ବସ୍ ଭିତରୁ ଝରକା ବାହାରକୁ ମୁଣ୍ଡ ଗଳାଇ ଲୋକଟିକୁ ଆଉଥରେ ଭଲକରି ଦେଖିନେଲା ଚନ୍ଦ୍ରକାନ୍ତ । ପାହାଡୀ ଚେହେରା । କେଉଁଠାରୁ ଆସିଥିବ ସେ, ହିମାଳୟରୁ ? ସ୍ମିତ ହସଟିଏ ଖେଳିଗଲା ଓଠରେ । ସାଂଗରେ ନେଇଆସିଛି ଜଙ୍ଗଲି ଜଡିବୁଟି । ସେସବୁ ମିଳିବନି ଏଠି । ତା’ରିପାଖରୁ ହିଁ ସଂଗ୍ରହ କରିବାକୁ ହେବ, ପୁଣି ତା’ରି ପରାମର୍ଶରେ । ସତରେ କଣ ସେ ଜଡିବୁଟି ସବୁ ସମସ୍ୟାର ସମାଧାନ କରିପାରେ? ଦେଇପାରେ ଏକ ସୁସ୍ଥ, ସୁନ୍ଦର ଜୀବନ? ଚନ୍ଦ୍ରକାନ୍ତ ନିଜ ମୁଣ୍ଡରେ ବୁଲେଇନେଲା ହାତ । କାହିଁକି କେଜାଣି ଉଦାସ ହୋଇଗଲା ତା’ ମନ । ଧିରେ ଧିରେ ସମ୍ପୂର୍ଣ୍ଣ ଚନ୍ଦା ହୋଇଗଲାଣି ସେ ।
ଖୁବ୍ ଅଭିମାନ ହେଲା ବୋଉ ଉପରେ । ଆଜିବି ଘରୁ ଆସିଲାବେଳେ ବୋଉ ଆରିସା ପିଠା ଦୁଇ ପ୍ୟାକେଟ୍ ସହ ବଡ ରିଠାଫଳ ପ୍ୟାକେଟ୍ ଟିଏ ପୂରେଇ ଦେଇଛି ତା’ ହାତ ବ୍ୟାଗ୍ ରେ । “ଆକୁ ବାଟିକି ସପ୍ତାହରେ ଥରେ ମୁଣ୍ଡରେ ଲଗେଇବୁ ନିଶ୍ଚେ ।ମୁଣ୍ଡ ଥଣ୍ଡାହେବ।”
“ଘନକେଶ ଗଜୁରି ଉଠିବ ମୋ ଚନ୍ଦାମୁଣ୍ଡରେ” – ବୋଉ କଥା ସରୁନସରୁଣୁ ତାକୁ ଶୁଣେଇ ଶୁଣେଇ ବଡ ପାଟିରେ କହିଥିଲା ଚନ୍ଦ୍ର । ଆଉଁସି ପକେଇଥିଲା ବୋଉ ତାକୁ ଦୁଇ ହାତରେ । “ମୋ ପୁଅ ତ କେଡେ ସୁନ୍ଦର । ଏ ଖଣ୍ଡମଣ୍ଡଳରେ ତୋ ପରି ସୁନ୍ଦର ପୁଅ କାହାର ଅଛି ଭଲା?” ବୋଉ ବୁଝିବନି, ତାକୁ ବୁଝେଇ କିଛି ଲାଭନାହିଁ । ବ୍ୟାଗ୍ କାନ୍ଧରେ ପକେଇ, ବୋଉକୁ ପିଠିକରି ଘରୁ ବାହାରି ଆସିଥିଲା ସେ ।
ଝରକା ପାଖ ସିଟ୍ ଖଣ୍ଡେ ମିଳିଗଲା ଭାଗ୍ୟକୁ । ନିଜ ମୁଣ୍ଡ ଉପର ରାକ୍ ରେ ବ୍ୟାଗ୍ ଟି ରଖିବାକୁ ଜାଗାଟିଏ ବି ମିଳିଗଲା । ପଛପଟକୁ ଆଉଜି ବସି ଧିରେ ଆଖି ବୁଜିଦେଲାବେଳକୁ ଦଲକାଏ ଥଣ୍ଡା ପବନ ସହ ପରିଚିତ ମିଠା ବାସ୍ନାଟିଏ ବିଭୋର କରିଦେଲା ତାକୁ । ଚମକି ପଡି ଆଖିମେଲେଇ ଦେଖେତ ଝିଅଟିଏ ଗଦାଏ ବହି ଛାତିରେ ଜାକିଧରି ଚଢୁଛି ବସ୍ ଭିତରକୁ । ‘ସୀମା ….’ – ସ୍ୱତଃ ବାହାରିଗଲା ପାଟିରୁ । ପରମୁହୂର୍ତ୍ତରେ ନିଜକୁ ସଂଯତ କଲା ସେ । ଝିଅଟି ଉପରୁ ଦୄଷ୍ଟି ହଟେଇ ଝରକା ବାହାର ପୃଥିବୀ ଉପରକୁ ଆଖି ପହଁରେଇଲା ।
