ଭୁବନେଶ୍ୱର

କାଲି ପରି ଲାଗୁଛି । କେତେ ଶୀଘ୍ର ଏତେ ଗୁଡାଏ ବର୍ଷ ବିତିଗଲା, ଜାଣି ହେଲାନି । ତାକୁ ସେତେବେଳେ କୋଡ଼ିଏ ବର୍ଷ ହୋଇଥିଲା । ଏବେ ସତେଇଶ ହେଲାଣି । ଭୁବନେଶ୍ୱର ଆସିବା ସାତ ବର୍ଷ ହୋଇଗଲାଣି ଏ ଭିତରେ । କେଜାଣି କାହିଁକି, ଆଜି ସେଇ ଦିନ ଗୁଡ଼ାକ ଖୁବ୍ ମନେପଡୁଛି; ମନେପଡୁଛି ସେଇ ଦିନଟି, ଯେଉଁଦିନ ଅସୁସ୍ଥ ମାଆକୁ ନେଇ ପ୍ରଥମଥର ପାଇଁ ସେ ଆସିଥିଲା ରାଜଧାନୀ ଭୁବନେଶ୍ୱରକୁ । ଗାଁରୁ ଆସି ଭୁବନେଶ୍ଵରରେ ବସରୁ ଓହ୍ଲେଇ ପ୍ରଥମେ ସେମାନେ ଯାଇଥିଲେ ରାଧୁଭାଇ ଘରକୁ, ଆଉ ସେଇଠୁ ଡାକ୍ତରଖାନା । ରାଧୁଭାଇ ହାତ ବଢେଇଥିଲା – ବିଶ୍ଵାସ ଓ ଆଶ୍ଵାସନାର । ସେଦିନ ରାଧୁଭାଇର ହାତଟିକୁ ଧରିନେବା ପରେ ତାର ଦୁର୍ବଳ ମନଟିରେ ଲକ୍ଷେ ହାତୀର ବଳ ପଶି ଆସିଥିଲା । ହଁ, ସେଦିନ ରାଧୁଭାଇଠାରୁ ନିଜର ହୋଇ ଆଉ କାହାକୁ ପାଇ ନଥିଲା ସେ । ତୁହାଇ ତୁହାଇ ସେଦିନ ଗୁଡ଼ାକ ମନେପଡୁଥିଲା ଆଜି ।

ବସ୍ ର ଦୁଆରକୁ ଅଧା ମେଲେଇ ଧରି ବାହାରକୁ ମୁଣ୍ଡ ଗଳେଇ ଚାହିଁ ରହିଥିଲା ଗୋପାଳ । ରାସ୍ତା କଡରେ ଥିବା ତା’ ଗାଁର ଧାନ ବିଲର ଦୃଶ୍ୟ କ୍ରମଶଃ ଦୂରେଇ ଯାଉଛି ମନ ଗହନରୁ । ପାଚିଲା ଧାନରେ ହସି ଖେଳି ଝୁଲୁଥିବା ଭରପୁର ଖେତରେ ମୁଣ୍ଡ ଟେକି ଠିଆ ହୋଇଛି ବହୁତଳ ପ୍ରାସାଦ ସବୁ ଗୋଟିକ ପଛରେ ଗୋଟିଏ । ପ୍ରଥମକରି ଭୁବନେଶ୍ୱର ଆସିଥିବା ସମୟରେ ଏମିତି ପ୍ରାସାଦଟିଏରେ ସୁନ୍ଦର ଘରଟିଏର ସ୍ଵପ୍ନ ସେ ବି ଦେଖିଥିଲା । ରାଧୁଭାଇ ଦେଖେଇଥିଲା ତାକୁ । ଦେଖିଥିଲେ ମାଆପୁଅ ଦୁହେଁ ସେମାନେ । ନିଜର ହୋଇ ଘରଟିଏ ହେବ ତାର । ଅନତି ଦୂରରେ ଥିବା ଧାନ ଖେତରେ ସେ ଫଳାଉ ଥିବ ଭିନ୍ନ ଭିନ୍ନ ଋତୁରେ ଭଳିକିଭଳି ଫସଲ । ଘରେ ଥାକ ଥାକ ହୋଇ ସାଇତା ହେଉଥିବ ଅମଳ ଧାନ । ସ୍ଵପ୍ନ ସବୁ ଧାଡି ବାନ୍ଧି ଠିଆ ହୋଇଯାଉଥିଲେ ତା’ର ଖୋଲା ଆଖି ପଲକରେ ।

