‘’ନୂ..ଆ..ବୋ..ଉ…..’’ ତା’ ହାତ ଉପରେ ହାତ ରଖି ସେ କହିଲା ଧିରେ ଛିଣ୍ଡା ଛିଣ୍ଡା ସ୍ଵରରେ । ଗାରିମା ଅଳ୍ପ ଓଢଣା ଟେକି ଚାହିଁଲା ତାକୁ । ତା’ ପାଟି ବଙ୍କେଇ ଯାଇଥିଲା । ତା’ ଆଖିର ଅସ୍ୱାଭାବିକତା ଅସହଜ ଲାଗିଥିଲା ଗାରିମାକୁ । ତାକୁ ଦେଖିଦେବା ପରେ କାହିଁକି କେଜାଣି ଥରିଗଲା ଦେହ । “ଓଃ..”- ଭୟ ଓ ଆତଙ୍କର ମୃଦୁ ଚିତ୍କାରଟିଏ ପାଟିରୁ ବାହାରିଗଲା ଆପେ ଆପେ । ଠେଲି ହୋଇଗଲା ସେ କାନ୍ଥ ଆଡ଼କୁ । ଚାପି ହୋଇଗଲା କାନ୍ଥ ଦେହରେ । ତା’ର ଏ ସଙ୍କୁଚିତ ଡରିଲା ଚେହେରା ଦେଖି ଭୟରେ ସେ ବି ଘୁଞ୍ଚିଗଲା ଟିକେ ଦୂରକୁ । ତା’ ଚେହେରା ଝାଉଁଳି ଗଲା । କ୍ଷଣିକ ପୂର୍ବର ଅଧୀରତା ନଥିଲା ତା’ଠି । ଧିରେ ଠିଆ ହେଲା ସେ, ଆଉ ଅପସରି ଗଲା ସେ ଘରୁ । ଗାରିମା ଟାଣିନେଲା ଓଢଣା । ଏକୁଟିଆ ବସିଥିବା ସେ ଘର ଭିତରେ ପବନ ଯେମିତି ଅଟକିଗଲା ମୁହୂର୍ତ୍ତେ ।
“ଆଜିଠୁ ତୁ କାହାର ବୋହୂ କାହାର ନୂଆବୋଉ, ପୁଣି କାହାର ସାନମା’ , ମାଇଁ, ଖୁଡୀ – ଏମିତି କେତେକଣ । ନିଜକୁ ଏ ସବୁ ରୂପରେ ରଖିଲା ବେଳେ ଖୁବ୍ ସାବଧାନ ହୋଇ ଚଳିବୁ ମାଆ । ଭାରି ସୁକୁମାରିଆ ଏ ସମ୍ପର୍କର ସୂତା । ସ୍ନେହରେ ସାଉଁଟି ନନେଲେ ଟୁକ୍ କରି ଛିଣ୍ଡିଯିବ । ସମ୍ପର୍କର ଛିଣ୍ଡା ସୂତାରେ ଗଣ୍ଠି ପକେଇ ମଜଭୁତ କରିବା ସହଜ ନୁହେଁରେ ମାଆ । ହଁ, ସବୁବେଳେ ମୁହଁରେ ହସରଖି କଥା ହେବୁ … ” ବୋଉର ଏ କଥା ଗୁଡ଼ାକ ତୁହାକୁ ତୁହା ମନେପଡ଼ି ଯାଉଥିଲା ତା’ର ।
ନିଜକୁ ଦମ୍ଭ କଲା ଗାରିମା, ମୁଣ୍ଡ ଉଠାଇ ଖୋଜିହେଲା ତାକୁ । ପାଇଲାନି। କେମିତି ଦୋଷୀ ଦୋଷୀ ଭାବଟେ ଆବୋରି ବସିଥିଲା ତାକୁ । ନିଜକୁ ସମ୍ଭାଳି ନେଲାବେଳକୁ କିରିକିରି ହସ, ତୁନି ତୁନି କଥାରେ ହଲଚଲ ସୃଷ୍ଟି କରି ପହଁଚିଗଲେ କୁନିଛୁଆ ଦଳଟି । ତାଙ୍କର ଭିନ୍ନ ଭିନ୍ନ ସମ୍ବୋଧନ ଖୁବ୍ ମିଠା ଲାଗୁଥିଲା କାନକୁ । ଗାରିମା ଉତଫୁଲ୍ଲିତ ହେଲା । ପାଖରେ ବସେଇ ଖୋଲିଦେଲା ତା’ ବାକ୍ସ । ତା’ ଭିତରୁ କାଢି ଧରେଇ ଦେଲା, କାହାକୁ ବିନ୍ଦି ତ କାହାକୁ ଅଳତା ପୁଣି ନେଲପଲିସ । କୁନି କୁନି ପାଦରେ କେତେ ସୁନ୍ଦର କରି ପିନ୍ଧେଇ ଦେଲା ଅଳତା । ସେମାନେ ଖୁସି ହେଲେ । “ମାଇଁ, ତୁମେ ଭାରି