ମହାନଗରୀରେ ମୌସୁମୀ

       ମୌସୁମୀ ଓ ସେ ଆଗପଛ ହୋଇ ପହଞ୍ଚିଥିଲେ ମୁମ୍ବାଇରେ। ସିଦ୍ଧାର୍ଥଙ୍କୁ ବାହାଘର ପରେ ହିଁ ଦେଖିଥିଲା ସୁରଭୀ। ହଁ, ଆଗରୁ ଆଭାସୀ ଆଳାପ ହୋଇଥିଲା ତାଙ୍କ ସହ। ଭାରି ହସଖୁସିଆ ଖୋଲା ହୃଦୟର ମଣିଷ ଜଣେ ସେ। ସୁରଭୀର ମେଳାପୀ ସ୍ବଭାବ ସହିତ ସିଦ୍ଧାର୍ଥଙ୍କର ସ୍ବଚ୍ଛମନ ଉଭୟଙ୍କୁ ଏକାଠି ସଂସାର ଗଢିବାର ଉତ୍ସାହ ଦେଇଥିଲା। ବାହାଘର ଦଶମଙ୍ଗଳା ଦିନ ମୁମ୍ବାଇ ଫେରିବା ପାଇଁ ଉଡାଜାହାଜରେ ବସିଲେ ଦୁହେଁ। ସୁରଭୀର ମନରେ ଡେଣା ଲାଗିଥିଲା।   ମୌସୁମୀର ଆଗମନରେ ସାରା ଆକାଶ କଳାହାଣ୍ଡିଆ ମେଘରେ ଛାଇଯାଇଥିଲା । ସିଟ୍‌ବେଲ୍ଟ ବାନ୍ଧିରଖିବାର ସଙ୍କେତ ଦିଆଯିବା ସହ ବିମାନର ଅସ୍ୱାଭାବିକ ହଲଚଲ୍‌କୁ ଆଖିରେ ରଖି ନିଜନିଜ ସ୍ଥାନରେ ବସିରହିବାର ଘୋଷଣା କରାଯାଇଥିଲା। “ବର୍ଷା ହେବ ବୋଧେ। ଆମେ ପହଞ୍ଚିଲା ବେଳକୁ ବର୍ଷା ହେଉଥିଲେ ଆମେ ଭିଜିବା। ଛତାଟିଏ ବି ତ ସାଙ୍ଗରେ ଆଣିନେ” ସୁରଭୀର ସ୍ୱରରେ ସାମାନ୍ଯ ବ୍ୟସ୍ତତା। ହସିଲା ସିଦ୍ଧାର୍ଥ। ଏ ମୁମ୍ବାଇର ବର୍ଷା ଆସିବ ଅପ୍ରତ୍ୟାଶିତ ଭାବରେ ଯିବ ବି ସେମିତି। ତୁମ ଝିଅମାନଙ୍କୁ ସମ୍ଭାଳିବା ଯେତିକି କଷ୍ଟ ମୁମ୍ବାଇ ବର୍ଷାକୁ ସମ୍ଭାଳିବା ସେତିକି କଷ୍ଟ। ସୁରଭୀ ତା’ର ଲାଜଲାଜ ଆଖିରେ ସିଦ୍ଧାର୍ଥଙ୍କୁ ଚାହିଁଲା ଓ ତାଙ୍କ ଆଖିର ଦୁଷ୍ଟାମୀକୁ ପଢିନେଲା। 
      ମୁମ୍ବାଇରେ ବିମାନ ଭୂଇଁ ଛୁଇଁଲା ବେଳକୁ ମୌସୁମୀ ଓହ୍ଲେଇ ଆସିଥିଲା ପୃଥିବୀ ପୃଷ୍ଠକୁ। ଝରଝର ହୋଇ ଝରିପଡୁଥିଲା ବର୍ଷା। ସେମାନେ ବିମାନରୁ ବାହାରକୁ ଆସିବା ସମୟରେ କିନ୍ତୁ ଫର୍ଚ୍ଚା ଦିଶୁଥିଲା ଚାରିଆଡ। ବର୍ଷା ପଡିବା ବନ୍ଦ ହୋଇଯାଇଥିଲା। “ଏଇତ ବର୍ଷା ହେଉଥିଲା ଏବେ। ” ଖରାଦେଖି ସୁରଭୀ ଆଶ୍ଚର୍ଯ୍ଯରେ କହୁଥିଲା। କ୍ଷଣିକ ପୂର୍ବର