ସମୁଦ୍ରର ଛାଇ


   “ସମୁଦ୍ର ଦେଖିଛ? ଭଲଲାଗେ ସମୁଦ୍ର?” ସାଗର ପଚାରିଲା ସୁମିତାକୁ । ଟିକେ ଭିଜାଭିଜା ଲାଗୁଥିଲା ତା’ ସ୍ୱର । ସୁମିତା ହସିଲା । “ହଁ, ସମୁଦ୍ର ମୋର ଖୁବ୍ ପ୍ରିୟ । ଅନେକଥର ଯାଇଛି ସମୁଦ୍ରକୂଳକୁ । ବାଲି କଙ୍କଡା ପଛରେ ଗୋଡେଇଛି । ଚୁଟ୍ କରି ସେ ବାହାରିପଡେ ତା’ ଗାତ ଭିତରୁ । ଡଗଡଗ ଚାଲିଯାଏ ବାଲି ଉପରେ । ଧରିବାକୁ ଗଲେ ଝଟକରି ଲୁଚିଯାଏ ପୁଣି ବାଲି ଭିତରେ” । ସେମିତି ହସୁହସୁ ଉତ୍ତର ଦେଲା ସୁମିତା । ଖୁବ୍ ଗୋଟେ ଦାର୍ଶନିକ ପରି ସ୍ୱର ଗମ୍ଭୀର କରି କହିଲା ସାଗର, “ଆଉ ସମୁଦ୍ରର ଛାଇ?” ପ୍ରଶ୍ନଟି ପଚାରିସାରି ତୀକ୍ଷ୍ଣ ଦୃଷ୍ଟିରେ ସେ ଚାହିଁଥିଲା ସୁମିତାକୁ । ପ୍ରଶ୍ନଟି ଅସ୍ୱାଭାବିକ ମନେହେଲା ସୁମିତାକୁ। ସ୍ୱର ନିମ୍ନକରି କହିଲା, “ହେତ୍, ସମୁଦ୍ରର ଛାଇ କେଉଁଠୁ ଆସିବ?”  “ସମୁଦ୍ରର ବି ଛାଇ ପଡେ । ସିଧା। ଗୋଟିପଣେ ଘୋଡେଇଧରେ । ସେଦିନ ପ୍ରଥମକରି ପଡିଥିଲା ତା’ ଛାଇ ମୋ ଉପରେ – ସମୁଦ୍ରକୂଳରେ ଏକ ଅଭାବିତ ଅପରାହ୍ନରେ । ଆଉ ସେ ଶୀତଳ ଛାଇତଳେ ଏବେବି ମୁଁ ସୁରକ୍ଷିତ।” ସରଳ ସହଜ ଭାବରେ କହିସାରି ଛେପ ଢୋକିଲା ସାଗର – ଥରେ ନୁହେଁ, ଦି’ଥର ରହିରହି ।
        ନୋଳିଆ ସାହିରେ ଖୁବ୍ ପାଟିଗୋଳ ହେଉଥିଲା ଉତିଆଣି ପୁଅଟିକୁ ନେଇ । ବାଲି ଉପରେ ଛୁଆଟିକୁ ଥୋଇଦେଇ କିଏ ପଳେଇଛି । କନାରେ ଗୁଡାହୋଇ ଗୋରା ତକତକ ସୁନ୍ଦର ପୁଅଟିଏ । “ଏମିତି କିଏ ପିଲାଟିକୁ ଛାଡିଦେଇ ଚାଲିଗଲା ? ନା କିଛି ସମୟ ପାଇଁ ଅଟକି ଯାଇଥିଲା ପିଲାଟିର ନିଶ୍ବାସ ପ୍ରଶ୍ବାସ ? ମୃତ ଭାବି…..”
