ଶ୍ରାବଣ ରାତି

       ଟ୍ରଲି ରିକ୍ସାର କାଠପଟା ଉପରେ ଜାକିଜୁକିହୋଇ ବସିଥିଲା ନମ୍ରତା । ଛତା ତଳେ ସାର୍ଥକଙ୍କ ପାଖରେ ଥାଇ ବି ନିର୍ଭୟ ମନେହେଉନଥିଲା ତାକୁ । କିଟମିଟ୍ ଅନ୍ଧାର ରାତି । ବର୍ଷା ବି ଲାଗିରହିଛି । ଝିଂକାରୀର ଝିଁ ଝିଁ ସ୍ୱର ବର୍ଷାରାତିର ଭୟ ବଢାଉଛି ବେଳକୁବେଳ। ରାତ୍ରିଚର ପକ୍ଷୀଟିଏ ଫଡଫଡ ହୋଇ ଉଡିଗଲା ମୁଣ୍ଡ ଉପରଦେଇ । ବର୍ଷାରେ ବାଟ ଭୁଲିଯାଇ ଇତସ୍ତତଃ ଘୂରିବୁଲୁଛି କି ପକ୍ଷୀଟି?  ଚମକି ପଡି ସାର୍ଥକଙ୍କୁ ଭିଡି ଧରିଲା ନମ୍ରତା । ଚାରିବର୍ଷର ପୁଅ ପିକୁକୁ ଟାଣିନେଲା ତା’କୋଳ ଭିତରକୁ । ସାର୍ଥକ ନିମ୍ନ ସ୍ୱରରେ ରସିକତା କରି କହିଲେ “ଶ୍ରାବଣକୁ ତମେ ତ ଭଲପାଅ ନୀମୁ । ଶ୍ରାବଣ ରାତିର ରିମଝିମ୍ ବର୍ଷାରେ ମୋ ହାତଟାଣି ବାହାରିଯାଅ ଆମ ବାଲକୋନିକୁ । ଆପାର୍ଟମେଣ୍ଟର ଖୋଲା ବଗିଚା ଭିତରକୁ ଯାଇ ବର୍ଷାରେ ଭିଜିବାକୁ ଜିଦ୍ ଧର । ମୋ ଆକଟ ନମାନି କେତେଥର ସେମିତି ବର୍ଷାରାତିରେ ଓହ୍ଲେଇ ବି ଯାଇଛ ସେଠିକୁ । ମୁଁ ତୁମସହ ଭିଜିବାକୁ ଯାଇପାରେନି ବୋଲି ଅଭିମାନ ମଧ୍ୟ କରିଛ । ଆଉ ଆଜି ଶ୍ରାବଣର ବର୍ଷା ଅଛି ଓ ମୁଁ ଅଛି ତୁମ ପାଖରେ । ପୁଣି ଡର କାହାକୁ ?” ଲାଜୁଆ ହସଟିଏ ଖେଳିଗଲା ନମ୍ରତାର ଭିଜାଭିଜା ଓଠ ଉପରେ ।
             ଅର୍ଜୁନକୁ ବଜାର ଉପରେ ଭେଟିନଥିଲେ ଆଜି କଣ ଯେ ହୋଇଥାଆନ୍ତା? ସବୁକିଛି ଠିକଠାକ୍ ଚାଲୁଥିବା ସମୟରେ ହଠାତ୍ ବିପଦଟିଏ ଆଖି ଆଗରେ ଠିଆ ହୋଇଗଲେ ସହଜରେ ଗ୍ରହଣ କରିହୁଏନି ତାକୁ । ଅସୁବିଧା ସମୟଟିକୁ ଆଗରୁ କଳନା କରି ହୁଏତ ସଜାଗ ରହିପାରେ କିଏ। ଭୁବନେଶ୍ବରରେ ଉଡାଜାହାଜରୁ  ଓହ୍ଲେଇଲା ବେଳକୁ ଦେଢଶୂର ଗାଡି ପଠେଇଥିଲେ ବିମାନବନ୍ଦରକୁ । କିଛି ଜରୁରୀ କାମ ଥିବାରୁ ନିଜେ ଆସିପାରିନଥିଲେ ସେମାନଙ୍କୁ ପାଛୋଟି ନେବାପାଇଁ। ନମ୍ରତା ଜାଣିଛି