– “ହେ ହେ, ଗାଡ଼ି ରଖ, ହାଁ ଟେ କରି ଚାହିଁଛୁ କଣ?” – ବସ୍ ଭିତରୁ ବିରାଟ ବଡ ସୁଟକେଶଟେ ଦୁମ୍ କରି କଚି ହୋଇଗଲା ଗୋପାଳର ପାଦ ଉପରେ । ଲୋକଟି ପଡ଼ିବ ପଡ଼ିବ ହୋଇ ଏକ ପ୍ରକାର କଚାଡି ହୋଇ ପଡ଼ିଲା ତଳ ପାହଚରେ, ଯେଉଁଠି ଠିଆ ହୋଇଥିଲା ସେ । ନିଜକୁ ସମ୍ଭାଳି ନେଲା ଗୋପାଳ । ସାମାନ୍ୟ ହସିଦେଇ ବସ୍ ରଖିବା ପାଇଁ ଘଣ୍ଟି ବଜେଇ ଇଶାରା ଦେଲା ଡ଼୍ରାଇଭରକୁ । ଗାଡ଼ି ଅଟକି ଯିବାପରେ ଧଡ ଧାଡ୍ ହୋଇ ଓହ୍ଲାଇ ଗଲେ ସେମାନେ । ବଡ ବାକ୍ସଟି ସହିତ ସେ ମଣିଷ ଜଣକ ତଳେ ପାଦ ରଖୁରଖୁ, ତା’ପର ତା’ପର ପିଲା ବଡ ସାନ ହୋଇ ସେମାନେ ଆଠ ଜଣ ଓହ୍ଲାଇ ଗଲେ । ସେମାନଙ୍କ ସହ ପେଲି ହୋଇ ଓହ୍ଲେଇ ଆସିଥିଲା ଅତର ବାସ୍ନାରେ ଗୋଳି ହୋଇ ମହକୁଥିବା ମେଞ୍ଚାଏ ପବନ ।

