ଅଗଣାରେ ବିଛେଇ ହୋଇ ପଡିଥିବା ଖରାରେ ଗୋଡ ଲମ୍ବାଇ ବସି ଜେଜେମା' ଆମକୁ ଶୁଣାଉଥିଲେ ଶୀତର ଗୀତ। ଜେଜେମା'ଙ୍କ ପାଖରେ ଗେଞ୍ଜି ହୋଇ ଆମେ ଦି'ଭାଇ ଭଉଣୀ ଗୀତ ଶୁଣୁଥିଲୁ ଓ ଗେହ୍ଲାହେଉଥିଲୁ। ସେ କାହିଁ କେତେ ଯୁଗର କଥା ହେଲାଣି। ଏବେ ମୁଁ ବଡ ହୋଇଗଲିଣି। ପାଠପଢା ସାରି ଅଧ୍ୟାପନା କଲିଣି। ଭଉଣୀ ରୀତା ତା'ବୈଜ୍ଞାନିକ ସ୍ୱାମୀସହ ଆମେରିକାରେ ରହୁଛି। ବାପାବୋଉ ଓ ମୋ ପରିବାର ଏକାଠି ରହୁଛୁ ଫ୍ଲାଟ୍ଘରେ। ବାପାଙ୍କର ପୈତୃକ ଘର ନେଇ ବିଲଡର୍ ଆମକୁ ଫ୍ଲାଟ୍ ଦେଇଛି। ବାପାବୋଉଙ୍କୁ ଘର ବିକିବାକୁ ମୋଠାରୁ ବେଶି ପ୍ରଭାବିତ କରିଥିଲା ରୀତା। ତନିମା ବି ରୀତାର ପକ୍ଷ ନେଇଥିଲା। ସମସ୍ତ କୁଣ୍ଠା ମନ ଭିତରେ ଚାପିନେଇ ବାପା ଶେଷରେ ଘର ବିଲ୍ଡର୍କୁ ଦେବାକୁ ରାଜି ହୋଇଥିଲେ। ଏ ଫ୍ଲାଟ୍ଘରସବୁ ତିଆରି ହେବା ପୂର୍ବରୁ ଯେତେବେଳେ ଆମଘର ଭଙ୍ଗା ହେଉଥିଲା ସେତେବେଳେ ମୁଁ ଦେଖିପାରିଛି ବାପାଙ୍କ ଯନ୍ତ୍ରଣା। ଆମେ ଭଡାନେଇ ରହିଥିବା ଅସ୍ଥାୟୀ ଫ୍ଲାଟ୍ ଘରୁ ସମସ୍ତଙ୍କର ବାରଣ ସତ୍ତ୍ୱେ ଅନେକଥର ବାପା ଚାଲି ଆସୁଥିଲେ ଏଠିକୁ। ଲୁହ ଟଳମଳ ଆଖିରେ ରାତି ଖାଇବା ସମୟରେ କହୁଥିଲେ "ଆଜି ସେମାନେ ରୋଷେଇଘରପଟ ଭାଙ୍ଗୁଥିଲେ। ମୋରି ଆଗରେ ଭାଙ୍ଗି ଦେଲେ ବୋଉର ହବିଷ ରନ୍ଧା ଚୂଲି।" ପାଟିର ଖାଦ୍ଯ ଗୁଣ୍ଡାକ ପାଣି ଢୋକେ ପିଇନେଇ ତଣ୍ଟି ଭିତରକୁ ଠେଲି ଦେଉଥିଲାବେଳେ ତାଙ୍କ ଆଖିରୁ ଝରିବ ଝରିବ ହେଉଥିବା ଲୁହ ଦି' ଟୋପାକୁ ବି ଶୋଷିନେଉଥିଲେ ବାପା। "କାର୍ତ୍ତିକ ମାସରେ ସେ ଉଠାଚୂଲିରେ ବୋଉଙ୍କର ହବିଷ ରୋଷେଇ ହୁଏ। ଶେଷଯାଏଁ ବୋଉ ନିଜେ ହିଁ ରୋଷେଇ କରୁଥିଲେ। କାର୍ତ୍ତିକ ମାସ ଆରମ୍ଭରୁ ଶୀତ ପଡିଯାଉଥିଲା ସେତେବେଳେ। ସେଇ ଜାଡ ଶୀତରେ ବୋଉ ସକାଳୁ ଗାଧୋଇ ନିଜେ ତୁଳସୀ ମୂଳେ ମୁରୂଜ ଦେବେ ଓ ହବିଷ ରାନ୍ଧିବେ "। ବାପାଙ୍କ ସହ ବୋଉ ବି ଦୁଃଖିଦୁଃଖି ଲାଗୁଥିଲା ଏସବୁ କହିବା ସମୟରେ।"