ପାଦଟିଏ ଆଗକୁ …

ସକାଳର ନରମ ଖରା ବିଛେଇ ହୋଇ ପଡ଼ିଥିଲା ଅଗଣା ସାରା । ଅଧାଖୋଲା ଝରକା ଦେଇ ଚେନାଏ କିରଣ ଖଟ ଉପରେ ପଡ଼ି ଲମ୍ବି ଯାଇଥିଲା ଖଟ ତଳ ଯାଏଁ । କଡପଟ ହୋଇ ଶୋଇଥିଲେ ସୁମନ୍ତ । ପିଲାମାନେ ଉଠି ମୁମ୍ବାଇ ଯିବାକୁ ପ୍ରସ୍ତୁତ ହୋଇ ଗଲେଣି । ଜେଜେମାଆର ଏକାଦଶାହପାଇଁ ନାତୁଣୀ ସାରା ସ୍କୁଲ ମିସ୍ କଲାଣି ଅନେକ ଗୁଡ଼ାଏ ଦିନ । ନଅଟା ବେଳକୁ ଏୟାରପୋର୍ଟରେ ପହଞ୍ଚିବାକୁ ହେବ ଜାଣି ସୁଦ୍ଧା ଶେଯ ଛାଡିବାକୁ ଆଦୌ ମନବଳୁନଥିଲା ସୁମନ୍ତଙ୍କର। ଅଳସ ଆଖି ବୁଲେଇ ନେଲେ ସେ ଘର ସାରା । କେତେ କେତେ ସ୍ମୃତି ଲେସି ହୋଇ ରହିଛି ଏଠି ସେଠି । କେମିତି ସେ ଭୁଲିଯିବେ ସେସବୁ ? କେମିତି ସେ ପିଠି କରିଦେଇ ଚାଲିଯିବେ ଏ ଘରକୁ ?ସୁମନ୍ତ ବୁଜି ନେଲେ ଆଖି । ଫେରିଗଲେ ଅତୀତକୁ ।

ଏଇ ଘରଟି ତିଆରି ହେବାର ତିରିଶ ବର୍ଷ ହୋଇଗଲାଣି । ନିଜର ହୋଇ ଘରଟିଏ, ତା ପୁଣି ନିଜ ରୁଚି ଅନୁଯାୟୀ ଗଢ଼ାହେବାରେ ଉଷାଙ୍କର ତତ୍ପରତା ଖୁବ୍ ବାରି ହୋଇ ପଡ଼ୁଥିଲା ସେତେବେଳେ । ପଢାଘରର କଣ ପଟକୁ ନୂଆ ଡିଜାଇନ୍ ର ଟେବୁଲ୍ ଟିଏ ଅର୍ଡର କରି ଆଣି ପକାଇଥିଲେ ସେ । ସାଧାରଣ ଟେବୁଲ୍ ଠାରୁ ଟିକେ ଅଲଗା ସେ ଟେବୁଲ୍ ଟି । ପଛପଟର କାଠବାଡାକୁ ଡେରି ବହି କିଛି ରଖିବାର ବନ୍ଦୋବସ୍ତ ଅଛି । ଟେକି ହୋଇ ରହିଥିବା ସେ ବହି ଗୁଡ଼ାକୁ ଏପଟ ସେପଟ ନକରି ସାମ୍ନାରୁ ପଢ଼ିହୁଏ ଲେଖକ ଲେଖିକାଙ୍କ ନା । ସେଇଠି ଉଷା ତାଙ୍କ ପ୍ରିୟ କବି ଗାଳ୍ପିକଙ୍କ ନୂଆ ବହିସବୁ ସଜେଇ ରଖନ୍ତି ପଢ଼ି ସାରିବା ଯାଏଁ । ତାଙ୍କର ବହି ପଢ଼ିବାର ଆଗ୍ରହ ଦେଖି ସୁମନ୍ତ ଖୁସି ହୁଅନ୍ତି । ସକାଳର ପ୍ରଥମ ଖରା ବିଞ୍ଚି ହୋଇ ପଡେ ସେ ଟେବୁଲ୍ ଉପରେ । ଉଷାର ପ୍ରଥମ କିରଣ । ସେଇଥିପାଇଁ ବୋଧେ ସେଇ ଜାଗାଟି ପ୍ରତି ଉଷାଙ୍କର ଦୁର୍ବଳତା ଅଧିକ ଥିଲା ।

