ତାଙ୍କଘର ଓ ଆମଘର ଭିତର ଉଚ୍ଚ ପାଚିରିଟି ଆମ ପିଲାଦିନେ ନଥିଲା । ଘରଦୁଇଟି ପାଖାପାଖି ଲଗାଲଗି ହୋଇ ଠିଆ ହୋଇଥିଲେ ଦୁଇ ଅନ୍ତରଙ୍ଗ ବନ୍ଧୁଭଳି । ଦୁଇ ଘର ଭିତରେ ପାଚିରିଟିଏର ଆବଶ୍ଯକତା ଅନୁଭବ କରିପାରୁନଥିଲୁ ଆମେ । ଲିଟୁ ଓ ମୁଁ ଏକା ସ୍କୁଲ୍ରେ ଏକା କ୍ଲାସ୍ରେ ପଢୁଥିଲୁ । ଦି'ଘରକୁ ଯୋଡି ହୋଇଥିବା ଦାଣ୍ଡ ପିଣ୍ଡାରେ ଏକାଠି ବସି ପାଠ ପଢୁଥିଲୁ । କେବେ ଲିଟୁବାପା ବା କେବେ ପୁଣି ମୋ ବାପାଙ୍କୁ ପଚାରୁଥିଲୁ ଆମ ଦୁହିଁଙ୍କର ଅବୁଝା ରହିଯାଉଥିବା ପାଠ କିଛି କିଛି । ସେ ଦିନ ଗୁଡାକ ଖୁବ୍ ସୁନ୍ଦର ଓ ସ୍ମରଣୀୟ ହୋଇ ନିଜେ ନିଜେ ଆଙ୍କି ହୋଇ ପଡୁଥିଲେ ହୃଦୟ ଭିତରେ ।
ସମୟ ଗଡି ଚାଲିଲା। ଲିଟୁ ଓ ମୁଁ କଲେଜ୍ରେ ନା ଲେଖେଇଲୁ । ବୟସରେ ବଡହେଲୁ ସିନା ମନରେ ସେମିତି ପିଲାହୋଇ ରହିଗଲୁ । ଲିଟୁର ବଡ ଭଉଣୀ ସରଳାଅପାଙ୍କ ବାହାଘରଦିନ ଆମେ ଦୁହେଁ ଲିଟୁ ଆଉ ମୁଁ ବେଦୀ ଉପରେ ଧରାପରା ହେଉଥିଲୁ ନୂଆ ଜୋଇଁଙ୍କୁ ଶଳାବିଧା ମାରିବା ପାଇଁ । "ବଡ ହେଲଣି ଏମିତି କଣ ହେଉଛ?" କହି ନୂଆଜୋଇଁ ଗାରେଡେଇ ଚାହିଁଲେ ଆମ ଦୁହିଁଙ୍କୁ । କେଜାଣି କାହିଁକି ଲାଜରେ ଓହରି ଆସିଲି ମୁଁ । ତାଙ୍କଘର ଆମଘର ବୋଲି କିଛି ଫରକ ଆମକୁ ଦେଖା ଯାଉନଥିଲା - ନା ସମ୍ପର୍କରେ, ନା ଚାଲିଚଳଣିରେ ।
ବାହାହୋଇ ସରଳାଅପା ଚାଲିଗଲାପରେ ଘର ଖାଁ ଖାଁ ଲାଗିଲା । ଏକଥା ବାପାବୋଉ କଥା ହେଉଥିବାର ଶୁଣିଲାପରେ ମୁଁ ଜାଣି ପାରିଥିଲି ମୋ ପରି ଅନ୍ୟ ସମସ୍ତେ ଅପାକୁ ଝୁରୁଛନ୍ତି। ଅଳ୍ପ କିଛି ଦିନପରେ ତାଙ୍କଘରକୁ ଆସିଥିବା ନୂଆଜୋଇଁ ଜୋଇଁ ଡାକରାରେ ଆମ ଘରକୁ ବି ଆସିଲେ । ସେଦିନ ବୋଉର ଉତ୍ସାହ କାହିଁରେ କଣ । ଯେତେସବୁ ସୁଆଦିଆ ଜିନିଷ ସେ ଜାଣିଥିଲା, ସବୁ ରାନ୍ଧି ପକେଇଥିଲା । ସରଳାଅପା ଭାଇଙ୍କ ସହ ଆମଘରକୁ ଆସିଲା । କେଜାଣି କାହିଁକି ତା' ମୁହଁଟି ମତେ ଆଗପରି ଉଜ୍ଜ୍ୱଳ ଛଳଛଳ ଦିଶୁ ନଥିଲା । ଭାଇ ବି କେମିତି କଠୋର, ଗମ୍ଭୀର ମନେହେଲେ । ମୁଁ,ଲିଟୁ ଓ ମୋ ସାନଭଉଣୀ ସିଲୁ ଭାଇଙ୍କ ସହ ଖାଇଲାବେଳେ ଥଟ୍ଟାମଜା ହେବାକୁ ଚେଷ୍ଟା କରିଥିଲୁ । ବୋଉ କହିଥିଲା ତାଙ୍କ ସହ ଆମର ଥଟ୍ଟା ସମ୍ପର୍କ । ଯେତେ ଯେତେ ଥଟ୍ଟାମଜାକରି ଆମେ ତାଙ୍କ ନିକଟତର ହେବୁ ସେତେସେତେ ତାଙ୍କ ସହ ଆମ ସମ୍ପର୍କ ଘନିଷ୍ଠ ହେବ । ଭାଇ କିନ୍ତୁ ଆମ ଥଟ୍ଟାମଜା ଗ୍ରହଣ କଲାପରି ମନେହେଉ ନଥିଲା । ସରଳା ଅପା ବି ଆମ ଉପରେ ଟିକେ ଚିଡିଲାପରି ଲାଗିଲା । ସେଇଠୁ ଆମେ ଚୁପ୍ ହୋଇଗଲୁ । ଅପା ଓ ଭାଇ ତାଙ୍କ ଘରକୁ ଚାଲିଗଲାପରେ ବାପାବୋଉ ନୂଆଜୋଇଁଙ୍କର ଏ ପ୍ରକାର ଚରିତ୍ରକୁ ନେଇ କଥାବାର୍ତ୍ତା ହେଲେ । "ଆହା, ସରଳା ପରି ହସଖୁସିଆ ଝିଅଟି; ଏ ମଉନମୁହାଁ ମଣିଷଟି ସହ ଚଳିବ କେମିତି?" ବୋଉର ଏକଥା ଶୁଣି ବାପା ତାଗିଦ୍ କଲେ ଏମିତି କଥା ତାଙ୍କଘର ଲୋକଙ୍କ ଆଗରେ ନ କହିବା ପାଇଁ। ବୋଉ ଟିକେ ନାକ ସୁଁ ସୁଁ କରି କାନ୍ଦିଲା ବାପାଙ୍କ ଆକଟ ଶୁଣି । ବାପାଙ୍କ ଡରରେ କିନ୍ତୁ ଜୋଇଁଙ୍କ ଉପରେ ଆସିଥିବା ତାର ମନୋଭାବ ତାଙ୍କଘରେ ପ୍ରକାଶ କଲାନି। ପ୍ରଥମଥର ପାଇଁ ମୁଁ ଅନୁଭବ କଲି ତାଙ୍କଘର ଓ ଆମଘର ଭିତରେ ଥିବା ଅଦୃଶ୍ଯ ପାଚିରିଟିକୁ । "ମଣିଷର ଚରିତ୍ର ପରା ତା' ମୁହଁରୁ ପଢିହେବ" ବୋଉ ବାପାଙ୍କୁ କହୁଥିଲା । ସରଳା ଅପା ଶାଶୂଘରେ ଭଲରେ ନାହିଁ ।
ତା'ପର ତା'ପର ହୋଇ ସରଳାଅପା ଦି' ଚାରିଥର ଘରକୁ ଆସିବା ସମୟରେ ତାଙ୍କଘର ଲୋକମାନେ ଆଦୌ ଏ ବିଷୟରେ ଜାଣିବାକୁ ଦେଉ ନଥିବା ସତ୍ତ୍ୱେ, ବାପାବୋଉ ସରଳାଅପାକୁ ଦେଖି ଏକଥା ଜାଣି ପାରୁଥିଲେ । ଭାଇଙ୍କ ଚରିତ୍ରର ସେ ଅନ୍ଧାର ଦିଗଟିକୁ ଯେତେ ଲୁଚାଇଲେ କଣ ଲୁଚେଇହେବ । କ୍ଷଣକୋପୀ ଭାଇଙ୍କର ଚରିତ୍ର କେତେଦିନ ବା ଲୁଚି ରହିବ? ଦିନେ ସରଳା ଅପା କାନ୍ଦିକାନ୍ଦି ଘରକୁ ଫେରି ଆସିଲା । ତାଙ୍କ ଘରୁ ଅପାର କାନ୍ଦଣା ସହ ଲିଟୁ ବୋଉ ବାପାଙ୍କର ଉଚ୍ଚପାଟି