ଗୋପାଳ ଟିକେ ଅନ୍ୟମନସ୍କ ହୋଇପଡ଼ିଲା । ରାଧୁ ଭାଇ ଏମିତି ଅତର ଲଗାଏ । ମହମହ ହୋଇ ବାସେ ତା’ ଦେହ । ଗୋପାଳଦେହର ଝାଳ ଗନ୍ଧ ସହି ପାରେନି ରାଧୁଭାଇ । ବେଳ ଅବେଳରେ ସେଇ କଥା କହି ଅପମାନିତ କରେ ତାକୁ । ରାଜଧାନୀରେ ଏମ ଏଲ୍ ଏ ଙ୍କ ସହ ଶୀତ ତାପ ନିୟନ୍ତ୍ରିତ ଗାଡ଼ିରେ ବସି ଘୂରି ବୁଲୁଥିବା ରାଧୁଭାଇ ଏଇ ଦିନ ଗୁଡ଼ିକ ଭିତରେ ବୋଧହୁଏ ଭୁଲି ଗଲାଣି ତା ନିଜ ବାପା, ଭାଇଙ୍କ ବିଲ-ଫେରନ୍ତା ଶ୍ରମଝାଳର ବାସ୍ନା । ଏବେ ନିଜ ଦେହରେ ବୋଳି ହେଉଥିବା ଅତରର ବାସ୍ନାରେ ମିଶି ଯାଇଛି ରାଜନୀତିର ମନୋଲୋଭା ସୁଗନ୍ଧ । ରାଧୁଭାଇ ମାଆକୁ ଭାରି ଭଲ ପାଉଥିଲା । ସମ୍ପର୍କରେ ମାଆ ରାଧୁ ଭାଇର ହେବ ଖୁଡୀ । ସେଇ ଅସୁସ୍ଥତା ଭିତରେ କଟକ-ଭୁବନେଶ୍ୱର ରାସ୍ତାରେ ତା’ ଗାଁ ନିକଟରେ ଥିବା ତାଂକ ଜମିକୁ ନେଇ ଆଲୋଚନା କରିଥିଲା ମାଆ ରାଧୁଭାଇ ସହିତ । ଶୁଣୁ ଶୁଣୁ ରାଧୁଭାଇ ଉଲ୍ଲସିତ ହେଲା । କୌଣସି ଜଣେ ବିଲ୍ଡର୍ ସେଇ ଅଞ୍ଚଳରେ ଜାଗା ଖୋଜୁ ଥିବା କଥା ତା’ ମନ ଭିତରେ ବିଜୁଳିଭଳି ଚମକିବାକୁ ଲାଗିଲା । ଗୋପାଳର ପିଠି ଥାପୁଡ଼ାଇ ବହୁତଳ ପ୍ରାସାଦରେ ସୁନ୍ଦର ଫ୍ଲାଟ୍ ଘରଟିଏର ଚିତ୍ର ଆଙ୍କିବାକୁ ଲାଗିଲା ସେ ଗୋପାଳ ଆଖିରେ । ମାଆର ଚିକିତ୍ସା ସହିତ ଏମ ଏଲ ଏ ଙ୍କୁ କହି ତାଙ୍କର କଟକ ଭୁବନେଶ୍ୱର ବସରେ କ୍ଲିନର୍ ଚାକିରୀଟିଏ ବି କରେଇ ଦେଲା ଗୋପାଳ ପାଇଁ ।

ବସ୍ ରେ ଦିନସାରା ଖରା ତରାରେ ବୁଲି ବୁଲି ଡାକ୍ତରଖାନାରେ ମାଆ ପାଖରେ ପହଞ୍ଚେ ଗୋପାଳ । ଦିନସାରା ତା’ ବାଟକୁ ଚାହିଁ ଖଟିଆଟି ଉପରେ ପଡ଼ିଥାଏ ମାଆ । ଗୋପାଳ ମାଆ କୋଳରେ ମୁଣ୍ଡ ଗୁଞ୍ଜିଦିଏ । ମାଆ ତା’ ପଣତରେ ଆଉଁସି ଆଉଁସି ପୋଛିଦିଏ ଗୋପାଳର ଦେହ ମୁଣ୍ଡର ଝାଳ । ସେ ଝାଳ ଗନ୍ଧ କି ବାସ୍ନା – ନା ସେ ବାରିପାରେ, ନା ତା ମାଆ । ସେଦିନ କିନ୍ତୁ ବାରି ପାରିଥିଲା ରାଧୁ ଭାଇ । ‘ଓଃ, କି କଦର୍ଯ୍ୟ ଗନ୍ଧ ବାହାରୁଛି ତୋ ଦେହରୁ; ଯାଆ, ଗାଧେଇକି ଆ’ – କହି ସେଦିନ ମାଆ ପାଖରୁ ବିଦା କରିଦେଇଥିଲା ତାକୁ । ସେଇଦିନ ତା’ ଆଖିର ସବୁ ସ୍ବପ୍ନ ପୋଛି ନେଇଥିଲା ରାଧୁ ଭାଇ ତା ଅଜାଣତରେ । ତା’ର ଅନୁପସ୍ଥିତିରେ ମାଆ ପାଖରୁ ଟିପ ଚିହ୍ନ ନେଇ ଅକ୍ତିଆର କରି ନେଇଥିଲା ତାର ସେ ଜମି ଖଣ୍ଡକ, ମାଲିକଙ୍କ ବୁଦ୍ଧିରେ । ସେଇଠି ସୁନ୍ଦର ବହୁତଳ ପ୍ରାସାଦଟିଏ ଠିଆ ହୋଇଥିଲା ଅଳ୍ପ ଦିନ ଭିତରେ । ଖାଲି ଗୋପାଳ କି ତା’ ମାଆ ପାଇଁ ଜାଗା ନଥିଲା ସେଥିରେ । – ‘ଚେନାଏ ଜମିର କି ବା ପଇସା ମିଳିବ ତତେ ? ତୋ ମାଆର ଔଷଧ ଓ ତୋର ଚାକିରୀଟି ପାଇଁ ଦେଇଥିବା ହାତଗୁଞ୍ଜାକୁ ବି ନିଅଣ୍ଟ ପଡ଼ିଲା ସେ ଟଙ୍କା’ – ଏତକ କହି ମୁହଁ ଫେରାଇ ନେଇଥିଲା ରାଧୁଭାଇ । ବାସ୍, ସେଇ ଦିନଠାରୁ ସେକଥା ଆଉ ପଡିନି । ମାଆ ବଞ୍ଚିଥିବାଯାଏଁ ଡାକ୍ତରଖାନାରେ ମାଆର ଖଟିଆରେ ତା’ କୋଳରେ ରାତି ପାହୁଥିଲା, ଆଉ ଏବେ ବସଷ୍ଟାଣ୍ଡର ସିମେଣ୍ଟ ଚଟାଣରେ ଗଭୀର ରାତିରେ ଢୁଳେଇ ପଡେ ଗୋପାଳ ।

