ସରଗ ଚଢେଇ

      “ଏଇଟି କି ଗଛ ବଡବୋଉ ? କେତେ ସୁନ୍ଦର ଫୁଲ ଏ ଗଛରେ ! କି ଫୁଲ ଏଗୁଡା ?” ଗେହ୍ଲେଇ ହୋଇ ବଡବୋଉଙ୍କର ଘନିଷ୍ଠ ହୋଇଯାଇ କହୁଥିଲା ତନ୍ଦ୍ରା । ହୁଇଲ୍ ଚେୟାର୍‌ର ପଛବାଡରେ ନିଜକୁ ଦମ୍ଭକରି ଆଉଜେଇନେଇ ଜାହ୍ନବୀ ହସିଦେଲେ ଟିକେ । ‘ସରଗ ଚଢେଇ ‘ କ୍ଷୀଣ ସ୍ୱରରେ ପାଟିରୁ ବାହାରି ଆସିଥିଲା ତାଙ୍କର। 

  “ଆରେ, ଏ କେମିତି ନା ଟେ ମ ! ” ହସିପକେଇଲା ତନ୍ଦ୍ରା । ଲାଜେଇଗଲେ ବଡବୋଉ। ସେମିତି ସେଇଠି ଥାଇ ତନ୍ଦ୍ରାର ଦୃଷ୍ଟି ଲମ୍ବିଯାଇଥିଲା ପାଚିରୀ କଡକୁ ଲାଗି ହଳଦୀ ନାଲି ମିଶା ସେଇ ଅପୂର୍ବ ଫୁଲପେନ୍ଥା ଉପରେ । ଅନେକଦିନ ପରେ ଗଛଟିକୁ ଦେଖୁଛି ସେ।”ତୋ ବଡବାପା ଦେଇଥିଲେ ଏ ନାଁ ଟି । ଚଢେଇ ପରି ଦିଶୁଥିବା ଏତେ ସୁନ୍ଦର ଫୁଲଟିଏ କେବଳ ସରଗରେ ହିଁ ଫୁଟୁଥିବ” । କହୁକହୁ ଉଦାସ ହୋଇଗଲେ ଜାହ୍ନବୀ । କ୍ଷଣିକ ପୂର୍ବର ଚପଳତା ଉଭେଇ ଗଲା।
       ଆନମନା ହେଲା ତନ୍ଦ୍ରା। ଏ ତେବେ ସେଇଗଛ? ଦିନେ ରୋହିତ ଆଣି ଆସିଥିଲେ ଫୁଲଗଛର ପୁଆଟିକୁ। ଅତୀତକୁ ଫେରିଗଲା ତନ୍ଦ୍ରା। ସେ ଫୁଲ ସହ ତା’ର ବି ଯୋଡିହୋଇ ରହିଛି ଅନେକ ସ୍ମୃତି । ଫୁଲଗଛଟି ସହିତ ସେଇ କ୍ଷୁଦ୍ର ଘାସ ଗାଲିଚାର ଗୋଟି ଗୋଟି ଘାସ ଦେହରେ ଏବେବି ଝୁଲି ରହିଥିବ ତା’ ଆଖିର ବିନ୍ଦୁ ବିନ୍ଦୁ ସ୍ୱପ୍ନ। କିଛି ସ୍ମୃତି କିଛି ସ୍ବପ୍ନ ଏବେବି ତାକୁ ଝାପସା ଦିଶୁଛି ଅତୀତର ପୃଷ୍ଠାମାନଙ୍କ ଭିତରୁ ।

          ଅନେକ ଦିନପରେ ବାପଘରକୁ ଆସିଛି ସେ। ବାରିଆଡର ଇଶାନ କୋଣରେ ତ୍ରିଭୁଜପରି ଆଙ୍କି ହୋଇରହିଛି ଘାସ ଗାଲିଚାଟି । ସେଇଠି ଅଛି ସେ ଫୁଲଗଛ। ତା’ ସହିତ ଯୋଡା ହୋଇରହିଥିବା ସ୍ମୃତିସବୁ ସତରେ କଣ ଭୁଲିପାରିବ ସେ କେବେ? ବଡବୋଉଙ୍କର ପଣତରେ ଜାକି ହୋଇ ନିଜ ମନ ଭିତରର ସ୍ମୃତି ପରଦାରୁ ଖୋଜିବସିଲା ସେଇ ଫୁଲର ପ୍ରତିଛବିକୁ । ସରଗ ଚଢେଇ –  ନାଁ ଟିଏରେ ବି ଏତେ ଦରଦ ଥାଏ ! ଥାଏ ଏତେ ପ୍ରବଣତା ! ଅସ୍ପଷ୍ଟ ସ୍ୱରରେ ନାଁଟିକୁ ଆଉଥରେ ଗୁଣୁଗୁଣେଇଲା ତନ୍ଦ୍ରା । ଚାହିଁଲା ମୁହଁଟେକି ବଡବୋଉଙ୍କ ଆଡକୁ । ସେମିତି ଆଖିବୁଜି ବସିଥିଲେ ସେ । କଣ ଭାବୁଛନ୍ତି ?

