ରାତି ଗଭୀର ହେଉଥିଲା । ଅସୀମା ଧିରେ ଉଠିଗଲା ଖଟ ଉପରୁ । ଶ୍ରୀମନ୍ତ ଶୋଇପଡିଛନ୍ତି ନିଶ୍ଚିନ୍ତ ନିଦରେ । ଜାହାଜ ଏବେ ମଝି ସମୁଦ୍ରରେ। ସକାଳେ ଲଣ୍ଡନର କୂଳ ଛୁଇଁବେ ସେମାନେ। ଜାହାଜରେ ଏଇଟି ତାର ପ୍ରଥମ ଯାତ୍ରା।ବିଗତ ଚାରିବର୍ଷ ହେବ ଶ୍ରୀମନ୍ତଙ୍କୁ ସେ ଭଲ ପାଉଥିଲା । ସେମାନେ ଯେ ପରସ୍ପରକୁ ପସନ୍ଦ କରୁଛନ୍ତି, ସେକଥା ପରିବାରର ସମସ୍ତେ ଜାଣିଥିଲେ । ଏମିତି ଭାବରେ ଯେ ସେମାନଙ୍କୁ ବାହାହେବାକୁ ପଡିବ, ସେକଥା ଅସୀମା ଭାବିନଥିଲା କେବେ । ଗତ ତିନିଦିନ ତଳେ ଆମଷ୍ଟରଡାମର ଏକ ଅନାମଧ୍ୟେୟ ଚର୍ଚ୍ଚରେ ଶ୍ରୀମନ୍ତର ଓ ତା’ର ଅଳ୍ପ କେତେଜଣ ସାଙ୍ଗଙ୍କ ଉପସ୍ଥିତିରେ ବାହାଘର ହୋଇଯାଇଛି ନିରାଡମ୍ବର ଭାବରେ । ଲଣ୍ଡନରେ ଚିତ୍ର ପ୍ରଦର୍ଶନୀରେ ଯୋଗଦେବାପାଇଁ ବାହାରିଛନ୍ତି ସେମାନେ। ଅସୀମା ସମୁଦ୍ର ଆଡକୁ ମୁହଁ କରି କାଚ ଝରକାକୁ ଲାଗି ପଡିଥିବା କଫି ଟେବୁଲ୍ କୁ ଧିରେ ଘୁଂଚେଇନେଇ ଚୌକିଟିଏ ଟାଣି ବସିପଡିଲା। ଖୁବ୍ କ୍ଳାନ୍ତ ଲାଗୁଥିଲା ତାକୁ। କାଚ ସେପାଖେ ଦିଗନ୍ତବ୍ୟାପି ଅନ୍ଧାର । ସମୁଦ୍ରର ନୀଳଜଳ ଅନ୍ଧାରରେ କଳା ଦିଶୁଥିଲା।
କମ୍ପ୍ୟୁଟର ବିଜ୍ଞାନରେ ଅଧିକ ଜ୍ଞାନ ଆହରଣ ଉଦ୍ଦେଶ୍ଯରେ ଅସୀମା ଆମଷ୍ଟରଡାମର ଏକ ନାମକରା ବିଶ୍ୱବିଦ୍ୟାଳୟରେ ନାମଲେଖାଇଥିଲା ପାଞ୍ଚବର୍ଷତଳେ। ପାଠ ପଢିବା ସହ ଚିତ୍ରକଳା ପ୍ରତି ଆଗ୍ରହ ତାକୁ ଟାଣି ନେଉଥିଲା ସିଟି ସେଣ୍ଟର୍ ର ଆର୍ଟ ମ୍ୟୁଜିୟମକୁ ଅନେକ ସମୟରେ । ସେଇଠି ସେ ଭେଟିଥିଲା ଚିତ୍ରଶିଳ୍ପୀ ଶ୍ରୀମନ୍ତଙ୍କୁ । ଶ୍ରୀମନ୍ତଙ୍କ ଚିତ୍ରରେ ପ୍ରସ୍ପୁଟିତ ସକାରାତ୍ମକ ଭାବନା ଆକୃଷ୍ଟ କରିଥିଲା