । ସକାଳର ଅପେକ୍ଷାରେ ଉଜାଗର ରହିଗଲା ସେ ।
ସକାଳର ଖରା ବିଛେଇ ହୋଇ ପଡିଥିଲା ଚାରିଆଡ । ଝରକା ଉପର ପାରାପେଟ ଉପରେ କାଠିକୁଟାରେ ପାରା ଗଢିଥିବା ସେ ନିବୁଜ ଘରଟିକୁ ଚାହିଁ ରହିଥିଲା ସୁନନ୍ଦା । ଗତ କିଛିଦିନ ଭିତରେ ଗୋଟି ଗୋଟି କାଠି କୁଟା ସଂଗ୍ରହ କରିନେଇ ବସା ଗଢ଼ିଥିଲା ପାରାଟି । ସୁରକ୍ଷିତ ଘରଟିଏ ଭିତରେ ସୃଷ୍ଟିକୁ ଆଲୋକ ଦେଖେଇବାର ପ୍ରଚେଷ୍ଟାରେ ପକ୍ଷୀ ଦୁଇଟି । ମୋଡ଼ିହୋଇ ବସିଥିବା ପାରା ବେଳର ମୋଟା ଧଳା ପଟିଟିକୁ ସ୍ପଷ୍ଟ ଦେଖିପାରୁଥିଲା ସୁନନ୍ଦା । ବସାଟିକୁ ଦେଖିବା, ପାରା ଦୁଇଟିଙ୍କର ଗତିବିଧି ଲକ୍ଷ୍ୟ କରିବା ନିୟମିତ ଅଭ୍ୟାସରେ ପଡିଗଲାଣି ସୁନନ୍ଦାର । ଏକ ଅଦ୍ଭୁତ ସମ୍ପର୍କରେ କ୍ରମଶଃ ବାନ୍ଧି ହୋଇପଡୁଛି ସେ ଚଢେଇ ଦୁଇଟିଂକ ସହ ।
ଲାଗ ଲାଗ ତିନିଦିନ ହୋଇଗଲାଣି ପୁରୁଷ ପାରାଟିକୁ ଦେଖୁନି ସେ । କୁଆଡେ ଗଲା ? ମାଆ ପାରାଟି ବସା ବାହାରେ । ସତେ ଯେପରି କାହାକୁ ଖୋଜୁଛି ସେ ? ଚଢେଇ ମାନେ ବି କଣ ଖୋଜନ୍ତି ତାଙ୍କ ସାଥୀକୁ ! ସାଥୀଟି ସହ ନିଜର ସମ୍ପର୍କର ନିବିଡତାକୁ ବୁଝିପାରନ୍ତି ମଣିଷ ମାନଂକ ପରି ? ଟିକେ ଚମକିଲା ପରି ଚାହିଁଲା ଏଥର ସେ ପାରାଟିକୁ। ତା ସାଥୀକୁ ଝୁରୁଛି ସେ ? ସାମାନ୍ୟ ବିସ୍ମୟ ସୁନନ୍ଦା ଆଖିରେ । ପାରାବସା ଭିତରୁ ନାଲି ନାଲି କୁନି କୁନି ଛୁଆ କେତୋଟି ଚିଁ ଚିଁ ହେଉଥିଲେ । ଖୁବ୍ ମନେ ପଡୁଥିଲେ ନିନାଦ ।
****