–“ଥାଉ, ଆଉ କୁହନି ଆଗକୁ । ମୋ ପୁଅ ଇଏ । ସାଗର ।”
ସେମିତି ସେ କନାପଟା ସହ କୋଳକୁ ନେଇଗଲା ରତନୀ । ଚୁପ ପଡିଗଲେ ସମସ୍ତେ । ରତନୀ ଛାତିରେ ବାଲି କଙ୍କଡାଟେ ପରି ସରୁସରୁ ନହନହକା ଗୋଡକୁ ତଳକୁ ଝୁଲେଇ ଓହଳି ପଡିଲା ସାଗର । ତାକୁ ଖୁବ୍ ଜୋର୍‌ରେ ଜାବୁଡି ଧରିଥିଲା ରତନୀ । ହାତରୁ ଖସିଯାଇ ପୁଣି ସେଇ ବାଲି ଭିତରେ ଲୁଚି ନଯାଏ ସେ ଯେମିତି ।
        ରତନୀର ଥନରେ କ୍ଷୀର ନାହିଁ । ସେ ମାଆ ହୋଇନି । ହେଲେ ତା’ ଘରେ ପେଡି ପୁଟୁଳା ଭିତରେ ଅନେକ ପଇସା ସାଇତି ରଖିଛି ସେ । ପଇସା ଦେଇ ମାଆ କ୍ଷୀର କିଣିବାର ସାମର୍ଥ୍ଯ ଅଛି ତା’ର । ପିଲାଟିକୁ ଛାତିରେ ଲଟକେଇ ପୁରା ନୋଳିଆ ସାହିରେ ବୁଲି ଆସିଲା ସେ । “କେତେ ପଇସା ଦବୁ? କହ ଆଗ । ମାଆମାନଙ୍କର ଲମ୍ବା ଲାଇନ୍ ଲଗେଇଦେବି ତୋ ଘର ଆଗରେ”। ବାହୁ ଫୁଲେଇ ଛାତି ଚଉଡାକରି ଦି’ ତିନିଜଣ ନିଜର ପ୍ରତିପତ୍ତି ଜାହିର କଲେ । ରତନୀ ହସିଲା । କହିଲା “ମାଆ କ୍ଷୀରର ମୂଲ ଦେଇପାରିବିନି ମୁଁ ।  ସେ ତ ଅମୂଲ୍ଯ । ଖାଲି ନିର୍ମଳ ହୃଦୟର ମାଆଟେ ଖୋଜୁଛି । ଯାହା ପାଖରୁ କ୍ଷୀର ଟୋପାକ ସହ ନିରୁତା ଭଲ ପାଇବାର ଅମୃତ ଅନୁଭବଟିକୁ ସାଉଁଟି ଆଣିବ ମୋ ପୁଅ ।  ସେଇତକ ଗଢିବ ତା’ କଲିଜାକୁ । କଲିଜା ତା’ର ଟାଣହେବ । ଲଢିବାକୁ ସଦା ପ୍ରସ୍ତୁତ ରହିବ ଏଇ ଅସହଣି ସମାଜ ସହିତ ।” ରତନୀ କହିଲା ଦମ୍ଭର ସହ । ବସି ପଡିଲା ବାଲି ଉପରେ । ନିଜର ବୋଲି ତାର କେହି ନାହିଁ ଏ ନୋଳିଆ ସାହିରେ । କେଉଁଠୁ ଆହା ପଦେ ଶୁଣିବାକୁ ଆଗପରି ଅପେକ୍ଷା ନାହିଁ ତା’ର ଆଉ । ଯେଉଁଦିନଠାରୁ ଦି’ପଇସା ହାତରେ ହେଲା ସେଇଦିନଠାରୂ ଦମ୍ଭ ହୋଇ ଠିଆ ହୋଇଛି ସେ ।
        ରତ୍ନପ୍ରଭା ସହ ଦୁଷ୍କର୍ମ କରି ପାଞ୍ଚଜଣ ଫୋପାଡି ଦେଇ ଯାଇଥିଲେ ଏଇଠି। ଏଇ ସମୁଦ୍ର ବାଲି ଉପରେ। ସେଇ ପାଞ୍ଚଜଣଙ୍କ ଭିତରେ ସେ ବି ଥିଲା, ଯାହାକୁ ରତ୍ନପ୍ରଭା ହୃଦୟ ଦେଇଥିଲା । ତାକୁଇ ଭରସା କରି ଲୁଗାପଟା ଦି’ଖଣ୍ଡ ଧରି ବାହାରି ଆସିଥିଲା ଘରୁ । ସେ କିନ୍ତୁ ତା’ ଭରସାର ଯୋଗ୍ୟ ନଥିଲା । ମିଛ ଦୁନିଆରେ ସତ ଭଲପାଇବା କାଇଁ ଯେ ? ରତ୍ନପ୍ରଭା ବଞ୍ଚିଗଲା ।  