ସେ ଲୋକଟି ବସିଛି କାନ୍ଥକୁ ଆଉଜି । ସାମ୍ନାରେ ମେଲେଇ ଦେଇଛି ପସରା । କିଛିଲୋକ ବେଢିବସିଲେଣି ତାକୁ । କେଉଁଠୁ ଗୋଟେ ଭାସିଆସୁଛି ବିଚିକିଟିଆ ସ୍ୱର –
— ‘ଆପଣଙ୍କର ଯାଦୁ ହେଇଛି । କୁଣ୍ଡେଇ କୁଣ୍ଡେଇ ଥକି ଗଲେଣି । ନିଅନ୍ତୁ ଏ ଯାଦୁମଲମ …’ ।
— “ବସ୍ ଛାଡୁନ କାହିଁକି ହୋ । ଝାଳରେ ଗୋଟାପଣେ ବୁଡିଗଲାଣି ମଣିଷ । ଆଉ କେତେଜଣଙ୍କୁ ଠୁଙ୍କିବ ଏଥିରେ?” – କିଏ ଜଣେ ପଛରୁ ପାଟି କରୁଛି ।
ଝିଅଟି ବସ୍ ଭିତରେ ବସିବାକୁ କେଉଁଠି ଜାଗା ନପାଇ ଫେରିଆସି ଠିଆହେଲା ଆଗରେ, ଡ୍ରାଇଭର ସିଟକୁ ଆଉଜି । ଚନ୍ଦ୍ର ଚାହିଁଲା ଝିଅଟିକୁ । ସୀମା ସହିତ ଆଦୌ ସାମଞ୍ଜସ୍ୟ ନ ଥିବା ସତ୍ତ୍ୱେ ଝିଅଟିକୁ ଦେଖିଲାମାତ୍ରେ ସୀମା ମନେପଡୁଥିଲା । ମନେ ହେଉଥିଲା ଏଇଠି କେଉଁଠି ସେ ଠିଆ ହୋଇଛି ଯେମିତି । ସେ ଝିଅ ଦେହରୁ ସୀମା ଦେହର ବାସ୍ନା ଭାସିଆସୁଥିଲା । ସୀମା କ୍ରମଶଃ ଆଚ୍ଛନ୍ନ କରିବସୁଥିଲା ଚନ୍ଦ୍ର ମନକୁ । ଭଲ ଲାଗୁଥିଲା ତାକୁ ମନେପକେଇବାକୁ । ତା’ର ସରଳ ନମ୍ର ରୂପକାନ୍ତି ଭିତରେ ଡୁବିଯିବାକୁ । ସୀମାକୁ ଭଲପାଏ ସେ । ସୀମାବୋଉ, ବୋଉର ବଉଳ । ବୋଉ ସହିତ ପିଲାଦିନେ ତାଙ୍କ ଘରକୁ ଗଲେ ସୀମାକୁ ଦେଖି ବୋଉ କହେ, “ଏଇଟିକୁ ମୁଁ ବୋହୂ କରିବି” । ଲାଜେଇ ଯାଏ ସୀମା । କେମତି ଗୋଟେ ଅପୂର୍ବ ଅନୁଭବ ଆବୋରି ବସେ ଚନ୍ଦ୍ରକୁ । ସୀମା ଯେତେଯେତେ ତା’ଠାରୁ ଦୂରତା ରଖେ, ଚନ୍ଦ୍ର ସେତେସେତେ ଆତୁର ହୁଏ ତା’ ପାଇଁ ।
