କ୍ଷମା

ମୁଗ୍ଧା ଚାହିଁ ରହିଥିଲା ଦୂରକୁ । ତା’ କୋଠରୀର ଝର୍କାରୁ ଦୂର ପାହାଡ ଖୁବ୍ ସୁନ୍ଦର ଆଉ ମନଲୋଭା ଲାଗୁଥିଲା ଆଜି । ଏ ଭିତରେ ଜୀବନର ନୂଆ ବାଟଟିଏକୁ ପାଦ ବଢ଼େଇଛି ସେ । ଏଇ ବାଟରେ ଚାଲିବାକୁ ଭଲ ଲାଗୁଛି ତାକୁ । ତା’ ଭିତରେ ନୀରବରେ ଛଟପଟ ହୋଇ ନିଶ୍ଚିହ୍ନ ହୋଇ ଯାଉଥିବା ତା ନିଜକୁ ଫେରିପାଇଛି ସେ ।

ବିଗତ ଦିନମାନଙ୍କରେ ଫାର୍ମ୍ ହାଉସ୍ କୁ ଆସି ଖୁବ୍ ଏକା ହୋଇଯାଉଥିଲା ମୁଗ୍ଧା ।ସାମଞ୍ଜସ୍ୟଙ୍କର ସାନ୍ନିଧ୍ୟ ପାଇବାକୁ ବ୍ୟାକୁଳ ହେଉଥିଲା ମନ । ସାଙ୍ଗସାଥି ବନ୍ଧୁ ପରିଜନଙ୍କୁ ଝୁରି ହେଉଥିଲା ସେ । ତଳ ମହଲାରେ, କାମ କରୁଥିବା ଲୋକମାନଙ୍କର ଆତଯାତ ଲାଗିରହିଥାଏ; ମାତ୍ର ଉପର ମହଲାରେ ଅଖଣ୍ଡ ନୀରବତା । ଅଫିସ୍ ଘରେ, କର୍ମଚାରୀମାନଙ୍କ ଗହଣରେ ସାରାଦିନ କଟାନ୍ତି ସାମଞ୍ଜସ୍ୟ ।କାର୍ଯ୍ୟବ୍ୟସ୍ତତା ଭିତରେ ଥାଇ ସେ ଅନୁଭବ କରିପାରନ୍ତି ନାହିଁ ମୁଗ୍ଧାର ଏକାକୀପଣକୁ ।

ସାମଞ୍ଜସ୍ୟ ଆଉ ମୁଗ୍ଧା – ଦୁହେଁ ଏକା ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଗଛଲତାକୁ ଗଭୀର ଭଲପାଉଥିଲା ମୁଗ୍ଧା ଓ ତାହା ତାକୁ କୃଷି ସମ୍ବନ୍ଧୀୟ ପାଠ ପଢ଼ିବାକୁ ଅନୁପ୍ରାଣିତ କରିଥିଲା । ଭଲ ପାଠ ପଢ଼ୁଥିଲା, ତେଣୁ ସହଜରେ ନାଁ ବି ଲେଖା ହେଇଗଲା ପ୍ରତିଷ୍ଠିତ କୃଷି ବିଜ୍ଞାନ ଶିକ୍ଷାନୁଷ୍ଠାନରେ । ସେଇଠି ଦେଖାହେଲେ ସାମଞ୍ଜସ୍ୟ । ମୁଗ୍ଧା ପ୍ରଗଳଭା ନଦୀଟିଏ । ସାମଞ୍ଜସ୍ୟ ଗମ୍ଭୀର, ଗଭୀର ସମୁଦ୍ର । ଏତେବେଶୀ ଅସାମଞ୍ଜସ୍ୟତା ସତ୍ତ୍ଵେ ପରସ୍ପରକୁ ନିକଟରେ ପାଇବାର ପ୍ରବଣତା ହିଁ ଦୁହିଁଙ୍କୁ ଏକାଠି କରିଥିଲା ।

ବାହାଘର ପରେ ସହରତଳି ଗାଁ’ରେ ପରିତ୍ୟକ୍ତ ହୋଇ ପଡ଼ିଥିବା ଏଇ ଘରଟିକୁ ଭାଙ୍ଗି ନୂଆରୂପ ଦେଲେ ସାମଞ୍ଜସ୍ୟ । ନାନାଦି ଫଳ, ପରିବା ଓ ଋତୁକାଳୀନ ଫସଲ ଉତ୍ପାଦନ କରିବା ସହ ଘରଠାରୁ ଅନତି ଦୂରରେ ଥିବା ପାହାଡଟିକୁ ଲିଜ୍ ରେ ନେଇ ବିଳାସପୂର୍ଣ୍ଣ ହୋଟେଲଟିଏ ଗଢ଼ିଲେ ନିଜ ରୁଚିରେ । ସାମଞ୍ଜସ୍ୟ ମୁଗ୍ଧାକୁ ପ୍ରଚୁର ଭଲ ପାଉଥିଲେ । ଏକଦା ପ୍ରେମାଳାପରେ ମୁଗ୍ଧା ବର୍ଣ୍ଣନା କରିଥିବା ତା’ର ସ୍ୱପ୍ନର ଘରଟିଏ ବି ତିଆରି କରିଥିଲେ ସବୁଜ ଖେତର ଉତ୍ତର କୋଣରେ । ତଳ ମହଲାରେ ଗୋଦାମ ଓ ଅଫିସ୍ ଘର ନିଜ ରୁଚିରେ କିନ୍ତୁ ଉପର ମହଲାରେ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ମୁଗ୍ଧାର ଚିର ଇପ୍ସିତ ଏକ ସ୍ଵପ୍ନର ମହଲ ।

