ଆମ୍ବଗଛରେ ବଉଳ ଲଦି ହୋଇ ଯାଇଛି । ସାତଦିନ ସେ ଘରେ ରହିଗଲା ଯେ ଏତେ ବଉଳ ଆସିଗଲା !! ଲାଗୁଚି ଯେମିତି ଯୁଗଟିଏ ବିତିଯାଇଛି ଏ ଭିତରେ । ରୂପା ନୂଆ ଏକ ଅନୁଭବରେ ଉଲ୍ଲସିତ ହେଲା । ବଉଳର ମିଠା ମିଠା ବାସ୍ନା ତାକୁ ଉଚ୍ଚାଟିତ କରୁଥିଲା । ପ୍ରଥମ କରି ଗଛରେ ବଉଳ ଆସିଛି । ଛୋଟ ଛୋଟ ଆମ୍ବ କେତେଟା ବି ମୁହଁ ଦେଖିଇଲେଣି ସେ ବଉଳ ଭିତରୁ ।
ଜେଜେମା’ର ଜିଦିରେ ସାତଦିନ ଘରେ ରହିଲା ସେ । ବୋଉ ଆଦୌ ଚାହୁଁନଥିଲା । ଆଜିକାଲି କିଏ ଏସବୁ ମାନୁଛି ? ହଳଦୀ ବାସ୍ନାରେ ତା ଦେହ ମହକୁଥିଲା । ନୂଆ ଅଳଙ୍କାର, ନୂଆ ଜାମା ପିନ୍ଧି ଝଟକୁ ଥିଲା କିଶୋରୀ ରୂପା ।
“ମାଳ, ତୁ ବଡ ହେଲୁଣି ?” ଲାଜ ଲାଜ ହୋଇ ପଚାରିଲା ରୂପା । ମାଳ ରୂପାଠାରୁ ବୟସରେ ଅଳ୍ପ ବଡ । ମାଆ ସହିତ ସେ ରୂପା ଘରକୁ ଆସେ । ମାଆକୁ କାମରେ ସାହାଯ୍ୟ କରେ । ପଞ୍ଚମ ଶ୍ରେଣୀ ପରେ ସ୍କୁଲ୍ ଯିବା ଛାଡିଦେଇଛି ସେ । ରୂପା ଓ ମାଳ ସାଙ୍ଗପରି ଚଳନ୍ତି । କେଜାଣି କେମିତି ସେ ଦୁହିଁଙ୍କର ବନ୍ଧୁତାକୁ ଘରର ଅନ୍ୟମାନେ ମଧ୍ଯ ସମ୍ମାନ କରନ୍ତି । ସ୍ନେହରେ ବାନ୍ଧିହୋଇ ରହିଥାଆନ୍ତି ଦୁହେଁ । ରୂପାର ପ୍ରଶ୍ନ ଶୁଣି ମାଳର କାମ କରୁଥିବା ହାତ ଅଟକିଗଲା । ହସିଦେଇ କହିଲା ସେ, “ହଁ, ହେଲିଣି । ଆମ ଘରେ କିନ୍ତୁ ଝିଅ ବଡହେଲେ ବାପା ମାଆ ଭାରି ବ୍ୟସ୍ତ ହୁଅନ୍ତି । ତୁମଘରପରି ନୂଆ ଜାମା, ଅଳଙ୍କାର ପିନ୍ଧାଇ ଖୁସି ହେବାପାଇଁ ଆମର ସମ୍ବଳ କାଇଁ ? ବଡ ହେଲାପରେ ଅନ୍ଯମାନଙ୍କ ଘରେ କାମ କରିବାକୁ ଯାଉଥିବାରୁ କିଛି ଲୋକଙ୍କର ଲୋଲୁପ ଦୃଷ୍ଟିରୁ ବଞ୍ଚିବାର ଚେଷ୍ଟାରେ କଷ୍ଟ ହୋଇଯାଏ ଆମ ଜୀବନ। ଦେହ ଲୁଚାଇବାକୁ ଲମ୍ବା ଲୁଗାଟିଏ ଖୋଜିବାକୁ ପଡିଥାଏ ଆମକୁ”। ରୂପା ଟିକେ ଆଶ୍ଚର୍ଯ୍ଯ ହୋଇ ଚାହିଁଥିଲା ତାକୁ। ବୁଝି ପାରୁନଥିଲା ମାଳର ଏ ପଦକ କଥା। ମାଳ ଏଥର ଟିକେ ପାଖକୁ ଲାଗି ଆସିଲା ଆଉ ରୂପା କାନରେ ଫିସଫିସ ହୋଇ କହିଲା କିଛି। ନାଲି ପଡିଗଲା ରୂପାର ମୁହଁ। ସେଇଠୁ ଉଠି ଦୁମଦୁମ ହୋଇ ଘର ଭିତରକୁ ଚାଲିଗଲା ସେ ।