ଚନ୍ଦ୍ର ବଡହେଲା । ସୀମାକୁ ନିଜ ମନକଥା କହିପାରୁ ନଥିଲା । ସୀମା ଝରଣାଟିଏ ପରି ବୋହିଯାଉଥିଲା କୁଳୁକୁଳୁ ହୋଇ। ଚନ୍ଦ୍ରର ଇଚ୍ଛାହୁଏ ଦେଖେଇଦିଅନ୍ତା ଛାତି । ସୀମା ବୋହିଯାଆନ୍ତା ସେଠି ଥଳକୂଳ ନମାନି । ସୀମାର ଉପସ୍ଥିତି ତାକୁ ଆନମନା କରୁଥିଲା । ନିଜର ଅସହାୟତା ନିଜକୁ ଦୁର୍ବଳ କରିଦେଉଥିଲା । ଅନେକ କଥା କହିବାକୁ ଯାଇ କିଛି ନକହିପାରିବାର ଯନ୍ତ୍ରଣା ଭୋଗୁଥିଲା ସେ । କହିନପାରିବା ପଛରେ କାରଣ ବି ଥିଲା । ନିଜକୁ ନିଜେ ଆଇନାରେ ଦେଖିବା ଆଗରୁ ଦେଖୁଥିଲା ଶୁଭାକାଙ୍ଖୀ ବୋଲାଉଥିବା ପ୍ରିୟଜନଙ୍କ ଆଖିରେ। ଧିରେଧିରେ ଚନ୍ଦା ହୋଇ ଯାଉଥିଲା ଚନ୍ଦ୍ର ଆଉ ସମବେଦନାରେ ତାକୁ ପୋତିପକାଉଥିଲେ ସେମାନେ । ସେମାନଙ୍କ ଅସହଜ ଦୃଷ୍ଟିରେ ନିଜର ଆତ୍ମପ୍ରତ୍ୟୟ ହରାଇ ବସୁଥିଲା ସେ । ବୋଉ ତା’ ମୁଣ୍ଡରେ ପିଆଜ ଘଷୁଥିଲା । ରିଠାଫଳ ବାଟି ବୋଳିଦେଉଥିଲା ସେମାନଙ୍କ ପରାମର୍ଶ ମାନି । ନିଜକୁ ଆଇନାରେ ଦେଖିବାକୁ ଭୟ କଲା ଚନ୍ଦ୍ର ବେଳକୁବେଳ । ସୀମା ଆଗକୁ ଯିବାକୁ ସଙ୍କୋଚ ଲାଗିଲା ତାକୁ ।
ଚାକିରୀ କଲାପରେ ଦିନେ ମୁଣ୍ଡରେ କୃତ୍ରିମ କେଶରେ ପ୍ରସ୍ତୁତ ୱିଗ୍ ଲଗେଇ ଆଇନା ଆଗରେ ଠିଆହେଲା ଚନ୍ଦ୍ର । ବାଃ, ସୁନ୍ଦର ଦିଶୁଛି ସେ । ନିଜର ପିଠି ଥାପୁଡେଇଲା । ସାବାସୀ ଦେଲା । ଆସନ୍ତାଥର ଘରକୁ ଗଲାବେଳେ ଏଇଟି ମୁଣ୍ଡରେ ଲଗେଇ ସୀମାକୁ ଭେଟିବ, ଆଉ କହିଦେବ ତାର ମନକଥା । ତାର ଏ ନୂଆରୂପ ଦେଖି ସୀମା ଆଶ୍ୱସ୍ତ ହେବ ନିଶ୍ଚୟ । ଖୁସି ଲାଗୁଥିଲା ସେଦିନ। ଟିକେ ରୋମାଂଚିତ ବି । ପର ମୁହୂର୍ତ୍ତରେ କାଢିପକେଇଲା ମୁଣ୍ଡରୁ ସେ ୱିଗ୍ । ଛଳନାରେ ଅଣନିଃଶ୍ୱାସୀ ହୋଇ ବଞ୍ଚିବାକୁ ଚାହେଁନି ସେ । ସେ ଯେମିତି, ସେମିତି । ନିଜର ସେଇ ସହଜ ରୂପରେ ବଞ୍ଚିବାକୁ ଚାହେଁ ସେ । ତା ପରଠାରୁ ୱିଗ୍ ଲଗେଇବା କଥା କେବେ ଆସିନି ତା’ ମନରେ ।
ବସ୍ ଏବେବି ଠିଆହୋଇଛି ସେଇଠି । ଆଗପଛ ହୋଇ ସେ ଝିଅ ସାମ୍ନାରେ ଠିଆ ହୋଇଗଲେଣି ଲୋକ । ସେ ଆଉ ଦେଖାଯାଉନି । ବୋଉ କହୁଥିଲା ସୀମା ବାହାଘର ଠିକ୍ ହୋଇଯାଇଛି । ଜୋଇଁକୁ କିନ୍ତୁ ସେ ଦେଖିନି ।
— “ସୀମା ଖୁବ୍ ଭଲପାଏ ସେ ପିଲାଟିକୁ । ଆମର ଆଉ କଣ ଦେଖିବାର ଅଛି” । ସୀମାବୋଉ କହୁଥିଲା ।
