— “ବୋଉ, ଏ କଂସାବେଲାଟିକୁ ଧରି କାହିଁକି ବସିଛୁ ? ଦେ, ଦେଲୁ ମତେ। ହାଣ୍ଡିଶାଳରେ ରଖିଦେବି”। ଡାକ୍ତରଖାନାରୁ ଆଣିଥିବା ପାଲଟା ଲୁଗାତକ ଗାଧୁଆଘରେ ରଖି ଆସୁଆସୁ, ସଦାନନ୍ଦ କହିଲା ଆଉ ନଇଁପଡି ବେଲାଟି ବୋଉ ହାତରୁ ଧରିନେଲା ।
— “ନାଇଁରେ କାବେଡା, ବେଲାଟା ଏଇଠି ମୋ ପାଖରେ ଥାଉ । କେତେବେଳେ ବି ତୁ ଖବର ନେଇଆସିବୁ ଡାକ୍ତରଖାନାରୁ । ପୁଅଟିଏ ହେଲେ, ଏଇ ବେଲାଟିକୁ ଭୂଇଁରେ କଚାଡି ଭାଙ୍ଗିଦେବାକୁ ପଡିବ ନହେଲେ ପା ନଜର ଲାଗିଯିବ”।
‘ତିନିଝିଅ ପରେ ଏଥର ପୁଅଟିଏ ହେବ । ଜ୍ୟୋତିଷ ଖଡି ପକେଇ ଗଣନା କରି କହିଛନ୍ତି, ଏଥର ନିଶ୍ଚୟ ପୁଅ ହେବ। ସେ କହିଥିବା ସବୁ ନୀତି ନିୟମ ମାନିଛି ସର। କେତେନା କେତେ ନିର୍ଜଳା କାଷ୍ଟା ଉପବାସ କରିଛି । ତିନିଝିଅ ପରେ ପୁଅହେଲେ ଭାଙ୍ଗିଦେବାକୁ ପଡିବ କଂସା ବେଲାଟିଏ। ଅଶୁଭ ଦୃଷ୍ଟିରୁ ବଞ୍ଚିଯିବ ପୁଅ । ଭୋଗିବ ଅଖଣ୍ଡ ସୁଖ ଏ ଜନ୍ମରେ ‘। ବୋଉ ମନକଥା ପଢି ହେଇଯାଉଥିଲା ତା’ ମୁହଁରୁ।
ବୋଉର ଅଝଟିଆ ଅନ୍ଧବିଶ୍ୱାସ ଓ ବାସ୍ତବତାର ଦ୍ବନ୍ଦ୍ବ ଭିତରେ ବନ୍ଧାପଡିଥିବା ସଦାନନ୍ଦ ଲଥ୍ କରି ବସିପଡିଲା ବୋଉ ଦେହକୁ ଲାଗି । ଆଖି ଆଗରେ ତା’ର ନାଚି ଯାଉଥିଲା ସରର ଶୁଖିଲା ମୁହଁଟି।
ସତରେ କଣ ପୁଅଟିଏ ଜନ୍ମ ନକଲେ ବ୍ୟର୍ଥ ହୋଇଯାଏ ଜୀବନ ? ସତରେ କଣ ସାତପୁରୁଷ ପୁଅଟିଏର ହାତଟେକା ପାଣିକୁ ଚାହିଁ ରହିଥାଆନ୍ତି ? ଆଉ, ଏ ଝିଅ ତିନୋଟି? ସେମାନେ ନଥିଲେ ସର କଣ ଆଜି ବଞ୍ଚିଥାଆନ୍ତା? ଦୁଇଦିନ ତଳେ ଏଇ ଝିଅମାନଙ୍କ ପାଇଁ ସରର ଜୀବନ ରହିଗଲା।
ଖରାବେଳ ସମୟ। ପୋଷ୍ଟମାଷ୍ଟର ସଦାନନ୍ଦ ପୋଷ୍ଟଅଫିସରେ କାର୍ଯ୍ୟବ୍ୟସ୍ତ। ସନ୍ତାନ ପ୍ରସବ ସମୟ ପାଖ ହୋଇଯାଉଥିବାରୁ ସର ଉପରେ ଜ୍ୟୋତିଷଙ୍କ ନିୟମ ଅଧିକରୁ ଅଧିକ ଲାଗୁ ହେଉଥିଲା।
ସେଦିନ ସରକୁ ପୁରା ଉପବାସରେ ରହିବାକୁ ନିର୍ଦ୍ଦେଶଥିଲା। ପ୍ରସବ ପୂର୍ବର ଶେଷପୂଜା ଓ ଶେଷ ଉପବାସ। ଏ ଉପବାସ ପରେ ଶୁଭଫଳ ମିଳିବ ହିଁ ମିଳିବ। ଖୁବ୍ ଦୁର୍ବଳ ଲାଗୁଥିଲା ସର। ସଦାନନ୍ଦର ଅନୁରୋଧରେ କିଛି ପୂଜାପାଠ ପରେ ସାମାନ୍ୟ କୋହଳ ହୋଇଥିଲା ନିୟମ । ସନ୍ଧ୍ୟାଯାଏଁ କିନ୍ତୁ ଉପବାସ ରହିବାକୁ ପଡିବ। ସବୁ ନୀତି ନିୟମ ମାନିଥିଲା ସର। ସଦାନନ୍ଦର ସମସ୍ତ ଚେଷ୍ଟା ସତ୍ତ୍ୱେ ବଦଳିନଥିଲା ବୋଉର ନିଷ୍ପତ୍ତି।