     ଆସନ୍ତା ଫଗୁଣରେ ଅଶି ପୁରିବ ତାଙ୍କୁ । ବଡବାପା ଯିବାର ବର୍ଷଟିଏ ହୋଇଯିବ କାଲି । ତାଙ୍କରି ପ୍ରଥମ ବାର୍ଷିକ ଶ୍ରାଦ୍ଧ କାମରେ ଯୋଗ ଦେବାକୁ ଆସିଛି ତନ୍ଦ୍ରା ।

“-ଆରେ, କୁଆଡେ ଗଲ? ମୋ ସେଭିଂଗ୍ କିଟ୍ କେଉଁଠି ରଖିଛ କାଢିଲ । ଆଉ କୁଆଡେ ଗଲା ମୋ ଟାୱେଲ୍?” ଗୌତମ ତାକୁ ଖୋଜି ଖୋଜି ପହଁଚିଗଲେଣି ବାରିପଟର ସେଇ ନିରୋଳା ଜାଗାଟିରେ ଯେଉଁଠି ଘଣ୍ଟାଏ ହେଲା ବଡବୋଉଙ୍କ ସହ ବସିଛି ସେ । ଆଜି କାହିଁକି ଟିକେ ଆନମନା ଲାଗୁଛନ୍ତି ବଡବୋଉ। ଅତୀତର ଅନେକ କଥା ନିଜେ ନିଜେ କହିପକାଉଛନ୍ତି ତନ୍ଦ୍ରା ଆଗରେ। ପୁଣି ଚୁପ୍ ହୋଇଯାଇ ଫେରି ଯାଉଛନ୍ତି କେଉଁ ଅଜଣା ରାଇଜକୁ।

       ଗୌତମଙ୍କୁ ଦେଖି ଟିକେ ସଙ୍କୁଚିତ ହୋଇଗଲେ ବଡବୋଉ । ଉଦାସୀ ଆଖିରୁ ଝୁଲିପଡିଲା ଲୁହଟୋପେ। କେଜାଣି କାହିଁକି ଅନ୍ୟର ଛୋଟ ଛୋଟ ପ୍ରତିକ୍ରିୟାକୁ ଚଟ୍ କରି ପଢିନେଇପାରେ ତନ୍ଦ୍ରା । ସେଇ ମୁହୂର୍ତ୍ତକ ମଧ୍ୟରେ ବି ସେ ପଢିନେଲା ତାଙ୍କର ସ୍ପର୍ଶକାତର ମନଟିକୁ । ପଢିନେଲା ତାଙ୍କ ଭିତରେ ଏଇମାତ୍ର ମୁହଁ ଲୁଚେଇ ନେଇଥିବା ସ୍ନେହମୟୀ ନାରୀଟିକୁ । ମଣିଷର ବୟସ ବଢିଯାଏ ସତ, ସମୟ ସହିତ ତାଳଦେଇ ବଦଳିଯାଇପାରେକି ତା ଭିତରର ଆବେଗ ? ମନ କଣ କେବେ ବୟସ୍କ ହୋଇପାରେ ? ବାଲ୍ୟ ସୁଲଭ ଚପଳତା କେବେ କେବେ ହାତଧରି ସେଇ ପିଲାଦିନଟିକୁ ଫେରେଇନିଏ ତ କେବେ ପୁଣି ତାରୁଣ୍ୟ ଚହଲାଇଦିଏ ହୃଦୟକୁ । ସମୟକୁ ଧରିରଖିବାର କ୍ଷମତା କେବଳ ନିଜ ପାଖରେ ଉପଲବ୍ଧ ଥାଏ । ମନ ଚାହିଁଲେ କେବେ ତାରୁଣ୍ୟର ଅପୂର୍ବ ସ୍ପର୍ଶକୁ ସାଉଁଟିନିଏ କିଛି ସମୟ ପାଇଁ ତ କେତେବେଳେ ଫେରିଯାଏ ପିଲାଦିନକୁ। ସେଇଠି ସୃଷ୍ଟିହୁଏ ପୁଲକ। ସେମିତି ପୁଲକଟିଏ ବଡବୋଉଙ୍କ ମନରେ ସୃଷ୍ଟି ହୋଇଥିବାର ଲକ୍ଷ୍ୟ କରି ପାରିଥିଲା ତନ୍ଦ୍ରା ଏଇ କିଛି ସମୟ ଆଗରୁ । ବଡବାପାଙ୍କ କଥା କହୁକହୁ ହଠାତ୍ ଉଦାସ ହୋଇ ପଡିଥିବା ତାଙ୍କ ମନଟିକୁ ସାଉଁଳିଦେଲା ତନ୍ଦ୍ରା । ଆଶ୍ୱାସନାର, ଭରସାର ହାତଟିଏ ବଢେଇ କୋଳେଇନେଲା ତାଙ୍କୁ।