ସୁନ୍ଦର” – କହି ଲାଗିଗଲେ ତା’ ଦେହରେ । କୁନି ପୁଅଟିଏ “ସାନମାଆ, ତୁମେ ଭାରି ଭଲ” କହି ବେକରେ ଝୁଲି ଗେହ୍ଲେଇ ହେଲା । ଗାରିମା ବି ସ୍ନେହ ଆଦରରେ କୁଣ୍ଢେଇ ଧରିଲା ସେମାନଙ୍କୁ । ବୋଉ କହିଥିବା ସଂପର୍କସବୁ ତା’ ଦେହ ଆଉ ମନକୁ ଉଲ୍ଲସିତ କରୁଥିଲେ, ହେଲେ ଶାଶୁ ଘରେ ସେ ଶୁଣିଥିବା ପ୍ରଥମ ସମ୍ବୋଧନ ଆଉ ଶୁଣା ଯାଉନଥିଲା ତା’କୁ । ନୂଆ.. ବୋଉ .. ଖନେଇ ଖନେଇ ଧିରେ ଧିରେ ସେ ଡ଼ାକିଥିବା ସେଇ ଅସ୍ପଷ୍ଟ ମଧୁର ସ୍ଵରଟି ଘରର ଗହଳି ଚହଳି ଭିତରେ କେଉଁଠି ହଜି ଯାଇଥିଲା । ଗାରିମା କାନରେ ରହି ରହି ଅନୁରଣିତ ହେଉଥିଲା ସେ ସ୍ବର । ଖୋଜି ହେଉଥିଲା ତା’ ଆଖି ସେଇ ମଣିଷଟିକୁ।
‘ନୂଆବୋଉ’ – ଗୋଟେ ଅଦ୍ଭୁତ ଶିହରଣ ଭରା ସମ୍ବୋଧନ । ଗାରିମା ମନେପକାଇ ହସିଦେଲା, କଲେଜ୍ ସମୟର ସେଇ ଅକୁହା କଥାଟିକୁ । ନହନହକା ଦୁର୍ବଳ ଚେହେରା ହେଲେବି ସୁବୋଧ ଭଲ ପାଠ ପଢ଼ୁଥିଲା । ସେମାନେ ରହୁଥିଲେ ଗାରିମା ଘର ପାଖରେ । ଗାରିମା ସେତେବେଳେ ନୂଆ କରି କଲେଜ୍ ଯାଉଥାଏ ଆଉ ସୁବୋଧ ଇଂଜିନିୟରିଂ କଲେଜ୍ ରେ ନାମ ଲେଖାଇଥାଏ । ସୁବୋଧର ସାନଭଉଣୀ ତା’କୁ ନୂଆବୋଉ ଡାକିବା ଆରମ୍ଭ କରିଦେଇଥାଏ । ମାଉସୀ କୁଆଡେ ପକ୍କା କରିଦେଲେଣି ସମ୍ପର୍କ । ଖାଲି ବର୍ଷ କେତେଟା ମଝିରେ । ତା’ ପରେ ତ ତୁମେ ମୋର ନୁଆବୋଉ ହେବ ଏବେଠୁ ଡାକିଲେ କ୍ଷତି କଣ ? କହି ହସି ହସି ଗଡିଯାଏ ସୁବୋଧର ସାନଭଉଣୀ । ମିଛି ମିଛିକା ରାଗୁଥିଲେ ବି ତା’ ଭିତରେ ଖେଳି ଯାଉଥିବା ସେ ପୁଲକ, ଲାଜୁଆ ହସଟେ ହୋଇ ଝରିପଡେ ନୂଆବୋଉ ଡ଼ାକଟି ଶୁଣିଲେ । ସେଇ ଡାକ ଗାରିମା ଆଖିରେ ଭରି ଦିଏ ମିଠା ମିଠା ସ୍ଵପ୍ନ । ଏଇ ନିର୍ଦ୍ଦିଷ୍ଟ ସମ୍ବୋଧନଟି ସୁବୋଧର ଖୁବ୍ ନିକଟକୁ ପହଁରେଇନିଏ ଗାରିମାକୁ । ଗାରିମା ଯେମିତି ଡେଇଁଯାଏ ସେ ଘରର ଏରୁଣ୍ଡି ବନ୍ଧ ।
ସମୟ ସୁଅରେ ଅନେକ ସମ୍ପର୍କ ଦିଗ ହରେଇଲା ପରି ଆଦ୍ୟ ଯୌବନରେ ସୃଷ୍ଟି ହୋଇଥିବା ନୂଆବୋଉ-ନଣନ୍ଦର ସେ ମିଠା ସମ୍ପର୍କ ଫିକା ପଡିଯାଇଥିଲା । ସୁବୋଧର ବିଦେଶିନୀ ପତ୍ନୀକୁ ତା’ ସାନ ଭଉଣୀ ସହ ଗାରିମା ବି ଆପଣେଇ ନେଇଥିଲା ଆଉ ଫେରି ଆସିଥିଲା ତାଙ୍କ ଘରର ଏରୁଣ୍ଡି ବନ୍ଧରୁ ସବୁଦିନପାଇଁ ।
