ସ୍ମାର୍ଟଫୋନ୍

ଯାତ୍ରା ବହୁତ୍ ଲମ୍ବା ଥିଲା । ସିଟକୁ ଆଉଜି ବସ୍ ର ପ୍ରାୟ ସମସ୍ତେ ଶୋଇପଡ଼ିଥିଲେ । ଅପ୍ରତ୍ୟାଶିତ, ଅସ୍ଵସ୍ତିକର ମୁହୁର୍ତ୍ତଟିଏର ସାମ୍ନା କରିବାକୁ ପ୍ରସ୍ତୁତ ନଥିଲେ କେହି । ବସ୍ ଚକ ପଙ୍କଚର ହୋଇଯିବ ରାସ୍ତା ମଝିରେ, ତା ପୁଣି ରାତିଅଧରେ । ଓଃ,ଏହାଠୁ ବଳି ବିରକ୍ତିକର, କ୍ଲାନ୍ତ ସମୟଟେ କଳ୍ପନା କରାଯାଇ ନପାରେ ।

ଅଥଚ ସେମିତିହିଁ ହୋଇଥିଲା । ଅନୁପ ଅନ୍ୟ ସହଯାତ୍ରୀ ମାନଙ୍କ ସହ ଓହ୍ଲେଇଥିଲା ବସ୍ ରୁ ଆଉ ବସିଥିଲା ରାସ୍ତାଧାରର ସେ ପଥରଟି ଉପରେ । ଆଉ ତିନି ଜଣ ବି ବସି ଯାଇଥିଲେ ଆଖ ପାଖ ପଥର ଖଣ୍ଡ ମାନଙ୍କ ଉପରେ । ଅପରିଚିତ ସେମାନେ । ଚକ ମରାମତି ପରେ ବସ୍ ଛାଡିବ । ଲୋକମାନେ ଖେଳେଇ ହୋଇପଡିଲେ ଏଠି ସେଠି । କିଛି ଲୋକ ସେମିତି ବସିଗଲେ ରାସ୍ତା ଧାରରେ, ଫୋନ ହାତରେ । ସମସ୍ତଙ୍କ ଆଖି ନିଜନିଜ ଫୋନ୍ ର ଛୋଟ ପରଦାଟି ଉପରେ । କେତେଜଣ ସ୍ତ୍ରୀ ଲୋକ ଗାଡ଼ି ଭିତରେ ଏପଟ ସେପଟ ବୁଲୁଥାଆନ୍ତି କାନ୍ଦୁରା ଛୁଆଙ୍କୁ କାନ୍ଧରେ ପକାଇ । ଖୁବ୍ ଗରମ । ବାହାରେ ଦଲକାଏ ଦଲକାଏ ପବନ ବୋହୁଥିଲା । ବସ୍ ଭିତର ଅପେକ୍ଷା ଟିକିଏ ଥଣ୍ତା ଆଉ ଶାନ୍ତି ଲାଗୁଥିଲା ବାହାରେ ।

ଅପେକ୍ଷାର ଅବଧି ଲମ୍ବି ଯାଉଥିଲା । ଅନୁପ ମେସେଜ ପଠେଇଲା ଅନୁଭା ପାଖକୁ । ସକାଳେ ଘରେ ପହଞ୍ଚିବ ସେ । ବସ୍ ର ଚକା ପଙ୍କଚର୍ ହୋଇଛି । ନିର୍ଦ୍ଦିଷ୍ଟ ସମୟ ଠାରୁ ଟିକେ ଡେରି ହୋଇପାରେ ପହଞ୍ଚିବାକୁ । ଉତ୍ତର ଫେରିଲାନି । ଅନୁଭା ଶୋଇ ପଡିବଣି ହୁଏତ ।

ସେମାନେ ଚାରିଜଣ ଅପେକ୍ଷାକରି ବସି ରହିଥିଲେ । ହାତରେ ଥାଏ ନିଜ ନିଜର ସ୍ମାର୍ଟଫୋନ୍ । ଅନେକ ବେଳହେଲା ପାଖାପାଖି ବସିଥିଲେବି ଆଖି ଘୁରିବୁଲୁଛି ଫୋନ୍ ର ପରଦାଗୁଡିକ ଉପରେ ।

-‘ବସ୍ ଠିକ୍ ହେବାକୁ କେତେ ସମୟ ଲାଗିବ କେଜାଣି !’ ଅନୁପ୍ ର ସ୍ୱଗତୋକ୍ତି ବୋଧହୁଏ ନୀରବତା ଭାଙ୍ଗିବାର ପ୍ରୟାସ କରୁଥିଲା ।

-‘ବଡ ବିରକ୍ତିକର ସତରେ” ଜଣେ ଉତ୍ତରଦେଲା ।

ବସ୍ ଭିତରେ ପରସ୍ପର ସହ ବାର୍ତ୍ତାଳାପ ହୋଇନଥିଲା । ସମ୍ୟକ୍ କଥୋପଥନ ସେମାନଙ୍କୁ ନିକଟତର କଲା ପରସ୍ପରର ।ସମବୟସୀ ହୋଇଥିବେ ସେମାନେ, ଅଥଚ ଅପରିଚିତ – ଅଯଥା କଥାବାର୍ତ୍ତା ସ୍ପୃହଣୀୟ ନୁହେଁ । କିନ୍ତୁ ଯୁଗ ବଦଳି ଯାଇଛି । ଅପରିଚିତ ମଣିଷଟିଏକୁ ଚିହ୍ନିବା ପାଇଁ ଲମ୍ବା ସମୟଟିଏ ବା ବାରମ୍ବାର ସାମ୍ନା ସାମ୍ନି ହୋଇ କଥାବାର୍ତ୍ତା ହେବାର ଆବଶ୍ୟକତା ନାହିଁ । ଇନଷ୍ଟାଗ୍ରାମ, ଟୁଇଟର ଜଗତରେ ଜଣେ ଆବିଷ୍କାର କରିପାରେ ଅନ୍ୟଜଣଙ୍କୁ । ଦେଖୁ ଦେଖୁ ସାମାଜିକ ମାଧ୍ୟମର ଅପ୍ରାକୃତିକ କୋଠରୀ ମାନଂକ ଭିତରେ ପରସ୍ପରକୁ ଚିହ୍ନିବାକୁ ଲାଗିଲେ ସେମାନେ । ପରସ୍ପରର କିଛି ଋଚି ମେଳ ଖାଇଲା,କିଛି ରହିଗଲା ଅମେଳ । ପରସ୍ପରକୁ ଶୁଭେଚ୍ଛା ଜଣାଇଲେ ଓ ଉତ୍ସାହିତ କଲେ ସେଇଠି,ସେଇ କୃତ୍ରିମ ସମ୍ପର୍କର ସାମାଜିକ ମଂଚରେ ।

ଏ ଭିତରେ ଗୁଡାଏ ସମୟ ଅତିକ୍ରାନ୍ତ ହୋଇଯାଇଥିଲା । ଚକା ବଦଳ ସରିଥିଲା ବସ୍ ର । କଣ୍ଡକ୍ଟର ଡାକ ପକେଇଲେ । ସେମାନେ ଉଠିଲେ । ସାଇତିରଖିଲେ ପରସ୍ପରର ମୋବାଇଲ୍ ନମ୍ବର ଓ ବସ୍ ରେ ଚଢ଼ିବାକୁ ଆଗେଇ ଗଲେ ବସ୍ ର ଖୋଲା ଦୁଆର ଆଡକୁ। ରାତି ପାହିପାହି ଆସୁଥିଲା । ସେଇଠି ହ୍ୱାଟସ୍ଆପ୍ ଗୃପଟିଏ ଗଢିଲା ଅନୁପ, ସେ ତିନି ଜଣଙ୍କୁ ନେଇ – ନାଆ ଦେଲା ‘ଫ୍ରେଣ୍ଡ୍ସ ଫର୍ ଏଭର୍’ – ‘ସାଥି ଚିରଦିନର….’

****

Leave a comment