ଗୋବରପାଣିରେ ଘର ବାହାର ଲିପି ଆଣିଲା ଲକ୍ଷୀ। ବାବୁଘର ସିମେଣ୍ଟ ଚଟାଣକୁ ସାବୁନ୍ ପାଣିଦେଇ ସଫା କରିଦେଇ ଆସିଛି । ଶୁଖିଗଲେ ଷୋଳପାଖୁଡା ପଦ୍ମଫୁଲ ଉପରେ ମାଆ ଲକ୍ଷ୍ମୀଙ୍କର ପାଦଚିହ୍ନକୁ ଯତ୍ନରେ ଆଙ୍କିଦେବ ସେ । ଏରୁଣ୍ଡି ବନ୍ଧରେ କମକୁଟ କରି ଏପାଖ ସେପାଖ ଆଙ୍କି ଦେବ ପଦୁଅଁ କଢ଼ି, ଧାଡି ଧାଡି କରି । ତା’ ନିଜ ଘରର ଝାଟିମାଟି କାନ୍ଥରେ ବି ଧାନକେଣ୍ଡା ସହିତ ଆଙ୍କିଦେଇଛି ଲକ୍ଷ୍ମୀ ମାଆଙ୍କର ଅଳତାରଞ୍ଜିତ ପାଦଚିହ୍ନକୁ ଢାଉରଙ୍ଗରେ । ବାବୁଘର ମାଣକୁ ମାଆ ସୋଲ ଫୁଲ ଦେଇ ସଜେଇ ଦେଇଛନ୍ତି । ନିଜ ଘରର ମାଣକୁ ହଳଦୀ ଗୁଗୁଳ ବାଟି ସଜେଇଛି ଲକ୍ଷୀ । ମାଆ ଲକ୍ଷ୍ମୀଙ୍କର ନିକ ମୁହଁଟିଏ ଅତି ଯତ୍ନରେ ଗଢିଛି ସେ । କଉଡି ଖଞ୍ଜି ଗଢିଛି ନାକ ପାଟି ଆଖି । ବାବୁଆଣୀ ମାଆଙ୍କୁ ବି କହିଥିଲା ସେମିତି ସଜେଇ ଗଢ଼ିବାକୁ ତାଙ୍କ ମାଣ । ହେଲେ ମାଆ କହିଲେ ,”ଥାଉ ଲୋ ଲକ୍ଷୀ, ଆଜି ମନଟା ମୋର ଆଦୌ ଭଲ ନାହିଁ । ଡାକ୍ତରାଣୀ ମ୍ୟାଡାମ୍ ଚାଲିଗଲେ ଶୁଣିଲା ପରେ ମନଟା ଗୋଳେଇ ଘାଣ୍ଟି ହେଉଛି । ପଦ୍ମା ଆସିଛି । ହେଲେ… ‘’
ପଦ୍ମା ଆସିଛି, ସେଇ ଖୁସି ସ୍ପଷ୍ଟ ଝଲସୁଛି ଲକ୍ଷୀ ମୁହଁରେ । କଣ କହିବେ କହିବେ ହୋଇ ରହିଯାଇଥିଲେ ମାଆ । ଘର ଭିତରୁ ଦୁମଦୁମ ହୋଇ ବାହାରି ଆସିଥିଲା ପଦ୍ମାଳୟା । ଲକ୍ଷୀକୁ ଦେଖି ରହିଗଲା ଟିକେ । ପୁଣି ଫେରିଯାଇଥିଲା ଭିତରକୁ ।
ଏମିତି ଗୋଟିଏ ମାଣବସା ଗୁରୁବାରରେ ସେ ଜନ୍ମହୋଇଥିଲା ବୋଲି ତା’ ମାଆ ତାକୁ ଗେହ୍ଲାକରି ଡାକୁଥିଲା ଲକ୍ଷୀ। ବାବୁଆଣୀଙ୍କ ଝିଅ ପଦ୍ମାଳୟାର ବି ସେଇଦିନ ଜନ୍ମଦିନ । କାଲିପରି ମନେପଡୁଛି ସେ ଦିନଟି । ଡାକ୍ତରଖାନାରୁ ପେଟଚିରା ହୋଇ ଝିଅଟିଏ ହୋଇଛି ବୋଲି ଖବର ପାଇ ଲକ୍ଷୀ ଦୌଡି ଯାଇଥିଲା ମାଆଙ୍କ ପାଖକୁ । ସେଇଠି ବାବୁଆଣୀ ମାଆଙ୍କ ପାଖରେ ଝୁଲାରେ ଝୁଲୁଥିଲା ଚନ୍ଦ୍ରଉଦିଆ କୁନିଝିଅ ପଦ୍ମାଳୟା । ଝୁଲାରୁ ଉଠେଇଆଣି କୋଳରେ ଧରିଥିଲା ସେ । କୁନି ଓଠରେ ଖେଳିଯାଇଥିଲା ପାଖୁଡାଏ ହସ । କେଜାଣି କାହିଁକି ସେଇ ମୁହୂର୍ତ୍ତରେ ସ୍ନିଗ୍ଧ ଶୀତଳ ସୁଖର ଚନ୍ଦନ ପରସ୍ତେ ଲିପିହୋଇଗଲା ଲକ୍ଷୀର ଦେହରେ ମନରେ । ଛାତିରେ ଚାପିଧରିଥିଲା କୁନିଝିଅଟିକୁ । ବାତ୍ସଲ୍ୟ ମମତା ବୋଧେ ଆକୁଇ କହନ୍ତି ।
ପଦ୍ମାଳୟା ବଡହେଲା । ଲକ୍ଷୀ ସମ୍ଭାଳିଲା ତାର ସବୁ ଅଳି ଅର୍ଦ୍ଦଳି । ନିଜର ନହେଲେବି ପଦ୍ମାଳୟାକୁ କୋଡରେ ପୁରେଇ ଅପତ୍ୟ ସୁଖ ଅନୁଭବିଲା ସେ ।
ପାଠପଢା ସାରି ଚାକିରୀ କରି କେତେବେଳେ ଯେ ଏତେବେଶୀ ଜାଣିବା ଶୁଣିବାର ହୋଇଗଲା ପଦ୍ମାଳୟା, ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ଲକ୍ଷ୍ମୀକୁ । ମାଆ ତାକୁ ଲକ୍ଷ୍ମୀ ଡାକନ୍ତି । ପଦ୍ମାଳୟା ଡାକେ ଲକ୍ଷୀମା’ । ଏ ଭିତରେ ଏତେଗୁଡାଏ ବର୍ଷ କେମିତି ବିତିଗଲା ଜାଣିପାରିଲାନି ଲକ୍ଷୀ । କୋଳରେ କାଖରେ ବଡ କରିଥିବା କୁନିଝିଅଟି ବାପ ଘରର ଏରୁଣ୍ଡି ବନ୍ଧ ପାର ହୋଇ ଶାଶୁ ଘରେ ପ୍ରବେଶ କଲା । ବାହାଘର ପୂର୍ବରୁ ବାବୁ ଆଉ ମାଆଙ୍କ ସହ ଦେଖା କରେଇବାକୁ ପଦ୍ମାଳୟା ଯେଉଁଦିନ ସାଙ୍ଗରେ ଜୋଇଁବାବୁଙ୍କୁ ନେଇ ଘରକୁ ଆସିଥିଲା, ବାବୁ ମାଆ ସତରେ ଖୁସି ହେଲେକି ନା କେଜାଣି ! ସେଦିନ କିନ୍ତୁ ମନ ତା’ର ଆନନ୍ଦରେ ନାଚି ଯାଇଥିଲା । ପଦ୍ମାଳୟା ବି ଜୋଇଁବାବୁଙ୍କୁ ତା’ ସହ ପରିଚୟ କରିଦେଲା ବେଳେ, “ଇଏ ମୋର ଆଉଗୋଟେ ମାଆ, ଲକ୍ଷୀମା” – କହି ଏତେ ଜୋର୍ ରେ ଚାପିଧରିଥିଲା ତାକୁ ଯେ ଲକ୍ଷୀର ମନରେ ଜୋଇଁବାବୁଙ୍କୁ ନେଇ ଆସିଥିବା ଶଙ୍କା ଟିକକ ଚଟ୍ କିନା ଆଶ୍ୱସ୍ତିରେ ପରିଣତ ହୋଇଗଲା । କେଜାଣି କାହିଁକି ବାବୁ ମାଆ ଖୁସି ନଥିଲେ । ବୋଧହୁଏ ଉଭୟ ଘରର ଚଳଣୀରେ ଥିବା ଅସାମଞ୍ଜସ୍ୟତା ବାରି ପାରୁଥିଲେ ସେମାନେ । ପଦ୍ମାଳୟାର ଖୁସି ଦେଖି ଲକ୍ଷ୍ମୀ କିନ୍ତୁ ଖୁବ୍ ଖୁସିଥିଲା ସେଦିନ।
ଏ ଭିତରେ ବର୍ଷଟିଏ ବିତିଗଲାଣି । ପଦ୍ମାଳୟା ଘରକୁ ଆସିଲେ ମାଆ ତା’ ପଛରେ ପଡ଼ି ଯାଆନ୍ତି ଶାଶୁ ଘରେ ସବୁ ଠିକ୍ ତ ? ଜୋଇଁ ତୋ କଥା ବୁଝୁଛନ୍ତି ଟି ? କେଜାଣି କାହିଁକି ଲକ୍ଷୀ ଟିକେ ସଙ୍କୁଚିତ ହୋଇଯାଏ । ମନ ଗୋଳେଇ ପୋଳେଇ ହୁଏ । ପଦ୍ମା କିଛି ଲୁଚେଇଲା ପରି ମନେହୁଏ । ନିଜର ପୋଡ଼ା ଭାଗ୍ୟକୁ ମନେ ପକାଇ ଡରିଯାଏ ଲକ୍ଷୀ । ସେଦିନ ଯଦି ଏରୁଣ୍ଡି ଡେଇଁ ସେ ବାହାରି ଆସିନଥାନ୍ତା …. ମଦ ଖାଇ ପିଟି ପକାଉଥିଲା ସେ ଲୋକଟା । ଓଟାରି ନେଉଥିଲା ତାର ସଞ୍ଚିତ ପଇସାପତ୍ର । ସେଦିନ ସେ ସାଙ୍ଗରେ ନେଇ ଆସିଥିବା ସେ ଅଲକ୍ଷଣି ମାଇପିଟି ବି ତା ଉପରକୁ ଝାମ୍ପି ପଡ଼ିଲା । ସେଇଯେ ବାହାରି ଆସିଛି ଲକ୍ଷୀ ଆଉ ପଛକୁ ଫେରିନି । ବଡବଡିଆଙ୍କ ଘରେ ଏସବୁ ହେଉନଥିବ । ଲକ୍ଷୀ ଆଖି ପୋଛିଲା । ହାତ ଯୋଡି ପଦ୍ମଳୟା ପାଇଁ ଆଶିଷ ମାଗିଲା ଠାକୁରଙ୍କ ପାଖରେ ।
ନିଜ ଘରର ପୂଜା ସରଞ୍ଜାମ ଯୋଗାଡି ଦେଇ ବାବୁଘର ଏରୁଣ୍ଡି ପାଖରେ ପହଞ୍ଚିଲା ଲକ୍ଷୀ । ଅଣ୍ଟା ସଳଖି ବସିଲା, ଆଉ ଆଙ୍କିଦେଲା ଷୋହଳ ପାଖୁଡ଼ା ପଦ୍ମ ନିମିଷକ ଭିତରେ । ଝୋଟି ଚିତା ଆଙ୍କିବାରେ ପାରଙ୍ଗମ ସେ । ଘର ଭିତରୁ ଯୁକ୍ତି ତର୍କ ଶୁଣା ଯାଉଥିଲା ତାକୁ । ପଦ୍ମାଳୟାର ପାଟି ବେଳକୁ ବେଳ ବଢ଼ିବାକୁ ଲାଗିଲା । ଯାହାସବୁ କହି ଯାଉଥିଲା ପଦ୍ମାଳୟା, ସେସବୁ ଆଉ ସେଇ ବନ୍ଦ ଘର ଭିତରେ ବନ୍ଦୀ ହୋଇ ରହୁନଥିଲା , ଫିଟି ପଡ଼ି ଛିଟିକି ପଡୁଥିଲା ଦୁଆର ଏପଟକୁ ।
