ଧୋତି

ଜେଜେଙ୍କ ପାଇଁ ତାଙ୍କ ନାତୁଣୀ ବୋହୂ ଅର୍ଥାତ୍ ଆମର ଏବେ ଏବେ ବାହାହୋଇ ଆସିଥିବା ଭାଉଜ, ଉପହାର ଆଣିଥିବା ସେ ନୂଆ ପ୍ୟାଣ୍ଟ ସାର୍ଟ ହଳକ ଦେଖି ଆମେ ସବୁ ଖୁସି ହୋଇଗଲୁ । ଜେଜେଙ୍କ ମୁହଁ କିନ୍ତୁ ଶୁଖି ଯାଇଥିଲା । ତାଙ୍କ ମୁହଁର ସେ ଦୁଃଖୀ ଦୁଃଖୀ ଭାବଟି ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ।
    ପୌରାଣିକ ଚଳଚ୍ଚିତ୍ର ଦେଖିବାକୁ ଜେଜେ ଓ ଜେଜେମା’ ଭଲ ପାଆନ୍ତି । ଆଉ ସେମିତି କିଛି ସିନେମା ଆସିଲେ ଆମେ ସବୁ ତାଙ୍କୁ ସାଙ୍ଗରେ ନେଇ ଯାଉ ।
– ‘ଜେଜେ ଆଜି ଖୁଲଣା ସୁନ୍ଦରୀ ସିନେମା ଯିବାପରା, ବାହାରୁନ?’ – ମୁଁ କହିଥିଲି ପାଟିକରି । ଘରର ଅନ୍ୟ ସଦସ୍ୟ ମାନେ, ଯେଉଁମାନେ ସିନେମାଟି ଦେଖିବାକୁ ଯିବାପାଇଁ ପୂର୍ବରୁ ସମ୍ମତି ଦେଇଥିଲେ, ମୋ ପାଟି ଶୁଣି ଚଞ୍ଚଳ ହୋଇପଡ଼ିଲେ । ଘର ଭିତରେ କେମିତି ଗୋଟେ ଖୁସିର ବାତାବରଣ ଖେଳିଗଲା ।

ଜେଜେ ହାତରେ ଧରି ଏପାଖ ସେପାଖ କରି ଦେଖୁଥିବା ସେ ପ୍ୟାଣ୍ଟ ସାର୍ଟ ହଳକ କାଠ ଆଲମୀରାଟି ଭିତରେ ରଖିଦେଇ ସଫା ଇସ୍ତ୍ରି କରା ଧୋବ ଫରଫର ତାଙ୍କର ଧୋତି ହଳକ କାଢ଼ିଲେ । ଅଣ୍ଟା ପାଖରେ ଗଣ୍ଠି ମାରି କୁଞ୍ଚ କଲେ – ପଛପଟେ ଅଧା, ଆଉ ଆଗପଟେ ଅଧା କୁଞ୍ଚ ଖୋସି ଦେଲାବେଳେ ତାଙ୍କ ମୁହଁର ତୃପ୍ତି ଦେଖିଲା ଭଳି ଥିଲା । ବେଶ୍ ସହଜରେ ତାହା ମୋ ଆଖିରେ ପଡ଼ିଲା ।  ଜେଜେମା’ ତାଙ୍କର ପ୍ରିୟ ବାଇଗଣୀ ରଙ୍ଗର ଶାଢ଼ିଟା ପିନ୍ଧି ପ୍ରସ୍ତୁତ ହୋଇଯାଇଥିଲେ ସେତେବେଳକୁ । ଧୋତି ପଞ୍ଜାବୀ ଜେଜେଙ୍କୁ ଖୁବ୍ ମାନେ । ଜେଜେ ଜଣେ ସମ୍ଭ୍ରାନ୍ତ ଜ୍ଞାନୀ ବ୍ୟକ୍ତି ପରି ଦେଖାଯାଆନ୍ତି । ତାଙ୍କ ଭିତରର ଉଜ୍ଜ୍ବଳ ବ୍ୟକ୍ତିତ୍ଵ ସ୍ପଷ୍ଟ ପ୍ରତୀୟମାନ ହୁଏ ସେଇ ମଣ୍ଡ ଦିଆ ଖଡ ଖଡିଆ ଧୋତି ପଞ୍ଜାବୀଟି ଭିତରେ । ସେଇ ବେଶରେ ଆମେ ତାଙ୍କୁ ଦେଖିଆସିଛୁ ପିଲାବେଳୁ ।

ସିନେମା ଦେଖିବା ବେଳେ ଜେଜେ ଭାରି ଖୁସି ଥିଲେ । ମଧ୍ୟାନ୍ତରରେ ଜେଜେମାଙ୍କୁ ବି ଚୁପ୍ ଚୁପ୍ କଣ ସବୁ କହୁଥିଲେ । ସେଇମାତ୍ର  ପ୍ରସାରିତ ହୋଇସାରିଥିବା ରୋମାଣ୍ଟିକ ଗୀତଟିରେ ସ୍କ୍ରିନ ପରଦାରେ ହିରୋର ହାତ ଧରି ନାଚୁଥିବା, ଲାସ୍ୟମୟୀ ଖୁଲଣା ସୁନ୍ଦରୀର ଚେହେରାରେ ଝଲସୁଥିବା ଗୋଲାପୀ ରଙ୍ଗର ଆଭା କିଛି ଲେସି ହୋଇଯାଇଥିଲା ଜେଜେମାଙ୍କର ମୁହଁରେ । ଜେଜେମା ଖୁସି ଖୁସି ଲାଗୁଥିଲେ ।

ସିନେମା ହଲ୍ ରୁ ବାହାରି ଆସିଲା ବେଳେ ମୁଁ ପଚାରିଲି ଜେଜେମା କେମିତି ଲାଗିଲା ସିନେମା ?
– ‘ହୁଁ, ହିରୋ ଟା ସ୍ମାର୍ଟ ଲାଗିଲାନି ଆଦୌ । ହିରୋଟା ସିନା ହିରୋ ମାର୍କା ପ୍ୟାଣ୍ଟ ସାର୍ଟ ପିନ୍ଧିଥାନ୍ତା । ଏମିତି ଧୋତି କିଆଁ ପିନ୍ଧିଥିଲା? ଏ ଧୋତିରେ ସେ ମତେ ଟିକେ ବି ଭଲ ଲାଗିଲାନି ‘। ଜେଜେମା ଖଟା ଖାଇଲା ପରି ମୁହଁ ଆମ୍ବିଳା କରି କହିଲେ । ଆମେ ଘରେ ପହଞ୍ଚି ଲୁଗା ପାଲଟି ରାତ୍ରୀ ଭୋଜନ ପାଇଁ ବସିଗଲୁ । ବୋଉ ଆଉ ଜେଜେମା ଖାଇବା ବଢ଼ାବଢ଼ି କରୁଥିଲେ । ଜେଜେ ଫ୍ରେସ୍ ହୋଇ ବହାରିଆସିଲେ ତାଙ୍କ କୋଠରୀ ଭିତରୁ । ନୂଆଭାଉଜ ଆଣିଥିବା ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧି ଜେଜେ ଏକଦମ୍ ଅଲଗା ଲାଗୁଥିଲେ । ଜେଜେମା ଓଠରେ ମହଣେ ମଲ୍ଲୀଫୁଲିଆ ହସ ।

(ଫେବୃଆରୀ 2023 କ୍ରାନ୍ତିଧାରାରେ ପ୍ରକାଶିତ)

****

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s