      ଯୌଥ ପରିବାରରେ ଅନ୍ଯମାନଙ୍କ ସହ ବାପାବୋଉ ନ ଡାକି ସେ ବି ଡାକୁଥିଲା ବଡବାପା ବଡବୋଉ। ତନ୍ଦ୍ରା ଫେରିଗଲା ଅତୀତକୁ । ସେଦିନର ସେ କଥାସବୁ ଆଜି କାହିଁକି ଭାବି ହେଉଛି ସେ ? କାହିଁକି ମନେ ପଡୁଛି ସେ ଦିନଗୁଡ଼ାକ? ଏ ଭିତରେ ଅନେକ ବର୍ଷ ବିତିଗଲାଣି । ଅନେକ ଗୁଡ଼ାଏ ବର୍ଷ ।
ହଳଦୀ ନାଲିମିଶା ସେ ଅପୂର୍ବ ଫୁଲଗଛଟିକୁ ଆଜି ଏତେ ବର୍ଷପରେ ଦେଖୁଛି ସେ। କାହିଁକି? କାହିଁକି ସେ ଆଡ କରିଦେଇଥିଲା ସେ ଗଛଟିକୁ । ଗଛଟି ପ୍ରତି ତା’ ମନରେ  ବିମୁଖତା କୁଆଡେ ଉଭେଇ ଯାଉଥିଲା ଆଜି ବେଳକୁବେଳ। ଗୌତମ ତାକୁ ଅପେକ୍ଷା ରଖିଛନ୍ତି ଜାଣିବା ସତ୍ତ୍ୱେ ସେମିତି ସେଇଠି ବଡବୋଉଙ୍କର ଘନିଷ୍ଠ ହୋଇ ବସିଥିଲା ତନ୍ଦ୍ରା ଆଉ ମନେପକାଉଥିଲା ରୋହିତଙ୍କ ସହ ବିତେଇଥିବା ଅତୀତର ସେ ଦିନସବୁ। ପିଲାଦିନର ଖେଳସାଥିରୁ ଲମ୍ବା ସମ୍ପର୍କର ଖିଅ ଧରି ଆଗକୁ ବଢିବାର ସ୍ୱପ୍ନ ଓ ସ୍ୱପ୍ନଭଙ୍ଗର ସେ ଦିନଗୁଡାକୁ ସତରେ କଣ ସେ ଭୁଲିପାରିଥିଲା?

      ଆଜି ଅନେକ ଦିନପରେ ମନେପଡୁଥିଲେ ରୋହିତ। ରୁଦ୍ରାଣୀ ମାଉସୀଙ୍କ ପୁଅ ରୋହିତ୍ ବୟସରେ ବଡ ହେଲେ ମଧ୍ୟ ସାଙ୍ଗପରି ମିଶୁଥିଲେ ତନ୍ଦ୍ରାସହ । ବଡବୋଉ ମାଉସୀଙ୍କୁ ମକର ଡାକନ୍ତି ବୋଲି ଘରସାରା ସମସ୍ତେ ତାଙ୍କୁ ମକର ସମ୍ବୋଧନ କରନ୍ତି । ତନ୍ଦ୍ରା ବି । ରୁଦ୍ରାଣୀ ମାଉସୀ ନିଜର ଅତି ପ୍ରିୟ ବାନ୍ଧବୀ ହୋଇଥିବା ସତ୍ତ୍ୱେ ରୋହିତ୍ କୁ ଆଦୌ ବରଦାସ୍ତ କରିପାରନ୍ତିନି ବଡବୋଉ । ତନ୍ଦ୍ରାର ତା’ ସହ ମିଳାମିଶା ଉପରେ ଅଙ୍କୁଶ ଲଗାନ୍ତି ସେ ।ଏ କଥାକୁ ନେଇ ରୋହିତ୍‌ର  ପ୍ରତିକ୍ରିୟା ଅସ୍ୱାଭାବିକ୍ ମନେହୁଏ ତନ୍ଦ୍ରାକୁ । ପିଲାଦିନେ ଦୁହିଁଙ୍କର ମନୋମାଳିନ୍ୟକୁ ନେଇ ଲଘୁ ମନ୍ତବ୍ୟ ରଖୁଥିବାବେଳେ ସେମାନେ ବଡ ହେବାପରେ କାହିଁକି ଏତେବେଶୀ ପ୍ରତିକ୍ରିୟାଶୀଳ ହୋଇପଡିଲେ ବଡବୋଉ?