ମାଆ ଲକ୍ଷ୍ମୀ ଠାକୁରାଣୀବି ଶ୍ରିୟା ଚଣ୍ଡାଳୁଣୀର ଭକ୍ତିରେ ପ୍ରସନ୍ନ ହୋଇ ତା’ ଘରେ ଉଭା ହୋଇଥିଲେ, ତା’ ହାତରୁ ପ୍ରସାଦ ପାଇଥିଲେ । ବଡ ଭାଇ ବଳରାମଙ୍କ କଥାରେ ମାଆ ଲକ୍ଷ୍ମୀଙ୍କୁ ହତାଦର କରି କେତେ ହିନସ୍ତା ହୋଇଥିଲେ ପ୍ରଭୁ ଜଗନ୍ନାଥ ।
ବାନ୍ଧବୀ ତାହିରା ସହିତ ପଦ୍ମାଳୟାର ଘନିଷ୍ଠତା ପସନ୍ଦ କରନ୍ତିନାହିଁ ପଦ୍ମାଳୟାର ଶାଶୁଶଶୁର । ସେଇକଥାନେଇ ଜୋଇଁ ବାବୁଂକ ସହ ବେଶ୍ କେତେଥର କଥା କଟାକଟି ହୋଇଗଲାଣି ଏ ଭିତରେ ପଦ୍ମାଳୟାର । ସେକଥା କହିଲା ବେଳେ କୋହରୁଦ୍ଧ ହୋଇଯାଉଥିଲା ପଦ୍ମାଳୟା । ଲକ୍ଷୀ ଥ’ ହୋଇ ରହିଗଲା ।
ତାହିରା ପଦ୍ମାଳୟାର ପିଲାଦିନର ସାଙ୍ଗ । ତା’ରି ଡାକ୍ତରାଣୀ ମାଆଙ୍କ ପାଇଁ ପଦ୍ମାଳୟା ପିଲାଦିନେ ମରୁମରୁ ବଞ୍ଚିଛି । ଡକ୍ଟର ରେଶମା ସେ ଖଣ୍ଡ ମଣ୍ଡଳରେ ସମସ୍ତଙ୍କର ପ୍ରିୟ । ଜୀବନର ଆଶା ଛାଡ଼ିଦେଇଥିବା କେତେ ରୋଗୀ, ତାଙ୍କର ପ୍ରତ୍ୟକ୍ଷ ସ୍ନେହପୂର୍ଣ୍ଣ ସେବାଯତ୍ନରେ ମରଣ ମୁହଁରୁ ଫେରିଛନ୍ତି । ଡାକ୍ତର ଭଗବାନଙ୍କ ଦ୍ବିତୀୟ ରୂପ । ରୋଗୀ ସେବା କରିବା ସମୟରେ ଉଭୟ ଡାକ୍ତର ଓ ରୋଗୀ ପରସ୍ପର ସହିତ ଏକ ଅନୁପମ ସମ୍ପର୍କରେ ବାନ୍ଧି ହୋଇଯାଆନ୍ତି । କ୍ଷଣସ୍ଥାୟୀ ସେ ସମ୍ପର୍କକୁ ଆଗକୁ ବଢ଼ିବାକୁ ଦେଇଥିଲେ ମାଆ । ଏକା ଶ୍ରେଣୀରେ ପଢୁଥିବା ତାହିରା ଓ ପଦ୍ମାଳୟାଙ୍କ ଭିତରେ ସୃଷ୍ଟି ହୋଇଥିବା ସେ ସ୍ନେହ ଓ ଭଲପାଇବା ଦିନକୁ ଦିନ ବଢିଥିଲା । ଆଜି ହଠାତ୍ ….