ଅସୀମାକୁ । ଖୁବ୍ ଶୀଘ୍ର ନିକଟତର ହୋଇଥିଲେ ଦୁହେଁ। ଚାରିବର୍ଷର ମିଳାମିଶା ପରେ ବିବାହ କରିବାକୁ ନିଷ୍ପତ୍ତିନେଲେ । ତାଙ୍କର ନିଷ୍ପତ୍ତି ଜଣାଇଥିଲେ ଘର ଲୋକଙ୍କୁ । ଶ୍ରୀମନ୍ତଙ୍କର ଚିତ୍ରକଳାର କର୍ମଜୀବନକୁ ନେଇ ବିଦୁଷୀ ଅସୀମାର ପରିବାର ବିବାହ ନିମନ୍ତେ ସେମାନଙ୍କର ଅସମ୍ମତି ପ୍ରକାଶ କରିଥିଲେ । ଶ୍ରୀମନ୍ତର ପରିବାର ବୋଲି କେବଳ ବିଧବା ମାଆ । ଅସୀମାକୁ ବୋହୂ କରି ନେବାକୁ ତାଙ୍କର କୌଣସି ଆପତ୍ତି ନଥିଲା । ଫୋନ୍ ରେ ଥରେ ଦୁଇଥର କଥା ହୋଇଥିଲା ଅସୀମା ତାଙ୍କସହ। ଶାନ୍ତ ସରଳ ମାତୃପ୍ରତିମାଟିଏ ପାଇଥିଲା ତାଙ୍କ ଭିତରେ।
ଶାଶୂଙ୍କ ସମ୍ମତିରେ ଶ୍ରୀମନ୍ତଙ୍କ ନିଷ୍ପତ୍ତି ମାନିନେଇ ତିନିଦିନ ତଳେ ଚର୍ଚ୍ଚରେ ବାହାହୋଇ ଫଟୋ ଭିଡିଓ ପଠେଇଦେଇଥିଲା ନିଜ ଘରକୁ ଅସୀମା । ବାପାମାଆଙ୍କ ଅସମ୍ମତି ଥିଲେ ମଧ୍ଯ ଆଶୀର୍ବାଦର ହାତଟିଏ କାମନା କରି ଲେଖିଥିଲା ଦୁଇଧାଡି । ଉତ୍ତର ନ ଫେରିବା ସତ୍ତ୍ୱେ ଖୁବ୍ ଶୀଘ୍ର ଘରକୁ ଯାଇ ସେମାନଙ୍କୁ ଭେଟିବାର ଯୋଜନା ଜଣେଇଥିଲା । ଆହତ ହୋଇଥିଲେ ଶ୍ରୀମନ୍ତ।
ଚିତ୍ର ପ୍ରଦର୍ଶନୀ ପାଇଁ ଶ୍ରୀମନ୍ତ ଲାଗିପଡିଥିଲେ ମାଷ୍ଟର ପିସ୍ ପ୍ରସ୍ତୁତ କରିବାରେ। ଏଥର ତାଙ୍କ ଚିତ୍ର ବିସ୍ମୟ ହେବ ପ୍ରଦର୍ଶନୀରେ, ଏକଥା ଏକାଧିକବାର କହିଥିଲେ ମଧ୍ଯ ଅସୀମାକୁ ଲୁଚେଇ ରଖିଥିଲେ ଚିତ୍ରଟିକୁ । ଚିତ୍ରଟି ଦେଖି ସମସ୍ତଙ୍କ ସହ ଏକାଠି ବିସ୍ମିତ ହେବାର ଆଗତ ଖୁସିରେ ପ୍ରଗଳଭା ଥିଲା ଅସୀମା। ‘ସବୁଥର ପରି ସକାରାତ୍ମକ ବାର୍ତ୍ତା ବହନ କରିଥିବ ନିଶ୍ଚେ ଚିତ୍ରଟି । ସମସ୍ତଙ୍କର ଆଦରଣୀୟ ହେଉ, ଖ୍ୟାତି ପାଆନ୍ତୁ ଶ୍ରୀମନ୍ତ।’ ଏମିତି ଚିନ୍ତା କରିବା ସହ ମନେମନେ ଅଦେଖା ଚିତ୍ରଟିକୁ ଭଲପାଇବସିଥିଲା ସେ।