ଦୁଷ୍ଟାମୀ ଏଥର ସିଦ୍ଧାର୍ଥଙ୍କର ମୁହଁରେ ଝଲସୁଥିଲା।” ଏ ମୁମ୍ବାଇର ବର୍ଷା । ଆକୁ ଆକଳନ କରିବା ଭାରି କଠିନ। ଠିକ୍ ତୁମ ଝିଅମାନଙ୍କ ମନପରି।” ମହାନଗରୀର ବର୍ଷା ସହ ପ୍ରଥମ ଭେଟହେଲା ସୁରଭୀର। ସେମାନେ ଏୟାରପୋର୍ଟ ବାହାରକୁ ଆସିଲେ ଓ ନିଜ ଘରକୁ ଯିବା ଉଦ୍ଦେଶ୍ଯରେ ଟ୍ୟାକ୍ସିରେ ବସିଲେ। ପୁଣି ବର୍ଷା ଆରମ୍ଭ ହୋଇଯାଇଥିଲା। “ମୌସୁମୀର ଲୁଚକାଳି ଖେଳ ଇଏ।” ହସହସି କହିଲା ସିଦ୍ଧାର୍ଥ। “ମୌସୁମୀ ଆଜି ଆମସହ ସାଙ୍ଗହୋଇ ମୁମ୍ବାଇକୁ ଆସିଲା।” ସୁରଭୀ ଗାଡିର କାଚ ଝରକା ବାହାରେ ଆଖି ପହଁରେଇ ଆଣି କହିଥିଲା।
     ଆପାର୍ଟମେଣ୍ଟରେ ପହଞ୍ଚିଲେ ସେମାନେ । ବର୍ଷା ଚାଲିଛି। ଏ ବର୍ଷର ପ୍ରଥମ ବର୍ଷା। ମୌସୁମୀର ପହିଲି ସ୍ପର୍ଶ। ସତେ ଯେପରି ଉତ୍ସବ ଲାଗିଛି ଆପାର୍ଟମେଣ୍ଟରେ। ପହିଲି ବର୍ଷାରେ ଭିଜିବାର ଏ ପ୍ରକାର ଉଦ୍ଦାମତା ପ୍ରଥମଥରପାଇଁ ଦେଖିଲା ସୁରଭୀ। ଆପାର୍ଟମେଣ୍ଟର ମଝିଆମଝି ଖୋଲା ଜାଗାଟିରେ କ୍ରିକେଟ ଖେଳୁଛନ୍ତି କିଛି ଯୁବକ। ବର୍ଷାରେ ଭିଜି ଖେଳିବାର ବି ଗୋଟେ ନିଆରା ଆନନ୍ଦ ଅଛି। ଜିନିଷପତ୍ର ଶୁଖିଲା ଜାଗାରେ ସୁରକ୍ଷିତ ଭାବରେ ରଖିଦେଇ ସୁରଭୀର ହାତଧରି ବର୍ଷାରେ ଭିଜିବାକୁ ବାହାରି ପଡିଲା ସିଦ୍ଧାର୍ଥ। ମୌସୁମୀର ପ୍ରଥମ ବର୍ଷାରେ ଭିଜିବାକୁ ଭଲପାଉଥିବା ମଣିଷ ମାନଙ୍କ ସହିତ ନିଜକୁ ମିଶେଇଦେବାର ରୋମାଞ୍ଚ ସୁରଭୀକୁ ଆନମନା କଲା। ସିଦ୍ଧାର୍ଥଙ୍କର ହାତଧରି ବର୍ଷାରେ ଭିଜିବାର ଖୁସି ଟିକକକୁ ନିଜ ଭିତରେ ସାଉଁଟିନେଲା ସୁରଭୀ।
