ଅତିଥି


      ବାଡିପଟ ଆମ୍ବଗଛରେ ଏ ବର୍ଷ ପ୍ରଥମ ଥର ବଉଳ ଆସିଛି । ପୁରା ଗଛରେ ଖୁନ୍ଦି ହୋଇଯାଇଛି ବଉଳ। ଖଣ୍ଡେ ବାଟଯାଏଁ ଖେଳିବୁଲୁଛି ବାସ୍ନା । ଶଶଧର ଦଉଡିଆ ଖଟଟି ଟେକି ଆଣିଲେ ବାଡିପଟକୁ । ଖଣ୍ଡ ଖଣ୍ଡ ହୋଇ ଛିଣ୍ଡି ପଡିଲାଣି ପୁରୁଣା ଦଉଡି ଗୁତାକ । ଅନେକ ଦିନପରେ ଷ୍ଟୋର ରୁମ୍ ରେ ପଡିଥିବା ସେ ଖଟିଆଟିକୁ ସଜାଡିବାର ଇଚ୍ଛା ଜାଗ୍ରତ ହୋଇଛି ତାଙ୍କ ମନରେ। ଚଉଡା ଧଳା ଦଉଡି ବଦଳରେ ପୁଅ ଆଣିଦେଇଥିବା ପ୍ଲାଷ୍ଟିକ ତାରପରି ପତଳା ଦଉଡି ବଣ୍ଡଲ୍ ଟିକୁ ନେଇ, ବାଡି ପଟକୁ ଖଟିଆଟିକୁ ଆଣି ଡେରିଦେଲେ କାନ୍ଥରେ । ଚଉଡା ଧଳା ଦଉଡି ଛିଣ୍ଡି ଯାଇ ଠାଏଠାଏ ହୋଇଥିବା କଣା ଗୁଡିକରେ ଆଖି ବୁଲେଇ ଆଣିଲାବେଳେ ଧୀର ମନେ ପଡିଲା ।ଦଉଡିଆ ଖଟ, ଆମ୍ବଗଛ ଆଉ ଧୀର , ଏ ସବୁ ଯୋଡିଯାଡି ହୋଇ ସମ୍ପର୍କର ତ୍ରିଭୁଜଟିଏ ଆଙ୍କିଦେଲା ଶଶଧରଙ୍କର ମନ ଭିତରେ । ଧୀର ତାଙ୍କର ସମ୍ପର୍କିତ ନୁହେଁ, ଗୋଟିଏ ଦିନର ଅତିଥି । ସେଦିନଟି ପରେ କେବେ ଆଉ ଦେଖାହୋଇନି ତା’ ସହ । ହୁଏତ ଆଉ କେବେ ଦେଖାହେବନି । ଆମ୍ବ ଗଛଟିରେ ଆଖି ପଡିଲେ, ପୁରୁଣା ଦଉଡିଆ ଖଟଟିର ମୁଣ୍ଡ ପଟକୁ ଛିଡି ଯାଇ କଣା ହୋଇଯାଇଥିବା ଅଂଶଟି ଦେଖିଲେ ସେ ମନେପଡେ ।  ମନେପଡେ ସେଦିନଟି । ଖୁବ୍ ମନେପଡେ ଧୀର ।
          ଖୁବ୍ ଜୋର୍ ବର୍ଷା ହେଉଥିଲା ସେଦିନ । ପବନ ବି ବେଗରେ ବୋହୁଥିଲା । ଅଫିସରୁ ଆସି ଚା’ କପ୍ ଟି ହାତରେ ଧରିଛନ୍ତି, ଦଲକାଏ ପବନ ସହ ପାଣି ମେଞ୍ଚାଏ ରୋଷେଇଘର ଝରକା ପଟୁ ପଶି ଆସିଲା । କପ୍ ଟିକୁ ଚୂଲି ପାଖରେ ଥୋଇଦେଇ ଝରକା ବନ୍ଦ କରିବାକୁ ଯାଇ ପଡିଶାଘର ବାରଣ୍ଡା ଉପରେ ତାକୁ ଦେଖିଲେ ସେ । କାଖରେ ବଡ ବ୍ୟାଗ୍ ଟିଏ ଚାପିଧରି ସେ ଠିଆ ହୋଇଥିଲା । ବ୍ୟାଗ ଭିତରେ ଥିବା ଜିନିଷ ଓଦା ନ ହେବାକୁ ଛାତି ଯାଏଁ ଟେକି ଧରିଥିଲା ସେ ବ୍ୟାଗ୍ ଟିକୁ  । ପଡିଶାଘର ଖାଲି ପଡିଛି ଗତ ମାସରୁ । ସେ ଘର ଚାବି ଏବେ ତାଙ୍କ ପାଖରେ । ନୂଆ ଭଡାଟିଆ ଜଣେ ଦି’ ଜଣ ଆସି ଘର ଦେଖି ଗଲେଣି । ଘର