ସ୍ଵଳ୍ପ ସମୟ ପାଇଁ ସ୍ମୃତିହ୍ରାସ ହେଉଥିଲା ତାଙ୍କର । ସେଇ କିଛି ସମୟ ପାଇଁ ଅତୀତକୁ ଫେରି ଯାଉଥିଲେ ସେ । ଭୁଲି ଯାଉଥିଲେ ନିଜକୁ । ପର-ଆପଣା ସବୁକିଛି ପାଶୋରି ଯାଇ କେଉଁ ଏକ ନିଆରା ଜଗତରେ ବିଚରଣ କରୁଥିଲେ ଯେମିତି । ଅତୀତର ସ୍ମୃତି ଆବୋରି ବସୁଥିଲା ବର୍ତ୍ତମାନକୁ । ସମସ୍ତେ ଲାଗୁଥିଲେ ନିଜର । ନିଜ ଲୋକ ମାନଙ୍କୁ ଦେଖିବାର, ପାଖରେ ପାଇବାର ଅସମ୍ଭବ ଲାଳସା ତାଙ୍କୁ ଏମିତି ଏକ ନୂଆ ପରିବେଶକୁ ଟାଣି ନେଉଥିଲା କି କ’ଣ କେଜାଣି? କିଛି କ୍ଷଣ ତାଙ୍କର ଏ ଭୁଲାପଣ ଅନ୍ୟମାନଙ୍କ ସହିତ ବାନ୍ଧି ପକାଉଥିଲା ତାଙ୍କୁ, କେତେକେତେ ସମ୍ପର୍କର ଡୋରୀରେ । ପୁରା ଡାକ୍ତରଖାନାରେ ପର ହୋଇ ବି ଆପଣାର ହୋଇ ରହିଯାଉଥିଲେ ସେ ଅଜଣା ମଣିଷ ମାନଙ୍କ ମନ ଭିତରେ । କାହିଁକି କେଜାଣି, କେହି ଜଣେ ବି ଆପତ୍ତି ଉଠାଇନଥିଲେ ସେଇ ନାରୀଟିର ଏ ଅସ୍ଵାଭାବିକ ଆଚରଣକୁ ନେଇ । ହଁ, ଗତ ତିନିମାସ ହୋଇଗଲାଣି ସାବିତ୍ରୀ ନାମଟି କେବଳ ଡାକ୍ତରଖାନାର କାଗଜ ପତ୍ର ଭିତରେ ଲିପିବଦ୍ଧ ହୋଇ ରହିଛି । କିନ୍ତୁ ଏଇ କେତେଦିନ ଭିତରେ ତାଙ୍କ ପରିଚୟ ପୁରା ଡାକ୍ତରଖାନା ଭିତରେ ହୋଇଯାଇଛି ‘ଚଉଦ ନମ୍ବର’ । ସେଇଟି ତାଙ୍କ କୋଠରୀର ନମ୍ବର । ଡାକ୍ତରଖାନାର ତଳ ବାରଣ୍ଡାର କଡ଼ପଟର ସେଇ ଅବହେଳିତ କୋଠରୀଟିରେ ଥିବା ଅଲୋଡା ନାରୀଟିଏର ବର୍ତ୍ତମାନର ପରିଚୟ ଚଉଦ ନମ୍ବର । ଆସୁଥିବା ଯାଉଥିବା ରୋଗୀ ମାନଙ୍କର ଓ ତାଙ୍କ ଆତ୍ମୀୟ ସ୍ଵଜନମାନଙ୍କ ଜାଣ-ଅଜାଣତରେ ଆଙ୍କିହୋଇ ରହି ଯାଉଛନ୍ତି ମନ ଭିତରେ ସ୍ମୃତିଟିଏ ହୋଇ ସେ । ସେମିତି କେବଳ ସାଧାରଣ ସ୍ମୃତିଟିଏ ନୁହେଁ, ହୁଏତ ନୀଳକଣ୍ଠଙ୍କର ହୃଦୟ ଭିତରେ ସ୍ନେହର ଫଲ୍ଗୁ ହୋଇ ସେ ଝରୁଥିବେ ଏଣିକି ଚିରକାଳ । ସେଇ ମୂହୁର୍ତ୍ତଟିକୁ ସତେ କଣ କେବେ ଭୁଲିଯାଇପାରିବେ ନୀଳକଣ୍ଠ !