      “ମୁମ୍ବାଇକୁ ଆସିବା ସପ୍ତାହଟିଏ ହୋଇଗଲାଣି। ଆମେ ସିଦ୍ଧି ବିନାୟକ ଦର୍ଶନ କରିବାକୁ ଯିବା।” ସିଦ୍ଧାର୍ଥଙ୍କୁ କହିଲା ସୁରଭୀ। ଭୁବନେଶ୍ବରରେ ସେ କାମ କରୁଥିବା କମ୍ପାନୀର ମୁମ୍ବାଇରେ ଶାଖା ନଥିବାରୁ ଅନ୍ୟ କେତୋଟି କମ୍ପାନୀରେ କଥାବାର୍ତ୍ତା ଚାଲିଛି। ଆଉ କିଛିଦିନପରେ କେଉଁଠି ଯୋଗଦେଲାପରେ ଏଭଳି ଖାଲି ସମୟ ମିଳିବକି ନା କେଜାଣି? ଆଜିର ପ୍ରତିଯୋଗିତାମୂଳକ ଯୁଗରେ ନିଜପାଇଁ ସ୍ଥାନଟିଏ ହାସଲ କରିବାରେ ବ୍ୟସ୍ତ ରହିବ ସେ । ନୂଆ ସଂସାରରେ ଘର ସଜଡା ଓ ସିଦ୍ଧାର୍ଥଙ୍କ ସହ ନିଜକୁ ଖାପ ଖୁଆଇ ଚଳିବାର ଚେଷ୍ଟାରେ ଏବେ ସେ। ସୁରଭୀର କଥାଶୁଣି ଅଫିସ ପାଇଁ ପ୍ରସ୍ତୁତ ହେଉଥିବା ସିଦ୍ଧାର୍ଥ ମୁଣ୍ଡ ହଲାଇ ନିଜର ସମ୍ମତି ପ୍ରକାଶ କରିବା ସହ ତା’ ପରଦିନ ସିଦ୍ଧି ବିନାୟକ ଯିବାର ପ୍ରତିଶୃତି ଦେଇଥିଲା। ବାହାରେ ବର୍ଷା। ଏ ବର୍ଷା ଲାଗୁଆଣି ହେବ କି? ମୁମ୍ବାଇର ଲାଗୁଆଣି ବର୍ଷା ନ ଦେଖିଲେ ବିଶ୍ବାସ କରିହେବନାହିଁ। ମୌସୁମୀ ବର୍ଷାର ଏ ଆଉ ଏକ ରୂପ। କ୍ରମାଗତ ଭାବରେ ଛଅସାତଦିନ ବର୍ଷା ଲାଗି ରହିବ। ସେ ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଆସିଲେ ସହରତଳି ଅଞ୍ଚଳଗୁଡିକ ପାଣିରେ ଉବୁଟୁବୁ। ସିଦ୍ଧାର୍ଥ ସହରତଳି ଆପାର୍ଟମେଣ୍ଟରୁ ଦକ୍ଷିଣ ମୁମ୍ବାଇରେ ଥିବା ତା’ ଅଫିସକୁ ଲୋକାଲ୍ ଟ୍ରେନ୍‌ରେ ଯିବାଆସିବା କରେ। ଗତରାତିରୁ ଆରମ୍ଭ ହୋଇଥିବା ବର୍ଷାକୁ ଦେଖି ଅନ୍ୟମନସ୍କ ଥିବା ସମୟରେ ସୁରଭୀର ସିଦ୍ଧି ବିନାୟକ ଦର୍ଶନ ଇଚ୍ଛାକୁ ନା କହିଦେଇ ତା’ ମନ ଦୁଃଖ କରିବାକୁ ଚାହୁଁନଥିଲା ସେ। ବର୍ଷା ଛାଡିଯିବ ଯେ। ମନ ଭିତରୁ କିଏ ଯେମିତି କାନରେ ତାର କହିଥିଲା ଧିର୍ କରି।
     ସିଦ୍ଧାର୍ଥ ଅଫିସ୍ ବାହାରି ଗଲାପରେ ସୁରଭୀ ଘରକାମ ଛିଣ୍ଡାଇଦେଇ ବହିଟିଏ ଧରି ବସି ପଡିଲା ଦାଣ୍ଡଘର ସୋଫା ଉପରେ। ଅଫିସ୍‌ରେ ପହଞ୍ଚିଯିବେଣି ସିଦ୍ଧାର୍ଥ। ସେ ଯିବାର ଦୁଇଘଣ୍ଟା ପାଖାପାଖି ହେଲାଣି। ମୁମ୍ବାଇରେ ଦୀର୍ଘବାଟ ଯାତ୍ରାକରି ଅଫିସ ଯିବାଆସିବା କରିବା ଏକ ସାଧାରଣ କଥା। ସହରତଳି ଅଞ୍ଚଳ ଗୁଡିକରେ ଘରଭଡା ଅପେକ୍ଷାକୃତ କମ୍। ତେଣୁ ସେସବୁ ଅଞ୍ଚଳରେ ରହି ଲୋକାଲ୍ ଟ୍ରେନ୍‌ଧରି ଅଫିସ ଯିବାଆସିବା କରିବା ସାଧାରଣ କଥାଟିଏ ମୁମ୍ବାଇବାସିନ୍ଦାଙ୍କ ପାଇଁ। ସୁରଭୀ ବି ଧିରେଧିରେ ଅଭ୍ୟସ୍ତ ହୋଇଯିବ ଏପରି ଜୀବନ ସହ। ନିଜକୁ ଦୃଢ କଲା ସୁରଭୀ। ବର୍ଷାର ପ୍ରକୋପ ବଢିବାରେ ଲାଗିଛି। ହାତରେ ଫୋନ୍‌ଟିକୁ ଉଠେଇନେଇ ଏପଟସେପଟ କଲା। ସିଦ୍ଧାର୍ଥଙ୍କର ଫୋନ୍ ଆସିନି ଏଯାଏଁ। ଗତ ଦିନ ଗୁଡିକରେ ଅଫିସ୍‌ରେ ପହଞ୍ଚି ଫୋନ୍ କରନ୍ତି ସେ। ମାତ୍ର ସପ୍ତାହଟିଏର ଦାମ୍ପତ୍ଯ ଭିତରେ ଏ ଫୋନ୍‌କଲ୍‌ଟିକୁ ଅପେକ୍ଷା ରଖିବାର ଅଭ୍ୟାସଟି ବଳବତ୍ତର ହେବାକୁ ଆରମ୍ଭ କଲାଣି। କାଇଁ ଆଜି ଫୋନ୍ କରିନାହାନ୍ତି ସିଦ୍ଧାର୍ଥ? ଅଫିସ୍‌ରେ ପହଞ୍ଚୁ ପହଞ୍ଚୁ କାମରେ ବ୍ୟସ୍ତ ହୋଇଗଲେ କି? ଫୋନ୍‌କରିବ କି ସେ ନିଜେ? ଏମିତି ଭାବିହେଉଥିବା ସମୟରେ ବାଜିଉଠିଲା ଫୋନ୍ ଆଉ କୁନି ପରଦାଟି ଉପରେ ଭାସିଆସିଲା ସିଦ୍ଧାର୍ଥଙ୍କର ଫଟୋଟି। ସେପଟୁ ସିଦ୍ଧାର୍ଥଙ୍କର ସ୍ୱରରେ ଅଦ୍ଭୁତ ବ୍ୟସ୍ତତା। “କଣ ହେଲା?” ସୁରଭୀ ଅଧିର ହୋଇ ପଚାରିଦେଲା। “ମୁଁ ଅଫିସ୍‌ରେ ପହଞ୍ଚି ପାରିନି ଏଯାଏଁ। ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି, ତା’ ଉପରେ ସମୁଦ୍ରରେ ଉଚ୍ଚ ଜୁଆର। ଟ୍ରେନ୍ ଲାଇନ୍‌ରେ ଠାଏଠାଏ ପାଣି ଜମିଯାଇଛି। ତେଣୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।ଜୁଆର କମିବାପରେ ଗମନାଗମନ ସ୍ୱାଭାବିକ ହେବାକୁ କେତେ ସମୟ ଲାଗିବ ଜଣାନାହିଁ। ଅଧାବାଟରେ ମୁଁ ଆସୁଥିବା ଟ୍ରେନ୍ ବି ଅଟକିଛି। ଆମେସବୁ ଏବେ ପ୍ଲାର୍ଟଫର୍ମରେ। ପ୍ରବଳ ଭିଡ ଏଠି। ଆମେସବୁ ନା ଅଫିସ୍ ଯାଇପାରୁଛୁ ନା ଘରକୁ ଫେରିପାରୁଛୁ।” ସିଦ୍ଧାର୍ଥ ଭିଡିଓ ଅନ୍‌କରି ସେଠାର