ଚା’ ଖଟିରେ ବସିଥିଲେ ଅବିନାଶ। ଏଇ କେତେଦିନ ହେବ ଖୁବ୍ ସକାଳୁ ନିଦ ଭାଙ୍ଗିଯାଉଛି ତାଙ୍କର। ଯଥାଶୀଘ୍ର ପ୍ରସ୍ତୁତ ହୋଇ ଖଟିକୁ ଚାଲିଆସୁଛନ୍ତି ସେ। ନଟବର ଦୋକାନ ଖୋଲି ଝଡାଝଡି କଲାବେଳକୁ ପହଞ୍ଚି ଯାଉଛନ୍ତି ଅବିନାଶ। ତା’ ସହ ମିଶି ଟେକି ଆଣୁଛନ୍ତି ଘୁଣଖିଆ କାଠ ବେଞ୍ଚଟିକୁ ଦୋକାନ ବାହାରକୁ। ସେଇଠି କଣ ପଟକୁ ଡେରି ରଖିଦେଉଛନ୍ତି ହ୍ୟାଣ୍ଡଲ୍ ଖସିଯାଇଥିବା ନୀଳ ରଙ୍ଗର ଅଳିଆ ଡବାଟି। ନଟବର ଚା’ ପାଣି ବସେଇଲା ବେଳେ ଅବିନାଶ ଜଣା ଅଜଣା ଗୀତ ଗୁଣୁଗୁଣଉଛନ୍ତି। ନଟବର କେବେ କେମିତି ସଜାଡି ଦେଉଛି ସେ ଗୀତକୁ। କେବେ ପୁଣି ସେଇ ବେସୁରା ତାଳକୁ ହାତତାଳି ଦେଇ ଉତ୍ସାହିତ କରୁଛି। ଉଭୟ କ୍ଷେତ୍ରରେ ଖୁସି ଝଲସୁଛି ଅବିନାଶଙ୍କ ମୁହଁରେ। ଅନେକ ଦିନରୁ ଖୋଜିହେଉଥିବା ଆନନ୍ଦ ଏବେ ତାଙ୍କ ହାତ ପାଆନ୍ତାରେ।
ଚା’ କପ୍ ହାତରେ ଅବିନାଶ ଅପେକ୍ଷା ରଖୁଛନ୍ତି ଅନ୍ୟ କେତେଜଣଙ୍କୁ ଯେଉଁମାନେ ଏଇଠି ତାଙ୍କ ଆଖପାଖରେ ରହୁଥିଲେ ଅନେକ ଦିନରୁ କିନ୍ତୁ ଭାବର ଆଦାନପ୍ରଦାନ ନଥିଲା ସେମାନଙ୍କ ଭିତରେ। ନଟବର କେତେଟା ଖବରକାଗଜ ବି ରଖୁଛି ତା’ ଦୋକାନରେ। ଚା’ ଓ ଖବରକାଗଜ ଏ ଦୁହିଁଙ୍କ ଭିତରର ଅନ୍ତରଙ୍ଗତା ନଟବର ବୁଝେ। ସେଇଥିପାଇଁ ତ ତା’ ଦୋକାନରେ ସକାଳୁ ଗରାଖ ଜମନ୍ତି। ଅବିନାଶ ଖବର କାଗଜ ଖଣ୍ଡେ ଉଠେଇ ନେଇ ତା’ ଉପରେ ଆଖି ବୁଲେଇ ଆଣିଲା ବେଳକୁ ଆଉ କେତେଜଣ ପହଞ୍ଚିଯାଆନ୍ତି। ଚା’ କପ୍ ରୁ ଚା’ ସୋଡକଉ ସୋଡକୋଉ ସାରା ଜଗତର ଖବର ଉପରେ ଚର୍ଚ୍ଚା ହୋଇଯାଏ। ପ୍ରଥମେ ପ୍ରଥମେ ଖୁବ୍ ଗମ୍ଭୀରତାର ସହ ଖବର ସବୁର ତର୍ଜମା କରୁଥିଲେ ଅବିନାଶ । କେତେବେଳେ ଖୁସି ହେଉଥିଲେ ପୁଣି କେତେବେଳେ ତାଙ୍କୁ ବିବ୍ରତ କରୁଥିବା କଥାଟିଏର କଥାକାର ପ୍ରତି ଅଭିମାନ ଭରିଯାଉଥିଲା ମନରେ। ଏ ଭିତରେ ସେସବୁ ଚିନ୍ତା ଚେତନାକୁ ହାଲ୍କା ଭାବରେ ଗ୍ରହଣ କରିନେଲେଣି ସେ। ଅନ୍ୟ କାହାର ପ୍ରତିକୂଳ ମନ୍ତବ୍ଯକୁ ନେଇ ଘାରି ହେଉନାହାନ୍ତି ଆଉ। ବରଂ ନୂଆ ମଣିଷଟିଏକୁ ଚିହ୍ନିବା, ଅନ୍ଯଜଣଙ୍କ ଦୃଷ୍ଟିରେ କିଛି ଦେଖିବା ଓ ପରଖିବାର କଳା କୌଶଳ ଶିଖି ଗଲେଣି। ସେଥିପାଇଁ ବୋଧେ ଶାନ୍ତ ଓ ଗଭୀର ମନେହେଉଛି ନିଜ ଚେତନା।
