ମହକ

   ‘ଯେତେବେଳେ ସୂର୍ଯ୍ୟଙ୍କର ପହିଲି କିରଣ ଖେଳେଇ ହୋଇପଡେ ଘର ଦୁଆର ଦାଣ୍ଡ ଅଗଣା, ଠିକ ସେତିକି ବେଳେ ତୋ ଜେଜେବାପା ସାଇକେଲରେ ଖବର କାଗଜ ଆଉ କ୍ଷୀର ଝୁଲେଇ ପହଞ୍ଚିଯାଆନ୍ତି ଘରେ’ ।
  ‘ଏତେ ସକାଳୁ?’ – ହାଇ ମାରୁମାରୁ କହିଲା ବାବୁଲା ।
  ‘ହଁ ରେ ବାପା, ଏତେ ସକାଳୁ । ସେତେବେଳକୁ ମୁଁ ପା’ ଘର ଦୁଆର ଖରକି, ଗାଧୋଇ ପାଧୋଇ ପୂଜା ଫୁଲ ତୋଳି ସାରିଥାଏ’ ।
  ‘ଏତେ ସକାଳୁ?’ ନାଇଟ୍ ଗାଉନରେ ଶୋଇବା ଘରୁ ବାହାରକୁ ଆସି କହି ପକେଇଲା ସୁସ୍ମିତା ।
  ‘ସକାଳଟା ଗାଁ ରେ ଜଲ୍ଡି ହେଇ ଯାଉଥିଲା, ନାଇଁ ଜେଜେମା?ଏଠି ଟିକେ ଡେରିରେ ହୁଏ’ – ବାବୁଲା କହିସାରି ନିଜ ଆଣ୍ଠୁକୁ ଜାକିନେଇ ପଶିଗଲା ଜେଜେମାଙ୍କ କୋଳରେ । ତାକୁ କୋଳ ଭିତରକୁ ଭିଡି ନେଉ ନେଉ ନିର୍ମଳାଙ୍କ ମୁହଁରେ ତୃପ୍ତିର ହସଟେ ଝଲସି ଉଠିଲା ।
       ‘ଗାଁରେ ସକାଳ ଜଲଦି ହୁଏ କି ନା କେଜାଣି, ହେଲେ  କାଉ କାଆ ଡାକିବା ଆଗରୁ, ସକାଳର ପହିଲି କିରଣ ଗାଁ ଦାଣ୍ଡରେ ଖେଳେଇ ହୋଇ ପଡ଼ିଲା ବେଳକୁ ଆମ ଗାଁ ବୋହୂଙ୍କର ଅଧା କାମ ସରିଥାଏ । ଅନ୍ଧାରୁ ଅନ୍ଧାରୁ ପୋଖରିପାଣି ଯାଇ ଗାଧୁଆ ପାଧୁଆ ସାରିଥାଉ ଆମେ । ନିଜ ଚା’ କପ୍ ଟିକୁ ଓଠରେ ଲଗାଇ ନାଇଟ ଗାଉନରେ ଡାଇନିଂ ଟେବୁଲ ଉପରେ ଆର କପ୍ ଟି ରଖି ସୁସ୍ମିତା କହିଲା, ‘ମାଆ, ଆପଣଙ୍କ ଚା’ ରେ ଅଦା ଗୋଲମରିଚ ଗୁଣ୍ଡ ଦେଇଛି । ଆପଣଙ୍କୁ ଭଲ ଲାଗେ ସେଥିପାଇଁ କ୍ଷୀର ବି ଟିକେ ଅଧିକ ଦେଇଛି’ ।
  ‘ଆଜି ଟେବୁଲ୍ ରେ ନୁହେଁ, ଏଇଠି ଚା’ ଦେ ମତେ । ଦେଖୁନୁ ଟୋକାଟା କେମିତି ଜାକି ହେଇଛି ମୋ କୋଳରେ …’
  ‘ହେ, ବାବୁଲା, ଛାଡ ଜେଜେମାଙ୍କୁ’ – ସୁସ୍ମିତା କୋମଳ ଆକଟ କରି କହିଲା ବାବୁଲା ଉଦ୍ଦେଶ୍ୟରେ ।