ସେନେଇ ମନେମନେ ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ କାହାକୁ କିଛି କହିପାରେନା ତନ୍ଦ୍ରା । ରୋହିତ୍ ପ୍ରତି ତାଙ୍କର ଏତେବେଶୀ କଠୋର ହୋଇଯିବା ଲକ୍ଷ୍ଯକରି କେମିତି ଗୋଟେ ବିସ୍ମୟ ସୃଷ୍ଟିହୁଏ ତନ୍ଦ୍ରା ମନରେ । ନିରୂପାୟ ସେ । କାହାରି ମନରେ କଷ୍ଟ ଦେବାକୁ ଚାହେଁନା । ଦିନକୁ ଦିନ ରୋହିତ୍ ବି କେମିତି ଅସହିଷ୍ଣୁ , ଜିଦ୍ଦିଆ ହୋଇଯାଉଥିଲେ । ତନ୍ଦ୍ରା ନା ବୁଝେଇପାରୁଥିଲା ରୋହିତଙ୍କୁ ନା ବଡବୋଉଙ୍କୁ । ଗୋଟେପଟେ ଜନ୍ମସଂସ୍କାର ଆଉ ଗୋଟେପଟେ ରୋହିତଙ୍କର ତା’ପ୍ରତି ଥିବା ଭଲପାଇବାର ଅସମ୍ଭବ ଅଧିକାରପଣ । ଉଭୟଟିରେ ଆକ୍ତାମାକ୍ତା ହୋଇଯାଉଥିଲା ତନ୍ଦ୍ରା । ଉଭୟକୁ ସମ୍ମାନ ଦେବାର ନିଶାରେ ନିଜକୁ ହରେଇବସୁଥିଲା ସେ ।

       ସେଦିନ କଦଳୀପୁଆ ପରି ମନେହେଉଥିବା  ଫୁଲଗଛଟିକୁ ସାଙ୍ଗରେ ନେଇ ଆସିଥିଲେ ରୋହିତ୍।”ମାଉସୀ, ବୋଉ ପଠେଇଛି ଏ ଫୁଲଗଛ “।
  “କି ଫୁଲ କିରେ ?” ରୋଷେଇଘରେ ବଡ ଭାତହାଣ୍ଡିଟାର ଦି’ ପଟକୁ କସିକରି ଦି’ ହାତରେ ଧରି ପେଜ ଗାଳୁଗାଳୁ ସେଇଠୁ ପାଟିକରି କହିଲେ ବଡବୋଉ।     
“କେଜାଣି ,ଏ ଫୁଲର ନାଁ ଜାଣିନି ମୁଁ । ଭାରି ସୁନ୍ଦର ଫୁଲ । ହଳଦୀ ନାଲିମିଶା ଏ ଫୁଲର ଅପୂର୍ବ ଗଢଣ “। ମୋବାଇଲ୍ ର ଛୋଟ ପରଦାଟିରେ ଫୁଲର ଫଟୋଟିଏ କାଢି ବଡବୋଉଙ୍କ ଉଦ୍ଦେଶ୍ୟରେ ଦେଖେଉଥିଲେ ରୋହିତ୍ । ହାତଟି କିନ୍ତୁ ଲମ୍ବି ଆସୁଥିଲା ତନ୍ଦ୍ରା ଆଡେ।କଲେଜ୍ ବାହାରୁଥିଲା ତନ୍ଦ୍ରା । ବଡ ପ୍ରାକ୍ଟିକାଲ୍ ନୋଟ୍ ବହିଟିକୁ ଜାକିଧରିଥିଲା ଛାତିରେ । ସେଦିନ ଅନେକ ଡେରି କରିଦେଇଥିଲା । କ୍ଲାସ୍ ବୋଧହୁଏ ଆରମ୍ଭ ହୋଇଯିବଣି । ରୋହିତଙ୍କର ତନ୍ଦ୍ରା ଆଡକୁ ବଢି ଆସିଥିବା ହାତକୁ ଆଡେଇଦେଇ ତନ୍ଦ୍ରା ତରତର ହୋଇ ବାହାରିଗଲା। ଖୁବ୍ ଗୋଟେ ଉତ୍ସାହ ନେଇ ତାଙ୍କ ଘରକୁ ବୋଧହୁଏ ସେଦିନ ଆସିଥିଲେ ରୋହିତ୍ । କେମିତି ଗମ୍ଭୀର ଦିଶିଲା ତାଙ୍କର ମୁହଁ । ହଠାତ ରାଗିଗଲେ ସେ। ସବୁ ଭଲଗୁଣ ଥିବା ସତ୍ତ୍ୱେ ରୋହିତଙ୍କର ସମୟ ସମୟରେ ଏ ଭୟଙ୍କର ଅସ୍ୱାଭାବିକ ଆଚରଣ ସ୍ତବ୍ଧ କରିଦିଏ ତନ୍ଦ୍ରାକୁ। ଦୁର୍ବୋଧ୍ୟ ମନେହୁଅନ୍ତି ରୋହିତ୍ । ଏ ପ୍ରକାର ଦ୍ୱୈତ ବ୍ୟକ୍ତିତ୍ୱର ମଣିଷଟିଏକୁ ନିଜ ପ୍ରିୟ ବାନ୍ଧବୀର ପୁଅ ହୋଇଥିବା ସତ୍ତ୍ୱେ ସହ୍ୟ କରିପାରନ୍ତିନାହିଁ ବଡବୋଉ। ହଠାତ୍ ରାଗିଯିବା ଓ ନିଜର ହିତାହିତ ଜ୍ଞାନ ହରେଇ ବସୁଥିବା ରୋହିତ ହାତରେ ତନ୍ଦ୍ରା ପରି ସରଳ ନିଷ୍କପଟ ଝିଅଟିକୁ ଛନ୍ଦିଦେବା କଥା ଆଦୌ କଳ୍ପନା କରିପାରନ୍ତି ନାହିଁ ବଡବୋଉ। ସବୁବେଳେ ତାକୁ ରୋହିତଠାରୁ ଦୂରରେ ରଖିବାର ପ୍ରଚେଷ୍ଟାରେ ଥାଆନ୍ତି ସେ।
       ରୋହିତଙ୍କୁ ଆଡହୋଇ ତନ୍ଦ୍ରା ସେଦିନ ଚାଲିଯାଇଥିଲା ଘରୁ । ସେଇଠି ଦୁଆର ମୁହଁରେ କଡ ପଟକୁ ପୁଆଟିକୁ ଡେରିଦେଇ ତନ୍ଦ୍ରାସହ ବାହାରି ଆସିଥିଲେ ରୋହିତ। ତନ୍ଦ୍ରାର କଲେଜ୍‌ରେ ଶେଷବର୍ଷ । ରୋହିତ୍ କଲେଜ୍ ଶେଷକରି ପାଇଲଟ୍ ଟ୍ରେନିଂ ନେଉଛନ୍ତି ପୁନେରେ । ଦୁଇଦିନ ଛୁଟିରେ ଆସିଛନ୍ତି ଘରକୁ । ଆଜି ସେ ଏକାନ୍ତରେ ତନ୍ଦ୍ରାକୁ ଶୁଣେଇବାକୁ ଆସିଥିଲେ ତାଙ୍କ ମନରକଥା । କହିଲେ ମଧ୍ୟ । କୌଣସି ଗୌରଚନ୍ଦ୍ରିକା ନକରି ତନ୍ଦ୍ରାକୁ ସିଧା ସିଧା ଖୋଲି କହିଦେଲେ ସେ ତାଙ୍କ ମନର କଥା । ଅବୁଝା ଆଖିରେ ତାଙ୍କୁ ଚାହିଁରହିଥିଲା ତନ୍ଦ୍ରା । ଟିକିଏ ଅପ୍ରତିଭ ହୋଇଗଲେ ସେ । ତନ୍ଦ୍ରାର ନିରବତା ବୋଧହୁଏ ଅସହ୍ୟ ହେଲା ତାଙ୍କୁ । କ୍ରମଶଃ ପାଟଳ ପଡ଼ିଯାଉଥିବା ତାଙ୍କର ସେ ମୁହଁକୁ ଚାହିଁଦେଇ ଆଖି ଫେରେଇ ନେଇଥିଲା ତନ୍ଦ୍ରା । ଭୟ ଲାଗିଥିଲା ଟିକେ । କ୍ଷଣିକ ପରେ ସଜାଡ଼ି ନେଲା ନିଜକୁ ।

      ନା ତନ୍ଦ୍ରା ଆଦୌ ପ୍ରଶ୍ରୟ ଦେବନି ତାଙ୍କୁ।  କେଜାଣି କାହିଁକି ସବୁ ଜାଣି ମଧ୍ୟ ନ ଜାଣିପାରିବାର ଛଳନା କରୁଥିଲା ସେ। ରୋହିତଙ୍କର କ୍ଷଣକୋପୀ ଦ୍ୱୈତ ବ୍ୟକ୍ତିତ୍ୱ ସହ ଏ ଭିତରେ ବେଶ୍ ପରିଚିତ ହୋଇଗଲାଣି ସେ । ପିଲାଦିନରୁ ଖୁବ୍ ଜିଦ୍ଦିଆ ଥିଲେ ରୋହିତ । ତାଙ୍କର ଅସ୍ୱାଭାବିକ ଆଚରଣରେ ଅତିଷ୍ଠ ହୋଇ ପଡୁଥିଲେ ପରିବାରର ସଦସ୍ଯମାନେ । ନିଜ ଜିଦ୍ ଆଗରେ ବଡସାନ କାହାରିକୁ ମାନୁନଥିଲେ ରୋହିତ । ଏଇ ଗୁଣଟି ତାଙ୍କୁ ଯେ ଅନ୍ୟ ସମସ୍ତଙ୍କ ପାଖରୁ ଦୂରେଇ ନେଉଛି ସେକଥା କିଏ ବା ବୁଝେଇବ ତାଙ୍କୁ? ତନ୍ଦ୍ରା ଚୁପ ରହିଯାଇଥିଲା।  