ଦୃଶ୍ଯ ଦେଖେଇଦେଲାପରେ ଅଧୈର୍ଯ୍ୟ ନହୋଇ ଅପେକ୍ଷା କରିବାକୁ କହି ଫୋନ୍ କାଟିଲେ। ଜୀବନର ପ୍ରଥମଥରପାଇଁ ଏଭଳି ଏକ ପରିସ୍ଥିତି ଦେଖିଥିଲା ସୁରଭୀ। ବ୍ୟସ୍ତ ନ ହେବାକୁ ସିଦ୍ଧାର୍ଥ ବାରମ୍ବାର ବୁଝାଇଥିବା ସତ୍ତ୍ୱେ ସୁରଭୀର ଆଖି ଟଳମଳ ହେଉଥିଲା ଲୁହରେ। ବାହାରେ ବର୍ଷା ତାଣ୍ଡବ ରଚୁଥିଲା।
     ସମୟ ଯେତିକି ଯେତିକି ବଢୁଥିଲା ସୁରଭୀର ବ୍ୟସ୍ତତା ସେତିକି ସେତିକି କାୟା ବିସ୍ତାରୁଥିଲା। ମନ ଚାହୁଁଥିଲା ସିଦ୍ଧାର୍ଥ ଯୋଡିହୋଇ ରହିଥାଆନ୍ତେ କି ଫୋନ୍‌ରେ । ତା’ କଣ ସମ୍ଭବ? ମନକୁ ବୁଝାଇ ବୁଝାଇ ଥକି ପଡୁଥିଲା ସୁରଭୀ। “ହେ ପ୍ରଭୁ ଚକାଡୋଳା ସବୁ ଠିକ୍ ହୋଇଯାଉ। ହେ ବିଘ୍ନ ବିନାଶକ ହେ ସିଦ୍ଧି ବିନାୟକ ଛାଡିଯାଉ ଏ ବର୍ଷା। ଫେରିଆସନ୍ତୁ  ସିଦ୍ଧାର୍ଥ।” ସୁରଭୀ ଘର ଭିତରେ ବ୍ୟସ୍ତ ପଦଚାରଣ କରୁଥିଲା। ମୁମ୍ବାଇର ପ୍ରବଳ ବର୍ଷା ବିଷୟରେ ଶୁଣିଥିଲା ସେ । ରାସ୍ତାରେ ଗାଡିମଟର ଅଟକି ରହିବା ଓ ମହାନଗରୀର ବିପର୍ଯ୍ୟୟ ଖବର ବି ମନେଅଛି ତାର । ଏବେ ସେ ନିଜେ ଏଭଳି ପରିସ୍ଥିତିକୁ ପ୍ରତ୍ୟକ୍ଷ କରିବାର କଷ୍ଟ ତାକୁ ବିଚଳିତ କରୁଥିଲା। କିଛି କିଛି ସମୟ ଅନ୍ତରରେ ତିନି ଚାରିଥର ଫୋନ୍ ଆସିଥିଲା ସିଦ୍ଧାର୍ଥଙ୍କଠାରୁ। ବିବ୍ରତ ନହୋଇ ଧୈର୍ଯ୍ଯ ଧରିବାକୁ ବୁଝାଇ କହିଥିଲେ ସେ। ଶେଷରେ ତାଙ୍କର ଏକ ମେସେଜ୍ ଆସିଥିଲା । ଲେଖିଥିଲେ, ଫୋନ୍ ବ୍ୟାଟେରୀ ସରିବାକୁ ଯାଉଛି। ତେଣୁ ଫୋନ୍ ସେ ଅଫ୍ କରି ରଖୁଛନ୍ତି। ସୁରଭୀର ଦେହରୁ ଥଣ୍ଡା ଝାଳ ବୋହିଗଲା। ଥ’ ହୋଇ ସୋଫା ଉପରେ ବସିଗଲା ସେ। ଏବେ କେବଳ ସିଦ୍ଧାର୍ଥଙ୍କର ଫେରିବାକୁ ଅପେକ୍ଷା ରଖିବା ଛଡା ଆଉକିଛି କରିବାର ନାହିଁ।