ନୀଳକଣ୍ଠ ଭାବୁନଥିଲେ କିଛି । ନିଜକୁ ଆକଟି ନେବାର ଶକ୍ତି ହରାଇ ବସିଥିଲେ । ସେଇ ଅଜଣା ସ୍ତ୍ରୀଲୋକ ଜଣକ ବସିଥିଲେ ଏକଦମ୍ ପାଖରେ । ସ୍ନେହରେ ଆଉଜାଇ ନେଇଥିଲେ ନୀଳକଣ୍ଠଙ୍କୁ ତାଙ୍କ ଛାତି ଉପରେ ଅତି ନିବିଡ ଭାବରେ । ପୁଣି ଲୁହ ଲାଳ ଏକାକାର କରି, ପ୍ରଗଳ୍ଭପରି ବୋକ ଦେଉଥିଲେ ନୀଳକଣ୍ଠଙ୍କର ମୁହଁ, ଦେହ, ହାତ ଓ ପାପୁଲିରେ । ନୀଳକଣ୍ଠ ଗୋଟେଇ ହେଇ ଯାଉଥିଲେ । ମେଞ୍ଚା ହୋଇ ଲାଖି ଯାଇଥିଲେ ତାଙ୍କ ଛାତିରେ । ସ୍ନେହ, ପ୍ରେମ, ଉଦାରତାରେ ଜୁଡୁବୁଡୁ ସେ ନିବିଡ ସ୍ପର୍ଶ । ନୀଳକଣ୍ଠ ବିସ୍ମରି ଯାଇଥିଲେ ନିଜକୁ । କିଛି ମୁହୂର୍ତ୍ତ ପୂର୍ବର ଭୟ ଆଉ ଅସ୍ଵସ୍ତିଭାବ ଅପସରି ଯାଇଥିଲା । କେବଳ ସେଇ ନାରୀ ଜଣକ ଜଡାଇ ଧରିଥିଲେ ନୀଳକଣ୍ଠଙ୍କୁ ଆପଣାପଣରେ । ତାଙ୍କ ଛଡ଼ା କେହି ବୋଧେ ନଥିଲେ ସେ ଆଖପାଖରେ । କେହି ବି ନୁହେଁ !!
ଆରତି ଶୋଇପଡ଼ିଥିଲେ । ବିଚାରୀ ସାରାଦିନ ଘର, ଡାକ୍ତରଖାନା ଦୌଡ଼ି ଦୌଡ଼ି ହାଲିଆ ହୋଇ ପଡିଛନ୍ତି । ନୀଳକଣ୍ଠଙ୍କୁ ଡାକ୍ତରଖାନାରେ ଏକା ଛାଡିଦେଇ ସେ କଣ ଶାନ୍ତିରେ ରହିପାରିଥା’ନ୍ତେ ଘରେ ? ଘରେ ଆଉ କିଏ ଅଛି ଯେ ସେମାନଙ୍କ କଥା ବୁଝିବ? ପିଲାମାନେ ତ ଦୂରରେ । ଆରତି ଶୋଇଛନ୍ତି ଗଭୀର ନିଦରେ । ସେଇ ସ୍ତ୍ରୀ ଲୋକ ଜଣଙ୍କର ଆସିବା, ସେଇଠି ନୀଳକଣ୍ଠଙ୍କର ଘନିଷ୍ଠ ହୋଇ ବସିବା, ସୁଁ ସୁଁ ହୋଇ ତାଙ୍କର କାନ୍ଦଣା, କଥାବାର୍ତ୍ତା – କିଛିବି ଜାଣି ପାରିନାହାନ୍ତି ଆରତି । ସେଇ ସ୍ୱଳ୍ପ ସମୟ ଭିତରେ ନୀଳକଣ୍ଠ ନିଜର ଅତୀତକୁ ଫେରିପାଇଛନ୍ତି ନୂଆ ଏକ ରୂପରେ ।
ପୁରା ଡାକ୍ତରଖାନାରେ ହଇଚଇ ପଡିଯାଇଥିଲା ସେତିକି ସମୟ । । ପ୍ରତି କୋଠରୀ – ତଳ, ଉପର, ଶିଡି, ଛାତ – କିଛି ବି ବାଦ୍ ପଡ଼ିନଥିଲା । ଶେଷରେ ମିଳିଗଲେ ସେ । ନୀଳକଣ୍ଠଙ୍କଠାରୁ ଅଲଗା କରି ତାଙ୍କୁ ନେଇଗଲେ ଡାକ୍ତରଖାନାର ତିନି ଚାରିଜଣ କର୍ମଚାରୀ । ଜୋର୍ କରି ନେଇଗଲେ ତାଙ୍କୁ ସେମାନେ । ଥରେ ଖାଲି ବୁଲି ଚାହିଁ ଥିଲେ ସେ ନୀଳକଣ୍ଠଙ୍କୁ ଅସହାୟ ମୁଦ୍ରାରେ । କେତେ ଆକୁଳତା, କେତେ ନିରୀହପଣ ଛଳଛଳ ହେଉଥିଲା ସେ ଆଖି ଦୁଇଟିରେ । ନୀଳକଣ୍ଠ କିଛି କରିପାରିନଥିଲେ । ସେମାନଙ୍କ ହାତରୁ ତାଙ୍କୁ ମୁକୁଳେଇ ଆଣିବାର ଚେଷ୍ଟା ବି ନୁହେଁ । ବସିଥିଲେ ଚୁପ୍ ଚାପ୍ । ସେମିତି ମେଞ୍ଚା ହୋଇ । ବାର ଚଉଦ ବର୍ଷର ଏଇ ମାତ୍ର କୈଶୋର ଛୁଉଁଥିବା ଅବୋଧ ବାଳକଟିଏ ପରି, ଅନୁସନ୍ଧିତ୍ସୁ ଆଖିନେ଼ଇ ।
ଆଉ ସେଇ ସମୟରେ ଉଠି ପଡିଲେ ଆରତି ।
-‘କିଏ ସେ ମହିଳା ଜଣକ? ଏଠି କାହିଁକି?’ ଅନେକ ପ୍ରଶ୍ନ ଆରତିଙ୍କ ଆଖିରେ । ଡାକ୍ତରଖାନାର ସେଇ କର୍ମଚାରୀମାନେ ଆରତିଙ୍କ ପ୍ରଶ୍ନର ସହଜ ଉତ୍ତର ଦେଲେ –‘ଚଉଦ ନମ୍ୱର୍’ ।
-‘ଓଃ…..’ ଆରତି ନିଃଶ୍ୱାସ ମାରିଲେ ।
ପ୍ରୋଟିନ ପାଉଡର ଗୋଳେଇ ନୀଳକଣ୍ଠଙ୍କୁ ପିଆଇବାକୁ ବସିଗଲେ ପାଖରେ ।
କେତେ ବା ସମୟ ସେ ମହିଳା ଥିଲେ ଏଠି ! ଅତି ବେଶୀରେ ଦଶ ମିନିଟ । ହଠାତ୍ ଆସି ପହଞ୍ଚିଥିଲେ ଆଉ ଜଡାଇ ଧରିଥିଲେ ନୀଳକଣ୍ଠଙ୍କୁ । ଏମିତିତ କାଶି କାଶି ମେଞ୍ଚା ହୋଇ ଯାଉଥିଲେ ନୀଳକଣ୍ଠ । ଡାକ୍ତରଖାନାରେ ତିନି ଦିନ ରହିବା ପରେ ଆଜି ଟିକେ ଭଲ ଅଛନ୍ତି । କାଶ କମିଛି । କାଲି ବୋଧହୁଏ ଡିସଚାର୍ଜ ହୋଇଯିବେ । ଅକ୍ସିଜେନ୍ ସିଲିଣ୍ଡର କଢ଼ା ହୋଇ ଯାଇଥିଲା ସନ୍ଧ୍ୟାବେଳୁ । ନୀଳକଣ୍ଠ ଖଟବାଡକୁ ତକିଆ ଢେରା ଦେଇ ବସିଥିଲେ । ଆରତି ହାଲିଆ ହୋଇ ଶୋଇ ଯାଇଥିଲେ । ଶୋଇ ପଡନ୍ତୁ ଟିକେ । ଗତ ତିନିଦିନ ହେଲା ବିଚାରୀ ଶୋଇ ପାରିନାହାନ୍ତି ଜମ୍ମା । ସେ ପଶିଆସିଥିଲେ ଭିତରକୁ । ବୟସ ଷାଠିଏ-ବା’ଷଠି ହେବ । ଆରତିଙ୍କଠାରୁ ସାନ ହେବେ ବୋଧେ । ଆରତିଙ୍କୁ ତ ଏଇ ଫଗୁଣରେ ସତୁରୀ ପୁରିବ । ନୀଳକଣ୍ଠଙ୍କୁ ବାସ୍ତରୀ ହୋଇ ଗଲାଣି । ଦି’ ବର୍ଷ ସାନ ହେଲେ ମଧ୍ୟ ଆରତି ତାଙ୍କ ଠାରୁ ବହୁତ୍ ଛୋଟ ଲାଗନ୍ତି । ଏଇ ଶ୍ୱାସ ରୋଗଟା ନୀଳକଣ୍ଠଙ୍କୁ ଦୁର୍ବଳ କରିଦେଲାଣି । ସେ ପରଦା ଆଡେଇ ପଶି ଆସିଥିଲେ ଭିତରକୁ । ଦୁଆର ଆଉଜା ହୋଇଥିଲା । ରୋଗୀ ମାନଙ୍କର କୋଠରୀର ଦୁଆର ରାତିରେ ବନ୍ଦ କରିବାକୁ ମନା । ଆରତି ସଂଧ୍ୟା ବେଳେ କହିଥିଲେ, ‘ଆଜି ଦିଦି ମାନଙ୍କୁ କହି ଦୁଆର ବନ୍ଦ କରିଦେବି । ଆଜି ରାତିରେତ କିଛି ଔଷଧ ବି ଖାଇବାର ନାହିଁ ତୁମର । କାଲି ଡିସଚାର୍ଜ କରିଦେବେ କହିଛନ୍ତି । ଆଜି ରାତିରେ ଟିକେ ଶାନ୍ତିରେ ଶୋଇପଡ଼’ ।
ଆରତି ସମ୍ପୂର୍ଣ୍ଣ ହାଲିଆ ଦିଶୁଥିଲେ । ଦୁଆର ବନ୍ଦ କରିବାକୁ ବୋଧହୁଏ ଭୁଲି ଯାଇଥିଲେ ସେ । ନୀଳକଣ୍ଠ ଶୋଇ ପାରିନଥିଲେ, ଆରତି କିନ୍ତୁ ଶୋଇ ପଡ଼ିଥିଲେ ଗଭୀର ନିଦରେ । ସେ ଆସି ବସିଗଲେ ସିଧା ଖଟ ଉପରେ ।
– ‘ମୋ ଧନଟା ଲୋ, ମୋ ବାପାଟା । କେତେ ଦୁର୍ବଳିଆ ହୋଇଗଲୁଣି । କେବେ ଆସିବୁ ଲୋ ମୋ ଧନ ମୋ ପାଖକୁ । କେବେଠାରୁ ଦେଖିନି ତତେ । ସେଇ ଯେ ରାଗିକି ଚାଲିଗଲୁ, ଫେରିଲୁନି ଆଉ । ସେ ହିଡ ଉପରେ ତତେ ଖେଳିବାକୁ ମନାକଲି ସେଥିପାଇଁ ରାଗିଗଲୁ ? ସେ ଜଗନି ଭଲ ପିଲା ନୁହେଁରେ । ତା’ ସଙ୍ଗେ ମିଳାମିଶା କରନା କହିଲି ଯେ ରାଗିକି ଘର ଛାଡ଼ି ଚାଲିଗଲୁ । ଫେରିଆ ମୋ କୋଳକୁ ଧନ’ ।
ସେ କେବଳ କହୁଥିଲେ ଆଉ ଲୁହଲାଳ ଏକାକାର କରି ଵୋକ ଦେଉଥିଲେ ନୀଳକଣ୍ଠଙ୍କର ଗାଲ, ମୁହଁ, ଦେହ ହାତ ସବୁଆଡେ । ନୀଳକଣ୍ଠ ଆଉଜି ଯାଇଥିଲେ ତାଙ୍କ ଦେହରେ ।
-‘ବୋଉ ….’ – ଶ୍ୱାସରୁଦ୍ଧ ସ୍ୱରରେ ଧିରେ ବାହାରି ଯାଇଥିଲା ପାଟିରୁ । ମୁହଁ ଗୁଞ୍ଜି ଦେଇଥିଲେ ନୀଳକଣ୍ଠ ତାଙ୍କ ଛାତିରେ ।
ଜଗନି ନୁହେଁ, କ୍ଷେତେରା । ଏବେ ଯିଏ କ୍ଷେତ୍ରପାଳ ନାମରେ ଏକ ନାମିଦାମୀ କଣ୍ଟ୍ରାକ୍ଟର ଏଇ ଭୁବନେଶ୍ୱରରେ । କ୍ଷେତ୍ରପାଳ ନାୟକ ଓରଫ କ୍ଷେତେରା । ତା’ରି ସାଙ୍ଗରେ ବୋଉର ବାରଣସତ୍ତ୍ୱେ ସାରା ଖରାବେଳ ଘୂରି ବୁଲୁଥିଲେ ନୀଳକଣ୍ଠ ।
ଖରାଦିନିଆ ଛୁଟି – ପୁରା ଛୁଟିଟା କଟେ ଗାଁରେ । ଜେଜେ ଜେଜେମା’ଙ୍କ ପାଖରେ । ସହରିଆ ଆଦବ କାଇଦାରେ ବଢୁଥିବା ନୀଳକଣ୍ଠଙ୍କୁ ଗାଁ ଗୋଟାକର ସବୁ ଛୁଆ ମଫସଲିଆ, ପଛୁଆ ଲାଗନ୍ତି କେବଳ କ୍ଷେତେରାକୁ ଛାଡ଼ି । ତାଙ୍କ ଠାରୁ ବର୍ଷେ ଦି’ ବର୍ଷ ସାନ ହେଲେ ମଧ୍ୟ ମୁହଁ ଯାକ ଦାଢ଼ି ନିଶ ସାଲୁବାଲୁ । ତାଙ୍କର ଅଳ୍ପ ଅଳ୍ପ ଗଜରୁଥିବା ନିଶ । ଅନେକ ଅପହଞ୍ଚ ଇଲାକାର ଗଳ୍ପ କ୍ଷେତେରା ପାଖରେ । ନୀଳକଣ୍ଠ ସମ୍ପୂର୍ଣ୍ଣ ନିଶାଗ୍ରସ୍ତ କ୍ଷେତେରାକୁ ନେ଼ଇ । ସାରା ଖରାବେଳ କ୍ଷେତେରା ସହିତ କଟାଇବାକୁ ନେଇ ଆପତ୍ତି