ଚିହ୍ନା ଚିହ୍ନା ଜହ୍ନରାତି

ଗୋଟେପଟେ ସହର, ଆରପଟେ ସାଗର। ସହରର କୋଳାହଳ ଆଉ ସାଗରର ସ୍ୱରକୁ ବିଭକ୍ତ କରି ଗଢି ଉଠିଥିବା ମାରିନ ଡ୍ରାଇଭରେ ବସିଥିଲି ମୁଁ ସାଗରକୁ ମୁହଁ କରି । ଆକାଶରେ ପୂର୍ଣ୍ଣମୀର ଜହ୍ନ  । ଅଚିହ୍ନା ଲାଗୁଥିଲା ଆକାଶ । ଆକାଶ ଆଡୁ ଦୃଷ୍ଟି ଫେରାଉଥିଲି । ଢେଉ ସବୁ ପିଟି ହେଉଥିଲେ ମୋ ପାଦତଳୁ ସମୁଦ୍ର ଯାଏଁ ଲମ୍ବି ଯାଇଥିବା ପଥର ଖଣ୍ଡ ଉପରେ । ମୁଁ ବସିଥିଲି ଚୁପଚାପ । ଶୁଣିବାକୁ ଚେଷ୍ଟା କରୁଥିଲି ସାଗରର ଗୀତି । ବାରମ୍ବାର ଆସୁଥିବା ଯାଉଥିବା ତା’ର ଢେଉଗୁଡା କିଛି କହିବାର, କିଛି ଶୁଣିବାର ପ୍ରଚେଷ୍ଟାରେ ଲାଗିଥିଲେ ଅହରହ ।
        ପଥର ଦେହରେ ଲଟକି ରହିଥିଲେ କୁନିକୁନି କଙ୍କଡା । ସେମାନଙ୍କୁ ଚାହିଁ ତଳକୁ ମୁଣ୍ଡ ପୋତି ଖୁବ ସାବଧାନତାର ସହ ଲହ ଲହକା ଗୋଡ଼କୁ ଧୀରେ ଧୀରେ ଆଗକୁ ବଢ଼ାଇ ଚାଲୁଥିଲା ସେ, ସଫେଦ  ଧଳା ରଙ୍ଗର ବଗ ପକ୍ଷୀଟି । ସାଗରର ଖୁବ ପାଖରେ ସେମାନେ। ବୋଧହୁଏ ସେମାନଙ୍କ ସହ କଥା ବାଣ୍ଟିବାରେ ସକ୍ଷମ ଥିବ ସାଗର । ସକ୍ଷମ ଥିବ ନିଜକୁ ସେମାନଙ୍କ ସହ ଏକାତ୍ମ କରିଦେବାରେ । ମୁଁ କିନ୍ତୁ ସହରର ସମସ୍ତ କୋଳାହଳକୁ ପଛକରି ବସିଥିଲି ସାଗରକୁ ଶୁଣିବାକୁ । କାନ ଡେରିଥିଲି ଶୁଣିବାକୁ, ବୁଝିବାକୁ ସେ ଢେଉ ମାନଙ୍କର ସ୍ୱର । ଶବ୍ଦ ପ୍ରଦୂଷଣ ବ୍ୟସ୍ତ କରୁଥିଲା ମତେ । ମୁଁ ମୋର ଏକାଗ୍ରତା ହରାଉଥିଲି । ନା ଜ୍ୟୋତ୍ସ୍ନାଲୋକ ମତେ ଆକର୍ଷିତ କରିପାରୁଥିଲା, ନା ସାଗରକୁ ଶୁଣି ପାରୁଥିଲି ମୁଁ । ସହର ଆଉ ତା’ କୋଳାହଳ ମତେ ଅତିଷ୍ଠ କରୁଥିଲା । ସେ ବି ବସିଥିଲା ଠିକ ମୋ’ ପଛପଟେ ପଥର ବନ୍ଧକୁ ଏକଦମ ଲାଗିକରି ତା’ ହୁଇଲ ଚେୟାରଟି ଉପରେ । ହୁଇଲ ଚେୟାରର ବାଁ ପଟକୁ ଅଳ୍ପ ଢଳି ଯାଇଥିଲା ସେ। ତା’ମୁଣ୍ଡଟି ଝୁଲି ରହିଥିଲା ତଳକୁ । ସେ ବି ମୋ’ ପରି ସମୁଦ୍ରର ସ୍ୱରକୁ କାନେଇ ରହିଥିଲା । ବୋଧହୁଏ ସେ ବି  ମୋରିପରି ସହରର କୋଳାହଳକୁ ଆଡ କରି ସମୁଦ୍ରକୁ ବୁଝିବାର ନିଶାରେ ଥିଲା।
      ସମୁଦ୍ରର ଆମକୁ ନିଘା ନ ଥିଲା । ସେ ସେମିତି ଢେଉହୋଇ ଧାଇଁ ଆସୁଥିଲା ଆଉ ଅଜାଡି ହୋଇ ପଡୁଥିଲା ପଥର ଖଣ୍ଡ ଗୁଡାକ ଉପରେ । ହସୁଥିଲା, କାନ୍ଦୁଥିଲା, ଅଭିମାନ କରୁଥିଲା ??? 
      ଖୁବ ନିକଟର ଅସ୍ପଷ୍ଟ ଶବ୍ଦରେ ମୋହଭଗ୍ନ ହେଲା ମୋର । ବୁଲିପଡ଼ିଲି ତା’ ଆଡେ । ତା’ ମୁଣ୍ଡକୁ ବାଁ ହାତରେ ଟେକି ଧରି ପାଟିରୁ ତା’ର ବୋହି ଆସିଥିବା ଲାଳ ପୋଛୁଥିଲା ସେବିକାଟି । ତା’ ଆଖି ଆକାଶକୁ ଦେଖୁଥିଲା, ମୁଣ୍ଡ ଉପରକୁ ଟେକା ହୋଇଥିବାରୁ ସେ ଆକାଶକୁ ଦେଖି ପାରୁଥିଲା ସେତେବେବେଳେ, ତେଣୁ ତା’ ନଜରରେ ଥିଲା ଚମକ । ମୁଗ୍ଧ ହୋଇ ସେ ଦେଖୁଥିଲା  ଆକାଶକୁ । ଦେଖୁଥିଲା ରୂପଥାଳି ପରି ଝଟକୁ ଥିବା ପୂର୍ଣ୍ଣମୀର ଜହ୍ନକୁ । ସେ ତା’ର ଆଖିରେ ଭରି ନେଉଥିଲା ଜହ୍ନର ସୌନ୍ଦର୍ଯ୍ୟକୁ । ଗାଧୋଇ ପଡୁଥିଲା ଜ୍ୟୋତ୍ସ୍ନାର ଶୀତଳ କିରଣରେ । ସାମୟିକ ନଜରରେ ପଡିଥିବା ଅପରୂପ ରୂପରାଶି ଭିତରେ ବିଲୀନ ହୋଇଯିବାକୁ ଚାହୁଁ ଥିଲା ସେ । ମୁଁ ଦୃଷ୍ଟି ଫେରାଇଲି ଆକାଶକୁ, ଦେଖିଲି ଏଥର ତା’ ନଜରକୁ ଚୋରେଇ ଆଣି । ମୁଗ୍ଧ ହେଲି । ମୋର ସମର୍ଥ ନଜରକୁ ଏବେ ଚିହ୍ନିଲି । ଚାରି ପାଖର ପର୍ଯ୍ୟାପ୍ତ ଖୁସିକୁ ଅଣଦେଖା କରୁଥିବା କ୍ଷଣିକ ପୂର୍ବର ଅସ୍ଥିରତା ଅପସରି ଯାଇଥିଲା । ରହିରହି ଦେଖିଲି ତାରା ପୁଞ୍ଜକୁ । ଆହାଃ! କି ସୁନ୍ଦର ଆକାଶ, କେତେ ତାରା !! ମନେ ହେଉଥିଲା ଜହ୍ନ ହାତଠାରି ଡାକୁଛି ମତେ । ଆଃ, କି