ଜାତୀୟ ପତାକାରେ ଘୋଡାହୋଇ ଶଶଧରର ଶବ ଘର ପାଖରେ ପହଁଚିଲା ବେଳକୁ ଆଖପାଖର ପଡୋଶୀ ଓ ନାଁ କରା କିଛି ମିଡିଆ ବାଲା ଜମା ହୋଇଯାଇଥିଲେ ଦାଣ୍ଡରେ । ସମସ୍ତଙ୍କର ଆଖି ଲୁହରେ ଭିଜୁଥିଲା । ଅଞ୍ଜଳି ସ୍ଥାଣୁ ପାଲଟି ଯାଇଥିଲା । ସେ ବାକ୍ସଟା ଥୁଆହୋଇଥିଲା ଠିକ୍ ତାଙ୍କ ଘର ସାମ୍ନାରେ , ସେଇଠି ଯେଉଁଠି ଆଠମାସତଳେ ବୋହୂ ବେଶରେ ସେ ଓହ୍ଲେଇଥିଲା ଆଉ ତା’ ପଛେପଛେ ଖସିପଡୁଥିବା ଗଇଁଠାଳକୁ ମୁଠାଇ ଧରି ତରତର ହୋଇ ଓହ୍ଲେଇ ପଡିଥିଲେ ଶଶଧର । ଠିକ୍ ସେଇ ଜାଗାରେ ଲମ୍ବା ବାକ୍ସଟିକୁ କାନ୍ଧରେ ବୋହିଆଣି ଥୋଇଥିଲେ ସେମାନେ।
ସେ ବାକ୍ସ ଭିତରେ ଶଶଧର ଶୋଇଥିଲେ ବୋଲି ବିଶ୍ଵାସ କରିପାରୁ ନଥିଲା ଅଞ୍ଜଳି । ସମସ୍ତଙ୍କ ଆଖିକୁ ଚାହିଁ ଖୁବ୍ ଭୟ ହେଉଥିଲା ତା’ର। ଏବେ କଣ କରିବ ସେ କିଛି ବି ବୁଝିପାରୁନଥିଲା । ବିକଳ ହୋଇ ଚାହିଁଥିଲା ଶାଶୂଙ୍କ ଆଡେ ।
ଆଠମାସର ସମ୍ପର୍କ ଭିତରେ କେତେବା ଚିହ୍ନିଛି ସେ ନୂଆ ପରିବାରଟିକୁ । “ଶାଶୂ ମାଆ ସମାନ। ତାଙ୍କ ଭିତରେ ତୁ ମତେ ଦେଖିବୁ ଏଥର “। ଘରୁ ବିଦାହୋଇ ଆସିବା ସମୟରେ ବୋଉ କହିଥିଲା । “ତୋର ଶ୍ୱଶୁର ନାହାନ୍ତି । କେତେ କଷ୍ଟରେ ଜୋଇଁଙ୍କୁ ମଣିଷ କରିଛନ୍ତି ତୋ ଶାଶୂ । ତାଙ୍କ ମନରେ କେବେ ଦୁଃଖ ଦେବୁନି ।” ଏଇ ବୋଧେ ସଂସ୍କାର, ଯାହା ଜଣେ ମାଆ ତା’ ଝିଅକୁ ଦେଇଥାଏ । ଅଞ୍ଜଳି ସେ ସଂସ୍କାରକୁ ବେଢେଇ ନେଇଛି ତା’ ଦେହରେ,ମନରେ । ଶାଶୂ ଭଲ ମଣିଷ କିନ୍ତୁ ମାତ୍ରାଧିକ ରକ୍ଷଣଶୀଳା । ଆଭରଣ ଆଚରଣ ଉଭୟରେ । ଧଳା ଛେଦାଲୁଗା ଦେହରେ । ଆଭରଣଶୂନ୍ୟ ପରିପାଟୀ । ତାଙ୍କର ଗମ୍ଭୀର ମୁଖମଣ୍ଡଳ ଦେଖିଲେ ଶଙ୍କିଯାଏ ଅଞ୍ଜଳି ।
ଘରର ସମସ୍ତ ନିଷ୍ପତ୍ତି ସେ ନିଅନ୍ତି। ପୂଜାପର୍ବ ଦିନରେ ଅଞ୍ଜଳିକୁ ଗୋଟିଗୋଟିକରି ବୁଝାନ୍ତି ସବୁ ପରମ୍ପରା । ଶୃଙ୍ଖଳାର
