‘ମିଛ, ମିଛ, ମିଛ’ – କାଠଗଡାର ବାଡ ଉପରକୁ ଝୁଂକିପଡି ଚିତ୍କାର କରିବାକୁ ଚାହୁଁଥିଲା ସବିତା । ଓଃ, କଣ୍ଠରୁଦ୍ଧ ହୋଇଯାଉଥିଲା ତା’ର । ସାମାନ୍ୟ ଶବ୍ଦଟିଏ ବି ବାହାରୁନଥିଲା ତା’ ପାଟିରୁ । ଆଖିରୁ ଝରିଯାଉଥିଲା ଧାରଧାର ଲୁହ । କିଏ ଯେମିତି ଚାପିଧରିଥିଲା ତା’ ସ୍ୱରତନ୍ତ୍ରୀକୁ।
ସବିତା ମିଛେଈ, ସେ ସବୁବେଳେ କେବଳ ମିଛ ହିଁ କହେ । ଡାହାମିଛ କଥାଗୁଡାକ ଗୁନ୍ଥିଗୁନ୍ଥି କହିପାରେ ସେ । ମିଛ କହିବାରେ କେମିତି ଗୋଟେ ଆତ୍ମସନ୍ତୋଷ ମିଳେ ତାକୁ ।
ପିଲାଦିନରୁ ତାକୁ ନେଇ ଏମିତି ଗୋଟେ ଧାରଣା ସୃଷ୍ଟି ହୋଇଥିଲା କେତେକଂକ ମନରେ । ସବିତା କାହିଁକି କେଜାଣି କେବେବି ବିରୋଧ କରୁନଥିଲା । ହଁ, ମିଛ ତ ସେ କହୁଥିଲା – ପିଆଜ କଂଚା ଲଂକା ସହ ବାସି ପଖାଳ ମୁଠାଏ ଖାଇ ଦି’ ଚାରିଟା ସୁଆଦିଆ ତରକାରି ଖାଇ ଆସିଛି ବୋଲି ସାଂଗମାନଂକ ଆଗରେ କହିଲା ବେଳେ ଦୋଷୀ ଭାବରେ ଆଦୌ ଘାରି ହେଉନଥିଲା ସେ ।
ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ କତରାଲଗା ବା’ ତାର ଘରକୋଣରେ ପଡିରହିବା ପରେ ତା’ ମାଆ ରାତିରେ ସେ ଠିକାଦାର ବୁଢାଟି ସାଂଗରେ ଯାଇ କେଉଁଠୁ ପଇସା ନେଇଆସେ, ସେକଥା ଜାଣି ମଧ୍ୟ କିଶୋରୀ ସବିତା ମନରୁ ଫାନ୍ଦି ମିଛର ଲମ୍ବା ତାଲିକାଟି ଖାଲି ସାଂଗମାନଂକୁ ନୁହେଁ, ନିଜକୁ ବି ଶୁଣାଇ ପ୍ରବୋଧନା ଦେଉଥିଲା । ସେ ମିଛ ତାର ପିଠି ଥାପୁଡାଇ ଦେଉଥିଲା ସିନା ପ୍ରବଂଚକର ମୋହର ମାରୁନଥିଲା କେବେ ତା’ ହୃଦୟରେ । ।
ଯୌବନର ସୁନେଲି ପାହାଚରେ ଚଢିଗଲାବେଳେ ଶଶଧରର ହାତଧରି ଅଭିନୟର ଦୁନିଆକୁ ଓହ୍ଲେଇ ଆସିଥିଲା ସବିତା । ପରଦା ଉଠିଲେ ତାର ଅଭିନୟ ରେ ଆତ୍ମବିଭୋର ଦର୍ଶକ ମାନଂକୁ ଦେଖି ଉଲ୍ଲସିତା ହୁଏ ସେ । ରଂଗମଂଚରେ ଅଭିନୟ କରିବା ସହ ମିଛ ମାୟାଭରା ଦୁନିଆରେ ଅଭିନୟ କରିଚାଲେ । ସେତେବେଳେ କେତେକେତେ ମିଛ କହିବାକୁ ବାଧ୍ୟ ହୁଏ ସମୟ ଅସମୟରେ ।