  ‘ଥାଉ, ସେ ସେମିତି ମୋ କୋଳରେ ପଶିଥାଉ । ତୁ ଚା’ ମତେ ଏଇଠି ଦେଲୁ’ – ଶାଶୁଙ୍କ ଶେଜ ଉପରେ ଚା’ କପ୍ ଟି ରଖିଦେଇ ସୁସ୍ମିତା  ଗାଧେଇବାକୁ ଚାଲିଗଲା ।
        ଆଜି ଅଫିସ୍ ରେ ପହଞ୍ଚୁ ପହଞ୍ଚୁ ଗୋଟିଏ ମିଟିଂ ଅଛି । ସେଥିପାଇଁ ଡେରି ରାତି ଯାଏଁ କାମ କରିଛି ସେ । ସକାଳୁ ଉଠି ବାବୁଲାର ସ୍କୁଲ୍ ପ୍ରୋଜେକ୍ଟ୍ କାମପାଇଁ ଜିନିଷ ଏକାଠି କରି ତା ବ୍ୟାଗ୍ ସଜାଡ଼ିବା ଭିତରେ ସେ ଆସି ପଶିଗଲାଣି ଜେଜେମାଆଙ୍କ କୋଳରେ । ‘ସେତିକି ଗେଲ ଥାଉ, ସ୍କୁଲ୍ ଯିବାକୁ ଡେରି ହେବ ।  ଆ… ଗାଧେଇବୁ’ – କହୁ କହୁ ସୁସ୍ମିତା ନିଜ ଲୁଗା ଧରି ଗାଧୋଇବାକୁ ଚାଲିଗଲା । ‘ନା, ମତେ ଜେଜେମା ଗାଧୋଇ ଦେବେ – ନିର୍ମଳାଙ୍କ କୋଳ ଭିତରୁ କହିଲା ବାବୁଲା ।

        ନିର୍ମଳା ନିଜ ଅତୀତକୁ ମନେପକାଉଥିଲେ । ମହାପାତ୍ର ଘରକୁ ବୋହୂ ହୋଇ ଆସିବା ବେଳକୁ କେତେ ବା ବୟସ ହୋଇଥିବ ତାଙ୍କୁ? ଏଇ ପନ୍ଦର କି ଷୋହଳ! ଶାଶୁ ଘରକୁ ବିଦା ହୋଇ ଆସିବା ବେଳକୁ ବୋଉ କହିଥିବା କଥା କେଇପଦ ଏବେବି ମନେପଡେ ।
  ‘ବୋହୂ ହୋଇ ଯାଉଛୁ ନୂଆ ପରିବାରକୁ । ସମ୍ଭାଳି ରଖିବୁ ଦୁଇଟି ଯାକ ଘର । ଦୁହିତା ଦୁଇ କୁଳକୁ ହିତା । ତୋ ଶାଶୁ ଘର ଗାଁରୁ ଭାସି ଆସୁଥିବା ପବନରେ ତୋ ପ୍ରଶଂସାର ମିଠା ମହକ ଭାସି ଆସିଲେ ଜାଣିବି ମୋ ମାଆ ହେବା ସାର୍ଥକ ହେଲା ।’
ବାପଘରୁ ବିଶେଷ କରି ମାଆ ପାଖରୁ ଝିଅଟିଏକୁ ମିଳିଥାଏ ସଂସ୍କାରର ଚାବିକାଠି ଯେଉଁଥିରେ ଖୋଲିଯାଏ ନୂଆ ମଣିଷଙ୍କ ହୃଦୟର କବାଟ । ବୋଉ କଥା ଭୁଲିନଥିଲେ ନିର୍ମଳା । କେତେ କେତେ ମାନସିକ ଯୁଦ୍ଧ ସେ ଲଢ଼ିଛନ୍ତି ତାଙ୍କ ଜୀବନରେ । ନିଜର ଆଶା ଆକାଂକ୍ଷାକୁ ପଛରେ ରଖି ପରିବାର ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି । ବୋଉ କହିଥିବା ସେଇ କଥା କେଇପଦକୁ ବେଦର ଗାର କରି ଜିତିଛନ୍ତି ସବୁରି ମନକୁ ଆଉ ତାଙ୍କ ବାପଘର ଗାଁ ଯାଏଁ ଖେଳେଇ ଦେଇଛନ୍ତି ନିଜର ମିଠା ମହକ ।

        ଯୁଗ ବଦଳିବା ସହ ବଦଳିଛି ବୋହୂର ଦାୟିତ୍ୱ । ଘରର ଏରୁଣ୍ଡି ବନ୍ଧ ଡେଇଁ ବାହରକୁ ଯିବା ଭିତରେ ତା ପାଇଁ ପରିବ୍ୟାପ୍ତ ହୋଇଛି ଦାୟିତ୍ୱର ରୂପରେଖ । ନିଜକୁ ବହୁଧା ବିଭକ୍ତ କରିଛି ସେ ।
  ‘ଗିରିଜା ଉଠିନି କି ? ବଡ ପାଟିରେ ବୋହୂ ଉଦ୍ଦେଶ୍ୟରେ କହିଲେ ନିର୍ମଳା, ‘ବାବୁଲା, ତୋ ବାପା ଉଠିଲାଣି ? ଗଲୁ ଦେଖିବୁ’ – ବାବୁଲାକୁ ଗେଲକରି ପୁଅକୁ ଉଠେଇଦେବାକୁ ପଠେଇଲେ ନିର୍ମଳା ଆଉ ନିଜେ ଉଠି ଚାଲିଗଲେ ରୋଷେଇ ଘରକୁ । ବାବୁଲା ଜେଜେମା’ଙ୍କ କୋଳରୁ ବାହାରି ଦୌଡିଲା ଶୋଇବା ଘର ଆଡେ ।  ସକାଳୁ ବାପାଙ୍କୁ ଉଠାଇବାର ମଜା କେବଳ ବାବୁଲା ହିଁ ଜାଣେ । ଏବେ ସେ ଚଢ଼ିଯିବ ଖଟ ଉପରେ । ଗିରିଜା ଶୋଇଥିବେ, ଅଥଚ ଆଖି ତାଙ୍କର ଅଧା ଖୋଲା ରହି ଚେଇଁ ଥିବାର ଭ୍ରମ ସୃଷ୍ଟି ହେଉଥିବ । ବାବୁଲା ଜାଣିପାରୁନଥିବ ବାପା ଶୋଇଛନ୍ତି କି ନା ! ବାପାଙ୍କ ଉପରେ ପ୍ରାୟ ଚଢ଼ିଯାଇ ସେ ଅନୁସନ୍ଧାନ କରି ବିଫଳ ହେବା ପରେ ଦୁଇ ଆଙ୍ଗୁଳିରେ ଟେକି ମେଲେଇ ଧରିବ ଆଖିର ଦୁଇ ପତାକୁ । ଗିରିଜା ଉଠିପଡିବ, ଆଉ ରାଗିବା ପରିବର୍ତ୍ତେ କୋଳେଇ ନେଇ ଗେହ୍ଲା କରିବ ବାବୁଲାକୁ । ଏଇଟା ଏବେ ନିତିଦିନିଆ ଖେଳ ହୋଇଗଲାଣି ବାବୁଲାର ।
  ‘ବାବୁଲା, ଏ ବାବୁଲା । ଯା, ମାଆ ଡାକୁଛି ଗାଧେଇଦେବ ତତେ । ସ୍କୁଲ ଡେରି ହେବ, ଜଲ୍ଡି ଯା ।’
