“ପୁରୁଣା ଟ୍ରଙ୍କଟିକୁ ଫୋପାଡି ଦିଅ ଏଥର। ଚାକିରୀ ଆରମ୍ଭ କରିବା ଦିନୁ ସେ ଆମ ସହ ବୁଲୁଛି ଗୋଟେ ଜାଗାରୁ ଆଉ ଗୋଟେ ଜାଗା । ଅନ୍ୟ ଫର୍ଣ୍ଣିଚର୍ ଗୁଡାକ ସାଙ୍ଗରେ ଆଦୌ ଖାପ ଖାଉନି ସେ। ଏଥର ଭଙ୍ଗା ଜିନିଷପତ୍ର ସହ ଫୋପାଡି ଦେବା ସେ ଦୁଇଟା ଟ୍ରଙ୍କ। ପୁରୁଣା ଦସ୍ତା ଟ୍ରଙ୍କ୍ ଦୁଇଟାର ମୋହ ଏବେ ଛାଡ”। ଅନୁରୋଧ ନୁହେଁ ଆଦେଶ ଦେଉଥିଲେ ରୋହିତାଶ୍ୱ। ତାଙ୍କ କଥାଶୁଣି ସଙ୍କୁଚିତା ହେଲା ଅନୀତା।
ବାପଘରୁ ଆସିଲାବେଳେ ନୂଆ ସଂସାରରେ ତା’ର ଆବଶ୍ୟକୀୟ ଜିନିଷସବୁ ସେ ଟ୍ରଙ୍କ୍ ଦୁଇଟିରେ ସଜାଡି ପଠେଇଥିଲେ ବାପାବୋଉ । ତା’ ପାଇଁ ସେ ଦୁଇଟି ଥିଲା ଯେମିତି କୁହୁକବାକ୍ସ । ତା’ ଭିତରେ କଣସବୁ ରଖାହେଉଥିଲା, ସେ କଥା ତାକୁ ଜଣାନଥିଲା ସେତେବେଳେ। ପରେ କିନ୍ତୁ ଯାହା ଯେତେବେଳେ ଲୋଡା ପଡେ, ପ୍ରଥମେ ସେ ଟ୍ରଙ୍କ୍ ଭିତର ଦରାଣ୍ଡି ପକାଏ । ବହୁତ ଦରକାରୀ ଜିନିଷ ପାଇଯାଏ ତା’ ଭିତରୁ। ଧିରେଧିରେ ଟ୍ରଙ୍କ ଭିତରେ ବାପାବୋଉ ରଖିଥିବା ସବୁ ଜିନିଷ ବାହାରକୁ ବାହାରି ଆସିଲା । ଏଥର ନିଜର ଅନେକ ପୁରୁଣା ସ୍ମୃତିକୁ ସାଇତି ରଖିଲା ସେ ସେଇ ଟ୍ରଙ୍କ୍ ଦୁଇଟିରେ। ବାହାହୋଇ ଆସିବାବେଳେ ସାଙ୍ଗରେ ଆଣିଥିବା ମୋଟା ନରମ କମ୍ବଳଟି ବି ଜାଗା ମାଡିବସିଲା ଗୋଟେ ପୁରା ଟ୍ରଙ୍କ। ଅନ୍ୟଟିରେ ସଜାଡି ରଖିଥିଲା ଅତୀତକୁ। କେଜାଣି କେମିତି ମାୟା ଲାଗି ଯାଇଥିଲା ସେ ଟ୍ରଙ୍କ୍ ଦୁଇଟି ସହ। ତାକୁ ହାତଛଡା କରିବା କଥା କେବେ ଭାବି ପାରୁନଥିଲା ସେ।