ବିହି ତା’ କପାଳରେ ଅନ୍ୟ କିଛି ଲେଖିଥିଲା ।  ଫେରି ଚାହିଁ ନଥିଲା ରତ୍ନପ୍ରଭା ସେ ଛାଡି ଆସିଥିବା ରାସ୍ତାକୁ । କେହି ଖୋଜି ନଥିଲେ ତାକୁ । ରତ୍ନପ୍ରଭାରୁ ରତନୀ ହେଲା ସେ । ସମୁଦ୍ର କୂଳର ନୋଳିଆ ମାନଙ୍କ ସହ ଆତ୍ମା ଯୋଡିଲା । ମାଛ ମାଂସକୁ ହାତ ନ ଲଗଉଥିବା ରତ୍ନପ୍ରଭା ରତନୀ ହେବାପରେ ମାଛ ଶୁଖୁଆଙ୍କ ସହ ଗୋଳି ହୋଇ ରହିଲା । ତା’ ହାତର ଶୁଖୁଆରେ ଏକ ନିଆରା ସୁଆଦ ଥିଲା ନା ଘରଘର ବୁଲି ବିକିଲାବେଳେ ତା’ ଆଖିର କାଉଁରି ମାୟାରେ ପଡୁଥିଲେ ମାଆ ମାଉସୀମାନେ, ସେକଥା ନା ସେ କହି ପାରିବ ନା ଆଉ କିଏ ? ସନ୍ଧ୍ୟାହେଉ ନ ହେଉଣୁ ଟୋକେଇ ଖାଲି ।
         ରତନୀ ବାହା ହେଲାନି । ତା’ର ଚେହେରାରେ ସେମିତି ମାଦକତା ନଥିଲା ନା ତା’ ଦେହଟାକୁ ଉଚ୍ଛିଷ୍ଟ ଭାବି କେହି ଆଗେଇ ଆସିନଥିଲେ କେଜାଣି ? ବାହାହୋଇ ସଂସାର କରିବାର ଆଗ୍ରହ ବି ରତନୀର ନଥିଲା। ମାଛ, ଶୁଖୁଆ, ଗେଣ୍ଡା, କଙ୍କଡାଙ୍କ ଭିତରେ ମେଞ୍ଚାଏ ଅଲୋଡା ଅସନା ମଇଳା ପରି ଗୁଡେଇ ତୁଡେଇ ହୋଇ ଗଡି ଚାଲିଲା ରତନୀର ଜୀବନ। ତା’ ମନରେ ଭୋକନାହିଁ, ଏକୁଟିଆ ସେ କାଟିଦେଇପାରିବ ତା’ ଜୀବନ । ବେଶ୍ ଦମ୍ଭଧରି କହୁଥିବା ଏ କଥା କେଇପଦ ପଛରେ ତା’ କୋମଳ ଆତ୍ମାର କାନ୍ଦଣା କେହି କେବେ ଶୁଣିପାରି ନଥିଲେ ବା ଶୁଣିବାର ଆଗ୍ରହ ରଖିନଥିଲେ।
      ସାଗରକୁ ପାଇ ତାକୁ କୋଳରେ ଧରିଲାପରେ ରତନୀ ଭିତର ଅପତ୍ୟ ସ୍ନେହରେ ଛଳଛଳ ହୋଇଉଠିଲା । ସେ ନିଜେ ଅନୁଭବ କଲା ତା’ ଭିତରେ ଚାପିହୋଇ ରହିଥିବା ସମୁଦ୍ରେ ଭୋକକୁ ।
     ବାଲି ଉପରେ ଥକା ହୋଇ ବସିଥିବା ରତନୀକୁ ବୋତଲ କ୍ଷୀରଟିଏ ବଢେଇଦେଇଥିଲା କେହିଜଣେ ସେଦିନ।  “ପିଲାଟା ଭୋକରେ ଆଉଟି ହେଉଛି । ଦେ, ପିଆଇ ଦେ କ୍ଷୀରତକ । ମାଆକ୍ଷୀର ମିଳିବନି । ତା’ କଲିଜାକୁ ଦୃଢ କରିବାକୁ ତୁ ଏକା ଯଥେଷ୍ଟ । ତୋ ଠୁ ଭଲ ମାଆଟିଏ ସେ ପାଇବନି । ଦେ ପିଆଇ ଦେ ଏ କ୍ଷୀରତକ । ପିଲାଟିର ଜୀବନ ବଞ୍ଚିଯାଉ ।” ନୋଳିଆ ବସ୍ତିର ସମସ୍ତେ ରତନୀକୁ ଭଲ ପାଆନ୍ତି । ରତନୀ ପାଖରେ ଅଛି ନିରୁତା ଭଲପାଇବା ।  ଆଉ କାହାକୁ ଖୋଜିବା କି ଲୋଡା । ରତନୀ ହାଲିଆ ହୋଇଯାଇଥିଲା ସଚ୍ଚା ମାଆଟିଏ ଖୋଜୁଖୋଜୁ । ବୋତଲ ପାଟିରେ ଛୁଆଁଉ ଛୁଆଁଉ ଚଁ ଚଁ କରି ଗୋଟାକଯାକ ବୋତଲ ଖାଲି କରିଦେଲା ପୁଅ । ପେଟ ପୂରିଗଲାପରେ ଶାନ୍ତିରେ ଆଖିବୁଜି ଶୋଇଗଲା ସେ ରତନୀ କୋଳରେ । ସମୁଦ୍ର ବାଲି ଉପରୁ ଆଶାର ଛାଇଟେ ସେଇଦିନ ଘୋଡେଇ ପକେଇଥିଲା ମାଆପୁଅ ଦୁହିଁଙ୍କୁ ।