ପିକୁ ଆସୁଛି ବୋଲି ବଡଯାଆ ଲାଗିପଡିଥିବେ ନାନା ପ୍ରକାର ପିଠାପଣା ପ୍ରସ୍ତୁତିରେ । ଚାରି ବର୍ଷର ପିକୁ କେତେ ବା ଖାଇବ ସେଥିରୁ ? ବଳେଇ ବଳେଇ ସବୁ ପିଠା ସିଏ ଖୁଆଇବେ ସାର୍ଥକ ଓ ନମ୍ରତାଙ୍କୁ । ଏମିତି ଖୁଆଇବାରେ ତାଙ୍କର ଖୁବ୍ ଆନନ୍ଦ। ଭଲପାଉଥିବା ମଣିଷଟିକୁ ମନଲାଖି ଖାଦ୍ୟ ଖୁଆଇବାର ତାଙ୍କର ଏ ପ୍ରକାର ଅକପଟ ସ୍ନେହ ତାଙ୍କୁ ଆହୁରି ମମତାମୟୀ କରିଦିଏ ନମ୍ରତାର ଆଖିରେ। ବଡଯାଆଙ୍କର ହାତତିଆରି ଖଜା, ଆରିସା, ସରପୁଳୀରେ ପିକୁଠାରୁ ବେଶି ଲୋଭ ସାର୍ଥକଙ୍କର । ନମ୍ରତା ପାଇଁ ଚୂନାମାଛ ବେସର ସହିତ ରାନ୍ଧିଥିବେ ସୁଆଦିଆ ଶିମ୍ବରାଇ ନିଶ୍ଚୟ। ଏତେସବୁ ପରେ ବି  ଶାଶୂଙ୍କ ବରାଦରେ କୋଉ ପିଲାଦିନେ ସାର୍ଥକ ଭଲ ପାଉଥିବା କଦଳୀଭଣ୍ଡା ଆଉ ନିମ୍ବଫୁଲର ବରା ତିଆରି କରିଥିବେ ଯାଆ। ଆଜିକାଲି ସେସବୁ ଆଉ କେଉଁଠି ମିଳୁଛି? କେତେଜଣ ବା ଖାଇବାକୁ ଭଲ ପାଉଛନ୍ତି? ‘ପିତା ଖାଇବାକୁ ସାର୍ଥକ ବି ଆଉ ରାଜିନୁହଁନ୍ତି’ – କହି ନିଜର ନାପସନ୍ଦ କଥାଟିକୁ ପ୍ରକାଶ କରିପାରେନି ସେ ଶାଶୂଙ୍କ ଆଗରେ ।
          ଉଡାଜାହାଜ ମାଟି ଛୁଇଁଲାବେଳକୁ ନମ୍ରତା ଓ ସାର୍ଥକଙ୍କ ସହ ପିକୁ ବି ଉତ୍ସାହିତ ଥିଲା ଶୀଘ୍ର ଶୀଘ୍ର ଘରେ ପହଁଚିବା ଉଦ୍ଦେଶ୍ଯରେ। ସେମାନେ ଗାଡିରେ ଆସୁଥିଲାବଳେ ପିକୁ ଖୁବ୍ ବଡ ପାଟିରେ ଜେଜେମାଆ ଜେଜେବାପାଙ୍କୁ  କ’ଣ କ’ଣ କଥା କହିପାରିନି ଏଯାଏଁ ଫୋନରେ, ତା’ର ଲମ୍ବା ତାଲିକା ପ୍ରସ୍ତୁତ କରୁଥିଲା । କଥାସବୁ କହିଲାବେଳେ କେତେବେଳେ ହସିହସି ଲୋଟିପଡୁଥିଲା ନମ୍ରତା ଉପରେ ତ କେତେବେଳେ ତାଳିମାରି ନିଜର ଖୁସି ଜାହିର୍ କରୁଥିଲା । ସବୁ ହସଖୁସି ଗୋଟିଏ ମୁହୂର୍ତ୍ତରେ ହତାଶାରେ ପରିଣତ ହୋଇଗଲା ଯେତେବେଳେ ବଜାରର ଅନତିଦୂରରେ ହଠାତ୍ ଗାଡି ରହିଯାଇଥିଲା ନିଶ୍ଚଳ ହୋଇ । “କଣହେଲା??”