ମାଲିକ ମୁମ୍ବାଇରେ । ଭୁବନେଶ୍ବର  ଆସିଲାବେଳେ ଥରେଅଧେ ଆସି ବୁଲି ଯାଆନ୍ତି ଏପଟେ । ଶଶଧର ବଡପାଟିରେ ଡାକ ଛାଡିଲେ, “ଆରେ, ସେଠି କଣ କରୁଛ ? ସେ ଘରେ କେହି ନାହାନ୍ତି । ଶୁଣ, ଏପଟେ ଆସ । ” କହିସାରି ଦାଣ୍ଡ ଦୁଆର ଖୋଲିବାକୁ ଦାଣ୍ଡ ପଟକୁ ଆସିଲେ। ଦାଣ୍ଡଦୁଆର ଆରପଟେ ସେମିତି ବ୍ୟାଗ ଜାକିଧରି ସେ ଠିଆ ହୋଇଥିଲା । “ବର୍ଷା ପଡୁଛି, ଭିତରକୁ ଆସ ” କହି ତା’ ହାତଧରି ଘର ଭିତରକୁ ଟାଣି ଆଣିଲେ ଶଶଧର ଓ ଦୁଆର ବନ୍ଦ କରିଦେଲେ । ଅପରିଚିତ ମଣିଷଟି କାକୁସ୍ଥହୋଇ ଠିଆ ହୋଇଥିଲା ତାଙ୍କ ସାମ୍ନାରେ। ପାଖ ଘର ବାରଣ୍ଡାରୁ ଓହ୍ଲେଇ ତାଙ୍କ ଘରଯାଏଁ ପହଁଚିବା ଭିତରେ ଭିଜି ଯାଇଥିଲା ଅଧାଅଧି । “ସେ ଘରେ ମୋ ବଡଭାଇ ରହନ୍ତି । ଗତବର୍ଷ ଆସିଥିଲି ତାଙ୍କ ପାଖକୁ । ଦିନେ ଦୁଇଦିନ ରହିଥିଲି ଏଠି । ଏ ସହରକୁ ଚିହ୍ନିନି ଏଯାଏଁ “। କହିଲା ବେଳେ ଭାରି ଅସହାୟ ଲାଗୁଥିଲା ତା’ ସ୍ୱର ।
         କପେ ଚା’ କୁ ଦି’ ଭାଗକରି ପିଇବା ସମୟରେ ଧୀର କହୁଥିଲା ଭାଇ ତାର ତିନିମାସ ହେଲା ଘରକୁ ଯାଇନି । ଭାଇ ପଇସା ନ ପଠେଇବାରୁ ସେ ମାଟ୍ରିକ ଫର୍ମ ପୂରଣ କରିପାରିନି । ମାଆ ଆଣ୍ଠୁଗଣ୍ଠି ବାତରେ କତରାଲଗା ହୋଇ ପଡିଛି । ବାପାଙ୍କ ଶ୍ରାଦ୍ଧରେ ବ୍ରାହ୍ମଣଙ୍କୁ ଛଂଚା ଦିଆ ହୋଇପାରିନି । ଘର ଛପର ହୋଇ ନପାରି ପାଣି ଗଳିଲାଣି । ଧୀର କହୁକହୁ ଚୁପ୍ ହୋଇଯାଇଥିଲା। ଶଶଧର ଚା’ ତକ ପିଇସାରି କପ୍ କୁ ହାତରେ ଧରି ଏପଟ ସେପଟ କରୁଥିଲେ। ଧୀର ପାଇଁ ଖାଇବା କିଛି ତିଆରି କରିବାକୁ ଘରେ କଣ ଅଛି ମନେମନେ ଖୋଜି ହେଉଥିଲେ ଶଶଧର । ନିଶା ଗଲାପରେ ପୁଅବୋହୂ ଡାକୁଥିଲେ ତାଙ୍କ ପାଖରେ ଯାଇ ରହିବାକୁ ।  ଶଶଧର ମନାକଲେ। ଚାକିରି ଆଉ ଦୁଇମାସ ଅଛି । ସବୁ ଛାଡିଛୁଡିଦେଇ ପୁଅବୋହୂଙ୍କ ପାଖରେ ରହିବାକୁ ମନ ଡାକିଲାନି।  ହାତଗୋଡ ଚାଲୁଥିବା ଯାଏଁ ଏଇଠି ରହିବେ କହିଛନ୍ତି ସିନା ଅଫିସରୁ ଫେରି ପ୍ରତିଦିନ ନିଶାକୁ ଖୋଜିହେଉଛନ୍ତି । ଏକୁଟିଆ ଘରେ ତା’ ହାତଛୁଆଁ ନିର୍ଜୀବ ଜିନିଷପତ୍ରରୁ ମହକି ଆସୁଥିବା ବାସ୍ନାରେ ଆଉଟୁପାଉଟୁ ହେଉଛନ୍ତି ଶଶଧର।