ସୁନ୍ଦର । ଏଥର ଆକାଶ ମତେ ଚିହ୍ନା ଚିହ୍ନା ଲାଗୁଥିଲା । ତା’ ନଜରର ତୃପ୍ତିକୁ ମୋ ଆଖିରେ ସାଉଁଟି ନେବା ପରେ କେତେ ଉଶ୍ୱାସ ମନେ କରୁଥିଲି ନିଜକୁ । ଅଳ୍ପ କେତୋଟି ମୁହୂର୍ତ୍ତ ସେ ଆକାଶକୁ ଦେଖିବାର ସୌଭାଗ୍ୟ ପାଇଥିଲା, ଅଥଚ ସେଇ  କେତୋଟି ମୁହୂର୍ତ୍ତ ଭିତରେ ସାରା ଆକାଶକୁ, ଆକାଶ ଭର୍ତ୍ତି ତାରାଙ୍କୁ, ଫୁଲେଇ ଜ୍ୟୋତ୍ସ୍ନାକୁ ଗୋଟାପଣେ ନିଜର କରିନେବାରେ ମଗ୍ନ ତାର ଦୁଇ ଆଖି ମତେ  ଅନେକ କିଛି  ଶିଖାଇ ଦେଇଥିଲା ।  ଆକାଶ ଆଡୁ ଆଖି ଖସାଇ ଚାହିଁଲି ତାକୁ – ତା’ ଢଳି ରହିଥିବା ଆଖି ମୋ’ ନଜର ଆଢୁଆଳରେ ।
        ଏଥର ସମୁଦ୍ର କିଛି କହୁଥିବାର ଶୁଣିଲି ମୁଁ । ଶିହରଣ ଖେଳିଗଲା ମୋ’ ଦେହରେ । ଏବେ ମୁଁ  ସ୍ପଷ୍ଟ ଶୁଣିପାରୁଥିଲି  ସାଗରର ମନଛୁଆଁ ଗୀତ । ଯେଉଁ ଗୀତକୁ ଢେରବେଳୁ ଶୁଣିଆସୁଛନ୍ତି ସେମାନେ । ସହରର କୋଳାହଳ ସେମାନଙ୍କୁ ବ୍ୟତିବ୍ୟସ୍ତ କରିପାରୁନି ଆଦୌ । ଜହ୍ନ ଆଲୋକ ବିଛେଇ ହୋଇ ପଡିଛି ସେମାନଙ୍କ ଉପରେ । ସେଇ କୁନି କୁନି କଙ୍କଡା, ସେଇ ଠାପୋଇ  ବଗ, ଆଉ ସେଇ ଧଳା ଫେନିଳ ଲହରୀ ମାଳ । ସେମାନେ ତଲ୍ଲୀନ ହୋଇଯାଇଛନ୍ତି । ସହରର କୋଳାହଳ ମତେ ଆଉ ଶୁଣାଯାଉ ନ ଥିଲା । ‘ଜୀବନପାତ୍ର ମୋ ଭରିଛ କେତେମତେ ….’ ଗୁଣୁଗୁଣେଇଲି । ଆଜିଯାଏଁ ଶିଖିନଥିବା ଜୀବନର ଅସଲ ମନ୍ତ୍ରକୁ ସେଇ ଗୋଟିଏ ନଜରରେ ଶିଖେଇ ଦେଇଥିବା ସେ ଝିଅଟିକୁ କୃତଜ୍ଞତା ଜଣେଇବାକୁ ମୁଁ ଫେରିପଡ଼ିଲା ବେଳକୁ ତାର ହୁଇଲ ଚେୟାର ଗଡି ଯାଇଥିଲା ବେଶ କିଛି ଦୂରକୁ …

(୨୦୧୯ ପୂଜା ସଂଖ୍ୟା ‘ଭିଜାମାଟି’ରେ ପ୍ରକାଶିତ)

****

One thought on “ଚିହ୍ନା ଚିହ୍ନା ଜହ୍ନରାତି

Leave a reply to rajibsagaria Cancel reply