ପିଲାଏ ବଡ ହେଲେ । ଛୋଟ ଘରଟିରେ ବସିବା ଶୋଇବାର ଜାଗା ନିଅଣ୍ଟ ପଡ଼ିଲା । ପଢ଼ାଘର ଦିନେ ବଦଳିଗଲା ସେ ଦୁହିଁଙ୍କ ଶୋଇବା ଘରରେ। ଟେବୁଲ୍ ଉଠିଗଲା ମୂଳ ଶୋଇବା ଘରକୁ । ପିଲାମାନେ ପଢ଼ିବା ଶୋଇବା ପାଇଁ ସମ୍ପୂର୍ଣ୍ଣ ଅକ୍ତିଆର କରିନେଲେ ସେ କୋଠରୀ । ଦଉଡି଼ଆ ଖଟଟିକୁ କାଠ ପଟାଦେଇ ଚଳନୀୟ କରିନେଇ ନିଜ ଶୋଇବାର ବନ୍ଦୋବସ୍ତ କରିନେଲେ ସେ, ସେଇ ପଢାଘରଟିରେ । ଉଷାଙ୍କର ସହମତି ଥିଲା ସେଥିରେ । ବହିଥାକରେ କିନ୍ତୁ ଉଷା ସଜାଡୁଥିଲେ ନୂଆ ପୁରୁଣା ବହି ସବୁ । ସେଥିରେ ବ୍ୟତିକ୍ରମ ନଥିଲା । ତିରିଶ ବର୍ଷ ବିତିଯାଇଥିଲା ।

ହସ ଖୁସିର ଜୀବନଟିଏ ସବୁବେଳେ ଛୋଟ ମନେହୁଏ, ଲମ୍ବିଯାଏ ଦୁଃଖ ଶୋକର ସମୟ । ସୁମନ୍ତଙ୍କ ଆଖିରୁ ଝରିଆସିଲା ଲୁହ ଧାରଟିଏ । ଉଷାଙ୍କର ସ୍ମରଣଶକ୍ତିର ପ୍ରଖରତା ଚମତ୍କୃତ କରିଦେଉଥିଲା ସମସ୍ତଙ୍କୁ । ବୋଧହୁଏ ଖୁବ୍ ଗୁଡ଼ାଏ ପଢ଼ାପଢ଼ି କରିବା ଫଳରେ ଏଭଳି ଏକ ସୁନ୍ଦର ସୁସ୍ଥ ମନଟିଏର ଅଧିକାରିଣୀ ହୋଇ ପାରିଥିଲେ ସେ । ଅତି ସୁନ୍ଦର ସାବଲୀଳ ଭାବରେ ଗଡି ଯାଉଥିଲା ଜୀଵନ।

କେମିତି କେଜାଣି ସରଳ ମାନସାଙ୍କ ପରି ସହଜ ସମାଧାନ ହୋଇପାରୁଥିବା ଜୀବନର ଗଣିତ ଖାତାଟି ଭରିଗଲା ଅଛିଣ୍ଡା ଅମୀମାଂସିତ ଗଣିତ ସବୁକୁ ନେଇ । ହଠାତ୍ ଜୀଵନ ତା’ ଗତି ବଦଳେଇଲା । ଉଷା ଧିରେ ଧିରେ ହରେଇ ବସିଲେ ତାଙ୍କ ସ୍ମୃତିଶକ୍ତି । କିଛି ବି କାରଣ ନଥାଇ ପ୍ରଥମେ ଡିପ୍ରେସନ ଓ ପରେ ପରେ ଆଲଜାଇମର୍ ଧିରେ ଧିରେ ଗ୍ରାସ କରିବସିଲା ଉଷାଙ୍କର ବଳିଷ୍ଠ ସ୍ମୃତିଶକ୍ତିକୁ ନିଷ୍ଠୁର ଭାବରେ । ଏଇଲେ ସୁସ୍ଥ ମଣିଷ ପରି କଥା ହେଉଥିବା ମଣିଷଟି ଏମିତି ଅଜଣା ଲୋକଟିଏ ପରି ଦୂରକୁ ଘୁଞ୍ଚିଯିବ, ପଚାରିବ ‘’ତୁମେ କିଏ ?’’କେମିତି ନିଜକୁ ସମ୍ଭାଳି ହେବ ସେ ପରିସ୍ଥିତିରେ ? ପ୍ରଥମେ ଅସ୍ଥିର ହେଉଥିଲେ ସୁମନ୍ତ,ପରେ ପରେ ଦୃଢ଼ ହୋଇ ଠିଆ ହେଲେ ଉଷାଙ୍କ ସାଥୀରେ । ଅନେକ ଚେଷ୍ଟା କରିଥିଲେ ଉଷାଙ୍କୁ ସହଜ କରିବାକୁ । ସ୍ନେହ ପ୍ରେମ ଭଲପାଇବାର ଅଦ୍ଭୁତ ମନ୍ତ୍ରରେ ମନ୍ତ୍ରିତ କରିଥିଲେ ପ୍ରିୟତମାଙ୍କୁ ତାଙ୍କର । କିଣି ଆଣିଥିଲେ ଉଷାଙ୍କର ପ୍ରିୟ ଲେଖକ ଲେଖିକାମାନଙ୍କର ଗଦା ଗଦା ବହି । ସଜେଇ ରଖିଥିଲେ ତାଙ୍କ ହାତ ପାହାନ୍ତାରେ । ସେସବୁକୁ କେମିତି ଗୋଟେ ଫାଙ୍କା ଦୃଷ୍ଟିରେ ଚାହିଁରହୁଥିଲେ ଉଷା । ଘର ଡାକ୍ତରଖାନା ହୋଇ ବିତିଗଲା ତିନିବର୍ଷ ।

