ବସରେ ଭିଡ ଦେଖି କାହିଁକି କେଜାଣି ଟିକେ ଦବିଗଲା ମାଳର ମନ । କାଳିଆର ନବଯୌବନବେଶ ଦର୍ଶନ ନିମନ୍ତେ ବାହାରିଥିଲା ସକାଳୁ ସକାଳୁ , ସାଙ୍ଗରେ ଝିଅକୁ ନେଇ। ଚାରିଟା ବସ ଛାଡ଼ିସାରିଲାଣି ଭିଡ ଦେଖି । ଏଇ ବସ୍ ରେ ନ ଉଠିଲେ ଆଉ ଯାଇହେବନି, ସକାଳ ବେଳା ।
“ଏ, ମାଳ, କୁଆଡେ ? ପୁରୀ ବାହାରିଛ କି ମାଆ ଝିଅ” ? ନବଘନର ସ୍ୱର ଶୁଣି ଟିକେ ଦମ୍ଭ ପଶିଲା ମାଳ ଦେହରେ । ‘ହଁ, ବାହାରିଥିଲୁ ଯେ, ଏତେ ଭିଡ । ଆଜି ବୋଧେ ଯାଇହେବନି’ – ମାଳ କହିସାରି ଝିଅ ଆଡେ ଚାହିଁଲା । ଝିଅ କାନରେ ଫୋନ୍ ଲଗାଇ କାହାକୁ କଣ କହୁଥିଲା । ଝିଅର ଆଖି ଖୁସିରେ ଝଲସୁଥିଲା । ତା’ରି ଜିଦିରେ ପୁରୀ ବାହାରିଛି ମାଳ । ଏବେ ନ ଯିବା କଥା କହିଲେ ଝିଅ କଣ ରାଜି ହେଵ ? ନା, ଯେମିତି ହେଉ ଚଢ଼ିବ ସେ ଭିଡ଼ ବସରେ । କାଳିଆର ନବଯୌବନ ବେଶ ଦେଖିବାର ସୌଭାଗ୍ୟ ପାଇବାକୁ ଏତିକି କଷ୍ଟ କଣ ସେ କରିପାରିବନି ? ଫୋନ କାନରୁ କାଢି ମାଳର ହାତ ଧରି ଗାଡ଼ି ଭିତରକୁ ଏକ ରକମ ଟାଣିନେଲା ଝିଅ । ଶାଢି କାନିକୁ ଜାବୁଡ଼ି ଧରି ଝିଅ ସହ ଝିଙ୍କି ହୋଇ ସେ ଚଢ଼ିଗଲା ଉପରକୁ । ସେଇଠି ଆଗରେ ଡ଼୍ରାଇଭର ପଛପଟ ରେଲିଂକୁ ଧରି ପକେଇ କୌଣସି ମତେ ସମ୍ଭାଳି ନେଲା ନିଜକୁ । ନବଘନ ବସି ସାରିଲାଣି ଡ଼୍ରାଇଭର ସିଟ୍ ରେ । ଦି ଥର ହର୍ଣ୍ଣ ଵଜାଇ ଗାଡି ଛାଡିବାର ସଂକେତ ବି ଦେଇସାରିଲାଣି । ଗାଡ଼ିର ଚକ ଗଡ଼ିଲା, ଆଉ ଖୁବ୍ ଶୀଘ୍ର କାଳିଆକୁ ଦେଖିବାର ଖୁସି ଝଲସିଲା ମାଳ ଆଖିରେ ।
xxxxxxxx
ରାତି ବଢିବା ପୂର୍ବରୁ ଝିଅକୁ ଧରି ଫେରନ୍ତା ବସ୍ ରେ ଚଢିଲା ମାଳ । ଝିଅ ଆଖିରୁ ଲୁହ ଝରୁଥିଲା ଅବିରତ । ତା’ ଲୁହ ପୋଛି ଦେବାକୁ କାନି ବଢ଼େଇଲାନି ମାଳ । ବୋହିଯାଉ ସେ ଲୁହ । ଝିଅ ଶିଖିଯାଉ ଯୌବନ ଆସିଲେ ସତର୍କ ରହିବାର ମନ୍ତ୍ର । ଅନିୟନ୍ତ୍ରିତ ମନକୁ ଲଗାମ ଦେଇ ଅଟକାଇବାର ଚାବୁକ ଯୋଗାଡିନେଉ ସେ ନିଜେ । ଯୌବନର ଅନଳରେ ଝାସ ଦେବାକୁ ଡେଇଁ ପଡ଼ୁଥିବା ତା’ ଉଦଭ୍ରାନ୍ତ ମନକୁ ନିୟନ୍ତ୍ରଣରେ ରଖିବାର କୌଶଳ ନିଜେ ହିଁ ଆବିଷ୍କାର କରୁ ସେ । ଠାକୁରଙ୍କ ନବଯୌବନ ଦର୍ଶନ କରିବାର କେବଳ ବାହାନା କରି ଆସିଥିଲା ଝିଅ । ଛିଃ, ଝିଅକୁ ସେ ଦେଇଥିବା ସଂସ୍କାର ଊପରେ ପ୍ରଶ୍ନଚିହ୍ନ ଲାଗିଗଲା ଆଜି । ମାଳ ଆଖିରୁ ଆଉ ଲୁହ ଝରୁନଥିଲା । ଲହୁ ଝରୁଥିଲା ହୃଦୟର ନିଭୃତ କୋଣ ଅନୁକୋଣରୁ ।
ମନ୍ଦିର ଯିବା ପୁର୍ବରୁ ସାଙ୍ଗକୁ ଦେଖା କରିବାର ବାହାନାକରି ବାହାରି ଯାଇଥିଲା ଝିଅ । ବଡ଼ଦାଣ୍ଡର ଯେଉଁ ନିର୍ଦ୍ଦିଷ୍ଟ ଦୋକାନ ପାଖରେ ଝିଅ ତାକୁ ବସେଇ ଦେଇ ଯାଇଥିଲା, ସେଇଠି ଅପେକ୍ଷାରେ କଟିଯାଇଥିବା କେତେଘଣ୍ଟା ଯୁଗଟିଏ ପରି ମନେହେଉଥିଲା ମାଳକୁ । ଝିଅ ଫେରିଆସିଥିଲା ଭଙ୍ଗା ହୃଦୟ ନେଇ, ଘରୁ ଆସିବା ବେଳର ଚମକ ନଥିଲା ତା’ ଆଖିରେ । କେମିତି ଫାଙ୍କା ନିଷ୍ପ୍ରଭ ଲାଗୁଥିଲା ତା’ ଦୃଷ୍ଟି । ତା ଆଖିରୁ, ତା’ର ଅନୁଚ୍ଚାରିତ ଶବ୍ଦ ଭିତରୁ ମାଳର ମାଆ ମନ ପଢ଼ିନେଲା ଅନେକ କିଛି ।
ଝିଅର ହାତ ଧରି ସେଇଠୁ ସିଧା ବାହାରିଆସିଥିଲା ଆଉ ଫେରନ୍ତା ବସ୍ ରେ ଚଢ଼ିଯାଇଥିଲା ।
ବସ୍ ରେ ଚୁପ୍ ଚାପ୍ ଆଖି ବୁଜି ବସିଥିଲା ମାଳ । କାଳିଆର ନବଯୌବନ ବେଶ ଦର୍ଶନ କରିବ ବୋଲି ଗତକାଲି ତା’ ଆଖିରେ ନିଦ ନଥିଲା । ଆଖି ବୁଜି ସେ ମନେପକାଇଲା ତିନି ଠାକୁରଙ୍କୁ । ଠାକୁର ଏଥର ଉଭାହେଲେ ନବଯୌବନ ବେଶରେ । ନିରେଖି ଦେଖିଲା ମାଳ ସେଇଠି, ସେମିତି । ବୁଜା ଆଖିରୁ ତାର ଝରିପଡୁଥିଲା ଦୁଇ ଧାର ଲୁହ ….।
……..