ନିଜ ଆଖପାଖକୁ ଭଲ ପାଇବାକୁ ଆଖିନୁହେଁ, ହୃଦୟଟିଏ ଜରୁରୀ। ହୃଦୟକୁ ବ୍ୟାପ୍ତ କରିନେବାପାଇଁ, ଅସମ୍ମତ କଥାଟିକୁ ଉଦାରତାର ସହ ମାନି ନ ନେବାର ସୂକ୍ଷ୍ମ କଳାଟିକୁ ଅକ୍ତିଆର କରିନେଲେଣି ଅବିନାଶ। ଏଇ ଚା’ ଖଟିରେ କିଛି ସମୟ ବସି ଅନ୍ଯମାନଙ୍କ ହସ ସହ ନିଜ ହସକୁ ମିଶେଇ ନେବାର ପ୍ରକ୍ରିୟା ଜାଣିଗଲେଣି ସେ ଏ ଭିତରେ। ଚା’ ଖଟିକୁ ନେଇ ଅନେକ କୋମଳ ଉଦବେଳନ ଏବେ ତାଙ୍କ ଭିତରେ। ଏଇ କେତେଦିନ ହେଲାଣି ଭଲ ନିଦ ହେଉଛି ରାତିରେ। ଆଉ ନିଦ ଔଷଧ ଖାଇବା ଦରକାର ପଡୁନି। କମଳିନୀ ଚାଲିଯିବା ପରେ ଖାଁ ଖାଁ ଲାଗୁଥିବା ଘରଟା ଆଉ ଖାଇ ଗୋଡଉନି। ଥାକରେ ନୂଆ ବହି କିଛି ସଜାଡି ରଖିଲେଣି ଅବିନାଶ। ପୁରୁଣା ଗୀତର ଧୁନ୍ ସହ ନୂଆଗୀତ କେତୋଟି ଟ୍ୟୁନ୍ କରି ଶୁଣିବାକୁ ଭଲଲାଗୁଛି ଏବେ।
ଆଜି ଖୁବ୍ ଡେରିଯାଏଁ ଖଟି ଜମିଲାଣି। ଏଇ କେତେଦିନ ହେବ ଖୁବ୍ ଚର୍ଚ୍ଚାରେ ରହିବାପରି କିଛି ସ୍ପର୍ଶକାତର ଘଟଣା ବି ଘଟିଛି। ଯେତେ ଆଲୋଚନା କଲେ ବି ଅନେକ କଥା ଅକୁହା ରହିଯାଉଛି। ଅବିନାଶ ଲକ୍ଷ୍ୟ କରୁଛନ୍ତି କେବେ କଥା ନ କହି ଗୁମସୁମ୍ ହୋଇ ବସିରହୁଥିବା ମଣିଷ କେତେଜଣ ବି ଖୁବ୍ ଉତ୍ତେଜିତ ହୋଇ ଅନର୍ଗଳ ଗପୁଛନ୍ତି। ଚା’ ଖଟିଟି ଉଛୁଳି ଉଠୁଛି ଯୁକ୍ତିତର୍କ, ହସରୋଳରେ। ନଟବରର ଭୂମିକା ଏଥିରେ ଅଧିକ। ଯେତେ ମନଫଟାଫଟି କଥା କଟାକଟି ହେଉପଛେ ଚା’ କପ୍ ର ଶେଷ ସୁଡୁକାରେ ଫେଣ୍ଟି ହୋଇ ରହିଥିବା ନଟବରର ସ୍ନେହର କଥାପଦେ “ଆଜ୍ଞା, କାଲିକି ଆପଣଙ୍କ ପାଇଁ ଅପେକ୍ଷା ରଖିଲି” ହୃଦୟର ଗଭୀର ପ୍ରଦେଶକୁ ଛୁଇଁଯାଏ। ଅପେକ୍ଷା ରଖୁଥିବା ମଣିଷଟିକୁ ଉପେକ୍ଷା କରିବାକୁ କାହାର କଣ ସାହସ ଥାଏ ?
ଅବିନାଶ ଉଠିଲେ। ଚା’ କପ୍ ଟି ବଢେଇଦେଲେ ନଟବରକୁ। “ଆଉ ଅଳ୍ପ ଦିନଭିତରେ ଆପଣ ବି ଚା’ ପିଇବା ଆରମ୍ଭ କରିବେ” ମୁହଁରେ ଚେନାଏ ହସ ଫୁଟାଇ କହିଲା ନଟବର। “ଚା’ ଖଟିର ଆନନ୍ଦ ନେବାପାଇଁ ଚା’ ପିଇବା ଜରୁରୀ ନୁହେଁ” କହି ଅବିନାଶ ଚା’ କପ୍ ଟି ଧରେଇଦେଲେ ନଟବର ହାତରେ। ନଟବରର ହସ ଟିକକ ସଞ୍ଚରି ଆସିଥିଲା ଅବିନାଶଙ୍କ ଓଠକୁ।
…….