ଶୋକସଭା

ଦୁଆର ବନ୍ଧରେ ଠିଆ ହୋଇ ଜୟନ୍ତ ଦେଖୁଥିଲା ଭିତରର ସାଜସଜ୍ଜାକୁ । ଧାଡି ଧାଡି ହୋଇ ଚୌକି ପଡ଼ିଥିଲା ଭିତରେ । ସବୁ ଗୁଡ଼ାକ ଖୁବ୍ ଯତ୍ନରେ ସଜେଇ ରଖୁଥିଲେ ସେମାନେ । ସଭା ଆରମ୍ଭ ହେବା ଆଗରୁ ସେସବୁ ଶୃଙ୍ଖଳିତ ଭାବେ ସଜଡା ହୋଇଯିବ ନିଶ୍ଚୟ । ଲୋକମାନେ ଆସି ବସିଗଲା ପରେ କିନ୍ତୁ ଏପଟ ସେପଟ ହୋଇଯିବ ସବୁକିଛି । ନିଜ ନିଜ ପ୍ରିୟ ମଣିଷଙ୍କ ପାଖରେ ବସିବାକୁ ସେମାନେ ଟାଣି ନେବେ ଚୌକି ସବୁ ଏପାଖ ସେପାଖ । ଅବ୍ୟବସ୍ଥିତ ଦିଶିବ ସଭାଗୃହ । ଟିକିଏ ପାଖେଇ ଗଲା ସେ, କାହା ହାତର ମୃଦୁ ଚାପରେ ।

– ‘ଓ, ସେମାନେ ତାହେଲେ ଆସିଗଲେ’- କାନ୍ଥ ପାଖକୁ ଆଉ ଟିକେ ଚାପି ହୋଇଗଲା ଜୟନ୍ତ । ନିଳୀମା ବି ଆସିଛି ସେମାନଙ୍କ ସହ । ନିଳୀମାକୁ ଖୁବ୍ ସମ୍ଭ୍ରମତାର ସହ ନେଇଯାଉଛନ୍ତି ସେମାନେ ମଞ୍ଚ ଉପରକୁ । ଫିକା ଗୋଲାପୀ ରଙ୍ଗର ଶାଢିରେ ଅପୂର୍ବ ଦିଶୁଛି ନିଳୀମା । ଉଦାସ ମୁହଁରେ ବି କେମିତି ଗୋଟେ ଛଳ ଛଳ ଔଜ୍ଵଲ୍ୟ । ଖୁବ୍ ଭାବବିହ୍ୱଳ ହେଇ ପଡୁଥିଲା ଜୟନ୍ତ । ଇଚ୍ଛା ହେଉଥିଲା ଧାଇଁ ଯାଇ ଜଡାଇ ଧରନ୍ତାକି ନିଳୀମାକୁ ତା’ ଦୁଇ ବାହୁରେ । ମଞ୍ଚ ଉପରେ ଧଳା କନା ଗୁଡ଼ାହୋଇଥିବା ଚୌକି ମାନଙ୍କ ଭିତରୁ ମଝାମଝି ଚୌକିଟିରେ ଥିର ହୋଇ ଯାଇ ବସିଲା ନିଳୀମା । ସେଇଠି ଦୁଆର ବନ୍ଧରେ ଠିଆ ହୋଇ ଏକ ଲୟରେ ତାକୁ ସେମିତି ଚାହିଁ ରହିଥିଲା ଜୟନ୍ତ ।

ଆଜିକୁ ଅନେକ ଦିନ ହୋଇଗଲାଣି ସେସବୁ ଘଟଣା । ସାମ୍ବାଦିକ ଜୟନ୍ତ ପଟ୍ଟନାୟକ ସେଦିନ ଏକ ନିର୍ବାଚନ ସଭାରେ ଉପସ୍ଥିତ ଥିଲା । କୌଣସି କାରଣରୁ ନିର୍ବାଚନ ସଭାଟିରେ ଉତକ୍ଷିପ୍ତ ଜନତାଙ୍କ କ୍ରୋଧର ସମ୍ମୁଖୀନ ହେଲେ ନେତା ଜଣକ । ଦେଖୁଦେଖୁ ନିର୍ବାଚନ ଲଢୁଥିବା ନେତାଙ୍କର ହାତାହାତି ହୋଇଗଲା କାହା ସହିତ । ସଭାସ୍ଥଳକୁ ଶାନ୍ତ କରିବାର ଉଦ୍ୟମ ଭିତରେ ସାମ୍ବାଦିକର ଭୂମିକାଟି ତୁଲେଇବାର ଚେଷ୍ଟା ଅବ୍ୟାହତ ରଖିଥିଲା ଜୟନ୍ତ । ପାଟିତୁଣ୍ଡ ଗଣ୍ଡଗୋଳ ବେଳକୁ ବେଳ ବଢ଼ିବାକୁ ଲାଗିଲା । ସାଧାରଣ ନିର୍ବାଚନ ସଭାଟି ପରିଣତ ହେଲା ଛୋଟ ଗୋଟେ ରଣକ୍ଷେତ୍ରରେ । ନେତାଙ୍କ ସହିତ ହାତାହାତି ଘଟଣାରେ ବିପକ୍ଷ ଜନତାର ପକ୍ଷ ନେଇ ଥିବାର ଅଭିଯୋଗରେ ବରଖାସ୍ତ ହେଲା ଜୟନ୍ତ ତାର ସମ୍ମାନସ୍ପଦ ଖବର କାଗଜ ସଂସ୍ଥାଟିରୁ । କିଛିଦିନ ବେକାର ରହିବା ପରେ ଛୋଟ ଅଥଚ ନିର୍ଭରଯୋଗ୍ୟ ଏକ ସମ୍ବାଦ ସଂସ୍ଥାଟିରେ ପୁଣି କାମ କରିବାର ସୁଯୋଗ ମିଳିଲା ତାକୁ । ସେଇ ଦିନଠାରୁ ସେଇଠି କାମ କରିଆସୁଛି ସେ । ଅତୀତର ସେ ଦିନ ଗୁଡ଼ିକ ମନେପଡ଼ି ଦୀର୍ଘଶ୍ୱାସଟିଏ ବାହାରିଗଲା ତା’ର ହୃଦୟ କୋଣରୁ – ବଡ ବାଧିଥିଲା ତାକୁ ସେ ଘଟଣା, ସାମ୍ବାଦିକର କଣ ମାନବିକତା ପ୍ରଦର୍ଶନର ଅଧିକାର ନାହିଁ ?

ଲେଖିବା ତା’ର କାମ । କିନ୍ତୁ ତା’ର ବିଶେଷତ୍ଵ ଥିଲା ଶୋକବାର୍ତ୍ତା ଲେଖିବା । ସାଧାରଣ ଶୋକବାର୍ତ୍ତାଟିଏ ପଛରେ ସାମ୍ବାଦିକତା ସହ ଜୟନ୍ତ ଭରି ଦେଇଥାଏ ଏକ ଅତୁଳନୀୟ ମାର୍ମିକ ଆବେଗ । ଶୋକବାର୍ତ୍ତା ଲେଖିବାରେ ଯେ ପାରଙ୍ଗମତା ଓ ନିପୁଣତାର ଆବଶ୍ୟକତା ଥାଇପାରେ, ତାହା ଜୟନ୍ତ ଲେଖୁଥିବା ଲେଖାଗୁଡ଼ିକ ପଢ଼ିଲେ ଜାଣିହେବ ।ଏଇ ନୂଆ ସମ୍ବାଦ ସଂସ୍ଥାଟିରେ, ଅନ୍ୟାନ୍ୟ କାମ ଭିତରେ ଏଇ ଶୋକବାର୍ତ୍ତା ଲେଖିବା ଥିଲା ତାର ପ୍ରମୁଖ କାମ । ନିଜ ସହର ଓ ଆଖପାଖ ସହରରେ ଥିବା ନାମୀଦାମୀ ଲୋକମାନଙ୍କ ମୃତ୍ୟୁରେ ସେ ଲେଖୁଥିବା ଶୋକବାର୍ତ୍ତା ତାକୁ ଦେଇଥିଲା ଏକ ସ୍ବତନ୍ତ୍ର ପରିଚିତି । ତା’ ପାଖରୁ ଶୋକବାର୍ତ୍ତା ଲେଖେଇ ନେବାକୁ ଲୋକେ ଆଗ୍ରହ କରୁଥିଲେ । ଦେଶ ବିଦେଶରେ ଥିବା ନେତା ମନ୍ତ୍ରୀ ତଥା ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କର ମୃତ୍ୟୁରେ ଶୋକବାର୍ତ୍ତା ଲେଖିବା ପାଇଁ ନିଜ ଖବର କାଗଜ ଛଡା ତାକୁ ସ୍ଵତନ୍ତ୍ର ବରାଦ ମିଳୁଥିଲା ବିଭିନ୍ନ ଖବରକାଗଜ ଓ ପତ୍ରିକା ପକ୍ଷରୁ ।