ରୋହିତାଶ୍ୱଙ୍କର କଥାରେ ଶ୍ଳେଷ ମିଶିଥିଲା। ତାଙ୍କ ପସନ୍ଦରେ କିଣା ହୋଇଥିବା ନୂଆ ଆଧୁନିକ ଜିନିଷ ମାନଙ୍କ ସହ ଆଦୌ ମେଳନାହିଁ ସେ ପୁରୁଣା ଦସ୍ତା ଟ୍ରଙ୍କ ଦୁଇଟିର। ଆଖି ଓଦା ହୋଇ ଆସୁଥିଲା ଅନୀତାର। ମୁହଁ ବୁଲାଇ ଚାଲିଗଲାବେଳେ ବାପାବୋଉ ମନେ ପଡୁଥିଲେ ଖୁବ୍। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟିରେ କିରାଣୀ ଚାକିରୀଟିଏ କରୁଥିଲେ ବାପା। ସ୍କୁଲଟି ଧିରେଧିରେ ହାଇସ୍କୁଲରେ ପରିଣତ ହେଲା । ଅନୀତା ଅଷ୍ଟମ ଶ୍ରେଣୀ ପଢିବାକୁ ଦୂରକୁ ଯିବାକୁ ପଡିବ ବୋଲି ସେ ବ୍ୟସ୍ତ ହୋଇ ପଡୁଥିବାବେଳେ ବିଦ୍ୟାଳୟରେ ଖୋଲିଗଲା ଅଷ୍ଟମ ଶ୍ରେଣୀ । ପରେ ପରେ ନବମ ଓ ଦଶମ ଶ୍ରେଣୀ ଖୋଲିଲା । ସ୍କୁଲ୍ ଟି ହାଇସ୍କୁଲର ମାନ୍ୟତା ପାଇଲା।ସେଇ ବିଦ୍ୟାଳୟରୁ ପ୍ରଥମ ବ୍ୟାଚ୍ ରେ ମ୍ୟାଟ୍ରିକ ପାସ୍ କଲା ଅନୀତା । ହଷ୍ଟେଲରେ ରହି କଲେଜ୍ ରେ ପଢିବାକୁ ଘରଛାଡି ଗଲାବେଳେ ଲୁହନାଳ ହୋଇ କାନ୍ଦିଥିଲା ସେ ବାପାବୋଉଙ୍କୁ ଧରି। ବାପା ବେଶ୍ ଦୃଢ ଲାଗୁଥିଲେ ସେଦିନ। ‘ଚିଠି ଲେଖିବୁ ନିୟମିତ’ କହିଲାବେଳେ ବାପାଙ୍କ ସ୍ୱର କିନ୍ତୁ କରୁଣ ଶୁଣା ଯାଉଥିଲା ଅନୀତାକୁ।
ପ୍ରତି ସପ୍ତାହରେ ବାପାବୋଉ ଚିଠି ଲେଖୁଥିଲେ । ସେ ଚିଠିସବୁ ସାଇତି ରଖୁଥିଲା ସେ। ଚିଠିରେ ବୋଉ ଲେଖିଥିବା ଧାଡି କେତୋଟି ପଢିଲାବେଳେ, ତା’ ଆଖିଲୁହରେ ବତୁରି ଯାଉଥିବା ଅକ୍ଷର ଗୁଡାକ ଭିତରେ ବୋଉକୁ ଅନୁଭବ କରିପାରେ ଅନୀତା।
ବି ଏ ପାଶ୍ କରିବା ପରେ ରୋହିତାଶ୍ୱଙ୍କ ସହ ହୋଇଥିଲା ତା’ ବାହାଘର । ଡାକ୍ତର ଜୋଇଁପାଇ ବାପାବୋଉ ଖୁବ୍ ଖୁସି । କାଲିପରି ସେ ଦିନଟି ଭାସି ଯାଉଛି ଆଖି ଆଗରେ। ବଡ ଦସ୍ତା ଟ୍ରଙ୍କ୍ ଦି’ ଟା ରିକ୍ସାରେ ନେଇ ଘରକୁ ଆସିଥିଲେ ବାପା। ପୁରୁଣା ଶାଢିଟିଏ ଢାଙ୍କି ସେ ଟ୍ରଙ୍କ୍ ଦି’ ଟିକୁ ବାଟଘର କଣରେ ରଖିଥିଲା ବୋଉ। ଧିରେ ଧିରେ ଭରି ଆସିଥିଲା ସେ ଟ୍ରଙ୍କ୍ ଦିଓଟି।