ମାଉସୀ ଅସୁସ୍ଥ । ଜୀବନର ଶେଷଶଯ୍ୟାରେ । ଭୟଙ୍କର ଏକ ସଡକ ଦୁର୍ଘଟଣାପରେ ଡାକ୍ତର ରେଶମାଙ୍କ ପାଇଁ ବଞ୍ଚି ରହିବା ଏକ ଅଭିଶାପ ହୋଇ ଯାଇଥିଲା । ପାଖାପାଖି ଘର ହୋଇବି ସେ ଶଯ୍ୟାଶାୟୀ ହେବାର ତିନିମାସ ଭିତରେ ତାହିରା ପାଖକୁ ଥରେ ମଧ୍ୟ ଆସିପାରିନି ପଦ୍ମାଳୟା । ଶାଶୁଘରର ନୂଆ ସମ୍ପର୍କରେ ବାନ୍ଧିହୋଇଥିବା ମଣିଷ ମାନଂକ ଖୁସିପାଇଁ ନିଜ ବଂଧୁତାକୁ ଆଡ କରିଦେଇଥିଲା ସେ । ଆଜି ମାଉସୀ ଚାଲିଗଲେ ଜାଣି ବି କେମିତି ଯାଇ ନଥାଆନ୍ତା ସେଠିକୁ? କାହିଁକି? କାହିଁକି ସେ ଠିଆ ହୋଇ ପାରିବନି ତା ପ୍ରିୟ ସଖି ତାହିରାର ଦୁଃଖ ବାଣ୍ଟି ନେବାକୁ ?
ସବୁ କେମିତି ଗୋଳମାଳିଆ ହୋଇଯାଉଥିଲା ଲକ୍ଷୀର ମୁଣ୍ଡ ଭିତରେ । କଣ ଠିକ୍ କଣ ଭୁଲ୍? ସେ ଭାବିଲା ବେଳକୁ, ବଡ ବଡ ପାହୁଣ୍ଡ ପକେଇ ଘର ଭିତରୁ ବାହାରି ଆସିଲା ପଦ୍ମାଳୟା । ଏଇମାତ୍ର ସେ ଆଙ୍କିଥିବା ଷୋହଳ ପାଖୁଡ଼ା ପଦ୍ମଫୁଲଟି ଉପରେ ପାଦ ପକେଇ ତମ ତମ ହୋଇ ଚାଲିଗଲା ସେ ।
କୁଆଡେ ? କୁଆଡେ ଯାଉଛି ସେ ? ଲକ୍ଷ୍ମୀ ଠାକୁରାଣୀ ମାନ କରି ଶ୍ରୀମନ୍ଦିର ଛାଡ଼ିଗଲାପରି କଣ ….. ଲକ୍ଷୀ ପଦ୍ମାଳୟା ପଛେ ପଛେ ଦଉଡ଼ି ଗଲା ଘରର ମୁଖ୍ୟ ଫାଟକ ପର୍ଯ୍ୟନ୍ତ । ସଡ଼କ ସେପାଖେ ଡାକ୍ତରାଣୀ ରେଶମାଙ୍କର କଫିନ ସଜଡା ହେଉଥିଲା । ପଦ୍ମାଳୟା ଟପିଯାଇଥିଲା ତାଙ୍କ ଘରର ଏରୁଣ୍ଡି ବନ୍ଧ । ଆଖିରୁ ଲୁହ ପୋଛି ଫେରି ଆସିଲା ଲକ୍ଷୀ। ପୁଣିଥରେ ସଜାଡି ଦେବ ସେ ଆଙ୍କିଥିବା ପଦ୍ମଫୁଲଟିକୁ । ଦାଣ୍ଡ ବାରଣ୍ଡାରେ ଷୋହଳ ପାଖୁଡ଼ା ପଦ୍ମଟି ଦାଉ ଦାଉ ଦିଶୁଥିଲା । ପଦ୍ମଫୁଲର କେଶର ପାଖରେ ପଦ୍ମାର ଅଳତା ରଞ୍ଜିତ କମନୀୟ ପାଦଚିହ୍ନଦୁଇଟିକୁ ଏକଲୟରେ ଚାହିଁ ରହିଥିଲା ଲକ୍ଷୀ।
………………………