ଏତକ କହିସାରି ବୋଉ ପୁଣି କହିଲା “ତୋର କଣ ହେଲାକିରେ ? କାହିଁକି ତୁ ଅଟକେଇଦେଲୁ ମତେ ? ଥରେ ଖାଲି ମୁଁ ପାଟି ଖୋଲିଥିଲେ …” – ବୋଉ ସ୍ୱର ଓଦା ଓଦା ଲାଗୁଥିଲା । ସୀମାର ବାହାଘର ଖବର ଶୁଣି ସେ ଆଦୌ ଦୁଃଖି ନୁହେଁ, ଏକଥା କହିବାବେଳେ ବୋଉ ଆଖିରେ ଧରାପଡିଯାଉଥିଲା ତାର ଓଜନିଆ ଛାତି ଆଉ ଛାତି ତଳର ତାତି ।
ଡ୍ରାଇଭର୍ ବସିଗଲେଣି ତାଙ୍କ ସିଟରେ । ବସ୍ ଗଡିବାକୁ ଆରମ୍ଭ କରିବା ଠିକ୍ ପୂର୍ବରୁ ଚନ୍ଦ୍ର ଉଠିଆସିଲା ତା’ ଜାଗାରୁ । କେହି କିଛି କହିବା ଆଗରୁ ଭିଡଠେଲି ଓହ୍ଲେଇଗଲା ତଳକୁ । ସାମାନ୍ୟ ଉତ୍ତେଜନା ସୃଷ୍ଟିହେଲା ସେଠି । ସବୁପୁଣି ସାଧାରଣ ହୋଇଗଲା ମୁହୂର୍ତ୍ତକ ମଧ୍ୟରେ ।
ଚନ୍ଦ୍ର ଠିଆହୋଇଥିଲା ସେ ପାହାଡୀ ଲୋକ ସାମ୍ନାରେ । ନିଜର ସମସ୍ୟା ଜଣେଇବାକୁ ପ୍ରସ୍ତୁତ ହେବାବେଳକୁ ତା’ ଫୋନ୍ ରିଂ କଲା । ବୋଉର ଫୋନରୁ ସୀମା କଥା ହେଉଥିଲା । ତା’ ବାହାଘରକୁ ନିଶ୍ଚେ ଆସିବ କହି ଅନୁରୋଧ କଲା ଓ ତା’ନମ୍ବର୍ ରେ ଭାବୀପତି ସହ ଫଟୋଟିଏ ପୋଷ୍ଟ କଲା । ଫୋନ୍ କାଟିସାରି ଚନ୍ଦ୍ର ଫଟୋଟି ଖୋଲିଲା । କେମିତି ହୋଇଥିବ ସେ ? ସୀମାପରି, ନା ତା’ଠାରୁ ବି ଆହୁରି ସୁନ୍ଦର? ସାମାନ୍ୟ ଈର୍ଷା ସୃଷ୍ଟି ହେଉଥିଲା ସେଇ ଅଜଣା ଯୁବକଟି ପ୍ରତି । ଖୋଲିଧରିଥିବା ଫଟୋଟିରେ ସୀମା ହାତରେ ହାତ ଛନ୍ଦି ଠିଆ ହୋଇଥିବା ଲୋକଟିକୁ ଦେଖି ନିଜ ଆଖିକୁ ବିଶ୍ବାସ କରିପାରୁନଥିଲା ଚନ୍ଦ୍ର । ଯୁବକଟିର ସମ୍ପୂର୍ଣ୍ଣ ଚନ୍ଦା ମୁଣ୍ଡଟି ଉପରେ ଅସ୍ତ ସୂର୍ଯ୍ୟର କିରଣ ପଡି ଚକ୍ ଚକ୍ ହେଉଥିଲା । ଉଭୟଙ୍କ ମୁହଁରେ ପରସ୍ପର ପ୍ରତି ପ୍ରେମ ସ୍ପଷ୍ଟ ପ୍ରତିଫଳିତ ହେଉଥିଲା ଫଟୋରେ। କୋମଳ ଲାଜମିଶା ହସଟିଏ ଲାଖିରହିଥିଲା ସୀମାର ଓଠରେ ।
ଏକଲୟରେ ଫଟୋଟିକୁ ଚାହିଁରହିଥିଲା ଚନ୍ଦ୍ର । ଖୁବ୍ ଅଭିମାନ ହେଉଥିଲା ନିଜ ଉପରେ, ନିଜ ଭାଗ୍ୟ ଉପରେ ।
………