ବଡବୋଉଙ୍କୁ ଏସବୁ କହିବାକୁ ହେବ । ରୋହିତ ତାକୁ ଦେଇଥିବା ବିବାହ ପ୍ରସ୍ତାବ ବଡବୋଉଙ୍କୁ କହିଦେବା ପରେ ଓ ତାଙ୍କର ସମ୍ମତି ପାଇବାପରେ ଯାଇ ସେ ରୋହିତଙ୍କୁ ହଁ କରିବ।
     କଥା ଅଧାରେ ରହିଥିଲା ସେଦିନ।ସେଦିନର କଥା ମନେପଡି ତନ୍ଦ୍ରାର ଆଖିରେ ଜକେଇ ଆସିଲା ଲୁହ। ରୋହିତଙ୍କ ପ୍ରତି ତା ମନରେ ଥିବା ଭାବନାକୁ ସେଦିନ ଆଦୌ ପ୍ରକାଶ କରିନଥିଲା ସେ ତାଙ୍କ ସମ୍ମୁଖରେ । ଫୁଲପୁଆଟିକୁ ଆଡକରି ସେ ଚାଲିଆସିଥିବା କଥାକୁ ନେଇ ରୋହିତ୍ ନିଜର ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ଶାନ୍ତ ରହିବାକୁ ଚେଷ୍ଟା କରୁଥିଲା ସେ । ତାଙ୍କ ପ୍ରସ୍ତାବରେ ହଁ ଭରିବାକୁ ଯାଇ ଦ୍ୱନ୍ଦ୍ୱରେ ପଡିଯାଇଥିଲା ତନ୍ଦ୍ରା। ରୋହିତ୍ ନିଜଆଡୁ ସମୟ ଦେଇଥିଲେ ତାକୁ। ଆଶ୍ୱସ୍ତ ହୋଇଥିଲା ସେ।ସେଇ କିଛି ସମୟ ତାକୁ ତା’ ନିଷ୍ପତ୍ତି ନେବାରେ ସହାୟକ ହେବ ବୋଲି ଭାବିଥିଲା ତନ୍ଦ୍ରା । ସେଦିନଟି କିନ୍ତୁ ଆସିନଥିଲା ପୁଣିଥରେ। ହୁଏତ ସେଇଆ ହେବାହିଁ ବିଧି ନିର୍ଦ୍ଦେଶ ଥିଲା ।
     ଆଜି ସେ ଗଛରେ ଭରିଯାଇଛି ହଳଦୀ ନାଲି ମିଶା  ପେନ୍ଥା ପେନ୍ଥା ଫୁଲ ହେଲେ କେତେ ବଦଳିଯାଇଛି ତନ୍ଦ୍ରାର ଜୀବନ । ରୋହିତ ନାହାନ୍ତି ଆଉ ତା’ଜୀବନରେ। ସେ ଉଡିଯାଇଛନ୍ତି ସେଇ ସରଗକୁ ଯେଉଁଠି ହଳଦୀ ନାଲିମିଶା କୁନି ଚଢେଇଟିଏ ପରି ଦିଶୁଥିବା ସୁନ୍ଦର ଫୁଲସବୁ ଫୁଟୁଥିବ ଓ ଯାହାକୁ ହୁଏତ ସେଠି ବି କେହି ନାଁ ରଖିଥିବେ ସରଗ ଚଢେଇ। ସେଦିନଟିକୁ ସ୍ମୃତିର ଗନ୍ତାଘରୁ ଗୋଟେଇ ଆଣି ଜାବୁଡି ଧରିବାକୁ ଧାଇଁଗଲା ନିଜ ଅଜାଣତରେ ତନ୍ଦ୍ରାର ମନ ଆପଣାଛାଏଁ । ରୋହିତଙ୍କୁ ସେ ପସନ୍ଦ କରୁଥିଲା ଏକଥା ଏବେ ତ ସେ ଆଦୌ କହିପାରିବନି ବଡବୋଉଙ୍କ ଆଗରେ।ବଡବୋଉ କଣ ଜାଣିପାରିନଥିଲେ ସେଦିନ? ବଦରାଗୀ ମଣିଷଟିକୁ ସରଳ ନିରୀହ ଝିଅଟି ହୃଦୟରେ ଜାଗା ଦେଇ ବସିଥିଲା ନିଜ ଅଜାଣତରେ।