- ଏକା ସାଙ୍ଗରେ ପାଟିରୁ ବାହାରି ଯାଇଥିଲା  ଦୁହିଁଙ୍କର । ବାହାରେ ରାତିର ଘନ ଅନ୍ଧାର । ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଝିପିଝିପି ବର୍ଷା ତାର ବେଗ ବଢାଇଲାଣି ଏ ଭିତରେ । ବାରମ୍ବାର ଗାଡିକୁ ଷ୍ଟାର୍ଟ  କରିବାକୁ ଚେଷ୍ଟାକରି ବିଫଳ ହେବାପରେ ମୁହଁ ଶୁଖାଇ ଡ୍ରାଇଭର ଗାଡିରୁ ତଳକୁ ଓହ୍ଲାଇଥିଲା ।” ଆଉ ଅଳ୍ପ ସମୟ ପରେ ଘରେ ପହଁଚିଯାଇଥାଆନ୍ତେ ।” ହତାଶ ସ୍ୱରରେ କହୁକହୁ କ୍ଳାନ୍ତ ହୋଇ ପଛକୁ ଆଉଜି ବସିଥିଲା ନମ୍ରତା । ଚୁପଚାପ ତା’ କୋଳକୁ ପଶିଯାଇଥିଲା ପିକୁ । ସାର୍ଥକ ଓହ୍ଲେଇ ପଡିଥିଲେ ଡ୍ରାଇଭର ସହିତ ଗାଡିରୁ । ତରତର ହୋଇ ହାତ ବ୍ୟାଗ୍ ଭିତରୁ ଫୋଲ୍ଡିଂ ଛତାଟି କାଢି ସାର୍ଥକଙ୍କ ହାତକୁ ବଢେଇ ଦେଲାବେଳକୁ ଆଖପାଖ ରାସ୍ତା ଓ ଦୋକାନଘର ଉପରେ ବୁଲି ଆସିଲା ତା’ ଆଖି । ଚାରିଆଡ ଶୂନଶାନ ଲାଗୁଥିଲା। ଆଖପାଖ ଗାଁ ଲୋକ ନିର୍ଭର କରୁଥିବା ସେ ଛୋଟ ବଜାରଟି ବର୍ଷା ରାତିରେ ଖାଁ ଖାଁ ଲାଗୁଥିଲା । କାହିଁ କେତେବେଳୁ ଦୋକାନ ବନ୍ଦକରି ପଳେଇ ଥିଲେ ଦୋକାନୀମାନେ । ଛୋଟ ଛୋଟ ଝୁମ୍ପୁଡି ହୋଟେଲ୍ କେତେଟାର ମାଲିକ ବି ଗରାଖ ଅଭାବରୁ ତାଟି କବାଟ ପକେଇ ଦେଇ ଚାଲିଯାଇଥିଲେ ଘରକୁ । ପକ୍କା ରାସ୍ତା କଡକୁ ଲାଗିଥିବା କଚ୍ଚା ରାସ୍ତା ଉପରେ ପାଣି ଜମି ଆସିଲାଣି । କେମିତି ଗୋଟେ ଗୁମସୁମ୍ ଲାଗୁଛି ଚାରିଆଡ। ଡର ଲାଗିଲା ନମ୍ରତାକୁ । ଚୁପ୍ ହୋଇ ବସିଲା ସେ ଗାଡି ଭିତରେ ଆଉ ମନେମନେ ଜଗନ୍ନାଥଙ୍କୁ ସୁମରଣା କଲା ।
           ବେଶ୍ କିଛି ସମୟ ଚେଷ୍ଟା କଲାପରେ ଡ୍ରାଇଭର ନିରାଶ ହୋଇ ପଡିଲା । ସାର୍ଥକଙ୍କୁ ବିଚଳିତ ହୋଇ ଏପଟ ସେପଟ ହେଉଥିବାର ଗାଡିର ବନ୍ଦ କାଚ ଝରକା ଭିତରୁ ଦେଖି ନମ୍ରତା ବ୍ୟସ୍ତ ହୋଇ ପଡୁଥିଲା ବେଳେ ତାଙ୍କ ଗାଁର ପରିଚିତ ଅର୍ଜୁନ ତା’ ଟ୍ରଲି ରିକ୍ସା ଗଡାଇ ପହଁଚିଗଲା । ସାର୍ଥକଙ୍କୁ ଦେଖି ପାନଛେପତକ ରାସ୍ତାଧାରରେ ଥୁ’ କରିଦେଇ ନାଲିଆ ଜିଭକୁ ଭିତରକୁ ଶୋଷାଡିନେଇ ମୁହଁରେ ଆକାଶ ପ୍ରମାଣେ ହସ ଖେଳେଇନେଇ କହିପକେଇଲା,”ବାବୁ, ଆପଣେ ! କଣ ହେଲାକି? ଗାଁକୁ ଆସିଛନ୍ତିକି?” ଅର୍ଜୁନକୁ ଦେଖି ସାର୍ଥକ ବି ଆଶ୍ୱସ୍ତ ହୋଇପଡିଥିଲେ । ତା’ ସହିତ କଣସବୁ କଥା ହେବାପରେ ନମ୍ରତାକୁ ଆସି କହିଲେ, “ତା’ ଟ୍ରଲିରେ ଜିନିଷପତ୍ର ରଖି ତୁମେ ମାଆପୁଅ ବସିପଡ । ମୁଁ ସାଙ୍ଗରେ ସାଙ୍ଗରେ ଯିବି । ଗାଁ ଆଉ ବେଶି ଦୂର ନୁହେଁ ।”
          ସାର୍ଥକଙ୍କୁ ମନାକରି ଆଉ କିଛି ବିକଳ୍ପ ଭାବିବାକୁ ନା ବେଳଥିଲା, ନା ବଳ । ରାତି କ୍ରମଶଃ ଗଭୀର ହେଉଥିଲା । ନମ୍ରତା ପିକୁର ହାତଧରି ଟ୍ରଲି ପାଖରେ ଠିଆହୋଇ ଚାହୁଁଥିଲା ଏପାଖ ସେପାଖ । ଖଣ୍ଡ ମଣ୍ଡଳରେ ଜନପ୍ରାଣୀଙ୍କର ଚିହ୍ନବର୍ଣ୍ଣ ନଥିଲା । “ମାଆ ଲକ୍ଷ୍ମୀ ଠାକୁରାଣୀ ଆଜି ମୋ ଗାଡିରେ ବସିବେ” – କହି ଆଗ୍ରହରେ ନିଜ କାନ୍ଧରୁ ଗାମୁଛା କାଢି ପୋଛିପକେଇଲା ଅର୍ଜୁନ ତା’ ଟ୍ରଲି ରିକ୍ସାଟିକୁ । ପୁଅକୁ ଧରି ଜାକିଜୁକି ହୋଇ ଟ୍ରଲିରେ ବସିଗଲା ନମ୍ରତା ।
—“ବାବୁ ଆପଣ ବି ବସିପଡନ୍ତୁ”
— “ନାଇଁ ନାଇଁ, ତୁମେ  ଟାଣିପାରିବନି ।” ସାର୍ଥକ ଅର୍ଜୁନର ପତଳା ନକନକ ଚେହେରା ଦେଖି କହିପକେଇଲେ ।
–“ନା ବାବୁ, ପାରିବି । କେତେ ବଡବଡ ବୋଝ ଲଦି ମୁଁ ରିକ୍ସା ଟାଣୁଛି । ମୋ ହାଡରେ ଅମାପ ବଳ । ରାତି ବଢୁଛି । ଡେରି ନକରି ବସିପଡନ୍ତୁ ଆପଣ ମୋ ରିକ୍ସାରେ ।” 
ତା’ କଥା ଶୁଣିଲାପରେ ଛତା ତଳେ ମାଆପୁଅଙ୍କ ପାଖକୁ ଗେଞ୍ଜିହୋଇ ବସିପଡିଥିଲେ ସାର୍ଥକ ।
         ରାତିର ଅନ୍ଧାରରେ ରାସ୍ତାଧାରର ବୁଦାଗଛସବୁ କେମିତି ରହସ୍ୟମୟ ଦିଶୁଥିଲେ । “ସାମାନ୍ୟ ବର୍ଷାରେ ବି ବିଜୁଳୀ କଟିଯାଏ ଗାଁରେ” – କହି ଦୀର୍ଘଶ୍ୱାସ ଛାଡୁଥିଲା ଅର୍ଜୁନ । କିଆ ଗୋହିରି ଭିତରୁ ଶୁଣାଯାଉଥିଲା ଝିଂକାରୀର ଝିଁ ଝିଁ ସ୍ୱର । ଶ୍ରାବଣର ବର୍ଷା, ରାତିର ଅନ୍ଧାରରେ ରୋମାଞ୍ଚ ଭରୁଥିଲା।  ରାତି ଧିରେଧିରେ ଗଭୀର ହେଉଥିଲା ।
