ଧଡପଡ ହୋଇ ଉଠିବସିଲା ଦୁର୍ଗା। ଆଖି ଆଗରେ ଠିଆ ହୋଇଛି ସେ । ସ୍ମିତ ହସଟିଏ ଖେଳି ବୁଲୁଛି ତା’ ଓଠରେ। ହାତ ଧରିନେଇ ପଚାରିଲା,
—‘ଡରୁଛୁ?’
—‘ହଁ, ମତେ ଡରିବାକୁ ଶିଖା ହୋଇଛି’। ଧୀରେ ଉତ୍ତର ଫେରେଇଲା ଦୁର୍ଗା।
—‘କାନ୍ଦୁଛୁ?’ – ପୁଣି ପ୍ରଶ୍ନଟିଏ କରି ତା’ ମୁହଁକୁ ଚାହିଁ ରହିଛି ସେ।
—‘ହଁ, ହଁ। କାନ୍ଦିବାକୁ ଶିଖିଛି ମୁଁ ପିଲାଦିନୁ’ । ଟିକେ ଉଚ୍ଚ କଣ୍ଠରେ କହିଲା ଦୁର୍ଗା।
—‘ହସିଲେ ଆକଟ ଶୁଣିଛି । ବଡ ପାଟି କରି କଥା କହିବା, ଶବ୍ଦକରି ହସିବାରେ ଅଙ୍କୁଶ ଲଗେଇଛନ୍ତି ମୋର ଗୁରୁଜନମାନେ। ମୁଁ ଭୟ କରି ଆସିଛି ମୋର ଚାରି ପାଖର ପୃଥିବୀକୁ । ସଂକୁଚିତ ହୋଇ ଚଳିବାକୁ ଉପଦେଶ ଦେଇଛନ୍ତି ମତେ ସଂସ୍କାର ଶିଖଉଥିବା ମଣିଷମାନେ’।
ମୋତେ ଦେବୀର ଆସନରେ ବସିବାକୁ ହେବ ଓ ସର୍ବଂସହା ହେବାକୁ ପଡିବ ବୋଲି ମୋ କାନେ କାନେ କହିଛନ୍ତି ସେମାନେ। ମୋର ମାନ ଅପମାନର ମାପକାଠି ମୋ ନିୟନ୍ତ୍ରଣରେ ନାହିଁ। ହୃଦୟ ଖୋଲି ନିଜ ଇଚ୍ଛାରେ ହସିବା ମୁଁ ଶିଖିନି । ମୋ ଆଖିରୁ ଲୁହ ଝରିଲେ ମୋ ଚାରି ପାଖର ମଣିଷ ମାନେ ସମ୍ବେଦନଶୀଳ ହୋଇଛନ୍ତି । ଆଉଁସି ଦେଇ ମୋ ହାତ ଧରିଛନ୍ତି । ମୁଁ ଦୁର୍ବଳ, ଆହୁରି ଦୁର୍ବଳ ହୋଇ ଆଉଜି ପଡିଛି ସେମାନଙ୍କ ଉପରେ । ସେମାନେ ମତେ ଅଭୟ ଆଶ୍ୱାସନା ଦେଇଛନ୍ତି ।
‘ହେଲେ ତୁମେ କିଏ?’ – ନିଦ ମଳମଳ ଆଖିରେ ପଚାରିଲା ଦୁର୍ଗା । ସେ ସେମିତି ହସିହସି କହିଲା,
—‘ମୁଁ ଦେବୀ । ମୁଁ ତୋ ଭିତରେ ଅଛି’। ସ୍ୱରରେ ତା’ର ମିଠା ମିଠା ଆପଣାପଣ।
—‘କିନ୍ତୁ ମୁଁ ଦେବୀ ନୁହେଁ, ନାରୀଟିଏ ହୋଇ ବଞ୍ଚିବାକୁ ଚାହେଁ’।ସଂକୁଚିତ ହୋଇ କ୍ଷୀଣ ସ୍ୱରରେ କହିଲା ଦୁର୍ଗା।
—‘ହଁ, ତୁ ନାରୀ । ମୁଁ ତୋର ଆତ୍ମବିଶ୍ୱାସ । ତୋର ଶକ୍ତି। ସେଇ ଶକ୍ତି ଭିତରେ ଅଛି ଦେବୀପଣ। ତାକୁହିଁ ଉଜ୍ଜୀବିତ କର’ ।
ଦୁର୍ଗା ଉଠି ବସିଲା। ଆଜିଯାଏଁ ସେ ଖୋଜି ହେଉଥିବା ଆତ୍ମବିଶ୍ୱାସକୁ ଆଲିଙ୍ଗନ କରିବାକୁ ବାହୁ ପ୍ରସାରିତ କଲା।
ନିଜ ଭିତରେ ଚେର ମେଲେଇଥିବା ଦୁର୍ବଳତାକୁ ଛିଣ୍ଡେଇ ଫିଙ୍ଗି ଦେବାପରେ ଦୃଢ ଲାଗୁଥିଲା ତାକୁ। ତା’ ଭିତରେ ଭରପୂର ଆତ୍ମବିଶ୍ୱାସ ।
ଡାକ୍ତରଖାନାର ଶେଜ ଉପରେ ଅସୁସ୍ଥ ସୁଦାମା ପାଖରେ ତିନିଦିନ ହେଲା ବସିରହିଥିଲା ଦୁର୍ଗା, ଅସହାୟ ହୋଇ । ଆଖି ତାର ଖୋଜି ବୁଲୁଥିଲା ସାହାରାଟିଏ । ଏଇ ମାତ୍ର ନିଜ ଭିତରେ ଦେବୀଙ୍କୁ ଅନୁଭବ କରିବା ପରେ ଦମ୍ଭ ଲାଗିଲା। ଦୃଢକରି ସେ ଧରି ନେଲା ସୁଦାମାର ହାତ ନିଜ ହାତ ମୁଠାରେ। ହୃଦୟ ଭିତରେ ଶୁଣାଯାଉଥିଲା ଶଙ୍ଖଧ୍ୱନି ।
……