ଜାହାଜରେ ପ୍ରଥମଥର ପାଇଁ ସାରାରାତି ଯାତ୍ରା କରିବାର ଅନୁଭୂତିକୁ ନେଇ ଖୁବ୍ ଉଲ୍ଲାସିତା ଥିଲା ଅସୀମା। ରାତ୍ରିଭୋଜନ ପରେ ଡେକ୍ ଉପରେ ଶ୍ରୀମନ୍ତଙ୍କ ପାଖରେ ବସି ଧିରେଧିରେ ଗଭୀର ହେଉଥିବା ଅନ୍ଧାରକୁ ଅଧିକରୁ ଅଧିକ ଉପଭୋଗ କରୁଥିଲା ସେ। ଶ୍ରୀମନ୍ତଙ୍କ ହାତ ପାପୁଲି ଭିତରେ ବନ୍ଧାପଡିଥିଲା ତାର ନରମ ପାପୁଲି । ମୁକ୍ତ କରିବା ପରିବର୍ତ୍ତେ ନିଜକୁ ନିଃଶେଷ କରିଦେବାକୁ ଚାହୁଁଥିଲା ସେ ତା’ ମନର ମଣିଷଟି ଭିତରେ।
ଡେକ୍ ଉପରୁ ଫେରିଆସି ଶେଷସ୍ପର୍ଶ ଦେବା ଉଦ୍ଦେଶ୍ଯରେ ଅସୀମାର ଆଖି ଆଢୁଆଳରେ କାନଭାସ ଉପରେ ଟାଙ୍ଗିଦେଲେ ଚିତ୍ରଟିକୁ ଶ୍ରୀମନ୍ତ । ଖଟ ଉପରେ ଅଳସ ଶରୀରକୁ ଢାଳିଦେଇ ତାଙ୍କ ଅପେକ୍ଷାରେ ଥିଲା ଅସୀମା।ଝାପସା ଅନ୍ଧାରରେ ଅପରୂପା ଦିଶୁଥିଲା ସେ। ଶ୍ରୀମନ୍ତ ଚିତ୍ରଟିକୁ ସେମିତି ଛାଡିଦେଇ ଚାଲିଗଲେ ଅସୀମା ପାଖକୁ।
ଅନେକବେଳୁ ଶୋଇପଡିଥିଲେ ଶ୍ରୀମନ୍ତ । କାନଭାସ ଉପରେ ଅଳ୍ପ ସମୟ ଆଗରୁ ଉନ୍ମୋଚିତ କରି ସେ ଟାଙ୍ଗିଦେଇଥିବା ଛବିଟିରେ ତାଙ୍କ ରୂଢିବାଦୀ ଚିନ୍ତାଧାରା ସୁସ୍ପଷ୍ଟ। ଛବିରେ ନାରୀଟିଏ ଚାହିଁରହିଛି ପୁରୁଷକୁ ଆଶାୟୀ ଆଖିରେ । ପୁରୁଷର ଆଖିରେ ପ୍ରତିହିଂସାର ଜ୍ୱାଳା। ଅହଙ୍କାରୀ ଆଖିରୁ ବିଚ୍ଛୁରିତ ପ୍ରଭୁପଣ କାନଭାସ ଉପରୁ ଛିଟିକି ପଡୁଛି ଖଟ ଉପରକୁ । ଅସୀମା ଆଖି ଆଗରେ ଶ୍ରୀମନ୍ତଙ୍କର ନକାରାତ୍ମକ ବ୍ୟକ୍ତିତ୍ୱ। ପାଣି ପିଇବାକୁ ଖଟ ଉପରୁ ଉଠିଆସିଲାବେଳେ ଚିତ୍ରଟିକୁ ଦେଖିନେଇଥିଲା ଅସୀମା। ‘ଅବଳା ଦୁର୍ବଳା’ ଓଡିଆ ଅକ୍ଷରରେ ଚିତ୍ରଟିର ନାମକରଣ କରିଛନ୍ତି ଶ୍ରୀମନ୍ତ । ଅନେକ ଦିନ ତଳେ ନିଜକୁ ବିଜ୍ଞ ମନେକରୁଥିବା ମୂର୍ଖ ଲୋକଟିଏକୁ ଭେଟିଥିଲା ସେ। ସେ ଲୋକଟି କହିଥିବା କଥାଟି ମନେପଡିଗଲା ଅସୀମାର। “ଚଉରାଅଶିଥର ବିଭିନ୍ନ ଜନ୍ମପରେ ଆତ୍ମା ମଣିଷ ଜନ୍ମପାଏ । ପ୍ରଥମେ ସେ ପାଏ ନାରୀ ଜନ୍ମ । ସେ ଜନ୍ମରେ ଭଲ କର୍ମ କଲେ ତା’ର ପ୍ରମୋସନ୍ ହୁଏ ଆଉ ସେ ପାଏ ପୁରୁଷ ଜନ୍ମ”। ଅସୀମା ଆଖି ବୁଜିଦେଲା । ତା’ବୁଜା ଆଖିରେ ସେ ସ୍ପଷ୍ଟ ଦେଖିପାରୁଥିଲା ସେଦିନର ସେ ଅହଙ୍କାରୀ ପୁରୁଷଟିକୁ ଶ୍ରୀମନ୍ତଙ୍କ ରୂପରେ ।
“ଅନେକଙ୍କ ଭାବନାକୁ ସ୍ରଷ୍ଟା ରୂପଦିଏ ନିଜ ସୃଷ୍ଟିରେ । ନିଜର ଚିନ୍ତାଧାରାକୁ ପରିମାର୍ଜିତ କରିବା ପାଇଁ ନକାରାତ୍ମକ ସୃଷ୍ଟିଟିଏକୁ ନିକଟରୁ ଦେଖିବା ଜରୁରୀ ନୁହେଁ କି?” ଅନେକବେଳଯାଏଁ ସେଇଠି ସେମିତି ବସିରହିଛି ଅସୀମା। ଶ୍ରୀମନ୍ତ ଉଠି ଆସିଥିଲେ ତା’ ପାଖକୁ । ଫିସ୍ ଫିସ୍ କରି ସେ କହୁଥିବା କଥାଟି ଅସୀମାର ହୃଦୟକୁ ଆଲୋକିତ କରିଥିଲା ।ସତରେ, ଅନ୍ଧାର ନଥିଲେ ଆଲୋକର ସତ୍ତା ହିଁ ତ ନଥାଆନ୍ତା। ଆଲୋକରେ ଉଦ୍ଭାସିତ ହେବାପାଇଁ ଅନ୍ଧାରକୁ ଅତିକ୍ରମିବାକୁ ହେବ। ଝରକା ସେପାଖେ ଅନ୍ଧାର ଘନୀଭୂତ ହେଉଥିବାବେଳେ ଏପାଖର ଅନ୍ଧାର ଅପସରିଯାଇ ଝଲମଲ୍ ହେଉଥିଲା ଖୁସିର ଆଲୋକ । ଶ୍ରୀମନ୍ତଙ୍କୁ ଶୁଣୁଶୁଣୁ ଅସୀମା ଆଖି ଫେରେଇନେଲା କାଚ ଝରକା ଆରପଟକୁ । ଘନଅନ୍ଧାର ସତ୍ତ୍ୱେ ଏବେ ନୀଳ ଦିଶୁଥିଲା ସମୁଦ୍ରର ପାଣି । ଜ୍ୟୋସ୍ନାର ଆଲୋକରେ ଚିକମିକ୍ ଦିଶୁଥିବା ଛୋଟ ଛୋଟ ଢେଉସବୁ ନିଜକୁ ଓଲଟାଇ ନେଉଥିଲେ ବିସ୍ତୀର୍ଣ୍ଣ ସାଗର ବକ୍ଷରେ ।
………..