ଦୃଷ୍ଟି

      ବସ୍ ର ଭିଡ ଭିତରେ ଆକ୍ତାମାକ୍ତା ହୋଇ ବସିବାକୁ ଜାଗାଟିଏ ଖୋଜିଲା ବେଳେ ଆଗପଟ ଅଳ୍ପ ଫାଙ୍କ ଭିତରୁ ତା’ ଆଖିରେ ମିଶିଗଲା ମୋ ଆଖି । ସେ ଆଖିରେ ଥିଲା ଏକ ଅପୂର୍ବ ଚମକ । ସେ ଆଖି ଦି’ଟା କେବଳ ଦେଖୁନଥିଲା ମତେ। ନିରେଖୁ ଥିଲା । ସେ ଦୃଷ୍ଟି  ଅସ୍ୱାଭାବିକ ଥିଲା ମୋପାଇଁ । ଭିଡ ଭିତରେ ନିଜକୁ ସମ୍ଭାଳିନେଇ ଆଉଜିଗଲି ହାତ ପାଖରେ ଥିବା ଖମ୍ବଟି ଉପରେ । ପ୍ରାଇଭେଟ୍ ବସ୍ ଚଳାଚଳ ଧର୍ମଘଟ ପାଇଁ ବନ୍ଦଅଛି । ଭୁବନେଶ୍ବରକୁ ଯିବାକୁ ଥିବା ଯାତ୍ରୀ ସବୁ ବାଧ୍ୟହୋଇ ସରକାରୀ ବସ୍ ରେ ଖୁନ୍ଦି ହୋଇଛନ୍ତି । ମୁଁ ବି ଚଢିଥିଲି ସେଦିନ ସରକାରୀ ବସ୍ ରେ। ପୁଣିଥରେ ନଜର ପଡିଲା ତା’ ଦୃଷ୍ଟିରେ। ଭିଡ ଭିତରୁ ରହିରହି ସେ ମତେ ହିଁ ଦେଖୁଥିଲା । ତାର ଖାକି ପୋଷାକ, ବେକରୁ ଓହଳିଥିବା ରଂଗଛଡା କଳାବ୍ୟାଗ୍ ଆଉ ରଜନୀକାନ୍ତ ଷ୍ଟାଇଲ୍ ରେ ଆଂଗୁଠି ଭିତରେ ସେ ଗୁଞ୍ଜିଗୁଞ୍ଜି ରଖିଥିବା ଟିକେଟ୍ ତକ ତା’ର ପରିଚୟ ଦେଉଥିଲା । ତା’ର ଚାହାଣୀ ଅସ୍ୱାଭାବିକ ଓ ଅସ୍ୱସ୍ତିକର ଲାଗୁଥିଲା ମତେ । ଭିଡରେ ସମସ୍ତେ ନିଜ ନିଜକୁ ବ୍ୟବସ୍ଥିତ କରିବାରେ ବ୍ୟସ୍ତଥିଲେ । ତା’ ଚାହାଣୀ ଉପରେ କାହାର ନଜର ନଥିଲା । ମୁଁ କିନ୍ତୁ ସହଜ ହୋଇପାରୁନଥିଲି । ରାଗ ବି ଟିକେ ଲାଗୁଥିଲା । ବସ୍ ରେ କେବେ କେମିତି ଅସାମାଜିକ ବ୍ୟକ୍ତିଙ୍କୁ ଭେଟିଛି । କିଛି ଅସ୍ୱାଭାବିକ ଆଚରଣ କରି ସ୍ତ୍ରୀଲୋକଙ୍କୁ ହଇରାଣ କରିବାର ବି ଦେଖିଛି । ସେ ନେଇ ଝଗଡାଝାଟି ହେବାର ମୋ ନଜରରେ ଆସିଛି ଗତ ଦୁଇବର୍ଷର ବାଣୀବିହାରକୁ ଯିବା ଆସିବା ସମୟରେ । କିନ୍ତୁ ବସ୍ ର କଣ୍ଡକ୍ଟର, ଏମିତି ଚାହିଁବା ଖୁବ୍ ଅସହଜ କରିଥିଲା ମତେ । ଯଦିଓ ତା’ ଚାହାଣୀରେ ଅଶ୍ଳିଳତା ନଥିଲା ଆଦୌ ତଥାପି ଅସ୍ୱସ୍ତିକର ଲାଗୁଥିଲା ସେ ଦୃଷ୍ଟି ।  ଇତଃସ୍ତତଃ ହୋଇ ଏପାଖସେପାଖ ଦେଖିବା ଭିତରେ କେଜାଣି କାହିଁକି ମୋ ମନ ମୋ ଅକ୍ତିଆର ବାହାରକୁ ଚାଲିଯାଉଥିଲା କ୍ରମଶଃ ଓ ତା’ ଦୃଷ୍ଟି ଟାଣିନେଉଥିଲା ମତେ ତା’ଆଡକୁ। ଅପ୍ରକୃତିସ୍ଥ ଲାଗୁଥିବା ସତ୍ତ୍ୱେ ତା’ ନଜରରେ ପଡୁଥିଲି ବାରମ୍ବାର । ଦେଖୁଥିଲି ତାକୁ ଜାଣତରେ, ଅଜାଣତରେ ।
