ସେ, ମୁଁ ଓ ବର୍ଷା

       ଆକାଶରେ କଳା ହାଣ୍ଡିଆ ମେଘ । ରହିରହି ବିଜୁଳୀ ଚମକୁଛି । ଝିପିଝିପି ବର୍ଷା । ବିନା ଛତାରେ ବାହାରିପଡିଲି ବାହାରକୁ । ଏବେ ଏବେ ତିଆରି ହୋଇଥିବା ରାସ୍ତାଟିରେ ଠାଏଠାଏ ପାଣି ଜମିଲାଣି । ପାଖାପାଖି ଯାଉଥିବା ଅଚିହ୍ନା ଭଦ୍ରମହିଳା ସରକାରଙ୍କୁ ଦୋଷଦେବା ଆରମ୍ଭ କରିଦେଲେ । ଟିକିଏ ଆଗପଛ ହେଉହେଉ ଜାଣିଜାଣି ପଛରେ ରହିଗଲି ମୁଁ ।

      ଭଦ୍ରଲୋକ ଜଣେ ପାଖେଇ ଆସିଲେ । ବିନା ଛତାରେ ବାହାରକୁ ବାହାରିବା ଉଚିତ୍ ନଥିଲା କହି ଆକଟ କଲେ । ବର୍ଷାଦିନେ ହେଉଥିବା ବିଭିନ୍ନ ରୋଗ ଓ ସେଥିରୁ ରକ୍ଷା ପାଇବା ପାଇଁ କଣସବୁ କରିବା ଉଚିତ୍ ସେସବୁକୁ ନେଇ ବିଜ୍ଞ ଭାଷଣ ଆରମ୍ଭ କରିଦେଲେ ମୋ ଉଦ୍ଦେଶ୍ଯରେ । ନା ମୁଁ ମେଘ ଦେଖି ପାରୁଥିଲି, ନା ଆଘ୍ରାଣ କରିପାରୁଥିଲି ମନମତାଣିଆ ମାଟି ବାସ୍ନା । କିଛିପାଦ ତାଙ୍କ ପାଖାପାଖି ଚାଲିବା ପରେ ପୁଣି ରହିଗଲି ପଛକୁ ।

       ଏଥର ମୋ ଉପରକୁ ଛିଟିକି ଆସିଲା ଦଲକାଏ ପାଣି । ଇସ୍ … ଶାଢିରୁ ପାଣି ଝାଡିବାର ଉପକ୍ରମ କଲାବେଳକୁ ପାଦ ପଡିଗଲା ତଳେ ଜମିଥିବା କିଛି ପାଣି ଉପରେ । ଅନ୍ୟମନସ୍କ ଭାବରେ ଗୋଡ ଛାଟିଦେଲି ସେ ପାଣି ଉପରେ। ପୁଲକ ଖେଳିଗଲା ଦେହରେ, ମନରେ । ପ୍ରଥମ ପ୍ରେମର ଶିହରଣପରି ବର୍ଷାର ମାଦକ-ସ୍ପର୍ଶ ନିମିଷକରେ ମୋତେ ତୋଳିନେଲା କେଉଁ ଅପହଁଚ ସ୍ୱପ୍ନ ରାଇଜକୁ । ପୁଣିଥରେ ଆଉମନ୍ଦେ ପାଣି ଛାଟିଦେଲି । ତା’ ସହ ମନରୁ ଛାଟିଦେଲି ବୟସକ୍ରମେ ଅଳନ୍ଧୁପରି ଜମିଯାଇଥିବା ସମସ୍ତ ସଙ୍କୋଚ, ଦ୍ବିଧା ଓ ସଂଶୟ । ଆଃ, କି ଆନନ୍ଦ । ଫେରିଗଲି ମୋ ପିଲାଦିନକୁ । ଆଉଥରେ….ପୁଣିଥରେ …। ସେ ଚାଲୁଥିଲା ମୋ ସହ। ଆମେ ହାତଧରାଧରି ହେଲୁ । ସେ ମଧ୍ଯ ବର୍ଷାପାଣିର ଉଛୁଳା ଆନନ୍ଦରେ ମସଗୁଲ ହେଲା ।  ମୋ ଉପରେ ପାଣି ପକେଇ ଦେଉଥିବାର ସଂକୋଚଭାବ ତା’ ପାଖରେ ନଥିଲା । ଆକାଶରେ ମେଘକୁ ଦେଖି ଆମେ ଉଲ୍ଲସିତ ହେଲୁ । ପାଣିରେ ଖେଳିଲୁ – ଖୁବ୍ ଖେଳିଲୁ । ସେ କେଉଁଠୁ ବାହାର କରିଆଣିଲା କାଗଜ ଫର୍ଦ୍ଦେ । “ତୁମକୁ ଡଂଗା ବନେଇଆସେ?” ହଁ, ଚଟାପଟ୍ ଡଂଗା ବନେଇଦେଲି ମୁଁ । ତା’ର ମୋର ଡଂଗା ଭସେଇଲୁ, ସେଇଠି ଏଠିସେଠି ଜମିଥିବା ପାଣିରେ । ମୁଁ ଭିଜି ଯାଇଥିଲି ଗୋଟାପଣେ । ସେ ଛାଡୁନଥିଲା ମୋ ହାତ । ମୁଁ ବି ମୁଠେଇ ଧରିଥିଲି ତା’ ହାତକୁ । ଆଃ, କି ମନଛୁଆଁ ଆନନ୍ଦ!

      “ବର୍ଷା ପଡିଲାଣି । ଖୁବ୍ ବର୍ଷିବ ମନେହେଉଛି । ବାଲକୋନୀ ଦୁଆର ବନ୍ଦ କରିଦେଇ ଭିତରକୁ ଆସ” – ଘର ଭିତରୁ ସ୍ୱାମୀଙ୍କ ସ୍ୱର ଭାସି ଆସିଲା ।
……

Leave a comment