ତା’ର ଏଇ କାମଟି ନିଳୀମାକୁ ପସନ୍ଦ ନଥିଲା ପ୍ରଥମରୁ । ‘ସାରା ଜୀଵନ କଣ ତୁମେ ଏମିତି ଶୋକବାର୍ତ୍ତା ହିଁ ଲେଖିବ ଆଉ କିଛି ନୁହେଁ – ଏମିତିରେ ତ ତୁମ ଭିତରେ ଥିବା ଅନନ୍ୟ ସ୍ରଷ୍ଟାଟି ମରିଯିବ, ଲୋପ ପାଇଯିବ ସାହିତ୍ୟ ସୃଷ୍ଟି ପାଇଁ ତୁମ ଭିତରେ ଥିବା ଅଦମ୍ୟ ଆକାଂକ୍ଷା । ନିଳୀମାକୁ ବୁଝେଇ ପାରେନି ଜୟନ୍ତ । ପେଟର ଭୋକ ଆଗରେ ତାର ଆଶା ଆକାଂକ୍ଷା ବଳି ପଡ଼ିଯାଏ । ପରିବାର ପ୍ରତିପୋଷଣର ଦାୟିତ୍ଵ ଭିତରେ ବୃତ୍ତିକୁ ପ୍ରାଧାନ୍ୟ ଦେଇ ସେ ପଛ କରିଦିଏ ନିଜର ଅବଦମନିତ ପ୍ରବୃତ୍ତିକୁ ।

ଜୟନ୍ତ ଲେଖୁଥିବା ଶୋକବାର୍ତ୍ତା ଭିତରେ ବି ଥାଏ ଗୋଟେ ଅଦ୍ଭୂତ ଆକର୍ଷଣ ଶକ୍ତି । ଖବକାଗଜ ପଢ଼ିବା ଭିତରେ ସେଇ ଶୋକବାର୍ତ୍ତା ଗୁଡ଼ିକୁ ଖୋଜି ଖୋଜି ପଢନ୍ତି ଲୋକେ । ବିଭିନ୍ନ ସଭା ସମିତିରେ ଏ ପ୍ରସଙ୍ଗରେ ଆଲୋଚନା ବି ହୁଏ । ଜୟନ୍ତର ଲେଖାରୁ କେତୋଟି ଧାଡିକୁ ଉଦ୍ଧାର କରି କେହି କେହି ପ୍ରଶଂସା କଲେ କୋଟିନିଧି ମିଳିଯାଏ ଯେମିତି ତାକୁ । ସୃଜନଶୀଳତାକୁ ଦେଖେଇବା ପାଇଁ ବଡ କାନଭାସଟିଏ ନ ମିଳିଲେ ମଧ୍ୟ ତା’ ଲେଖନୀ ମୁନରେ ଉତୁରି ଆସୁଥିବା କେଇ ଧାଡ଼ିର କଥାରେ ବି ଜୟନ୍ତ ଛୁଇଁ ପାରେ ପାଠକର ହୃଦୟକୁ ।

ନିଜପାଇଁ ଶୋକବାର୍ତ୍ତାଟିଏ ଲେଖିବାକୁ ଖୁବ୍ ଇଚ୍ଛା ହୋଇଥିଲା ଦିନେ ତା’ର। ସେଦିନ ମନେମନେ ଖୁବ୍ ହସିଥିଲା ସେ । ଢେର୍ ବେଳ ଗୁମ୍ ସୁମ୍ ହୋଇ ରହିଥିଲା ବି । ତା’ପରେ କିନ୍ତୁ ସତକୁ ସତ ଜୟନ୍ତ ଲେଖିଥିଲା ଶୋକବାର୍ତ୍ତାଟିଏ ତା’ ନିଜପାଇଁ । ତା’ ମନର ପ୍ରତିଟି ସୂକ୍ଷ୍ମ ଅନୁଭବକୁ ଲେଖିଥିଲା ସେ ତା’ ଶୋକବାର୍ତ୍ତାରେ । ତାର ମୃତ୍ୟୁ ପରେ ସତରେ କଣ କିଏ ପଢିବ ସେଇ ଶୋକ ବାର୍ତ୍ତାଟିକୁ ? ଲେଖିସାରିବା ପରେ ନିଜ ଡାଏରି ଭିତରେ ରଖିଦେଇଥିଲା ଚାରିଚଉତ କରି କାଗଜଟିକୁ ଆଉ ଭୁଲି ଯାଇଥିଲା ତାକୁ ।