ସହରର କୋଳାହଳଠାରୁ ଦୂରରେ ଏଇ ଫାର୍ମ ହାଉସଟି ଏକଦା ମୁଗ୍ଧାର ପ୍ରିୟ ଥିଲା । ଭଗବାନ୍ ସିନା କୋଳରେ ଛୁଆଟିଏ ଦେଲେନି ହେଲେ ଶାଶୁ ଘରର ପୁରା ପରିବାରଟିଏ ଥିଲା ସାଙ୍ଗରେ । ଭଲପାଉଥିବା ମଣିଷ ମାନଙ୍କ ସହିତ ସହଜ ଭାବରେ କଟି ଯାଉଥିଲା ଜୀବନ । ସେ ଭିତରେ ନିଜକୁ ପାଶୋରି ଦେଇଥିଲା ସେ । ନଣନ୍ଦ ଦିଅର ପାଠ ପଢ଼ିଲେ, ବାହାସାହା ହୋଇ ଘର ଛାଡ଼ି ଚାଲିଗଲେ ନିଜ ସଂସାରକୁ ନେଇ । ଶାଶୁ ଶ୍ୱଶୁର ଚାଲିଗଲା ପରେ ଖୁବ୍ ଏକୁଟିଆ ହୋଇଗଲା ମୁଗ୍ଧା । ଘର ଜଞ୍ଜାଳରେ ବ୍ୟସ୍ତ ଥିଲାବେଳେ କେବେ କେମିତି ଦିନେ ଅଧେ ଆସି ରହୁଥିଲେ ଫାର୍ମ ହାଉସ୍ ରେ ସମସ୍ତେ । ସେ ସମୟ ଆନନ୍ଦ କୋଳାହଳର ସମୟ, ଖୁସି-ମଉଜର ଦିନ । ସାମଞ୍ଜସ୍ୟ କିନ୍ତୁ ସେତେବେଳ ବି ବ୍ୟସ୍ତ ରହୁଥିଲେ କର୍ମଜଞ୍ଜାଳ ଭିତରେ ।

ଗତାନୁଗତିକ ଜୀବନ ପ୍ରବାହ ଭିତରେ ସମୟ କ୍ରମଶଃ ଦୀର୍ଘତର ମନେହେଲା ମୁଗ୍ଧାକୁ। ନିଜର ଅସ୍ତିତ୍ବ ଖୋଜିହେଲା ସେ । ଅନ୍ୟମନସ୍କ ରହିଲା ।

ଏଇଠି, ଫାର୍ମ ହାଉସରେ ଦେଖାହେଲା ତାପସୀ । ତାପସୀ ଘୋଷ । ତାଙ୍କ ହୋଟେଲର ନୂଆ କର୍ମଚାରୀ । ଖୁବ୍ ଚୁଲବୁଲି ଝିଅଟିଏ । ମୁଗ୍ଧାକୁ ଭଲ ଲାଗୁଥିଲା ତାର ସାହଚର୍ଯ୍ୟ । ବାପାମାଆଙ୍କୁ ସଡକ ଦୁର୍ଘଟଣାରେ ହରେଇ ଝିଅଟି ବଡ ହୋଇଥିଲା ଏକ ଅନାଥାଶ୍ରମରେ । ପାଠପଢି ନିଜ ଗୋଡରେ ଠିଆ ହେବାର ସାହସ କରିଥିଲା । ତାର ବ୍ୟକ୍ତିତ୍ଵରେ ଆକର୍ଷିତ ହୋଇଥିଲା ମୁଗ୍ଧା । ମାଆ ଝିଅ ବୟସର ଦୁଇଟି ନାରୀ ଖୁବ୍ ଶୀଘ୍ର ବାନ୍ଧିହୋଇଯାଇଥିଲେ ବନ୍ଧୁତା ସୂତ୍ରରେ । ନିଜର ସୁପ୍ତ ଅଭିଳାଷର ପ୍ରତିବିମ୍ବ ଦେଖିଥିଲା ସେ ତାପସୀ ଆଖିରେ । ଉଭୟଙ୍କର ରୁଚି ମେଳ ଖାଇଲା । ହୋଟେଲର ବଗିଚା ଓ ସବୁଜ ସାଜସଜ୍ଜାର ଦାୟିତ୍ୱରେ ଥିବା ତାପସୀ ମୁଗ୍ଧାର ରୁଚିକୁ ପ୍ରାଧାନ୍ୟ ଦେବାସହ ସେସବୁ କାମରେ ତାର ପରାମର୍ଶ ନେବାକୁ ଆଗ୍ରହ କଲା । ଅନେକ ଦିନ ପରେ ମୁଗ୍ଧା ଆଖିରେ ଚମକ ଆସିଲା । ପୁଣିଥରେ ଜୀବନ ଜିଇଁବାକୁ ଆରମ୍ଭ କଲା ସେ । ତାପସୀ ସହ ମିଶି ଖୁବ୍ ମନଲଗାଇ ସେ ସଜେଇଲା ହୋଟେଲର ବଗିଚା, ନିଜ ରୁଚିରେ ସୃଷ୍ଟି କଲା ଆଖିଦୃଷ୍ଟିଆ ସବୁଜିମା ।