ଆଉ ସେ ଥୁରୁଥୁରୁ ଶୀତରେ ଦାନ୍ତକୁ ଦାନ୍ତ ବାଜୁଥିବାବେଳେ ଜେଜେମା'ଙ୍କର ପିଠିକୁ ଆଉଜି ଖରା ପୋଉଁଥିଲୁ ଆମେ"। ମୁଁ ପରିବେଶକୁ ସହଜ କରିବାପାଇଁ କଥାଯୋଡୁଥିଲି। "ପାପା , ଖରା ପୋଉଁଥିଲ ମାନେ? ଖରା କେମିତି ପୁଅଁନ୍ତି?" ମୋ ଝିଅ କାଜଲ୍ ସ୍କୁଲ୍ବ୍ୟାଗ୍କୁ ନିଜପିଠି ଉପରେ ଲଦିଦେଇ କହିଲା ଓ ତରତର ହୋଇ ତା' ମାମାର ହାତଧରି ସ୍କୁଲ୍ ବସ୍ ଧରିବାକୁ ଆଗେଇଗଲା । ତା' ମାମା ସେତେବେଳକୁ ଲିଫ୍ଟ ଡାକିସାରିଥିଲା। ପାଞ୍ଚ ମହଲାରେ ଥିବା ଆମ ଫ୍ଲାଟ୍ ଘରୁ ମାଆ ଝିଅ ଦୁହେଁ ହାତ ଧରାଧରିହୋଇ ଓହ୍ଲେଇ ଯାଇଥିଲେ ତଳକୁ। ବାପା ଟିକେ ହସିଦେଇ କହିଲେ, "ଏ ଫ୍ଲାଟ ଘରେ ଖରା କାଇଁ ଯେ ତୁ ଖରା କେମିତି ପୁଅଁନ୍ତି ଜାଣିବୁ।" ଜେଜେମା' ଅଗଣାରେ ସେଇ ଖରାରେ ଆମ ଦି'ଭାଇ ଭଉଣୀଙ୍କୁ ତେଲ ଘଷିଦେଇ କଲୁରୀବେଣ୍ଟ ଗପ କହୁଥିବାର ସେ ଅପୂର୍ବ ମୁହୂର୍ତ୍ତ ନାଚିଯାଉଥିଲା ମୋ ଆଖି ଆଗରେ। ଏବେ ଶୀତ କମ୍ ହେଉଛି ନା ଶୀତକୁ ଆମେ ଉପଭୋଗ କରିପାରୁନୁ କେଜାଣି? ଉପଭୋଗ କରିବାକୁ ହାତ ପାଆନ୍ତାରେ ଏତେ ବିକଳ୍ପ ଯେ ଖରା ବର୍ଷା ଶୀତକୁ ଅନୁଭବ କରିବାକୁ ଆମ ପାଖରେ ସମୟ କାଇଁ? ତାଛଡା କଂକ୍ରିଟ୍ ଜଙ୍ଗଲ ଭିତରେ ଦୃଶ୍ୟମାନ ଚେନାଏ ଆକାଶ। ସେଠି ଭସାମେଘକୁ ବା ସେ ମେଘଖଣ୍ଡ ଦେହରେ ଗାରକାଟିଦେଇ ଝଲସି ଯାଉଥିବା ବିଜୁଳୀରାଣୀକୁ ଦେଖିହୁଏନା। କେବଳ ଶୁଣାଯାଏ ଛାତିଥରା ଘଡଘଡିର ସ୍ୱର। ଶୀତତାପ ନିୟନ୍ତ୍ରିତ ଘର ଭିତରୁ ଗ୍ରୀଷ୍ମକୁ ଭେଟି ହୁଏନି। ସବୁକିଛି ସୁନିୟନ୍ତ୍ରିତ । ପ୍ରକୃତି ଏବେ ମଣିଷ ଇଚ୍ଛାର ଦାସ। ଏ ଭିତରେ ଆମର ବି ଅଭ୍ୟାସରେ ପଡିଗଲାଣି ଏସବୁ।
“କାଲି ରବିବାର,ସ୍କୁଲ୍ ଛୁଟି। ନାତୁଣୀକୁ ନେଇ ପାର୍କ ଆଡେ ଯିବା ତ। ଶୀତ ସକାଳର ଖରାରେ ଘେରାଏ ବୁଲି ଆସିବା”। ବାପା କହିଲେ। କହିବାକୁ ଯାଉଥିଲି,’କେତେ ସକାଳୁ? ରବିବାରଟା। ଟିକେ ଡେରିରେ ଉଠେ ତନୁ’। ଚାପିନେଲି କଥାତକ ନିଜ ଭିତରେ। “ଖରା ପୋଇଁବା ସମସ୍ତେ ଏକାଠି। ବୋଉ ତୁ କଲୁରୀବେଣ୍ଟ ଗପ ଶୁଣେଇବୁ”। କାଚ ଝରକା ଆରପଟେ ଆଖପାଖ ବହୁତଳ ବିଶିଷ୍ଟ ଅଟ୍ଟାଳିକାରେ ଧକ୍କା ଖାଇ ଏଠିସେଠି ଛିଟିକି ପଡିଥିବା ଶୀତସକାଳର ଖରାରୁ ଧାରଟିଏ ଉଷ୍ମତା ଟାଣି ନେଉନେଉ କହିପକେଇଲି ମୁଁ।
………