ଶୃଙ୍ଖଳରେ ବାନ୍ଧି ହୋଇଗଲାପରି ଲାଗେ ତାକୁ। ଏକାନ୍ତରେ କିନ୍ତୁ ଶାଶୂଙ୍କର ନିରୀହ ଦୁର୍ବଳ ହୃଦୟଟିକୁ ଦେଖିପାରେ ଅଞ୍ଜଳି। ବାହାରେ ଗମ୍ଭୀର ନିରବ ରହୁଥିବା ମଣିଷଟି ଭିତରେ ଗଭୀର ସ୍ନେହ, ଅମାପ ବାତ୍ସଲ୍ୟକୁ ଅନୁଭବ କରିପାରେ ସେ ।
ଶ୍ୱଶୁର ଚାଲିଗଲା ପରେ ସମାଜର ଦୃଷ୍ଟିଶୂଳ ନହୋଇ ନିଜକୁ ସେଇମାନଙ୍କ ଚିନ୍ତା ଓ ଚେତନାରେ ଢାଳିଦେଇଥିଲେ ଶାଶୂ। କିଏ ସେ ସମାଜ ? କିଏ ତିଆରି କରିଥିଲା ନାରୀଟିଏ ପାଇଁ ଏପରି ନିୟମ ? ମନ ଭିତରେ ଆସୁଥିବା ଏସବୁ ପ୍ରଶ୍ନର ଉତ୍ତର ଖୋଜିବାର ସତ୍ ସାହସ ଜୁଟେଇ ପାରୁନଥିଲେ । ଏବେପୁଣି ତାଙ୍କ ହାତ ଛଡେଇ ଶଶଧର ଚାଲିଗଲା ସୀମାନ୍ତରେ । ତା’ର ସହୀଦ ହେବା ଖବର ରେଡିଓ, ଟିଭିର ସମ୍ବାଦରେ ଶୁଣି ନିଜ ନିଜ ଭିତରେ ଆଲୋଚନା କଲେ ପଡୋଶୀ ବନ୍ଧୁବାନ୍ଧବ, ଯାହାକୁ ଆମେ ସମାଜ କହୁଛେ । ଜାତୀୟ ପତାକା ଘୋଡାହୋଇ ଶଶଧରର ମୃତ ଦେହ ପହଁଚିଲା ପରେ ଲୋକସବୁ ଆସି ରୁଣ୍ଡହେଲେ । ଫଟୋ ଉଠିଲା । କାନ୍ଦି କାନ୍ଦି କ୍ୟାମେରା ଆଗରେ ଶଶଧର ସହ ନିବିଡ ସମ୍ପର୍କର ଜୀବନ୍ତ ଚିତ୍ରଟିଏ ଆଙ୍କିଦେଲେ ସେମାନେ, ସେଇ ମଣିଷମାନେ । ଅଳ୍ପ ସମୟ ପରେ ସେମାନଙ୍କ ମଧ୍ଯରୁ କେତେଜଣ ଘରକୁ ଆସିବେ। ସେମାନେ ଦେଖିବାକୁ ଆସିବେ ଶାଶୂ ବୋହୂ ଦୁହେଁ କେତେ କାନ୍ଦୁଛନ୍ତି , କେମିତି ବିକଳ ହେଉଛନ୍ତି । ତା’ପରେ ଫେରିଯିବେ । ଯେତେବେଳେ ହୃଦୟରୁ ରକ୍ତ ଝରୁଥିବ ଆଉ ଭାଙ୍ଗିପଡିଥିବା ମନଟିକୁ ସାହସ ଯୋଗେଇବା ପାଇଁ ବିଶ୍ୱସ୍ତ ମଣିଷଟିଏ ଅଣ୍ଡାଳି ହେଉଥିବେ ସେମାନେ, ସେତେବେଳେ କିଏ ଠିଆହେବ ପାଖରେ ? କିଏ ବଢାଇଦେବ ନିର୍ଭୟ ଓ ଦୃଢତାର ହାତ ? ଭବିଷ୍ୟତର ସୁରକ୍ଷା, ଆର୍ଥିକ ସହାୟତା ପରେ ମଧ୍ଯ ସବୁଦିନ ପାଇଁ ହଜେଇ ଦେଇଥିବା ମଣିଷଟି ପାଇଁ ତା’ ଭିତରେ ସୃଷ୍ଟି ହୋଇଥିବା ହାହାକାରକୁ ସ୍ନେହର ପ୍ରଲେପ ଦେବାପାଇଁ , ନିଃସର୍ତ୍ତ ଆତ୍ମପ୍ରତ୍ୟୟର ବୀଜଟିଏ ବୁଣିଦେବା ପାଇଁ କିଏ ଆଗେଇ ଆସିବ ?