ଆଜି ଅନେକ ଦିନ ପରେ ଫାର୍ମ ହାଉସ୍ ରେ ନିଜ କୋଠରୀରେ ବସିଥିଲା ମୁଗ୍ଧା । ଆଖି ତା’ର ପାହାଡ ସେପଟେ ନାଲି ରଙ୍ଗର ଫଗୁ ବିଞ୍ଚି ଅସ୍ତ ଯାଉଥିବା ସୂର୍ଯ୍ୟକୁ ଦେଖୁଥିଲା । କାହା ହାତର ମୃଦୁ ସ୍ପର୍ଶରେ ବୁଲି ଚାହିଁଲା ସେ । ସାମଞ୍ଜସ୍ୟ ! ‘ଏ ଅସମୟରେ !! ଆଜି କଣ ଏତେବେଳେ’ ? ମୁଗ୍ଧାର ପ୍ରଶ୍ନ ଶୁଣି ହସିଲେ ସାମଞ୍ଜସ୍ୟ । – ‘କାଇଁ, ମତେ କଣ ଅସମୟରେ ଆସିବାକୁ ମନା’ ? ‘ନା’ ଯେ…’ । ଲାଜେଇଗଲା ମୁଗ୍ଧା । ତା’ ଆଖିରେ ସାମଞ୍ଜସ୍ୟ ଦେଖିପାରୁଥିଲେ ଅତୀତର ଚମକ ଯାହା କ୍ରମେ ନିଷ୍ପ୍ରଭ ହେବାକୁ ବସିଥିଲା । ତାପସୀ ସହ କାମ କରିବା ପରେ ମୁଗ୍ଧା ଫେରିପାଇଥିଲା ନିଜର ଆତ୍ମବିଶ୍ବାସ । ମୁଗ୍ଧା ପ୍ରତି ନିଜ ଅଜାଣତରେ ଆଜିଯାଏଁ କରିଥିବା ତାଙ୍କର ଅନିଚ୍ଛାକୃତ ଅବହେଳାକୁ ନେଇ ଏଇ କେଇଦିନହେଲା ଅନେକ ଭାବିଛନ୍ତି ସେ । ଅନୁଭବ କରିପାରିଛନ୍ତି ମୁଗ୍ଧାର ପରିବର୍ତ୍ତିତ ମୁଗ୍ଧ ଭାବ, ଏ ଭିତରେ। ନିଜର ଭୁଲ୍ କୁ ସ୍ବୀକାର କରି କ୍ଷମା ମାଗିବାକୁ ଆଜି ଧାଇଁ ଆସିଥିଲେ ସେ ତା’ ପାଖକୁ । ଦୁଇ ହାତରେ ବେଢେଇ ନେଲେ ସେ ମୁଗ୍ଧାକୁ । ବାନ୍ଧବୀ, ପ୍ରେମିକା ପୁଣି ପତ୍ନୀ ରୁପରେ ପାଇଥିବା ନିଜର ଅତି ପ୍ରିୟ ମଣିଷଟି କଣ ତାଙ୍କୁ କ୍ଷମା କରିଦେଇଥିବ ? ମୁଗ୍ଧା ଆଖିରେ ଭରପୁର ଆବେଗ । ଛଳଛଳ ସେ ଆଖି ଦୁଇଟିର ସ୍ନିଗ୍ଧ ମଧୁର ଚାହାଣୀ ଭିତରେ ସେଇ ମୁହୁର୍ତ୍ତରେ ବନ୍ଦୀ ହୋଇଯାଇଥିଲେ ସାମଞ୍ଜସ୍ୟ ।

***

Leave a comment