  ‘ବାବୁଲା, କୁଆଡେ ଗଲୁ କିରେ ? ନାନୀ କାଇଁ ଦିଶୁନି’ – କହୁ  କହୁ ଘର ଭିତରକୁ ପଶିଆସିଥିଲା ସୌରଭ- ସୁସ୍ମିତାର ଭାଇ । ତାକୁ ଦେଖି ଖୁସି ହୋଇଥିଲେ ନିର୍ମଳା ।
  ‘ସେ ତିନିହେଁ ରେଡି ହେଉଥିବେ । ତୁମେ ଆସିଚ ଦେଖି ସୁସ୍ମିତା ବହୁତ ଖୁସି ହେବ’ – କହୁ କହୁ ସମସ୍ତଙ୍କ ପାଇଁ ଟିଫିନ୍ ସଜାଡୁ ଥିଲେ ସେ । ଗିରିଜା ବାବୁଲାକୁ ବସ୍ ରେ ଚଢ଼େଇଦେଇ ଆସୁ, ଏକାଠି ଚା’ ପିଇବା ସମସ୍ତେ’ – ସୌରଭ ଉଦ୍ଦେଶ୍ୟରେ ଏତକ କହି ଠାକୁର ବାସନ ଆଣିବାକୁ ଠାକୁର ଘରକୁ ଗଲେ ସେ ।
       ସୁସ୍ମିତା ତରତର ହୋଇ ଠାକୁର ଘରୁ ବାହାରି ପଡ଼ିଲା ।
  ‘ଆଜି ଗୋଟେ ଜରୁରୀ ମିଟିଂ ଅଛି, ସେଇ ମିଟିଂ ଉପରେ ନିର୍ଭର କରୁଛି ଆମ କମ୍ପାନୀର ଭବିଷ୍ୟତ । ସେଥିପାଇଁ ଠାକୁରଙ୍କୁ ପ୍ରାର୍ଥନା କରୁଥିଲି’ – ସୁସ୍ମିତା କହିଲା । ତା’ ହାତରେ ଚକ୍ ଚକ୍ କରୁଥିଲା ଏଇମାତ୍ର ସେ ମାଜିମୁଜି ଚିକ୍ ଚିକ୍ କରିଥିବା ଠାକୁରଙ୍କ ବାସନସଜ ।  ବାବୁଲାକୁ ରେଡି କରିଦେଇଛି ସେ ।
  ‘ଠାକୁରଙ୍କୁ ପ୍ରାର୍ଥନା କରୁଥିଲୁ ଦୁହେଁ’ – କହି ହସି ହସି ସୌରଭକୁ  ବସିବାକୁ  କହିଲା । ଶାଶୁଙ୍କ ହାତରୁ ଚା’ ସସ୍ପେନ୍ ନେଇ ଚୂଲିରେ ପାଣି ବସେଇଲା ସୁସ୍ମିତା । ‘ତୁ ଆଗ ଜଳଖିଆ ଖାଇଲୁ’ କହି ନିର୍ମଳା ଆଉଁଶିଦେଲେ ସୁସ୍ମିତାର ମୁଣ୍ଡ । ସୌରଭକୁ ଖୁସି ଲାଗୁଥିଲା ତା ନାନୀ ଘରର ପରିବେଶ । ପରିବାରର ପରସ୍ପର ପ୍ରତି ଶ୍ରଦ୍ଧା, ମିଠା ଅନୁଭବଟିଏ ହୋଇ ଛୁଇଁ ଯାଉଥିଲା ତାକୁ ।

        ନିଜ ନିଜର ଅକପଟ ସ୍ନେହ ସୁରଭିରେ ମହକୁଥିଲା ଚାରିଆଡ । ସେଇ ମହକ କ୍ରମେ ବ୍ୟପିଯାଉଥିଲା ଦୂରକୁ ଖୁବ୍ ଦୂରକୁ …..

****

Leave a comment