ସାମାନ୍ଯ ଟ୍ରଙ୍କ୍ ଦୁଇଟି ସହ କେଜାଣି କେତେ ସ୍ମୃତି ଯୋଡିହୋଇ ରହିଗଲା ଧିରେ ଧିରେ। ସ୍ୱାମୀଙ୍କ ସହ ସଂସାର ଗଢିବାକୁ ବାହାରି ଆସିଲା ବେଳେ ସେ ଦୁଇଟି ସାଥିରେ ଥିଲେ। ସଂସାର ବଢିଲା। ପୁଅ ବାବୁଲା ବଡ ହେଲାପରେ ସେ ଟ୍ରଙ୍କ ଦି’ଟା ତା’ ପାଇଁ ମଧ୍ଯ ହେଇଗଲା ମୂଖ୍ଯ ଆକର୍ଷଣ। ଟ୍ରଙ୍କ୍ ଭିତରେ ଅନୀତା ସାଇତି ରଖିଥିବା ଥାକଥାକ ଚିଠି ଓ ପୁରୁଣା ଫଟୋ ଆଲବମ୍ ଭିତରେ ସେ ତା’ ଅଜା ଆଈ , ଜେଜେ ଜେଜେମା’ଙ୍କୁ ପାଏ। ପାଏ ତା’ର ପିଲାଦିନକୁ।
ପାଠ ପଢି ଚାକିରୀ କରି ବାବୁଲା ଏବେ ଦୂର ସହରରେ। ଚିଠି ଲେଖିବା ପରିବର୍ତ୍ତେ ପ୍ରତିଦିନ ଫୋନ୍ ରେ କଥା ହେଉଛନ୍ତି ସେମାନେ। ଫୋନର କୁନି ପରଦାଟିରେ ପୁଅକୁ ଦେଖି ତା’ ସହ କଥା ହେବାବେଳେ ତାକୁ ପାଖରେ ପାଇବା ପରି ମନେହେଲେ ବି ଅନୀତା ଚିଠି ଲେଖିବା ଓ ଚିଠି ପଢିବାର ମଧୁର ଅନୁଭବଟିକୁ ଝୁରିହୁଏ ସବୁବେଳେ। ସାଇତା ଚିଠି ମାନଙ୍କ ଭିତରେ ଅନୀତା ଖୋଜିହୁଏ ତାର ଅତୀତର ଅଭୁଲା ମୁହୂର୍ତ୍ତସବୁ। ସ୍କୁଲ କଲେଜ ସମୟର ସାଙ୍ଗମାନଙ୍କ ଚିଠିସବୁ ମଧ୍ୟ ସେ ସାଇତିଛି ଏଯାଏଁ । କେବେ କେମିତି ସମୟ ହେଲେ ସେସବୁ ଖୋଲି ପଢିବସେ ସେ । ଚିଠି ଭିତରୁ ହାତଠାରି ଡାକନ୍ତି ସେମାନେ। ସେଇ କିଛି ସମୟ ଫେରିଯାଏ ସେ ଅତୀତକୁ। ବାପାବୋଉ, ଶାଶୂ ଶ୍ବଶୁର ଓ ସାଙ୍ଗମାନଙ୍କୁ ଚିଠିର ପ୍ରତିଟି ପୃଷ୍ଠାରେ ଅନୁଭବ କରେ ଅନୀତା। ବାହାଘରର ଚାଳିଶବର୍ଷ ପରେ ବି ରୋହିତାଶ୍ୱ ବୁଝି ପାରିନାହାନ୍ତି ତାର ଭାବପ୍ରବଣ ମନଟିକୁ । ମଣିଷର ଦେହକୁ କାଟିକୁଟି ହାଡ ମାଂସ ଲାଳରକ୍ତ ଦେଖୁଥିବା ଡାକ୍ତର ଜଣେ ମଣିଷ ମନର ସୂକ୍ଷ୍ମ ସ୍ପର୍ଶକାତର ଅଂଶଟିକୁ ଦେଖିବାରେ ପାଦେ ପଛରେ। ଅଭିମାନ ହୁଏ ଅନୀତାର। ଚୁପ୍ ରହେ। ଆଜି ଟ୍ରଙ୍କ୍ ଦୁଇଟିକୁ ଅଦରକାରୀ ଭଙ୍ଗା ଜିନିଷପତ୍ର ସହ ଫୋପାଡି ଦେବାର ପ୍ରସ୍ତାବରେ ଖୁବ ଆହତ ହୋଇଥିଲା ଅନୀତା। ବୁଝେଇ ପାରୁନଥିଲା ନିଜକୁ। ଫୁଲି ଉଠିଥିଲା ତା' ଭିତରର ଅଭିମାନୀ ମନଟି।