ମଞ୍ଚାସୀନ ନିଳୀମା ହାତରେ ଧରିଥିଲା ମୋଡ଼ିମାଡି ହୋଇଯାଇଥିବା ଓ ସାମାନ୍ୟ ଫାଟି ଆସିଥିବା, ଅନେକ ଦିନର ପୁରୁଣା କାଗଜଟିଏ । ହଠାତ୍ ସଡ଼କ ଦୁର୍ଘଟଣାରେ ପ୍ରାଣତ୍ୟାଗ କରିଥିବା ଜୟନ୍ତ ପଟ୍ଟନାୟକର ଶୋକସଭା ଆୟୋଜିତ ହୋଇଥିଲା ଖବର କାଗଜ ଅଫିସର ଏକ ପ୍ରକୋଷ୍ଠରେ । ଜୟନ୍ତ ଦୁଆର ବନ୍ଧ ପାଖକୁ ଲାଗି ପଡ଼ିଥିବା ନାଲି ଚୌକିଟି ଉପରେ ବସିପଡ଼ିଲା । ନିଳୀମା ହାତରେ ଧରିଛି ଦିନେ ସେ ଲେଖିଥିବା ସେଇ ଶୋକବାର୍ତ୍ତାଟିକୁ । ତା’ ଡାଏରି ଭିତରୁ ନିଳୀମା ସଂଗ୍ରହ କରିଥିଵ ସେଇଟିକୁ । ଜୟନ୍ତର ଆଖି ଜକେଇ ଆସିଲା । ନିଳୀମା ବାର୍ତ୍ତାଟିକୁ ପଢ଼ିବା ଶେଷ କରି ସାରିଲାଣି । ଆଖିରୁ ତା’ର ଝରିପଡୁଛି ଧାର ଧାର ଲୁହ । କାଗଜର ଶେଷ ଅକ୍ଷର ଉପରେ ସେ ଲୁହ ଟୋପା କେତୋଟି ପଡି ଅସ୍ପଷ୍ଟ ଦିଶୁଛି ଶବ୍ଦ ଗୁଡ଼ିକ । ଶେଷରେ ଲେଖାଥିବା ଜୟନ୍ତର ହସ୍ତାକ୍ଷର କ୍ରମଶଃ ନିଷ୍ପ୍ରଭ ହୋଇଯାଉଛି ।

‘ଜୟନ୍ତ ଛଡ଼ା କିଏ ଆଉ ଏମିତି ଶୋକବାର୍ତ୍ତାଟିଏ ଲେଖିପାରିବ ?’ ପ୍ରକୋଷ୍ଠ ଭିତରୁ ଗୁଞ୍ଜରିତ ହୋଇ କଥାଟି ଖେଳିଯାଉଛି ଚତୁର୍ଦ୍ଦିଗ । ସଭା ଆୟୋଜକଙ୍କର କହିବା ଅନୁଯାୟୀ, ପୁରା ପ୍ରକୋଷ୍ଠ ଠିଆ ହୋଇ ପଡ଼ିଥିଲେ ନୀରବ ପ୍ରାର୍ଥନା କରିବା ପାଇଁ, ଦୁଇମିନିଟ । ଜୟନ୍ତ ନିଜ ଲୁହକୁ ଅଟକେଇ ରଖିବାକୁ ଆଉ ନିଳୀମା ଆଖିରୁ ଲୁହତକ ପୋଛିଦେଇ ତାକୁ ଟିକେ ପାଖରୁ ଅନୁଭବିବାକୁ ନିଜର ସୂକ୍ଷ୍ମ ଶରୀରଟିକୁ ପହଁରେଇ ନେଇଥିଲା ମଞ୍ଚ ଦିଗରେ ଧୀରେ, ଅଧୀର ଆବେଗର ସହ ….

****

Leave a comment