ଆଜିର ଏ ମିଛ କିନ୍ତୁ ଖଣ୍ଡଖଣ୍ଡ ହୋଇ ଭାଂଗିଦେଉଛି ତାର ବିଶ୍ୱାସକୁ, ଖିନଭିନ୍ କରିଦେଉଛି ତାର ଅନ୍ତରାତ୍ମାକୁ । କେମିତି କହିବ ସେ ଏ ମିଛ? ନିଲୁଦାଦାକୁ ତାରି ଆଖିଆଗରେ ଛୁରୀଭୁଷି ମାରିଦେଇଥିଲା ଶଶଧର ।
ଶଶଧର ସହିତ କି ସମ୍ପର୍କରେ ସମ୍ପର୍କିତ ଥିଲା ନିଲୁଦାଦା ସେକଥା କେବେବି ବୁଝିପାରେନା ସବିତା । ଏକାନ୍ତରେ ନିଲୁଦାଦା ବିପକ୍ଷରେ ନକରାତ୍ମକ କଥା କହୁଥିବା ଶଶଧର ନିଲୁଦାଦାକୁ ପାଖରେ ପାଇଲେ ଛଳଛଳ ବନ୍ଧୁତାରେ ପୋତିପକାଏ । ନିଜ ସ୍ୱାର୍ଥସିଦ୍ଧିପାଇଁ ଏତେ ତଳକୁ ଯେ ଖସି ଯାଇପାରେ ମଣିଷ, ସେକଥା ଶଶଧର ଭିତରର ଅମଣିଷକୁ ଦେଖି ହୃଦୟଂଗମକରେ ସବିତା । ବନ୍ଧୁତାର ନରମ ଚାଦରତଳେ ହଳାହଳ ବିଷକୁ ଦେଖି ବୁଜିହୋଇଯାଏ ଆଖି ତାର । ଏତେସବୁ ମିଛର ପ୍ରହେଳିକା ଭିତରେ ସବିତା ଅଣନିଶ୍ୱାସୀ ହୋଇପଡେ । ଶଶଧର ପାଇଁ ନିଲୁଦାଦାର ଦରଦ ବେଶୀ । ତାର ଅକପଟ ଭଲପାଇବା ହିଁ ଅବାଟରେ ଚାଲୁଥିବା ଶଶଧରକୁ ବାଟକୁ ଫେରେଇ ଆଣିବାକୁ ଚେଷ୍ଟା କରୁଥିଲା ସବୁ ସମୟରେ। ସାମାନ୍ୟ କିଛି ଯୁକ୍ତିତର୍କପରେ କିନ୍ତୁ ସବୁ ସମ୍ପର୍କକୁ ଶେଷ କରିଦେଲା ଶଶଧର । ଏବେ କାହାର ପକ୍ଷନେବ ସବିତା ? କେଉଁଟା ସତ କେଉଁଟା ମିଛ ତା’ପାଇଁ ? କଣ ଭୁଲଥିଲା ନିଲୁଦାଦାର ?
ତିନିଦିନଧରି ଶୁଆକୁ ଶିଖେଇଲାପରି ସବିତାକୁ ଶିଖେଇଛି ଶଶଧର । ନିଲୁଦାଦା କୁଆଡେ ତା ସହ ଅନୈତିକ ସମ୍ପର୍କ ରଖିବାକୁ ଚେଷ୍ଟା କଲା; ଆତ୍ମରକ୍ଷାପାଇଁ ସବିତା ଛୁରୀ ଭୁଷିଦେଲା । ସବିତା ଘୋଷିଥିଲା । ନିଜ ପରିବାରକୁ, ସନ୍ତାନକୁ ରକ୍ଷାକରିବାପାଇଁ ଧାଡିକ ମିଛକୁ ଘୋଷିଥିଲା ବାରମ୍ବାର । ନିଜ ଉପରୁ ଭରସା ତୁଟିଯାଉଥିଲାବେଳେ ଆକୁଳହୋଇ ଖୋଜିହେଉଥିଲା ନିଜର ଆତ୍ମବଳକୁ । ପବିତ୍ର ଗୀତା ଉପରେ ହାତଥୋଇ ଶପଥ ନେଲାବେଳେ ବି ସେ ସ୍ଥିରଥିଲା । ନିଲୁଦାଦାର ତାଂକ ସହ ପାରିବାରିକ ସମ୍ପର୍କକୁ କଳୁଷିତ କରିବାକୁ ଯିବାବେଳେ କିଏ ଯେମିତି ଚାପି ଧରିଥିଲା ତା କଣ୍ଠନଳୀକୁ । ମାତ୍ର ଧାଡିଏ ମିଛ କହିବାକୁ ଗଲାବେଳେ ଆଜି ଅବଶ ହୋଇପଡୁଥିଲା ସେ ।