ଔଷଧ ଖାଇ ଶୋଇପଡିଥିଲା ବୋଉ । ବେଳକୁବେଳ ଅସଜ ଦେହଟା କେମିତି ନିସ୍ତେଜ ହେଇଯାଉଥିଲା ସରର । ବଡଝିଅ ତା’ ବୋଉର ଏ କଷ୍ଟ ଦେଖିପାରିଲା । ସାନ ଦି’ ଭଉଣୀଙ୍କ ସହ ସେବା ଯତ୍ନରେ ଲାଗିଗଲା । ବିଞ୍ଚା ଛିଞ୍ଚା କରି ବୋଉକୁ ତାଙ୍କର ସାଷ୍ଟାମ କରିବାକୁ ଚେଷ୍ଟା କରୁଥିଲେ ସେମାନେ। ସର ବିଚାରୀ ଛଟପଟ ହେଉଥାଏ।ବୋଉ ଉଠିପଡିଥିଲା ନାତୁଣୀ ମାନଙ୍କର ପାଟିତୁଣ୍ଡରେ। ଜେଜେମା’ର ନିର୍ଦ୍ଦେଶରେ ମଝିଆଣୀ ଦଉଡିଗଲା ପଡିଶାଘରକୁ। ଖବର ପାଇ ସଦାନନ୍ଦ ଘରେ ପହଞ୍ଚିଲା ବେଳକୁ ସର ଅଚେତା ହୋଇ ପଡିଛି। ଝିଅମାନେ ମିଶି ତାକୁ ଜବରଦସ୍ତ ପିଆଇବାକୁ ଚେଷ୍ଟା କରିଥିବା ଖିରତକ ଢାଳିହୋଇଯାଇଛି ଘରସାରା। ଉପବାସର ନିୟମ ଭାଙ୍ଗିନି ସେ। ଓଃ, ସଦାନନ୍ଦ ବ୍ୟସ୍ତହୋଇପଡୁଥିଲା। ଠିକ୍ ସମୟରେ ଡାକ୍ତରଖାନା ନେଇଯିବାରୁ ବଞ୍ଚିଗଲା ସର ନହେଲେ କଣ ଯେ ହୋଇଥାଆନ୍ତା?
ଭଗବାନ୍ ଯାହା ଦେଇଛନ୍ତି ତାକୁ ତ ସେ ବଦଳେଇ ପାରିବନି।ସେମାନଙ୍କୁ ମାନିନେବାକୁ ହେବ ଭଗବାନଙ୍କ ନିଷ୍ପତ୍ତି। ରାତିର ଶେଷ ପହରରେ ତାର ଚତୁର୍ଥ ସନ୍ତାନ ଆସିସାରିଛି ନିଜଭାଗ୍ୟ ଭୋଗିବାକୁ ଏ ଧରାକୁ। ଚେତାଶୁନ୍ଯହୋଇ ପଡିଥିବା ସରକୁ ବଞ୍ଚିବାକୁ ହେବ । ‘ତାକୁ ଯେମିତି ହେଲେ ବଞ୍ଚେଇଦିଅ ଠାକୁରେ । ତୁମ ନିଷ୍ପତ୍ତି ମାନିନେବୁ ଆମେ। ଏ ଛୁଆଟି ବି ବଞ୍ଚିବ। ତୁମରି ନିର୍ଦ୍ଦେଶରେ ଭୋଗିବ ତା ଭାଗ୍ୟ।’
— “ଆଜ୍ଞା, ଘରକୁ ଯାଇ ଖାଇଦେଇ ଆସନ୍ତୁ। ଚେତା ଫେରିନି ଏଯାଏଁ। ସାଙ୍ଗେସାଙ୍ଗେ ତ ସେ ରୁମ୍ କୁ ଆସିବେନି । ଆମେ ଜଗିଛୁ। ଆପଣ ଘରକୁ ଯାଇ, ଆସନ୍ତୁ।” ବିଶ୍ୱସ୍ତ ନର୍ସ ଉଦାର କଣ୍ଠରେ କହିଲା। ସେ କହିବାପରେ ଘରକୁ ଆସିଥିଲା ସଦାନନ୍ଦ।
ବୋଉ ଏବେବି ପୁଅ ଆଶାରେ। ପୂଜା, ଉପବାସର ସମସ୍ତ ନୀତି ନିୟମ ଖୁବ୍ ନିଷ୍ଠାରେ ପାଳିଛି ସର।
— “ବୋଉ,ପାହାନ୍ତା ପହରରୁ ତା ମାଆକୋଳକୁ ସେ ଆସିସାରିଲାଣି” – ଖୁବ୍ କ୍ଷୀଣ ସ୍ୱରରେ କହିଲା ସଦାନନ୍ଦ ବୋଉର କାନ ପାଖରେ।
— “ଏଁ, କଣ କହିଲୁ, ପୁଅ ନା ଝିଅ? ପୁଅ ହୋଇଥିବ ନିଶ୍ଚୟ।” ବୋଉର ଉଦବେଗ କୂଳ ଲଂଘୁଥିଲା। । କାନ୍ଦକାନ୍ଦ ଶୁଣାଯାଉଥିଲା ସଦାନନ୍ଦର ସ୍ୱର,
— “ପୁଅ ନୁହେଁ କି ଝିଅ ନୁହେଁ ବୋଉ, ସରର ପବିତ୍ର କୋଳକୁ ମୋକ୍ଷ ପାଇବାକୁ ଆସିଛି ସେ,ଅଭିଶପ୍ତ କିନ୍ନର।
*****