କରୁଥିବା ମଣିଷ ମାନଙ୍କପ୍ରତି ମନରେ ବିଦ୍ରୋହ ସୃଷ୍ଟି ହୁଏ ତାଙ୍କର । ବୋଉ, ଜେଜେମା’, ଜେଜେ, ପଡିଶା ଘରର ଅନାଦି କାକା ଶତ୍ରୁ ହୋଇ ଠିଆ ହୁଅନ୍ତି କ୍ଷେତ୍ରପାଳ ଓ ତାଙ୍କ ମଝିରେ । ଅନାଦି କାକାଙ୍କର ଝିଅ ସ୍ୱର୍ଣ୍ଣରେଖା ପ୍ରତି ତାଙ୍କର ଦୁର୍ବଳତା କ୍ଷେତ୍ରପାଳ ଆଖିରେ ପଡେ । ସେ ତାଙ୍କୁ ସାହସ ଦିଏ । ପ୍ରେମକୁ ନେଇ କିଛି ଚାଲୁଗଳ୍ପ ଶୁଣାଇ ଟାଣ କରେ ତାଙ୍କ ଚହଲା ମନକୁ ।
ହିଡ଼ ଉପରକୁ ଉଦୁଉଦିଆ ଖରାବେଳେ ସ୍ଵର୍ଣ୍ଣରେଖା ଆସେ ତା’ ସାଙ୍ଗ କଇଁକୁ ନେଇ । କଇଁ ଟିକେ ଛୋଟେଇ ଛୋଟେ଼ଇ ଚାଲେ, କିନ୍ତୁ ଦେଖିବାକୁ ଖୁବ୍ ସୁନ୍ଦର । ତୋଫା ଗୋରା। କେମିତି ଗୋଟେ ସ୍ନେହୀ ସ୍ନେହୀ ଆଖି ନେଇ ଚାହେଁ ନୀଳକଣ୍ଠଙ୍କୁ । ନୀଳକଣ୍ଠ ସ୍ଵର୍ଣ୍ଣରେଖାକୁ ଭଲ ପାଉଥିଲେ । ସୁଆଦିଆ ହିଡକଙ୍କଡା ପୋଡ଼ା ଖିଆ ସହିତ ସ୍ଵର୍ଣ୍ଣରେଖାର ପ୍ରେମର ନିଶାରେ ଉବୁଟୁବୁ ହେଉଥିଲେ ସେ । ଆଘାତ ଲାଗିଥିଲା ସେଦିନ, ଯେଉଁଦିନ ହିଡରୁ ଗୋଡ଼ଖସି କଇଁ ମରିଯିବାର ଖବର ଗାଁ ସାରା ପ୍ରଚାର ହେଲା । ନୀଳକଣ୍ଠ କାହାରି ଆଗରେ କହି ପାରିନଥିଲେ ତାଙ୍କ ଆଖିଦେଖା କଥା । ଏକା ଏକା ହିଡଆଡେ ଯାଉଥିବା କ୍ଷେତ୍ରପାଳ ପଛରେ ନୀଳକଣ୍ଠ ଅନୁସରଣ କରିଥିଲେ ସେଦିନ । ସେଇଠି ସେଦିନ କଇଁକୁ ଧର୍ଷଣ କରିବାକୁ ଚେଷ୍ଟା କରିଥିଲା କ୍ଷେତ୍ରପାଳ । ତା’ଠାରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିବା ସମୟରେ ଗୋଡ ଖସି ପଡିଥିଲା ଗୋଟିଏ ବଡ ପଥର ଖଣ୍ଡ ଉପରେ କଇଁ । ସେଇଠି ସେଇ ମୁନିଆ ପଥର ଖଣ୍ଡଟି ଦେହରେ ମୁଣ୍ଡ ବାଜି କଇଁର ମୃତ୍ୟୁ ହୋଇଥିଲା । କ୍ଷେତ୍ରପାଳ ସୁନାପିଲା ପରି ବୁଲୁଥିଲା ଗାଁ ଦାଣ୍ଡରେ । କଇଁକୁ ନେଇ ହେଉଥିବା ଅପପ୍ରଚାର କାହିଁକି କେଜାଣି ବ୍ୟତିବ୍ୟସ୍ତ କରୁଥିଲା ନୀଳକଣ୍ଠଙ୍କୁ । କିଛି କରିନପାରିବାର ଗ୍ଲାନିରେ ଛଟପଟ ହେଉଥିଲେ ସେ । କ୍ଷେତ୍ରପାଳ ଆଖିରେ ଆଖି ମିଶାଇ ପାରୁନଥିଲେ । ଅଥଚ କ୍ଷେତ୍ରପାଳ ଆଖିରେ ଥିଲା ବେପରୱା ଭାବ । ‘ଯାହା ଦେଖିଚୁ ଭୁଲିଯାଆ’ – ପାଟିରେ କିଛି ନକହିଲେ ବି କ୍ଷେତ୍ରପାଳର ଶାଣଦିଆ ନିଆଁଗିଳା ଆଖି ବାରମ୍ବାର ଏଇ କଥା କହି ଚେତେଇ ଦେଉଥିଲା ନୀଳକଣ୍ଠଙ୍କୁ ।
ବାପା ବୋଉଙ୍କ ସହ ସହରକୁ ଫେରି ଆସିବା ପରେ ମଧ୍ୟ ନୀଳକଣ୍ଠ ଅନେକ ରାତିରେ ସ୍ଵପ୍ନରେ ବିଳିବିଳଉ ଥିଲେ । ତାଙ୍କ ନିବୁଜ ମନର ଅକୁହା କଥାକୁ ବୋଉ ପଢି ନେଇଥିଲା । ଗାଁକୁ ଯିବାକୁ ଆଗ୍ରହ ଆସିନଥିଲା ତା’ପରେ । ସେଇ ଘଟଣା ପରେ ଆରତିଙ୍କୁ ନେଇ ବାହାଘରର ଅନେକ ବର୍ଷ ପରେ ସେ ଗାଁକୁ ଯାଇଥିଲେ । ସୌଭାଗ୍ୟକୁ ସେତେବେଳେ ଗାଁରେ ସ୍ଵର୍ଣ୍ଣରେଖା ସହିତ ଦେଖାହୋଇଗଲା ସେମାନଙ୍କର । ତିନି ପିଲାଙ୍କୁ ଧରି ତାଙ୍କ ଗୋଡ ତଳେ ଆଉ ଆରତିଙ୍କ ଗୋଡ ତଳେ ମୁଣ୍ଡିଆ ମାରିଥିଲା ସ୍ଵର୍ଣ୍ଣରେଖା । ଦାୟିତ୍ଵସମ୍ପନ୍ନ ଗୃହିଣୀଟିଏ ପରି ଭାରି ଗମ୍ଭୀର ଲାଗୁଥିଲା ସେ । ନୀଳକଣ୍ଠଙ୍କ ମନ ଭିତରେ ସ୍ମୃତି ହୋଇ ଲାଖି ରହିଥିବା ସେଇ ଚୁଲ୍ ବୁଲି ସ୍ଵର୍ଣ୍ଣରେଖା ସହିତ ଆଦୌ ମେଳ ଖାଉନଥିଲା ଏ ସ୍ଵର୍ଣ୍ଣରେଖା । ନୀଳକଣ୍ଠ ଆରତିଙ୍କ ସଂସାରରେ ଏ ସ୍ଵର୍ଣ୍ଣରେଖାର ସ୍ଥାନ ହିଁ ନଥିଲା ।
ବାପାବୋଉ ଅସୁସ୍ଥ ହୋଇ ସହରରେ ନୀଳକଣ୍ଠଙ୍କ ପାଖରେ ରହିଲେ । ଗାଁ ସହିତ ସମ୍ପର୍କ ମଳିନ ପଡ଼ି ଆସିଲା । ବାପା ଚାଲିଗଲେ, ତାଙ୍କ ପଛେ ପଛେ ବୋଉ ବି । ପିଲାମାନେ ବଡ ହୋଇ ଯେ ଯାହା ସଂସାରରେ ବ୍ୟସ୍ତ ।
ନୀଳକଣ୍ଠ ଅତୀତକୁ ଦେଖୁଥିଲେ ବୁଜା ଆଖିରେ । ସେମିତି ଆଉଜି ରହିଥିଲେ ସେଇ ଅଜଣା ନାରୀଟିର ଛାତିରେ ଅବୋଧ ବାଳକଟିଏ ପରି । ଦୁଇ ହାତରେ ଜଡାଇ ଧରିଥିଲେ ତାଙ୍କୁ ସେତକ ସମୟ । ବୋଉ କୋଳର ଉଷ୍ମତା ଥିଲା ସେ ଆଲିଙ୍ଗନରେ । ସେଇ ସ୍ନିଗ୍ଧ ମିଠା ପଣ । କେତେ ମଧୁର କେତେ ଗଭୀର ସେ ସ୍ମୃତି । ଆହୁରି ଆହୁରି ଘନିଷ୍ଠ ହୋଇପଡୁଥିଲେ ନୀଳକଣ୍ଠ ତାଙ୍କ ସହ । କଣ୍ଠରୁ ବାହାରି ଆସିଥିଲା ଅସ୍ପଷ୍ଟ ଡାକ ଟିଏ – ‘ବୋଉ …’
ବାସ୍ ! ସେମାନେ ଆସିଲେ ଆଉ ତାଙ୍କୁ ସାଙ୍ଗରେ ନେଇ ଚାଲିଗଲେ । ଠିକ ସେତିକି ବେଳେ ଉଠିପଡ଼ିଥିଲେ ଆରତି ଆଉ ଠିଆ ହୋଇଥିଲେ ପାଖରେ । ସେମିତି ବିହ୍ୱଳ ଅବସ୍ଥାରେ ନୀଳକଣ୍ଠ ଆରତିଙ୍କୁ ପଚାରିଲେ, ‘ସେ ଆମ ଗାଁ ହିଡ କଥା କେମିତି ଜାଣିଲେ?’