ହଠାତ୍ ଏ କଣ ହୋଇଗଲା? ପ୍ରତିପକ୍ଷ ଓକିଲଂକୁ, ”ଆଜ୍ଞା ଏସବୁ ସମ୍ପୂର୍ଣ୍ଣ ସତ” କହି ନିଜକୁ ଓ ଶଶଧରକୁ ଦୋଷମୁକ୍ତ କରିବା ପରିବର୍ତ୍ତେ ଏସବୁ ମିଛ ବୋଲି ଚିତ୍କାର କରିବାକୁ କାଠଗଡାର ବାଡ ଉପରେ ଝୁଂକି ପଡିଲା ବେଳେ ଥରିଥରି ବସିପଡିଥିଲା ତଳେ ।
ବିଗତ ପାଂଚବର୍ଷହେଲା ସେ ଶଶଧର ସହିତ ଗୋଟିଏ ଛାତତଳେ ରହିଛି କେବଳ । ଶଶଧର କିନ୍ତୁ ତାକୁ କାଠକଣ୍ଢେଇଟେ ପରି ସଜେଇ ନଚେଇଛି । ରଂଗମଂଚରେ ପରଦା ଆଗରେ ଆଉ ଜୀବନ ନାଟକରେ ପରଦା ଆଢୁଆଳରେ କେବଳ ନାଚିଛି ସେ ଆଜିଯାଏଁ । ନାଚିନାଚି ଥକିଗଲାଣି ପାଦତା’ର । ସେ ଜାଣେ ଆଜି ସତ କହିଦେଲେ ସେ ଉନ୍ମୁକ୍ତ କରିଦେବ ଶଶଧରର କଳାଦୁନିଆ । ସେଇଠି ନିଜକୁ ବି ସେ ନିଃଶେଷ କରିଦେବ । ମୁଠେଇ ଧରିଥିଲା ନିଜ ଶାଢିଟିକୁ ଛାତି ଉପରେ, ନିଜକୁ ଦୃଢ କରି ସତ କହିବାକୁ ଗଲାବେଳେ ବିକଳ ହୋଇ ଖୋଜିହେଉଥିଲା ଆତ୍ମସମ୍ମାନର ସେଇ କ୍ଷୀଣ ଶିଖାଟିକୁ ନିଜ ଭିତରେ, ଯାହାକୁ ସାମାନ୍ୟ ମିଛର ପୁଟଦେଇ ଅକ୍ଷୁର୍ଣ୍ଣ ରଖିବାକୁ ଚେଷ୍ଟାକରି ଆସିଥିଲା ଆଜିଯାଏଁ । ଯାହାକୁ ମିଛର ସଂଜ୍ଞା ଦେବାକୁ ତାର ଅସହାୟ ମନ ସ୍ୱୀକୃତି ଦେଉନଥିଲା କେବେ ।ସଂସାରର ବନ୍ଧୁର ରାସ୍ତାରେ ଚାଲୁଥିବାବେଳେ ଆତ୍ମରକ୍ଷାକାରୀ ଅସ୍ତ୍ର ପରି ସଜେଇଥିଲା ସେ ସେଇ ନିରୀହ ମିଛସବୁକୁ କେବଳ । ଅଥଚ ଆଜି, କାଠଗଡାର ଚଉହଦି ଭିତରେ ଅସହାୟ ସବିତା ନିଜକୁ, ନିଜର ଆତ୍ମପ୍ରତ୍ୟୟକୁ ଖୋଜିହେଉଥିଲା କେବଳ …
****
ସୁନ୍ଦର ଗପ । ଏବେ ତୁମର ଗପ ସବୁ ଛୋଟ କରିଛ । ପାଞ୍ଚ ଧାଡିର ଲେଖା ଗୋଟିଏ ଧାଡିରେ ଲେଖିଛ । ନିଜେ ନ ବୁଝାଇ ପାଠକ ଉପରେ ଛାଡି ଦେଇଛ । ଏ ନୂଆ ପ୍ରକାର ଶୈଳୀ ବହୁତ ଭଲ ଲାଗୁଛି ପଢିବାକୁ ।
With best wishes
LikeLike
ଅଶେଷ ଧନ୍ୟବାଦ ମନୋଜ ।
LikeLike