ଆମ ଘରକୁ ଶୁଣାଗଲା । ଏଥର ବାପାବୋଉ ତାଙ୍କ ଘରକୁ ଗଲେ ଓ ଅପାକୁ ବୁଝେଇ ଶାନ୍ତ କଲେ। "ଏମିତି ଚରିତ୍ରର ଲୋକଟି ପାଖରେ ମୁଁ ଆଦୌ ଚଳି ପାରିବିନି" କହି ଅପା ଲହରେଇ ଲହରେଇ କାନ୍ଦୁଥିଲା । ଅପା ଆଖିରେ ଲୁହ ଦେଖି ମତେ ବି କାନ୍ଦ ମାଡୁଥିଲା । ମୁଁ କିନ୍ତୁ ଚୁପଚାପ ମୋ ପଢାଘରକୁ ଚାଲି ଆସିଲି । ବାପାବୋଉ ନୂଆଜୋଇଁଙ୍କୁ ଡକେଇ କଥାହେଲେ । ବହୁତ ବୁଝାସୁଝା କଲାପରେ ଭାଇ ଓ ଅପା ଦୁହେଁ ପରସ୍ପର ସହିତ ଚଳିବାକୁ ଚେଷ୍ଟା କରିବେ କହିଲେ । ଅପା ପୁଣିଥରେ ପ୍ରଥମକରି ଶାଶୂଘରକୁ ଗଲାପରି ଗୁଡାଏ ଭାରଥୋରନେଇ ଭାଇଙ୍କ ସହ ଚାଲିଗଲା ।
କିଛିଦିନ ପରେ ପୁଣି କାନ୍ଦବୋବାକରି ଅପା ଆସିଲା । ଏଥର କିନ୍ତୁ ଭାଇଙ୍କ ଉପରେ ରାଗୁ ନଥିଲା ସେ, ରାଗୁଥିଲା ମୋ ବାପାବୋଉଙ୍କ ଉପରେ । ଭାଇ କୁଆଡେ କଥାକଥାକେ ମୋ ବାପାବୋଉଙ୍କ ଅବିଗୁଣ ବଖାଣୁଛନ୍ତି ଅପା ଆଗରେ । ଦୁଇଘର ମଝିରେ ପାଚିରି ନହେଲେ ଶ୍ବଶୁର ଘରକୁ ଆଉ ଆସିବେନି ବୋଲି ସଫା ମନାକରି ଦେଇଛନ୍ତି । ଅପାର ଆଖିଲୁହ ଦେଖି ବୋଉ ବୁଝେଇବାକୁ ଯାଇଥିଲା । ଅପା କିନ୍ତୁ ରୋକଠୋକ୍ କହିଦେଲା ତା' ବ୍ୟକ୍ତିଗତ କଥାରେ ଆମଘର ଲୋକ ମୁଣ୍ଡ ନ ପୂରାଇବା ପାଇଁ । ବୋଉ ଚୁପଚାପ୍ ଫେରିଆସିଲା ତାଙ୍କଘରୁ । ଦୁଇଘର ମଝିରେ ଠିଆ ହେଲା ଉଚ୍ଚ ପାଚିରି । ପାଚିରି ସେପଟେ ତାଙ୍କଘର ଅଗଣାରେ ଥିବା ବଉଳ ଗଛରୁ ଝରିପଡୁଥିବା ବଉଳ ଫୁଲରେ ଏବେ ବି ପୋତି ହେଇ ପଡୁଛି ଆମ ଅଗଣା । ଭାଇଙ୍କ ସାଙ୍ଗରେ ଘର କରିବାକୁ ଅପା ବଦଳେଇଥିଲା ତା' ଚରିତ୍ର ।
ସତରେ କଣ ବଦଳିଯାଇଥିଲା ସେ? ଅପାର ଘରକରଣା, ହସଖୁସିର ମହକ ସେ ଘରୁ ଭାସିଆସିବାର ଅପେକ୍ଷା ରଖିଥିଲୁ ଏଘରେ, ଆମେ ସମସ୍ତେ । କେହି ବଦଳେଇ ପାରୁନଥିଲୁ ନିଜକୁ, ନିଜ ଚରିତ୍ରକୁ । ଚେଷ୍ଟା କରି ମଧ୍ଯ । ବଉଳ ଫୁଲର ବାସ୍ନା ଭିତରେ ଅପାର ମହକକୁ ଖୋଜି ହେଉଥିଲୁ; ଖୋଜି ହେଉଥିବୁ ସବୁଦିନ ।
…….