         ଭିଡ ଆଡେଇ ଯାତ୍ରୀ ମାନଙ୍କ ପାଖରୁ ପଇସା ନେଇ ଟିକେଟ୍ ଦେବା କାମଟି ଅବ୍ୟାହତ ରଖିଥିଲା ସେ । ମୁଁ ବାଁ ହାତରେ ବହିଖାତା ସହ ଛାତିରେ ଜାକିଧରିଥିବା କୁନି ପର୍ସଟି ଭିତରୁ ଟଙ୍କା କାଢି ଡାହାଣହାତ ପାପୁଲି ଭିତରେ ଚାପିଧରିଥିଲି। ମୋ ହାତ ମୁଠା ଭିତରେ ଟଙ୍କାଟି ମେଞ୍ଚାଏ କାଗଜ ପରି ଝାଳେଇ ଯାଉଥିଲା ବେଳକୁବେଳ । ଚାପିଚୁପି ହୋଇ ବସିଥିବା ଲୋକ ଭିଡରେ ମୁଁ ବସିବାକୁ ଜାଗାଟିଏ ପାଇବାର ସମ୍ଭାବନା ନଥିବାର ସ୍ଥିର ନିଶ୍ଚିତ ହେବାପରେ ଚୁପଚାପ ଠିଆହୋଇ ରହିଥିଲି ଓ ସେ ମୋ ପାଖକୁ ଆସିବାଯାଏଁ ଅପେକ୍ଷା ରଖିଥିଲି ।
         ସେ ମୋର ପାଖାପାଖି ଠିଆହୋଇ ଅନ୍ୟଜଣେ ଭଦ୍ରଲୋକଙ୍କୁ ରେଜା ପଇସା ଫେରାଉଥିଲା ଓ ବ୍ୟାଗର ଖୋଲାମୁହଁକୁ ବାଁ ହାତରେ ଘୋଡେଇ ମତେ ଚାହିଁଲା । ଏଥର ମୋ ଆଖିରେ ତା’ ଆଖି ସମ୍ପୂର୍ଣ୍ଣ ମିଶିଯାଇଥିଲା । ତା’ ଆଖିରେ ଆତ୍ମୀୟତା ଛଳଛଳ ହେଉଥିଲା । “ମତେ ଚିହ୍ନି ପାରୁନ ?” ତା ପ୍ରଶ୍ନ ଶେଷହେବା ପୂର୍ବରୁ ମୋ ପାଟିରୁ ବାହାରି ପଡିଲା “ସୁଶାନ୍ତ!!” ମୁଁ ହଠାତ ଚିହ୍ନି ପକାଇଥିଲି ତାକୁ। ସେ ହସିଦେଲା । ଖୁସିରେ ତା’ ଆଖି ଆଉଟିକେ ଉଜ୍ଜ୍ବଳ ଦିଶିଲା ।”ବାଣୀବିହାର”…ମୋ ଓହ୍ଲେଇବା ଜାଗାର ନା କହି ତା ଆଡକୁ ମୁଁ ବଢେଇଥିବା ଟଙ୍କା ମିଶା ମୋ ହାତକୁ ଆଡେଇ ଦେଇ କହିଲା,” ଏତେଦିନ ପରେ ଦେଖା । ମୁଁ ଟଙ୍କା ନେବିନି ତୋଠୁ’। ରଖ । ” ମୋ ଭିତରେ ଅସଂଖ୍ୟ କପୋତ ଡେଣା ମେଲୁଥିଲେ ସେଇ ମୁହୂର୍ତ୍ତରେ । ସେ ଡେଣାରେ ଚଢି କିଛି ବର୍ଷ ତଳକୁ ଉଡିଯାଇଥିଲି ମୁଁ ।
        ସୁଶାନ୍ତ ମହାପାତ୍ର ମୋ ସହ ସ୍କୁଲ୍ ରେ ପଢୁଥିଲା । ହଠାତ୍ ଦିନେ କୁଆଡେ ନିଖୋଜ ହୋଇଯାଇଥିଲା ସେ। ପୁଣି ଭେଟହେଲା କଲେଜରେ। ତିନିବର୍ଷ ଏକାଠି ପଢିଥିଲୁ ଆମେ । ମୁଁ ରାଜନୀତି ବିଜ୍ଞାନର ଛାତ୍ରୀଥିଲି । ସେ ଇଂରାଜୀ ଅନର୍ସ ନେଇ ପଢୁଥିଲା । ବହୁତ ଚୁପଚାପ ନିଜ ଭିତରେ ବଞ୍ଚୁଥିବା ସେ ପିଲାଟି ରୋମାଣ୍ଟିକ କବିତା ଲେଖିବାରେ ସିଦ୍ଧହସ୍ତ ଥିଲା । ତାର କବିତା ପାଇଁ ନାରୀମହଲରେ ସେ ବେଶ୍ ଚର୍ଚ୍ଚିତ ଥିଲା । ତା’ର ଗୋଟେ ଗୋଟେ କବିତାକୁ ନେଇ ଅନେକ ରୋମାଞ୍ଚକର ତଥ୍ୟ ବି ଶୁଣିବାକୁ ମିଳୁଥିଲା । ତା’ କବିତାର ନାୟିକା ଜାଗାରେ ନିଜକୁ କଳ୍ପନା କରି ଅନେକ ତାକୁ ଏକତରଫା ପ୍ରେମ କରିବା କଥା କଲେଜର ବାୟୁମଣ୍ଡଳକୁ  ରୋମାଂଚିତ କରୁଥିଲା । କଲେଜର ମୁଖପତ୍ରରେ ଆମ ଦୁହିଁଙ୍କ କବିତା ପ୍ରକାଶ ପାଉଥିଲା ପ୍ରତିବର୍ଷ। ଆମ ଦୁହିଁଙ୍କ କବିତାକୁ ନେଇ ଖୁବ୍ ଚର୍ଚ୍ଚା ବି ହେଉଥିଲା ବନ୍ଧୁଗହଣରେ । ପୁଣିଥରେ କଲେଜର ଶେଷବର୍ଷ ନିଖୋଜ ହୋଇଯାଇଥିଲା ସୁଶାନ୍ତ । ଆଉ ଆଜି ଏତେବର୍ଷ ପରେ , ଏମିତି ଅଚାନକ  ସରକାରୀ ବସ୍ ର କଣ୍ଡକ୍ଟର ରୂପରେ ସୁଶାନ୍ତକୁ ଦେଖିବା ମୋ ସ୍ବପ୍ନର ବାହାରେ ଥିଲା । ମାତ୍ର ତିନିବର୍ଷ ଭିତରେ ମଣିଷର ଚେହେରାରେ ଏତେ ବେଶୀ ପରିବର୍ତ୍ତନ ହେବା ବୋଧହୁଏ ପ୍ରଥମଥର ପାଇଁ ଦେଖିଲି ମୁଁ । ଜୀବନ କେତେବେଳେ କାହାକୁ କେଉଁ ବାଟରେ ନେଇଯିବ କାହାକୁ ବା ଜଣା? କବି ସୁଶାନ୍ତ ଓ କର୍ମଜୀବୀ ସୁଶାନ୍ତ  ଭିତରେ କିନ୍ତୁ ଅପରିବର୍ତ୍ତିତ ଥିଲା ତା’ ଆଖିର ତିକ୍ଷ୍ଣ କୋମଳ ଛଳଛଳ ଭାବପ୍ରବଣତା ଯାହା ସେଦିନ ପରି ଆଜି ବି ଅନ୍ୟମନସ୍କ କରିଦେଉଥିଲା ମତେ । ହଁ, ବନ୍ଧୁ ସୁଶାନ୍ତ ମହାପାତ୍ରକୁ ପୁଣିଥରେ ଦେଖୁଥିଲି ନୂଆ ରୂପରେ।
       

   “ଏବେ କବିତା ଲେଖୁଛୁ?” ସେ ପଚାରିଲା ।” ହଁ, ଆଉ ତୁ? ” “ତୋ ସହ ଅନର୍ସ ତୃତୀୟ ବର୍ଷ ପ୍ରକାଶ ପାଇଥିଲା ମୋର ଶେଷ କବିତା । ତା’ପରେ ଆଉ ଲେଖିନି।” ମୋ ପ୍ରଶ୍ନର ଉତ୍ତରରେ ଏତକ କହିଦେଇ ଅନ୍ୟ ଯାତ୍ରୀଙ୍କଠାରୁ ପଇସା ଆଦାୟ କରିବାକୁ ଆଗେଇଗଲା ସେ। ମୋ ପାଖରେ ଠିଆହୋଇ ଗପିବାକୁ ତା’ ପାଖରେ ସମୟ ନଥିଲା । ସେତିକିବେଳୁ ମୁଁ କେବଳ ତା’ କଥା ହିଁ ଭାବି ହେଉଥିଲି । ମୋ ପାଇଁ ବସିବାକୁ ଜାଗାଟିଏ ମିଳିଯାଇଥିବା ସତ୍ତ୍ୱେ ମୁଁ ସେଠି ନବସି ସେଇ ଖମ୍ବକୁ ଧରି ଠିଆହୋଇ ରହିଥିଲି ଓ ସେଇ ପୁରୁଣା ଦିନର ସୁଶାନ୍ତକୁ ଜୀବନର ଭିଡ ଭିତରେ ଖୋଜି ହେଉଥିଲି ।
…….

Leave a comment