      ମୁମ୍ବାଇର ଆପାର୍ଟମେଣ୍ଟ ଭିତରୁ ନମ୍ରତା ଦେଖିଥିବା ଶ୍ରାବଣର ବର୍ଷାରାତିଠାରୁ ଏକଦମ୍ ଭିନ୍ନଥିଲା ଆଜିର ବର୍ଷାରାତି । ମହାନଗରୀର ଆଭିଜାତ୍ୟପୂର୍ଣ୍ଣ ଆପାର୍ଟମେଣ୍ଟର ବଗିଚାରେ ନିଅନ୍ ଲାଇଟ୍ ତଳେ ବର୍ଷାକୁ ଅନୁଭବିବାର ମାଦକତା ଗାଁ ଦାଣ୍ଡରେ ଶ୍ରାବଣର ଅନ୍ଧାର ବର୍ଷାରାତିରେ ନଥିଲା ସତ ଏଠି କିନ୍ତୁ ବିଜୁଳୀ ଆଲୁଅର ଅନୁପସ୍ଥିତି ଭିତରେ କୀଟପତଙ୍ଗ ମାନଙ୍କର ଅବାଧ ଆତଯାତ ସହ ନମ୍ରତାର ଏ ଥିଲା ସମ୍ପୂର୍ଣ୍ଣ ଅଲଗା ଅନୁଭବ । ନୂଆ ରାତିଟିଏକୁ ଆବିଷ୍କାର କରୁଥିଲା ସେ ପକ୍କା ରାସ୍ତାରୁ କଚ୍ଚା ରାସ୍ତା, ପୁଣି ଗାଁ ଗୋହିରିରୁ ଗାଁ ଦାଣ୍ଡକୁ ଓହ୍ଲେଇ ଆସୁଥିବାବେଳେ। ଏଥିରେ ଥିଲା ମାଟି ମାଆର ମହକ। ଅପୂର୍ବ ଏକ ସମ୍ମୋହନ ଗ୍ରାସ କରି ବସୁଥିଲା ବେଳକୁ ବେଳ।  ଘର ସାମ୍ନାରେ ଗାଁ ଦାଣ୍ଡରେ ଟ୍ରଲିରୁ ଓହ୍ଲେଇଲା ବେଳକୁ ବର୍ଷାରେ ପୁରାପୁରି ଭିଜି ଯାଇଥିଲେ ସେମାନେ । ଜିନିଷପତ୍ର ଘର ଭିତରକୁ ବୋହି ନେଉଥିଲା ଅର୍ଜୁନ । ଘରେ ପହଁଚିଯିବାର ଖୁସି ଝଲସୁଥିଲା ନମ୍ରତା ଓ ସାର୍ଥକଙ୍କ ମୁହଁରେ। ତା’ କୋଳରୁ ଡେଇଁପଡି ଘର ଭିତରକୁ ଦୌଡିଯାଇ ପିକୁ ପାଟିକରୁଥିଲା, “ଜେଜେବାପା ଜେଜେମାଆ ସମସ୍ତେ ଦେଖ । ଗୋଟେ ନୂଆ ପ୍ରକାର ଗାଡିରେ ଆଜି ଆମେ ଆସିଛୁ । ବହୁତ ବଢିଆ ଗାଡି ।” ପିକୁର ଆନନ୍ଦ କୂଳ ଲଂଘୁଥିଲା । ସାର୍ଥକ ନମ୍ରତାର ହାତରେ ମୃଦୁ ସ୍ପର୍ଶ ଦେଇ କହିଲେ, “ଯିବା, ଗାଁ ଦାଣ୍ଡରେ ହାତ ଧରାଧରିହୋଇ ବର୍ଷାରେ ଆଉଟିକେ ଭିଜିବାକୁ?” ଶ୍ରାବଣର ବର୍ଷା ଝରଝର ହୋଇ ଝରିପଡୁଥିଲା ତାଙ୍କ ଓଠରେ ଆଞ୍ଜୁଳାଏ ଖୁସିହୋଇ …
……

Leave a comment