     ପୁଣି ଫେରିଗଲା ଅତୀତକୁ ତନ୍ଦ୍ରା। କଲେଜରୁ ଫେରି ସେଦିନ ସଂଧ୍ୟାରେ ଘରେ ପହଞ୍ଚି ଘର ଭିତରକୁ ଯିବା ପୂର୍ବରୁ ତନ୍ଦ୍ରାର ଆଖି ପହଁରି ଆସିଥିଲା ପାଚିରୀ କଣକୁ ଲାଗି ଦିଶୁଥିବା ଅଳ୍ପ କଞ୍ଚାମାଟିର ବୁଦାଟି ଉପରେ । ସେଇଠି ଫୁଲପୁଆଟିକୁ ପୋତିଦେଇଥିଲେ ବଡବାପା ସେଦିନ।  ସେଇ ଓଦାମାଟିରେ ଆଣ୍ଠେଇପଡି ବସିପଡିଥିଲା ତନ୍ଦ୍ରା ଆଉ ଥିରିଥିରି ହାତରେ ସାମାନ୍ୟ ଚାପଦେଇଥିଲା ପୁଆଟିକୁ । ସାଉଁଳି ଦେଇଥିଲା ହାତରେ। ସେ ବିଭୋରପଣ ଭିତରେ ରୋହିତଙ୍କର ପ୍ରସ୍ତାବ ପ୍ରେମର ମୟୂରପୁଛ ଛୁଆଁଇ ଦେଉଥିଲା ତନ୍ଦ୍ରାର ଦେହରେ ମନରେ।
     ରୋହିତଙ୍କର ମୋବାଇଲ୍ ପରଦାରେ ଦେଖିଥିଲା ସେ ଫୁଲଟିକୁ ପ୍ରଥମଥର ପାଇଁ ସେଦିନ। କେତେ ସୁନ୍ଦର ସେ ଫୁଲପେନ୍ଥାଟି ସତରେ । ଲବଷ୍ଟର୍ କ୍ଲ – ରୋହିତ୍ କହିଥିବା ନାଁଟିକୁ ପୁଣିଥରେ ଦୋହରାଇଲା ତନ୍ଦ୍ରା । ଏଥର ହସିଦେଲା ସେ ଶବ୍ଦକରି । 

“କଣହେଲା କିଲୋ ? ଏମିତି ବାଇଆଣୀ ଭଳି ନିଜେନିଜେ ହସୁଛୁ କାହିଁକି ? “ନା ମ, ଏ ଫୁଲର ନାଁ ଟି ସେମିତି । ଶୁଣିବ?”ହେଲିକୋନିଆ ରୋଷ୍ଟ୍ରାଟା । କିଏ କିଏ ଲବଷ୍ଟର୍ କ୍ଲ ବି କହନ୍ତି ଆକୁ । ‘ଇଏ କି ନାଁ କିଲୋ ? କେଉଁ ଅଂଗ୍ରେଜ୍ ଏମିତି ନାଁଟିଏ ଦେଇଛି । ଓଡିଆରେ କହିଲେ କଣ କହିବା ଯେ ଆମେ?” ଟିକେ ଭାବିହେଲା ତନ୍ଦ୍ରା । “ଉଁ….କଂକଡା ଆଙ୍କୁଡା । ଲବଷ୍ଟର୍ କ୍ଲ ର ଓଡିଆ ରୂପାନ୍ତର” । କହିଦେଇ ହସିହସି ଲୋଟିପଡିଲା ତନ୍ଦ୍ରା । “କାଇଁ , ଦେଖେଇଲୁ, ଦେଖେଇଲୁ ସେ ଫୁଲର ଫଟୋ । ” ବଡବୋଉ ଖୁବ୍ ବେଶୀ ଉତ୍ସାହିତ ଲାଗୁଥିଲେ । “ମୁଁ କଣ ରଖିଛି ? ରୋହିତ ଦେଖଉଥିଲେ ତାଙ୍କ ଫୋନ୍ ରେ “। “ରୋହିତ୍ ଭଲ ପିଲାଟିଏ ହେଲେ ତୁ ତା’ଠାରୁ ଟିକିଏ ଦୂରରେ ରହ । ମତେ କାହିଁକି ତା ହାବଭାବ ଭଲ ଲାଗୁନି “। ତନ୍ଦ୍ରାଠାରୁ ଶୁଣିଶୁଣି ସେ ଅଜଣା ଫୁଲର ସୌନ୍ଦର୍ଯ୍ୟରେ ହଜି ଯାଉଯାଉ କେମିତି ଟିକେ ବିଚଳିତ ହେଇଯାଉଥିଲେ ବଡବୋଉ । କହିବ କହିବ ହୋଇ ରୋହିତ୍ ଦେଇଥିବା ପ୍ରସ୍ତାବ ବିଷୟରେ କିଛି କହିପାରିନଥିଲା ତାଙ୍କୁ ସେଦିନ ତନ୍ଦ୍ରା ।

