ନିୟତି ଆଜି ଅନେକ ଦିନପରେ ଫେସବୁକ ଖୋଲିଲା । ଅପ୍ରକୃତ ଇଣ୍ଟରନେଟ-ସମାଜର ଦଲକାଏ ହାଲୁକା ପବନ ଛୁଇଁଗଲା ମନ ପ୍ରାଣକୁ। ଏ ଏକ ଅଦ୍ଭୁତ ରାଜ୍ୟ । ବନ୍ଧୁ ତାଲିକା ଫୁଲିଉଠେ ଏଠି ନୂଆ ନୂଆ ବନ୍ଧୁ ସମାଗମରେ – ଅଦେଖା, ଅଜଣା ବ୍ୟକ୍ତିମାନେ ମଧ୍ୟ ଘନିଷ୍ଠ ଲାଗନ୍ତି ନିୟତିକୁ, ସେମାନଙ୍କ ଗପ ଓ କବିତାର ମାର୍ମିକ ସ୍ପର୍ଶରେ।
ବହୁତ ଦିନପରେ ଆଜି କବିତାଟିଏ ଲେଖିଛି ସେ । ଫେସବୁକରେ ପୋଷ୍ଟ କରିଦେବ । ଦୁଇ ତିନିଜଣ ସାଙ୍ଗବି ଫୋନ କରି କହିଲେଣି, ‘ବହୁତ ଦିନ ହେଲା ତୁମ ପୋଷ୍ଟ ଦେଖୁନୁ, ନିୟତି ? କବିତା ଲେଖୁନ କି ଆଜିକାଲି ? ଆଜିବି ପାଠକ ପାଠିକାଙ୍କ ତା’ଲେଖା ପ୍ରତି ଭଲପାଇବା ଦେଖି ଉତ୍ସାହିତ ହୁଏ ନିୟତି । ତା’ ଲେଖା ଜରିଆରେ ସେ ଯେ ଅନ୍ୟ କାହାର ମନକୁ ଛୁଇଁପାରେ – ଏ ଆତ୍ମପ୍ରତ୍ୟୟ ଜମାଟବାନ୍ଧେ ତା ଭିତରେ । ତା’ ହୃଦୟରେ ଏମିତି ଛଟପଟ ହେଉଥାଏ ଅନେକ ଭାବର ଫୁଆରା – ସେ ସବୁକୁ ବାନ୍ଧି ରଖନ୍ତାକି ସେ ସୂକ୍ଷ୍ମ, ନିଆରା କବିତାର ଫରୁଆ ମାନଙ୍କରେ ? ଆଙ୍କି ଦିଅନ୍ତାକି ତା’ ମନର କଥାବସ୍ତୁକୁ କବିତାର କ୍ୟାନଭାସ ଉପରେ ?
ନିୟତି ଜାବୁଡି ଧରିଥିଲା ଲେଖନୀକୁ । ଗୁନ୍ଥି ଦେଇଥିଲା ଶବ୍ଦର ପାଖୁଡାରେ କବିତାର ଗୋଲାପଟିକୁ। ପଢିଥିଲା ବାରମ୍ବାର । କିନ୍ତୁ ନିଜ ରଚିତ କବିତାଟି ନିଜକୁ ଖୁବ ଅଲଗା ଲାଗିଥିଲା ଆଜି । ନିରେଖି ଦେଖିଲା ପୁଣିଥରେ ଲେଖିସାରିଥିବା ପଂକ୍ତି ଗୁଡିକୁ । ମନେ ହେଉଥିଲା ଏ କବିତାଟିରେ ଆଉ କାହାର ପ୍ରଭାବ – ଆଉ କାହା ଲେଖାଦ୍ୱାରା ପ୍ରଭାବିତ ହୋଇଛି କି ସେ? ସେଇ କବିତାଟିରେ ନିଜକୁ ଦେଖିପାରୁନଥିଲା ସେ ଆଦୌ । କବିତାଟି ଯେମିତି ଝରିପଡିଛି ଆଉ କାହା ଲେଖନୀରୁ । ଏ ଯେ ପ୍ରେମ ଜୁଡୁବୁଡୁ କବିତାଟିଏ ! ଯେତିକି ଯେତିକି ପଢିଲା, ସେତିକି ସେତିକି ଭଲ ଲାଗିଲା ନିୟତିକୁ । ସେଇଟି ଥିଲା ସାରା ସୃଷ୍ଟିକୁ ପ୍ରେମ ଓ ଭଲପାଇବାର ପୂତ ମନ୍ତ୍ରରେ ସାଉଁଟି ଧରିବାର କବିତା, ଜୀବନକୁ ଜିଇଁବାର କବିତା ।