ସେଦିନ ସୁମନ୍ତ ଖୁସିରେ ଆତ୍ମହରା ହୋଇଯାଇଥିଲେ । ମନ କହୁଥିଲା କିଛି ଚମତ୍କାରିତା ହେଲା କି ? ସକାଳ କିରଣ ଧୋଇ ଦେଉଥିଲା ଉଷାଙ୍କର ମେଲେଇ ହୋଇ ପଡ଼ିଥିବା ସଦ୍ୟ ପଖଳା ଦୀର୍ଘ କେଶରାଶି ଉପରେ । ପଢାଘରର ଟେବୁଲ୍ ଉପରେ ଖୋଲା ହୋଇ ପଡ଼ିଥିବା ପ୍ରିୟ ଲେଖକଙ୍କ ବହିଟିକୁ ଏକ ଲୟରେ ଚାହିଁ ରହିଥିଲେ ଉଷା । ସୁମନ୍ତ ପାଖକୁ ଗଲେ , ଆଉଜେଇ ଆଣିଲେ ତାଙ୍କୁ । ବୋଧହୁଏ ସେ ବହିଟିକୁ ଓଲଟାଇ ଦେଇ ନିଃଶ୍ୱାସ ଫେରେଇ ଆଣିବାକୁ ଭୁଲିଯାଇଥିଲେ ଉଷା । ନିଥର ହୋଇଯାଇଥିଲା ଦେହ ।

ପିଲାଙ୍କ ସହ କିଛିଦିନ ପାଇଁ ମୁମ୍ବାଇ ଯିବାକୁ ପ୍ରସ୍ତୁତ ହେବାପାଇଁ ଶେଯରୁ ଉଠିପଡିଲେ ସୁମନ୍ତ। ଘର , ଘର ସହିତ ଯୋଡ଼ା ହେଇଥିବା ଅସୁମାରୀ ସ୍ମୃତି, ସବୁକିଛି ଭୁଲିଯାଇ ଜୀଵନରେ ଆଗକୁ ବଢିବାକୁ ହେବ ତାଙ୍କୁ । କେବେ ଭୁଲି ହେଉନଥିବା ଅତୀତକୁ ନିଜ ହୃଦୟ ଭିତରେ ଲୁଚେଇ ନେଇ ଧିରେ ସେ ପୋଛିନେଲେ ଓଦା ଆଖି ପତାକୁ। କାନ୍ଥରେ ଟଙ୍ଗା ହୋଇଥିବା ଉଷାଙ୍କର ତୈଳଚିତ୍ର କଥା କହୁଥିଲା ସତେକି ! ଅତୀତକୁ ପଛକରି ଜୀବନରେ ଆଗକୁ ବଢ଼ିବାକୁ ସାହସ ଭରୁଥିଲା ମନରେ । ସୁମନ୍ତ ପାଦ ବଢେଇଲେ ଆଗକୁ ..।

……….

Leave a comment