        ଧୀର ଆଜି ତାଙ୍କ ଅତିଥି। ଶଶଧର ଖେଚୁଡି ତିଆରି କରିବାକୁ ପାଣି ବସେଇଲେ ଚୂଲିରେ । ଧୀର ତାଙ୍କ ହାତରୁ ଛଡେଇନେଲା ରୋଷେଇକାମ । ଘିଅ ଛୁଂକଦେଇ ବଘାରିଲା ଖେଚୁଡି । ବ୍ୟାଗରୁ ବାହାର କଲା ମହମହ ବାସୁଥିବା ଆମ୍ବ । ଖଣ୍ଡଖଣ୍ଡ କରି କାଟୁକାଟୁ ଶଶଧରଙ୍କ ପାଟିରେ ଗୁଂଜିଦେଲା ଖଣ୍ଡେ । ‘ଆଃ, କି ମିଠା ‘ ଶଶଧର ଲାଳ ଶୋଷିନେଲେ । ଅନେକ ଦିନପରେ ନିରୂତା ଭଲ ପାଇବାର ଅପୂର୍ବ ମହକଟିଏ ଆବୋରି ବସିଲା ତାଙ୍କୁ । ଗାଁ ରୁ ଧୀରମାଆ ପଠେଇଥିବା ଆମ୍ବ ଲଗେଇ ସେ ଦୁହେଁ ଖେଚୁଡିତକ ଖାଇସାରିଲା ବେଳକୁ ନିଦରେ ଟୁଳ୍ ଟୁଳ୍ ଆଖି । ଦଉଡିଆ ଖଟଟିକୁ ପକେଇ ସେଇ ଦାଣ୍ଡଘରେ ଧୀର ଶୋଇବାର ବନ୍ଦୋବସ୍ତ କରିଦେଲେ ଶଶଧର । ମୁଣ୍ଡ ତଳେ ମୁଚୁଳା କରି ଦେଇଥିବା ତାର ସେ ବ୍ୟାଗଟିରୁ ଆମ୍ବ ଚାରିଟା କାଢିଦେବାପରେ ସେଥିରେ ଖାଲି ଜାମାପଟା ହଳେ ଥିଲା ବୋଧେ । “ଧୀର, ପାଣି ପିଇବ?” ପଚାରିଲାବେଳକୁ ମୁହଁ ବୁଲାଇ ଶୋଇପଡି ସାରିଥିଲା ଧୀର । ଶଶଧରକୁ ଲୁଚେଇ ତା’ ଆଖିରୁ ଗଡି ଆସିଥିବା ଲୁହଧାରକ ବୋହି ଆସିଥିଲା ଖଟର ଅଳ୍ପ ଛିଣ୍ଡି ଆସିଥିବା ଦଉଡି ପର୍ଯ୍ୟନ୍ତ।
      ଶଶଧର ଜାଣିପାରୁଥିଲେ, ଧୀର କାନ୍ଦୁଛି । ଭାଇସହ ହୁଏତ ଆଉ କେବେ ଦେଖାହେବ ନାହିଁ ତା’ର। ତା’ ଭାଇକୁ ସେ ଖୋଜିବ ନା ଚୁପଚାପ୍ ଗାଁକୁ ଚାଲିଯିବ ? ଶଶଧର କଡ ଲେଉଟାଉଥିଲେ ବାରମ୍ବାର ସେ ରାତିରେ । ନିଦ ଆସୁନଥିଲା ।
            ସେଦିନ ଅନ୍ଧାର ରାତିରେ, ବାଡିପଟେ ଧୀର ଫିଙ୍ଗିଦେଇଥିବା ଆମ୍ବ ଟାକୁଆରୁ ଦିନେ କୁଆଁ ମେଲିଲା । ଛନଛନ ହୋଇ ବଢିଲା ସେ ଗଛ । ଆଜି ଗଛରେ ଭରି ହୋଇଛି ବଉଳ। ଦିନକ ପାଇଁ ଅତିଥି ହୋଇ ତାଙ୍କ ଘରକୁ ଆସିଥିବା ଧୀର, ମାୟାରେ ବାନ୍ଧିଦେଇଯାଇଛି ଶଶଧରଙ୍କୁ । ଦଉଡିଆ ଖଟ ଉପରେ ସ୍ନେହରେ ହାତ ବୁଲେଇ ଆଣିଲେ ଶଶଧର । ଧୀରେ, ଖୁବ୍ ଧୀରେ, ଧୀରକୁ ଆଉଁସି ଦେଲାପରି ….

………..
      

Leave a comment