-‘ ହିଡ କଥା ମାନେ ? ସବୁ ଗାଁ ରେ ହିଡଥାଏ । ତାଙ୍କ ଗାଁ ରେ ବି ଥିବ । କଣ ଅଜବ କଥାଟେ ଯେ ? ତୁମ ଗାଁ ହିଡର କଣ କିଛି ସ୍ଵତନ୍ତ୍ର କାହାଣୀ ଅଛି ନା କ’ଣ ?’ – ହସି ଉଠିଲେ ଆରତି ।
ହିଡର ସେ ନିଆରା କାହାଣୀକୁ କହିହେବନି କାହା ଆଗେ । ଜିଭ ଅଗର କଥାକୁ ଭିତରେ ଢ଼ୋକିନେଇ ନିଜକୁ ପ୍ରକୃତିସ୍ଥକରି କୃତ୍ରିମ ହସଟିଏ ମୁହଁରେ ଖେଳାଇଲେ ନୀଳକଣ୍ଠ, କଷ୍ଟ କରି । କେଜାଣି କାହିଁକି କୈଶୋରର ସେଇ ଦୁର୍ଘଟଣାର ସାକ୍ଷୀ ହୋଇ ରହିଥିବା ତାଙ୍କ ଆଖି ଦିଓଟିରୁ ଝରି ପଡୁଥିବା ଲୁହ ଧାରରେ ଧୋଇ ହୋଇ ଯାଉଥିଲା ହୃଦୟରେ ଛଟପଟ ହେଉଥିବା ଓ ଏଯାବତ ଚାପି ହୋଇ ରହିଥିବା ଗ୍ଳାନି, ଯେଉଥିପାଇଁ ସେ ନିଜେ ଅବଶ୍ୟ ଦୋଷୀ ନଥିଲେ ଆଦୌ ।
ଚଉଦ ନମ୍ୱର୍ ରୋଗୀ ବିଷୟରେ ଅନେକ କଥା ଗପିଥିଲେ ଆରତି । ସ୍ଵାମୀ ନାହାନ୍ତି; ବଡ ପୁଅ ପିଲାଦିନୁ କୁଆଡେ ଚାଲିଯାଇଛି; ଏବେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମଝିରେ ମଝିରେ ସ୍ମୃତିଶକ୍ତି ହରାଇ ବସନ୍ତି ସେ । ଏବେ ସେଇ ରୋଗଟି ପାଇଁ ସମସ୍ତେ ହଇରାଣ ହୋଇଯାଉଛନ୍ତି ଏ ଡାକ୍ତରଖାନାରେ । କେତେବେଳେ କାହା ରୁମ୍ ରେ ପଶିଯାଉଛନ୍ତି । କାହାକୁ ପୁଅ, କାହାକୁ ବାପା କହି କଥା ବି ଯୋଡି ଦେଉଛନ୍ତି ।
– ‘କେତେବେଳୁ ଆସିଥିଲେ ସେ ?’