         ସାଗରକୁ ନେଇ ଦୁନିଆ ସହ ଲଢିଛି ରତନୀ । ନୋଳିଆ ବସ୍ତିର ଅନ୍ୟ ପିଲାଙ୍କ ପରି ସମୁଦ୍ରକୁ ନିଜର ଘର କରିଛି ସାଗର ।  ଅଥଳଥଳ ସମୁଦ୍ର ଭିତରେ ଡଙ୍ଗା ବାହିଛି । ମାଛ, କଙ୍କଡା ଧରିଛି । ଭେଳାରେ ବସି ଲହରୀ ଭାଙ୍ଗିଛି । ତା’ ସହିତ ରତନୀର ଉତ୍ସାହରେ ପାଠ ପଢିଛି । ଦିନରାତି ଏକାକାର କରି ପରିଶ୍ରମ କରିଛି। ସମୁଦ୍ରର ବାଲିରେ ତାକୁ ପରିଚୟ ମିଳିଛି । ମିଳିଛି ରତନୀ କୋଳର ଅଭୟ ଆଶ୍ରୟ । ସମୁଦ୍ର ପରି ବିଶାଳ ତା’ ମାଆର ମନ । ସମୁଦ୍ର କହିଲେ ସେ ତା’ ମାଆକୁ ହିଁ ବୁଝେ ।
        ସୁମିତା ଆଗରେ ସାଗର ଖୋଲି ଦେଇଛି ତାର ଜୀବନ ଫରୁଆ । “ଜାଣିଛ ସୁମିତା, ସମୁଦ୍ର କାହାଠାରୁ କିଛି ରଖେନା । କାହାର ଧାରୁଆ ହୋଇ ରହେନା ସେ କେବେ ।” କେଜାଣି କେମିତି ସ୍ବପ୍ନାବିଷ୍ଟ ଥିଲା ସାଗର । “ମୋତେ ପରିଚୟ ଦେବା ନିଶାରେ ମାଆ ସାଉଁଟି ନେଇ ନିଜ ଭିତରେ ଲୁଚେଇ ଦେଇଛି ମୋର ଅତୀତ, ମୋର ଅସହାୟତାକୁ। ବଦଳରେ ଭରପୁର ଭଲପାଇବାଦେଇ ସେ ମୋ ଭିତରେ ଗୋଟେ ଅସମ୍ଭବ ଆତ୍ମ ପ୍ରତ୍ୟୟ ସୃଷ୍ଟି କରିଛି। ଜୀବନର ଡହଡହ ଖରା ସମୟରେ ବି  ଛାଇଟେ ଖୋଜିବାକୁ ମତେ କେଉଁଆଡେ ଯିବାକୁ ପଡିନି । ସମୁଦ୍ର ପରି ବିଶାଳ ମୋ ମାଆର ହୃଦୟ । ସେ ମତେ ଢାଙ୍କି ରଖିଛି ତା’ ଛାଇରେ ଆଢୁଆଳ କରି । ସମୁଦ୍ର ପରି ଦିଗନ୍ତ ବିସ୍ତାରି ମୋ ମାଆର ପଣତକାନି ଆଉ ମୁଁ ନିରାପଦ ତା’ ଛାଇରେ ।” ସୁମିତା ଶୁଣୁଥିଲା ସାଗରକୁ ନିବିଷ୍ଟ ଭାବରେ । ମୁହଁରେ ତା’ର ସନ୍ତୋଷର ସ୍ମିତ ହସଟିଏ ଖେଳିବୁଲୁଥିଲା । ସାଗର ପଚାରୁଥିବା ସମୁଦ୍ରର ଛାଇଟିକୁ ଏଥର ସ୍ପଷ୍ଟ ଦେଖିପାରୁଥିଲା ସେ ସାଗରର ଆଖିରେ, ମୁହଁରେ । ସେଇ ଶାନ୍ତ ଶୀତଳ ଛାଇଟି ତଳେ ନିଜକୁ ଲୋଟେଇ ଦେବାକୁ ସୁମିତା ଖୋଲିଦେଲା ନିଜ ହୃଦୟର ଦୁଆର..
…….

Leave a comment