। ତାଙ୍କ ସହ କଥା ହେବାର ଉପାୟ ବି ତ ନାହିଁ । ଓଃ, ମୁମ୍ବାଇର ବର୍ଷା ଏତେ ଭୟାନକ ହୋଇପାରେ? ଏଇ କିଛିଦିନ ତଳେ ମୌସୁମୀର ପ୍ରଥମ ବର୍ଷାରେ ଭିଜିବାର ସୁଖଦ ଅନୁଭୂତି ମନେ ପକାଇ ଦୀର୍ଘଶ୍ୱାସଟିଏ ବାହାରିଗଲା ତା’ ହୃଦୟତନ୍ତ୍ରୀରୁ।
     ସନ୍ଧ୍ୟା ଗଡିଯାଇ ରାତି ହେଲା। ବର୍ଷାର ବେଗଟିକେ କମି ଆସିଥିଲା। ଅପେକ୍ଷାର ଅନ୍ତ ଘଟାଇ ଡେରି ରାତିରେ ସିଦ୍ଧାର୍ଥ ଫେରି ଆସିଥିଲେ ଘରକୁ। ସୁରଭୀର ଶୁଖିଲା ମୁହଁରେ ହସ ଉକୁଟିଲା। ଖୁବ୍ କ୍ଳାନ୍ତ ଲାଗୁଥିଲେ ସିଦ୍ଧାର୍ଥ।ସେଦିନ ଅଫିସ୍‌ରେ ପହଞ୍ଚିପାରିନଥିଲେ ସେ। ସେଇ ଅଧାବାଟରୁ ଫେରିଆସିବାକୁ ଲାଗିଥିଲା ଏତେ ସମୟ।  ଧୁଆଧୋଇ ହୋଇ ରାତିଖାଇବା ଖାଇନେଇ ଶୋଇପଡିଥିଲେ ଦୁହେଁ। ସୁରଭୀ ସିଦ୍ଧାର୍ଥଙ୍କର ଘନିଷ୍ଠ ହୋଇ ନିଜକୁ ସୁରକ୍ଷିତ ମନେକରୁଥିଲା। ବାହାରେ ବର୍ଷା ଝରିପଡୁଥିଲା ଅବିରତ ଭାବରେ।
     ପରଦିନ ସିଦ୍ଧି ବିନାୟକ ଯିବାର ଯୋଜନା ଆପାତତଃ ସ୍ଥଗିତ ରହିଲା ମାତ୍ର ଅଫିସ୍ ଯିବାକୁ ପ୍ରସ୍ତୁତ ହେଲେ ସିଦ୍ଧାର୍ଥ। ଏତେ ବର୍ଷା ପରେ ବି ପୂର୍ବଦିନ ସାମାନ୍ଯ ଶିଥିଳ ହୋଇଯାଇଥିବା ଜୀବନଯାତ୍ରା ପୁଣି ସ୍ୱାଭାବିକ ହୋଇଯାଇଥିବ ଆଜି।ଦୋକାନବଜାର, ସ୍କୁଲ୍ କଲେଜ୍ ସବୁ ଖୋଲାଥିବ।  ଅଫିସ୍‌ରେ ସମସ୍ତେ ସହଜ ଭାବରେ ଯୋଗଦେବେ ଓ ସବୁକିଛି ଗତାନୁଗତିକ ଭାବରେ ଚାଲିବ। ସୁରଭୀର ଅନୁସନ୍ଧିତ୍ସୁ ମନକୁ ସହଜ କରିବାକୁଯାଇ କହିଥିଲେ ସିଦ୍ଧାର୍ଥ। ସତରେ, ମୁମ୍ବାଇ ବର୍ଷାର ଏ ନୂଆ ରୂପ ଚହଲେଇଦେଇଥିଲା ସୁରଭୀର ମନକୁ। ସିଦ୍ଧାର୍ଥ ନିଜର ପୂର୍ବବର୍ଷର ଅନୁଭୂତିସବୁ ବର୍ଣ୍ଣନା କରିଥିଲେ ସୁରଭୀ ଆଗରେ। ଶୁଣୁଶୁଣୁ ଟେବୁଲ୍ ଉପରେ ତାଙ୍କପାଇଁ ଜଳଖିଆ ବାଢିଦେଇଥିଲା ସୁରଭୀ। “ତୁମର ବି ଆଣ ଏକାଠି ଖାଇବା”। ସିଦ୍ଧାର୍ଥ ବାଧ୍ଯକରିଥିଲେ ସୁରଭୀକୁ। ନିଜପାଇଁ ବାଢିନେଇ ସେ ବି ବସିଥିଲା ପାଖରେ। ସକାଳ ସୂର୍ଯ୍ୟଙ୍କର ଆବିର୍ଭାବ ନଥିଲା ଆଜି। ଏ ଏକ ନୂଆ ଅନୁଭୂତି।