“ସାନଭାଇଟି ସାଧାରଣ ନୁହେଁ । ସେମିତି ପିଲାଟିଏ ହୋଇ ରହିଚି ମାନସିକ ସ୍ତରରେ । ହଁ, ବୁଝି ପାରେ କିଛି କିଛି । ନିଜ କାମ ପାଇଁ କାହା ଉପରେ ନିର୍ଭର କରେନି, ହେଲେ….. ” ବାପା ବିଚଳିତ ଥିଲେ । ‘’ଭଲ ପ୍ରସ୍ତାବ । ପିଲାଟି ଖୁବ୍ ଭଲ । ଗାରିମାର କିଛି ବି ଅସୁବିଧା ହେବନି ସେଠି । ପିଲାଟିର ବୋଉ ଚାଲିଗଲେ ଏବେ । ଆହା, ବୋଉକୁ ତା’ର ମନେପକାଇ ଲୁହ ଛଳ ଛଳ ହୋଇ ଯାଇଥିଲା ତା’ ଆଖି । ଅତି ଭଦ୍ର ସୁଧାର ପିଲା । ଏତେ ବଡ଼ ଚାକିରୀ, ପ୍ରତିପତ୍ତି । ଟିକେ ବି ଅହଙ୍କାର ନାହିଁ ।‘’ ବୋଉ ମନେଇ ନେଇଥିଲା ବାପାଙ୍କୁ । ଗାରିମା କିଛି କହୁନଥିଲା । କେଜାଣି କାହିଁକି ଅନିରୁଦ୍ଧଙ୍କୁ ଦେଖିବା ପରେ ଲାଗୁଥିଲା ତାଙ୍କୁ ଦେଖିଛି ଆଗରୁ । ଏତେ ବେଶୀ ଆପଣାର ଲାଗିଲେ ସେ ସେଇ ପ୍ରଥମ ଦେଖାରେ ଯେ ଗାରିମା ସେଇ ମୁହୂର୍ତ୍ତରେ ମନେମନେ ତାଙ୍କ ହାତଧରିନେଲା ସବୁଦିନ ପାଇଁ ।
ମୁଣ୍ଡର ଓଢଣା ସଜଡ଼ିନେଲା ଗାରିମା । ପଚାରିବ କି କାହାକୁ କୁଆଡେ ଗଲେ ସେ ? ସେ ତାର ଦିଅର । କେବଳ ସେ ହିଁ ଡାକିବେ ତାକୁ ନୂଆବୋଉ ବୋଲି । ଘର ଟିକେ ଖାଲି ଖାଲି ଲାଗୁଥିଲା । ସେ ଉଠିଲା ତା ବସିବା ଜାଗାରୁ । ଧିରେ ଆଗେଇ ଗଲା ଦୁଆର ଆଡକୁ । ସେଇଠି ଭେଟ ହୋଇଗଲା ତାଙ୍କ ସହ । ଏଥର ଖୁବ୍ ଗୋଟେ ସ୍ନେହ ବୋଳା ଡାକ ଶୁଣିଲା ଗାରିମା । ‘’ନୂଆବୋଉ …’’ ଗାରିମା ମୁହଁ ଉଠେଇ ଚାହିଁଲା ତାଙ୍କୁ । ନିଜଠାରୁ ଦି’ ବର୍ଷ ସାନ ଏ ଦିଅର ତାର । ଲମ୍ବା ବଳିଷ୍ଠ ଦେହ ଚଉଡ଼ା ଛାତି ଚିକ୍କଣ ମୁହଁରେ ବାଳୁତ ହସର ଧାରଟିଏ । ଏ ଡାକଟିରେ କେବଳ ପୁଲକ ନୁହେଁ, ଏଥର କେମିତି ଗୋଟେ ମିଠା ସମ୍ପର୍କର ମହକ ପାଇଲା ଗାରିମା । ପ୍ରଥମ ଦେଖାର ଭୟ, ଅସ୍ଵସ୍ତି ଭାବ ଦୂରେଇ ଯାଇଥିଲା ଅପହଞ୍ଚ ଦୂରତାକୁ । ‘’ହଁ, ମୁଁ ତୁମ ନୂଆବୋଉ । ଖାଲି ନୂଆବୋଉ ନୁହେଁ, ତୁମ ବୋଉ ବି ଆଜିଠୁ‘’। ସେଇଠି ଦିଅର ପଛରେ ଗୋଡ଼େଇ ଆସିଥିଲେ ଶଶୁର । ଗାରିମାର କଥାଟି ଶୁଣି ହସିଦେଇ କହିଲେ,’’ ହଁ, ରେ ମାଆ, ତୁ ଏ ବୁଢ଼ା ପୁଅଟିର ବି ଆଜିଠୁ ବୋଉ ହେଲୁ ‘’। ସମ୍ଭ୍ରମତାର ସହ ଲାଜେଇଗଲା ଗାରିମା । ନୂଆ ନୂଆ ସମ୍ପର୍କର ମିଠା ମିଠା ମହକ ଖେଳି ବୁଲୁଥିଲା ଘରସାରା ।
(କ୍ରାନ୍ତିଧାରାରେ ପ୍ରକାଶିତ)
****