ସାତବର୍ଷ ବିତିଗଲାଣି ଏ ଭିତରେ । ଭୁବନେଶ୍ଵର ଓ ତା ଆଖପାଖରେ ଗଢି ଉଠିଲାଣି କେତେ କୋଠା । ଆଉ ଦେଖା ଯାଉନାହିଁ ଚାଷ ଜମି; ଚାରିଆଡେ ବ୍ୟାପିଗଲାଣି କଂକ୍ରିଟ୍ ଜଙ୍ଗଲ । ଯିବା ଆସିବା ବାଟରେ ନିଥର ଚାହାଣୀରେ ବସ୍ ଭିତରୁ ଅନାଇ ରହେ ସେଇ ସବୁ ଘର ଆଡକୁ ଗୋପାଳ । ତା’ ଜମି ଉପରେ ଠିଆ ହୋଇଥିବା ସେଇ ବହୁତଳ କୋଠାଟି ଭିତରେ ଖୋଜିବୁଲେ ତାର ହଜିଲା ସ୍ଵପ୍ନକୁ । ଭାବପ୍ରବଣ ହୋଇଯାଏ କେବେ କେବେ । ଆଖି ତାର ଘୂରିବୁଲେ ଏମୁଣ୍ଡରୁ ସେମୁଣ୍ଡ, ପୁଣି ଫେରି ଆସେ ବସ୍ ଭିତରକୁ । ଆଜି ବି ସେଇଆ ହେଲା । ପ୍ରକୃତିସ୍ଥ ହେଲା ଗୋପାଳକୃଷ୍ଣ । ଡ଼୍ରାଇଭରକୁ ଆଗକୁ ଚାଲିବାକୁ ଇଶାରା ଦେଇ ଘଣ୍ଟି ବଜାଇଲା ତାର ଥର ଥର ହାତରେ । ବସ୍ ଗଡି ଚାଲିଲା ଭୁବନେଶ୍ୱର ସହର ଭିତରର ରାଜରାସ୍ତା ଅଭିମୁଖେ ।

(୬ ନଭେମ୍ବର ୨୦୨୩ ‘କ୍ରାନ୍ତିଧାରା’ରେ ପ୍ରକାଶିତ)

****

Leave a comment