     ପାଞ୍ଚଦିନ ପରେ ପାଣିଚିଆ ଖରାଟିକେ ଦେଖିପାରିଥିଲେ ସେମାନେ। ପରେପରେ କିନ୍ତୁ ଖରାର ତେଜ ବଢିଲା। ସୁରଭୀ ଖରାକୁ ଘର ଭିତରକୁ ଖେଳେଇନେବାକୁ ଖୋଲିଦେଇଥିଲା ଘରର ସମସ୍ତ ଝରକା।
      ସପ୍ତାହାନ୍ତ ଦିନଟିକୁ ଅପେକ୍ଷା ରଖିଥିଲା ସୁରଭୀ। ମୌସୁମୀ ସହ ସାଙ୍ଗହୋଇ ମୁମ୍ବାଇ ଆସିଛି ସେ। କେବଳ ବର୍ଷା ଦେଖିଦେଖି ସମୟ କଟିଛି। ମୁମ୍ବାଇବୁଲା କେବେ ହେବ ତାହେଲେ? ଦେଖୁଦେଖୁ ମାସଟିଏ ବିତିଗଲାଣି। ସିଦ୍ଧାର୍ଥଙ୍କର ହାତଧରି ମେରାଇନ ଡ୍ରାଇଭରେ ବୁଲିବାକୁ ଯିବ ସେ । ନିଜମନକଥା କହିଲା ସିଦ୍ଧାର୍ଥଙ୍କୁ। “ହଁ, ଯିବା “। ଏଥର ସିଦ୍ଧାର୍ଥଙ୍କର ସମ୍ମତି ସହ ତାଙ୍କ ନିଜ ମନର ଦୃଢ ଇଚ୍ଛାଟିଏ ପ୍ରଚ୍ଛନ୍ନ ଭାବରେ ବାରିହୋଇ ପଡୁଥିଲା ତାଙ୍କ ମୁହଁରୁ। ସିଦ୍ଧି ବିନାୟକ ଓ ମହାଲକ୍ଷ୍ମୀ ଦର୍ଶନ ହୋଇଯାଇଛି ଏ ଭିତରେ। ଏଥର ସେଦୁହେଁ ନାରିମାନ ପଏଣ୍ଟ ଓ ଗେଟ୍ ୱେ ଅଫ୍ ଇଣ୍ଡିଆ ଯିବେ। ସୁରଭୀ ଖୁସି ଖୁସି ଲାଗୁଥିଲା। ରିମ୍‌ଝିମ୍ ଗିରେ ଶାୱନ୍… ଗୁଣୁଗୁଣଉଥିଲା ସେ।
     ସେଦିନ ଘରୁ ବାହାରିଲାବେଳକୁ ବର୍ଷା ପଡିବା ଆରମ୍ଭ ହୋଇଯାଇଥିଲା। ସିଦ୍ଧାର୍ଥ ଗାଡି ବୁକ୍ କଲେ। ପ୍ରଥମଥରପାଇଁ ସ୍ତ୍ରୀକୁନେଇ ସେ ମେରାଇନ ଡ୍ରାଇଭ ଯାଉଛନ୍ତି। ଲୋକାଲ୍ ଟ୍ରେନ୍‌ରେ ଚଢିବାର ଅଭ୍ୟାସ ନାହିଁ। ତେଣୁ ଗାଡିରେ ବସି ବାହାରିଲେ ଦୁହେଁ। ବର୍ଷାର ବେଗ ବଢିବାରେ ଲାଗିଲା। ସେମାନେ ମେରାଇନ ଡ୍ରାଇଭରେ ପହଞ୍ଚିଲା ବେଳକୁ ସମୁଦ୍ରରେ ଇଚ୍ଚ ଜୁଆର । ଫୁଲି ଉଠୁଛି ସମୁଦ୍ରର ଛାତି। କାହିଁ କେତେଫୁଟ୍ ଉଚ୍ଚକୁ ଉଠି ଛାଟିହୋଇ ପଡୁଛି ଲହରୀ ମେରାଇନ ଡ୍ରାଇଭର ପାଦଚଲା ରାସ୍ତା ଉପରେ। ସମୁଦ୍ରର ଏ ଭୀମକାନ୍ତ ରୂପ ପ୍ରଥମଥରପାଇଁ ଦେଖୁଥିଲା ସୁରଭୀ। ସମୁଦ୍ର ଭୟଙ୍କର