-‘ନାଇଁ, ଏଇ ତ ଆସିଥିଲେ । ତୁମେ ଉଠିପଡ଼ିଲ ….।‘ ସେଇ କେତୋଟି ମୁହୂର୍ତ୍ତର ଅମୂଲ୍ୟ ସ୍ମୃତିକୁ ନିଜ ଭିତରେ ସାଉଁଟି ନେଉନେଉ ନୀଳକଣ୍ଠଙ୍କ ମୁହଁରୁ ବାହାରି ପଡିଥିଲା କଥା ପଦକ ଆପେ ଆପେ ।
– ‘ଯା ହେଉ, ନହେଲେ ହଇରାଣ ହୋଇଯାଇଥାଆନ୍ତେ ଆମେ । ମୁଁ ଠିକ୍ ସମୟରେ ଉଠି ପଡ଼ିଲି । ଦିଦି ମାନେ ମଧ୍ୟ ଠିକ୍ ସମୟରେ ସେ ଆମ ରୁମ୍ ରେ ଅଛନ୍ତି ବୋଲି ଜାଣିଗଲେ ବୋଲି ଚଟ କରି ନେଇଗଲେ ତାଙ୍କୁ ।‘ ନୀଳକଣ୍ଠଙ୍କୁ ଶୋଇ ପଡ଼ିବାକୁ କହୁକହୁ ଆରତି ଗଡି ପଡ଼ିଥିଲେ ତାଙ୍କ ଶେଯ ଉପରେ । ସକାଳକୁ ଅପେକ୍ଷା କରି ଖଟ ଉପରେ ବାରମ୍ବାର କଡ ଲେଉଟାଉଥିଲେ ନୀଳକଣ୍ଠ ।
ଦିନ ଦଶଟା ବାଜିବାକୁ ଯାଉଥିଲା । ଆରତି ତାଙ୍କ ନିଜର ବ୍ୟାଗ୍ ଓ ପାଣି ବୋତଲ ହୁଇଲ୍ ଚେୟାର ପଛରେ ଝୁଲାଇ ଦେଇଥିଲେ । ପଡୋଶୀ ଦୁଇଜଣ ବି ସାହାଯ୍ୟ କରିବାକୁ ପହଞ୍ଚି ଯାଇଥିଲେ । ବାକି ଜିନିଷ ନେଇ ସେମାନେ ସିଧା ଗାଡ଼ି ପାଖରେ ପହଞ୍ଚିବେ । ଆରତି ନୀଳକଣ୍ଠଙ୍କର ଚେୟାର ବାଡ଼କୁ ଧରି ଧିରେ ଗଡ଼ାଇ ନେଉଥିଲେ ଆଗକୁ । ଏଣେ ନର୍ସ ଦୁଇଜଣ ସେଇ ସ୍ତ୍ରୀ ଲୋକଙ୍କୁ ହୁଇଲ ଚେୟାରରେ ବସେଇ ନେଉଥିଲେ । ଆରତି ସହିତ ଏକଦମ୍ ମୁହାଁ ମୁହିଁ ହୋଇଗଲେ ସେମାନେ । ସ୍ତ୍ରୀ ଲୋକ ଜଣକ ବେଶୀ ଦୁର୍ବଳ ଦେଖାଯାଉଛନ୍ତି । ମୁହଁଟି ବି କେମିତି ଶେଥା ପଡ଼ିଯାଇଛି । ଲାଳ ଦି’ ଧାର ବୋହି ଯାଉଛି ପାଟିରୁ । ମୁହଁ କଡ଼େଇ ଯାଇଛି । ଆଖି ବୁଜି ଶୋଇଲା ଢଙ୍ଗରେ ବସିଛନ୍ତି ।
-‘ କ’ଣ ହେଲା ?’ ଆରତି ପଚାରିଲେ ଦିଦିଙ୍କୁ ।
-‘ଆଜି ସକାଳୁ ବେଶୀ ଖରାପ୍ ହୋଇ ଯାଇଛି ଦେହ, କାହାକୁ ଚିହ୍ନି ବି ପାରୁ ନାହାନ୍ତି ।‘
-‘ଓଃ।‘ ଆରତି ଦୁଃଖୀ ଦୁଃଖୀ ଲାଗୁଥିଲେ ।
ନୀଳକଣ୍ଠ ଅପଲକ ନୟନରେ ଚାହିଁ ରହିଥିଲେ ସେଇ ଅପରିଚିତ ନାରୀଟିକୁ କେମିତି ଅସ୍ଵାଭାବିକ ଆଖିରେ । ଅପ୍ରସ୍ତୁତ ହୋଇଗଲେ ଆରତି ।
– ‘କଣ ଏମିତି ଚାହିଁ ରହିଛ ଯେ ସ୍ତ୍ରୀ ଲୋକଟିକୁ ….’।
ନୀଳକଣ୍ଠ ଧିରେ ହାତ ବୁଲେଇ ଆଣିଲେ ନିଜ ଗାଲ ଊପରେ । ଏବେ ବି ସେ ଲୁହ , ଲାଳର ସ୍ପର୍ଶ ଅନୁଭବ କରୁଥିଲେ ସେଇ ସେଇ ଜାଗାରେ ଯେଉଁଠି ସେଇ ଅଜଣା ନାରୀଟିର ବାତ୍ସଲ୍ୟ ସ୍ନେହର ପରଶ ଭିତରେ ବୋଉ ତାଙ୍କର ଉଭା ହୋଇଥିଲା ପୂର୍ବ ରାତିରେ । ସେଇ ଅଭୁଲା ସ୍ପର୍ଶରେ ବିମୋହିତ ହୋଇ ଯାଉଥିଲେ ନୀଳକଣ୍ଠ । ଧିରେ ଅସ୍ପଷ୍ଟ ସ୍ଵରରେ ପାଟିରୁ ବାହାରି ଆସିଲା,
– ‘ମୋ ବୋଉ…..’। ଆରତି ନଇଁଗଲେ ନୀଳକଣ୍ଠଙ୍କ ଆଡ଼କୁ । ଝୁଙ୍କି ପଡ଼ିଲେ ନୀଳକଣ୍ଠଙ୍କ ମୁହଁ ପାଖକୁ
-‘କିଛି କହିଲ?…….’