ଫେସବୁକରେ କବିତାଟିକୁ ପୋଷ୍ଟ କରିବା ସମୟରେ ହିଁ ସେଇ ଅଦେଖା କବିଟିର ଛବିଟି ପହଁରି ଆସିଥିଲା ଆଖି ସାମ୍ନାରେ । ଅଳ୍ପ ଦିନ ଆଗରୁ ବନ୍ଧୁ ହେବାକୁ ଅନୁରୋଧଟିଏ ଆସିଥିଲା ତା’ପାଖରୁ । ବନ୍ଧୁ ହେବାପରେ ତା’ ପୃଷ୍ଠା ଖୋଲି ଅନେକ ଗୁଡିଏ କବିତା ପଢିଥିଲା ନିୟତି । ସେ ସବୁ ଥିଲା ରୋମାଣ୍ଟିକ କବିତା । ବଡ଼ ଚମତ୍କାର ଓ ରୋମାଞ୍ଚକର ଉପସ୍ଥାପନା । ଅତୀତର ଅନେକ କାଳଜୟୀ ପ୍ରୀତି କାବ୍ୟର ଆଧୁନିକ ସଂସ୍କରଣ ସତେଯେପରି । ଭଲ ଲାଗିଲା ପଢିବାକୁ । କିଛି ପଂକ୍ତି ପଢିଥିଲା ବାରମ୍ବାର ।
ଦର୍ଶନ ଓ ଆଧ୍ୟାତ୍ମିକତାକୁ ନେଇ କବିତା ଲେଖୁଥିବା ନିୟତି ଆଜି ଲେଖିଛି ଛଳଛଳ ଏକ ପ୍ରେମ କବିତା । କବିତାଟିକୁ ପୋଷ୍ଟ କରିଥିଲା ଫେସବୁକ ବନ୍ଧୁମାନଙ୍କ ପାଇଁ । କେମିତି ଗୋଟେ ଆତଙ୍କରେ ବିତୁଥିବା ଏ ଭୟଙ୍କର ମହାମାରୀ ସମୟରେ, ଅସରନ୍ତି ଦୁଃଖ କଷ୍ଟରୁ ନିଜକୁ ସାମାନ୍ୟ ମୁକୁଳାଇ ନେଇ, ସେଇ ଅଜଣା କବିଟିର କବିତାରେ ନିଜ ଅଜାଣତରେ ଉବୁଟୁବୁ ହୋଇ, ସେ ଲେଖିଥିବା ପ୍ରଥମ ଶାଶ୍ୱତ ପ୍ରେମ କବିତାଟିକୁ ପୋଷ୍ଟ କରିଦେବା ପରେ ତା’ ଆଖି ପହଁରି ଆସିଲା ପୃଷ୍ଠାଟି ଉପରେ ।
ଶୋକ ସମ୍ବାଦଟିଏ ।
ଓଃ, ପୁଣି ଆଜି ବି ? ଗତ କେତେଦିନ ହେଲା ମୃତ୍ୟୁର ବିଭୀଷିକା ଚାରିଆଡେ । ଖୁବ ଅସହାୟ ଲାଗୁଛି । ମହାମାରୀର ଏ ଅନିୟନ୍ତ୍ରିତ ପରିସ୍ଥିତି ଭିତରେ ଥାଇ ବି ଜୀବନ ସଙ୍ଗୀତ ଗାଇବାକୁ ଚେଷ୍ଟା କରିଆସୁଛି ସେ ଏଇ କେଇଦିନ ହେଲା । ଆଜି ଲେଖିଛି ଜୀବନର ଗୀତ । ଜୀବନକୁ ଭରପୁର ଜିଇଁବାର ଧାଡିସବୁ ଲେଖିଲାବେଳେ ଅନୁଭଵ କରିଛି ସେଇ ସବୁକୁ ହୃଦୟଦେଇ । ଅଥଚ ଆଖିଆଗରେ ପୁଣି ଶୋକ ସମ୍ବାଦ । ପଢିଲା । ସେଇ ତରୁଣ କବିଟିର ନାଁ । ନିରୀହ, ଛଳଛଳ ତା’ର ଛବିଟି ତଳେ କେତେକେତେ ଜଣା ଅଜଣା ବ୍ୟକ୍ତିଙ୍କର ଶୋକବାର୍ତ୍ତା । ଆଖି ଲୁହରେ ଭିଜିଯାଇଥିଲା । ଗରମ ଲୁହର ଧାରଟିଏ ଗଡି ଯାଉଥିଲା ତା’ର ଚିବୁକ ଦେଇ।
ଏବେ ଏବେ ରଙ୍ଗୀନ ଦୁନିଆଁରେ ପାଦ ଥାପିଥିବା ସେଇ ତରୁଣ କବିଟି ପାଇଁ ‘ଆହା’ ଶବ୍ଦଟିଏ ଚିପିଧରିଥିଲା ତଣ୍ଟିକୁ ତା’ର ।
ଫେସବୁକ ପୃଷ୍ଠାରେ ସଦ୍ୟ ପୋଷ୍ଟ କରିଥିବା ତା’ର ପ୍ରାଣୋଚ୍ଛଳ ନୂଆ କବିତାଟିକୁ ପସନ୍ଦ କରି ବନ୍ଧୁମାନେ ଦେଉଥିବା ମନ୍ତବ୍ୟ ଗୁଡିକ ଧାଡି ବାନ୍ଧୁଥିଲେ ଗୋଟିକ ପରେ ଗୋଟିଏ….
****