ଆମ୍ବଗଛରେ ବଉଳ ଭର୍ତ୍ତି ହୋଇଯାଇଛି । ପତ୍ର କୁଞ୍ଜରୁ କୋଇଲିର ମନ ମତାଣିଆ କୁହୁ ସ୍ୱର ଭାସିଆସୁଛି। ସ୍କୁଲ୍ ବସରୁ ଓହ୍ଲେଇ ଗେଟଖୋଲି ଘର ଭିତରେ ପଶିଲା ରୂପା । ଛୋଟ ଅଥଚ ସୁନ୍ଦର ବଗିଚାଟିଏ ଘର ଆଗରେ । ବାପାଙ୍କର ଖୁବ୍ ଆଗ୍ରହ ଗଛ ଲଗାଇବାରେ । ବଗିଚାଟି ଛୋଟ ହେଲେବି ଆଖି ଦୃଷ୍ଟିଆ । ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କଲାପରି ସେଇଠି ଆମ୍ବ ଗଛ ଦୁଇଟି । ରୂପା ଜନ୍ମବେଳେ କୁନି ଆମ୍ବଗଛଟିଏ ଆଣି ସେଠି ପୋତିଥିଲେ ବାପା । ଆରଗଛଟି ଟାକୁଆରୁ ବାହାରି ଆପେ ବଡ ହୋଇଛି । ପ୍ରଥମ କରି ଦୁଇଟିଯାକ ଗଛରେ ବଉଳ ଆସିଛି । ରୂପା ସେ ଗଛତଳେ ଘଡିଏ ଠିଆହେଲା। ଆମ୍ବ କେତେଟା ବଉଳ ଗହଳିରେ ନିଜର ମୁହଁ କାଢିଥିଲେ । ବଉଳର ମହକ ଓ କୋଇଲିର ସ୍ୱର ବିଭୋର କରୁଥିଲା ତାକୁ।
“ରୂପା, ଏ ରୂପା! ସ୍କୁଲରୁ ଆସିଲୁଣି କି ? ଜଲଦି ଆ’ । ଦେଖେ, କିଏ ଆସିଛି ?” – ବୋଉର ଡାକ ଶୁଣି ପ୍ରକୃତିସ୍ଥ ହେଲା ସେ । “କିଏ ଆସିଛି? ରୂପା ଆଗ୍ରହରେ ଚାହିଁଲା ଘରଆଡେ। ବୋଉର ମାମୁପୁଅ ଭାଇ, ସଂଗ୍ରାମ ମାମୁ । ରୂପାର ଘର ଆଡକୁ ବଢୁଥିବା ପାଦ ଫେରିଗଲା ଅଳ୍ପ ପଛକୁ। ମାଳ ତା’ କାନରେ କହିଥିବା କଥା ଓ ମାମୁ କରୁଥିବା ଆଦର ରୂପାକୁ ଅନ୍ୟମନସ୍କ କଲା ପୁଣିଥରେ। ଖୁବ୍ ଗେହ୍ଲା କରନ୍ତି ମାମୁ । ତାକୁ ଜାକିଧରି ବୋକ ଖାଆନ୍ତି। ଲାଳ ବୋଳି ହୋଇଯାଏ ଓଠରେ ।
ଏଇ ସାତଦିନ ହେଲା ସେ ବଡ ହୋଇଛି । କେତେକଥା ଜେଜେମା’ ଆଉ ବୋଉ ଶିଖେଇଛନ୍ତି ତାକୁ । ଶିଖେଇଛନ୍ତି ପରମ୍ପରା । ହଳଦୀ ଲଗେଇ ଗାଧୋଇବୁ। ଛୁଆଁ ହୋଇ ଦୂରରେ ରହିବୁ ବାପା ଭାଇଙ୍କଠାରୁ; ଅଥଚ ମାଳ କହିଥିବା ସେ ଧାଡିଏ କଥା ସେମାନେ କହିନାହାନ୍ତି, ଯାହା ଅନେକ ଆଗରୁ ତାକୁ ସେମାନେ କହିବାର ଥିଲା । ମାମୁଙ୍କର ତା’ ପ୍ରତି ଅଧିକ ଗେହ୍ଲାପଣ ଦେଖିଲା ପରେ ମଧ୍ଯ ମାମୁଙ୍କୁ ଆକଟ କରିନାହାନ୍ତି କେବେ । ସୁରକ୍ଷିତ ବଳୟଟିଏ ତାକୁ ନିଜକୁ ତିଆରି କରିବାକୁ ହେବ । ମାଳକୁ ଦେଖାଯାଇଥିବା ମାମୁଙ୍କର ପ୍ରଲୁବ୍ଧ ଆଖି ଜେଜେମା’ ବା ବୋଉଙ୍କୁ ଦେଖାଯାଇନି, କାରଣ ବନ୍ଧୁ ସେ। ସମ୍ପର୍କକୁ ଦେଖିଛନ୍ତି କେବଳ। ମାଳ କହିଥିବା କଥାଟି ଦୋହରେଇଲା ମନେମନେ। “ନିଜର ଆତ୍ମରକ୍ଷା ତତେ ଏଥର ନିଜକୁ କରିବାକୁ ହେବ ଦୃଢ ଭାବରେ। ନିଜକୁ ବଞ୍ଚେଇ ରଖିବୁ ଚିଲ ଛଂଚାଣଙ୍କ ହାବୁଡରୁ।” ରୂପା ଆଡେଇ ହୋଇ ଚାଲିଗଲା ଶୋଇବା ଘରକୁ।
“ଆଲୋ ରୂପା, କଣ ହେଲା? ଘର ଭିତରକୁ ଚାଲିଗଲୁ କଣପାଇଁ ? ମାମୁ ଆସିଛି ପା’। ଆ’ ଏଠିକୁ।” ଡାକିଡାକି ଶୋଇବାଘର ଯାଏଁ ଆସିଥିଲା ବୋଉ । ଘର ଭିତରକୁ ତା’କୁ ଟାଣିନେଇ ଦୂଆର ବନ୍ଦ କଲା ରୂପା।
ଯାହା ବୋଉ ଶିଖେଇଥିଲା ରୂପାକୁ, ତା’ଠାରୁ ଯଥେଷ୍ଟ ଅଧିକ କଥା ରୂପା ଶିଖେଇବ ବୋଉକୁ। ଏସବୁ କହିବା ପାଇଁ ଆଗରୁ ତା’ର ସାହସ ପାଉନଥିଲା । ଏ ଭିତରେ ସେତକ ସଂଗ୍ରହ କରିନେଇଛି ସେ ନିଜ ଭିତରୁ । ଝିଅଟିଏ ଦେହ ଲୁଚେଇବା ପାଇଁ ବଡ ଲୁଗାଟିଏ କେବଳ ଦରକାର କରେନି ନିଜକୁ ଦୃଢ କରି ଚିଲ ଛଂଚାଣଙ୍କ ସହ ଲଢିବାପାଇଁ ଉପସ୍ଥିତ ବୁଦ୍ଧି ମଧ୍ଯ ଆବଶ୍ୟକ କରେ । ସମ୍ପର୍କର ମର୍ଯ୍ୟାଦା ଦେବା ଯେତିକି ଜରୁରୀ, ମର୍ଯ୍ୟାଦା ପାଇବା ପାଇଁ ଯୋଗ୍ୟହେବା ମଧ୍ଯ ସେତିକି ଜରୁରୀ । ପରୀଟିଏ ସୁରକ୍ଷିତ ରଖିବ ନିଜକୁ ଓ ଉଡିବ, ବୁଲିବ, ଖେଳିବ ସ୍ୱଚ୍ଛନ୍ଦରେ । ସେଥିପାଇଁ ତା’ ଭିତରେ ଆତ୍ମବିଶ୍ବାସର ଚାରାଟିଏ ରୋପଣ କରିବାକୁ ହେବ ।
ଶୋଇବାଘରୁ ବାହାରି ଆସି ବୋଉ ମାମୁଙ୍କୁ କଣ କହିଲା କେଜାଣି, ମାମୁ ବାହାରକୁ ଚାଲିଯାଇଥିଲେ ।ବୋଉ ବନ୍ଦ କରି ଦେଇଥିଲା ଦାଣ୍ଡ ଦୁଆର। ରୋଷେଇଘରେ ହଳଦୀ ମୁଣିରୁ ହଳଦୀ କାଢି ଡବାରେ ରଖୁଥିବା ହାତ ବନ୍ଦ ହୋଇଯାଇଥିଲା ମାଳର । ଟୋପେ ହଳଦୀ ହାତରେ ନେଇ ରୂପା ଗାଲରେ ବୋଳିଦେଲା ସେ । “ଅନେକଜଣ କହିପାରନ୍ତିନି, ମୋ ପରି । ଚୁପ୍ ରହି ସହନ୍ତି ସବୁ। କହିବାପାଇଁ ବି ସାହସ ଦରକାର। ଏବେ ତୁ ସତରେ ବଡ ହୋଇଗଲୁ ରୂପା”। ହସିହସି କହିଲା ମାଳ । ଆଶ୍ୱସ୍ତ ହସଟିଏ ଖେଳିବୁଲୁଥିଲା ତା’ ମୁହଁରେ।
……..