” ବୋଉ !” ବିକଳ ହୋଇ ଅଞ୍ଜଳି ଆଉଜି ପଡିଥିଲା ଶାଶୂଙ୍କ ଦେହକୁ । ଆଖିରେ ତାଙ୍କର ବିଦ୍ରୋହର ଶିଖା ଦେଖି ପାରୁଥିଲା ଅଞ୍ଜଳି । ଏତେ ଯୁଗରୁ ନିରବ ରହିଥିବା ମଣିଷଟା ଭିତରେ ଏତେ ନିଆଁ ପୁଣି ଲୁଚି ରହିଥିଲା ସତରେ!! ପରମ୍ପରା ଅନୁଯାୟୀ ଖୁଡୀଶାଶୂ ତା’ ହାତରୁ ଚୂଡିତକ ଭାଂଗିଦେଇଥିଲେ । ଶେଷ ସୁନାଚୂଡିଟିକୁ ଖୋଲିଦେବା ପାଇଁ ଲମ୍ବି ଆସିଥିବା ତାଙ୍କ ହାତକୁ ଜୋର୍ କରି ଅଟକାଇ ଦେଇ ଶାଶୂ କହିଲେ , “ବାସ୍ । ଆଜିଠାରୁ ସେ ଏ ଘରର ଝିଅ । ବୋହୂ ନୁହେଁ । ସେ ଚଳିବ ଏ ଘରେ ଝିଅଟିଏ ହୋଇ “। ସ୍ତବ୍ଧ ହୋଇ ରହିଯାଇଥିଲେ ପରିବାରର ଲୋକେ । ଅଞ୍ଜଳିକୁ କୋଳେଇ ନେଲେ ଦୁଇ ହାତରେ ଶାଶୂ। ସେତେବେଳେ ଖୁବ୍ ଶକ୍ତ ଆଉ ଦୃଢ ଲାଗୁଥିଲା ସେ ଦୁର୍ବଳ ହାତ ଦୁଇଟି ଅଞ୍ଜଳିକୁ। ଏମିତି ହାତ ଦୁଇଟି ଶାଶୂ ନିଜପାଇଁ ଖୋଜୁଥିଲେ ସାରା ଜୀବନ , ଯାହା କେବେବି ପାଇନଥିଲେ । ସମାଜର ହାଉଜାଉ ଲୋକମାନଙ୍କ ଭିତରେ ତାଙ୍କୁ ଅଭୟ ଦେବାପାଇଁ ସେମିତି ମଜବୁତ୍ ହାତଟିଏ ହୁଏତ କାହାର ବି ନଥିଲା । ସେ ନିଜର ଅଭୟ ହାତରେ ଘୋଡେଇଦେଲେ ଅଞ୍ଜଳିକୁ । ବୋହୂରୁ ଝିଅଟିଏରେ ପରିବର୍ତ୍ତିତ ହେବାର ଅନୁଭବ ସଞ୍ଚରି ଯାଉଥିଲା ଅଞ୍ଜଳି ଭିତରେ କ୍ରମଶଃ ..।
……