ଭାବରେ ଅଶାନ୍ତ ମାତ୍ର ତାର ସେ ଅଶାନ୍ତ ରୂପ ଦେଖିବାକୁ ମେରାଇନ ଡ୍ରାଇଭରେ ଜନ ସମାଗମ। ପୋଲିସର ବାରଣ ସତ୍ତ୍ୱେ ସମୁଦ୍ର ଓ ସ୍ଥଳଭାଗକୁ ଭାଗକରୁଥିବା ପାଚିରି ଉପରେ ଚଢିଯାଉଥାଆନ୍ତି ଲୋକମାନେ। ଫଟୋ ଭିଡିଓ ନେବା ଓ ରିଲ୍ ତିଆରି କରିବାର ଅଦମ୍ଯ ଆଗ୍ରହ ସେମାନଙ୍କୁ ବିପଦପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ କରିପାରେ, ଏଭଳି ସମ୍ଭାବନାକୁ ଅଣଦେଖା କରି ପୋଲିସ ଓ ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳିଦେଇ ସେମାନେ ନିଜ ନିଜର ଫୋନ୍‌କୁ ନେଇ ବ୍ୟସ୍ତଥାଆନ୍ତି। ସେ ଏକ ଅଭାବିତ ଅନୁଭୂତି। ସୁରଭୀ ସିଦ୍ଧାର୍ଥଙ୍କର ହାତଧରି ନିଜକୁ ସୁରକ୍ଷିତ ରଖିବା ସହ ଉପଭୋଗ କରୁଥିଲା ମୁମ୍ବାଇ ବର୍ଷାର ଅନ୍ୟଏକ ରୂପକୁ । ଛୋଟ ଛତାଟି ବର୍ଷା ଓ ପବନରେ ବୋଲ ମନୁନଥିଲା ଆଦୌ। ଝିପିଝିପି ବର୍ଷାରେ ଭିଜିଭିଜି ଏ ନୂଆ ଅନୁଭୂତିକୁ ମନପ୍ରାଣଦେଇ ଉପଭୋଗ କରୁଥିଲା ସୁରଭୀ।
       ମହାନଗରୀରେ ମୌସୁମୀ ବର୍ଷାର ଭିନ୍ନଭିନ୍ନ ରୂପକୁ ଖୁବ୍ ପାଖରୁ ଦେଖିଲାପରେ ସୁରଭୀ ବିବ୍ରତ ନ ହୋଇ ପୁଲକିତ ହେଉଥିଲା। ଆପାର୍ଟମେଣ୍ଟର ବଗିଚାରେ ସୁନ୍ଦର ବ୍ୟବସ୍ଥିତ ପତ୍ର ଫାଙ୍କରୁ ଝରିପଡୁଥିବା ଜଳବିନ୍ଦୁ ଭିତରେ ସେ ତା’ ନୂଆ ଜୀବନକୁ ଭଲପାଇବାକୁ ଆରମ୍ଭ କରୁଥିଲା। କଂକ୍ରିଟ ଜଙ୍ଗଲରେ ସେ ଶୁଣିପାରିବନି ଶ୍ରାବଣରାତିରେ ଝିଁକାରୀର ଝିଁଝିଁ ସ୍ୱର। କିନ୍ତୁ ତା’ ମନରେ ଝଙ୍କୃତ ମେଘ ମହ୍ଲାରର ରାଗିଣୀ ତା’ ଯୁଗ୍ମ ଜୀବନକୁ ଅନ୍ୟ ଏକ ସ୍ବପ୍ନପୁରୀକୁ ନେଇଯିବ ଯେଉଁଠି ସିଦ୍ଧାର୍ଥଙ୍କର ହାତଧରି ସେ ଚାଲିବ ଅସରନ୍ତି ପଥ। ମୌସୁମୀକୁ ବାରମ୍ବାର ସ୍ୱାଗତ କରିବ ଆଉ ତା’ ସହ ବାଣ୍ଟିବ ଅସରନ୍ତି ଜୀବନାନୁଭୂତିକୁ।
    …….. 

Leave a comment