କଛି ବର୍ଷ ତଳେ ଏକ ଅସାଧାରଣ ନଈବଢି ସହରର ତଳୁଆ ଅଞ୍ଚଳସବୁକୁ ବିପର୍ଯ୍ଯସ୍ତ କରି ଦେଇଥିଲା । ଖେତବାଡି ନଷ୍ଟ ହୋଇଯାଇଥିଲା। ଘର ଭିତରକୁ ପଶି ଆସିଥିଲା ବଢିପାଣି। ନଷ୍ଟ ହୋଇଯାଇଥିଲା ଘରର ଅନେକ ଜିନିଷପତ୍ର । ଟ୍ରଙ୍କ ଭିତରେ ବି ପାଣି ପଶିଯାଇଥିଲା। ପାଣି ଛାଡି ଗଲାପରେ ଓଦା କାଗଜପତ୍ର କାଢି ଦିନ ଦିନଧରି ଖରାରେ ଶୁଖେଇ ପୁଣି ରଖି ଦେଇଥିଲା ସେ ଟ୍ରଙ୍କ୍ ଭିତରେ ଅନୀତା। ଅନେକ ଫଟୋ ଖରାପ ହୋଇଯାଇଥିଲା। ଚିଠିଗୁଡାକରୁ ଧୋଇ ଯାଇଥିଲା ଅକ୍ଷର। କେବଳ ଟ୍ରଙ୍କ୍ ଦୁଇଟି କାହିଁକି, ସେଥିରେ ଥିବା ସମସ୍ତ ଜିନିଷପତ୍ର ମଧ୍ଯ ସମ୍ପୂର୍ଣ୍ଣ ଅଦରକାରୀ ହୋଇ ପଡିଥିଲା ରୋହିତାଶ୍ୱଙ୍କ ପାଇଁ । ତାଙ୍କ ପ୍ରସ୍ତାବର କି ଉତ୍ତର ବା ଦେବ ସେ? ସତରେ କଣ ତା' କଥା ବୁଝିପାରିବେ ରୋହିତାଶ୍ୱ? ଧୋଇଯାଇଥିବା ଅକ୍ଷର ଗୁଡାକର ପ୍ରତିଟି ସ୍ପନ୍ଦନରେ ସ୍ପନ୍ଦିତ ହେଉଛି ଏବେବି ତା' ହୃଦୟ ତନ୍ତ୍ରୀ। ସେ ଚିଠି ଗୁଡାକରେ ଯାହାସବୁ ଲେଖାଥିଲା ଏବେବି ସେସବୁ ଜଳଜଳ ହୋଇ ଦିଶୁଛି ତାକୁ, ସେ ଛିଣ୍ଡାଛିଣ୍ଡା ପୃଷ୍ଠାଗୁଡ଼ିକରେ। ସେ ପଢୁଛି ଓ ପଢିବ ସେସବୁ ବାରମ୍ବାର। ବିଗତ ବର୍ଷ ମାନଙ୍କରେ ଚିଠିଗୁଡାକରେ ଲେଖାଥିବା ଶବ୍ଦସବୁ ଖୋଦେଇ ହୋଇଯାଇଛି ତା' ମନରେ, ଲେଖିହୋଇଯାଇଛି ତା' ହୃଦୟରେ ଅଲିଭା କାଳିରେ । ପୁରୁଣା ଟ୍ରଙ୍କ୍ ଦୁଇଟି, ତା ଭିତରେ ବଢିପାଣି ପଶି ନଷ୍ଟ ହୋଇ ପଡିଥିବା ଛିଣ୍ଡା କାଗଜ ପୁଳାକ ଓ ଅନ୍ୟ କଛି ଜିନିଷର ଅବଶିଷ୍ଟାଂଶ ତାକୁ ବାଟ କଢାଇ ନେଉଛି ତା’ ହୃଦୟର ନିଭ୍ର୍ରୁତ କନ୍ଦରକୁ, ତା’ ସ୍ମୃତିର ଗନ୍ତାଘରକୁ। ସେସବୁକୁ ସେ ଦୂରେଇ ଦେଇପାରିବକି ତା' ଜୀବନରୁ?
…….