    ସେଇ ଫୁଲଗଛଟି ପୁଆରୁ ଗଜା ହେଲା । କୁନିପତ୍ର ମେଲେଇ ତାର ଅସ୍ତିତ୍ୱ ଜାହିର୍ କଲା । କେତେଶୀଘ୍ର ବଡ ହୋଇଗଲା ଗଛଟି । ଗଛରେ ହଳଦୀନାଲି ମିଶା ଫୁଲ ଫୁଟିଲା । ରୋହିତ କିନ୍ତୁ ଫେରିଲେନି ଆଉ । ତନ୍ଦ୍ରାର ସମ୍ମତି ଅସମ୍ମତି ଶୁଣିବାକୁ ପୁଣିଥରେ ଫେରିଆସିଲେନି ସେମାନଙ୍କ ପାଖକୁ । ନିଜର ଅହଙ୍କାର ମିଶା ଜିଦ୍ ରେ ଅନ୍ଧ ସେ। ତାଙ୍କର ଜିଦଖୋର ଗୁଣଟି ପାଇଁ ଭୟଙ୍କର ଦୂର୍ଘଟଣାଟି ଘଟିଥିଲା । ନିଜ ସହ ତିନିଜଣ ସହକର୍ମୀଙ୍କୁ ନେଇ ଉଡାଣ ଭରୁଥିବା ତାଙ୍କ ବିମାନଟି ଖସିପଡିଥିଲା ହିମାଳୟର କେଉଁଏକ ଅଜଣା ଗୁମ୍ଫା ଭିତରେ । ପରବର୍ତ୍ତୀ ସମୟରେ ହୋଇଥିବା ଅନୁସନ୍ଧାନରୁ ଏକଥା ଜଣାପଡିଲାପରେ ନିଜକୁ ଅନେକଥର ପ୍ରଶ୍ନ କରିଥିଲା ତନ୍ଦ୍ରା। ଦ୍ୱୌତ ବ୍ୟକ୍ତିତ୍ୱର ଅଧିକାରୀଟିଏ କଣ ବୁଝିପାରେ ନିଜର ଦୁର୍ବଳତା? ନିଜର ନକାରାତ୍ମକ ଚିନ୍ତା ଚେତନାକୁ ଅବନମିତ କରି ଦୃଢ କରିପାରେ ନିଜକୁ?ରୋହିତଙ୍କର ବିବାହ ପ୍ରସ୍ତାବରେ ରାଜିହୋଇଯାଇଥିଲେ କଣ ସେ ବଦଳେଇ ଦେଇ ପାରିଥାଆନ୍ତା ସେ ମଣିଷଟିକୁ? ରୋହିତଙ୍କର ଦ୍ୱୈତ ବ୍ୟକ୍ତିତ୍ୱର ଚାପତଳେ ହୁଏତ ବଳିପଡି ଯାଇଥାଆନ୍ତା ତାର ସୁକୁମାର ମନଟି।  ନିଜ ମନକୁ ସଜାଡି ନେଲା ତନ୍ଦ୍ରା।
ବଡବୋଉଙ୍କ କୋଳରେ ମୁଣ୍ଡ ଗୁଞ୍ଜିଲା ସେ। ଗୌତମ ତା’ର ବର୍ତ୍ତମାନ । ତାଙ୍କ ସହ ନିଜ ମନର ମେଳ ଅନେକ। ଖୁବ୍ ସହଜ,ସରଳ ଗୌତମ। ରୋହିତ ଅପହଁଚ ଥିଲେ ସବୁବେଳେ। ସେତେବେଳେ ତାଙ୍କ ସହ ଆଦୌ ମେଳ ନଥିଲା ତା’ମନର ଆଉ ଏବେ ତ ସେ ଅନେକ ଦୂରରେ।  ‘ସରଗ ଚଢେଇ’। ତା’ମନତଳେ କ୍ଷୀଣ ସ୍ମୃତିଟିଏ ହୋଇ ରହିଥାଆନ୍ତୁ ରୋହିତ ଚିରକାଳ। ଟିକକ  ପୂର୍ବରୁ ବଡବୋଉଙ୍କଠାରୁ ଶୁଣିଥିବା ଫୁଲଟିର ସୁନ୍ଦର ନାଁ ଟିକୁ ଗୁଣୁଗୁଣେଇଲା ସେ ଧିରେ,ଖୁବ୍ ଧିରେ…।
…….

Leave a comment