ସପ୍ତସ୍ୱର

        ରାତି ଯେତେ ଅଧିକ ହେଉଥିଲା, ଉଦ୍‌ବେଗ ସେତେ ବଢୁଥିଲା। ଗାଡିର ଗତିକୁ ନିମ୍ନ କରି ରାସ୍ତାକଡ ଆଡେ ଆଖି ପହଁରାଇ ଆଣିଲେ ଅଂଶୁମାନ। ଗୁଗୁଲ୍‌ରେ ଲୋକେସନ୍ ଦେଇଦେବାପରେ ନିଶ୍ଚିନ୍ତ ହୋଇ ଗାଡି ଚଲାଉଥିଲେ ସେ ଏ ପର୍ଯ୍ୟନ୍ତ। ଏବେ ହଠାତ୍ ଏମିତି ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରିଛି ଗୁଗୁଲ୍। ବାଁ ଡାହାଣ ଆଗ ପଛ ହୋଇ ନୟାନ୍ତ  ହୋଇଗଲେଣି ସେ। ସରଳ ସହଜ ବାଟଟି ଅଙ୍କାବଙ୍କା ଅବୁଝା ହୋଇଯାଉଛି ବେଳକୁବେଳ। ଅଂଶୁମାନ ଠିକଣା ରାସ୍ତାଟିକୁ ଖୋଜି ହେଉଥିଲେ ବାରମ୍ବାର।
      ଅସୀମା ଘରେ ଏକା। ଆଣ୍ଠୁ ଅପରେସନ ପରେ କ୍ରଚ୍ ଧରି ଧୀରେଧୀରେ ସେ ଚାଲିବା ଆରମ୍ଭ  କରିଛି। ଏ ବନ୍ଧୁମିଳନକୁ ଆସି ପାରିବେନି ବୋଲି ମନ ସ୍ଥିର କରି ନେଇଥିଲେ ଅଂଶୁମାନ। ଅସୀମା ହିଁ ଜିଦି କଲା। “ବର୍ଷ ଶେଷର ବନ୍ଧୁମିଳନ। ଶୁଭେଚ୍ଛା ଦିଆନିଆର ଅପୂର୍ବ ସୁଯୋଗ । ସାଙ୍ଗମାନଙ୍କ ସହ କିଛି ଖୁସିର ମୁହୂର୍ତ୍ତ ଏକାଠି କଟେଇବାଠାରୁ ବଳି ବଡକଥା ଆଉ କଣ ଅଛି?  ମୁଁ କଣ ଛୋଟପିଲା ହୋଇଛି ଯେ ଏକା ରହିବାକୁ ଡରିବି?” ଅଳ୍ପ ସମୟ ରହି ଫେରିଯିବେ ଭାବି ଆସିଥିଲେ ଅଂଶୁମାନ। ସନ୍ଧ୍ୟା ପୂର୍ବରୁ ଘରେ ପହଁଚିଯିବେ ଭାବିଥିଲେ ବି କେତେ ଚଞ୍ଚଳ ଏତେ ରାତି ହୋଇଗଲା ଜଣା ପଡିଲାନି। ଏବେ ପୁଣି ବନ୍ଧୁ ଅଶୋକର ଗାଁକୁ ଯାଇ ଫେରୁଛନ୍ତି।  ଖୁବ୍ ଦୋଷୀ ଦୋଷୀ ଲାଗୁଥିଲା ନିଜକୁ। ପାଖ ସିଟ୍‌ରେ ପଡିଥିବା ବାଉଁଶ ନଳୀଟିକୁ ଚାହିଁଲେ ସେ। ଅଶୋକର ଉପହାର ସେଇ ବଂଶୀଟିକୁ ଦେଖିଲା ମାତ୍ରେ ସାରା ଦିନଟି ଉଭା ହୋଇଗଲା ଆଖି ଆଗରେ। ମନ ଭିତରେ ଖେଳିଗଲା ଏକ ଅଦ୍ଭୁତ ଶିହରଣ।
        ଦିନସାରା ବନ୍ଧୁମିଳନର ଖୁସିରେ ଆତ୍ମହରା ହୋଇଥିଲେ ସେ। କିନ୍ତୁ ସଂଧ୍ୟାରୁ ଏଯାଏଁ ଘଟିଥିବା ଘଟଣାସବୁ ଏତେ ଅପ୍ରତ୍ୟାଶିତ ଥିଲା ଯେ ଚହଲି ଯାଇଥିଲା ଅଂଶୁମାନଙ୍କ ମନ। ଖୁବ୍ ବିଚଳିତ ଲାଗୁଥିଲା।  ନିଜକୁ ବୁଝେଇ ପୁଣିଥରେ ଦୃଢ କଲେ ମନକୁ। ବାଉଁଶ ନଳୀର କୁନିକୁନି କଣା ଗୁଡିକ ଉପରେ ଆଙ୍ଗୁଠି ଚାପିଚାପି ଅଶୋକ ସୃଷ୍ଟି କରୁଥିବା କରୁଣ ରାଗିଣୀ ମନ ଭିତରେ ହଲଚଲ୍ ସୃଷ୍ଟି କରୁଥିଲା ରହିରହି । ବଂଶୀର ସ୍ୱରରେ ପୁଣି ଥାଏ ଏତେ କାରୁଣ୍ୟ ! ସାମାନ୍ୟ ବାଉଁଶ ନଳୀଟିଏ, ଅଥଚ ତା’ ଭିତରୁ ବାହାରୁଥିବା ସ୍ୱରଟି ଛୁଇଁଦିଏ ହୃଦୟ ତନ୍ତ୍ରୀକୁ । କେବେ ଖୁସିର ମୁକ୍ତା ଝରିଯାଏ ତ କେବେ ଲହୁ ଲୁହରେ ରୁନ୍ଧି ହୋଇଯାଏ ମନ। ସେଇ ଗୋଟିଏ ବାଉଁଶ ନଳୀରେ ଆଙ୍ଗୁଠି ଚାଳନା କରି ଏକା ମଣିଷଟି ସୃଷ୍ଟି କରିପାରେ ସପ୍ତସ୍ୱରର କୁହେଳି ।
     ସାରାଦିନ ଆଜି ସାଙ୍ଗମାନଙ୍କ ସହ  ବିତେଇଛନ୍ତି ଅଂଶୁମାନ । ଅନେକ ବର୍ଷ ପରେ ଦେଖାହେଲେ ସମସ୍ତେ । ଗପସପ ହସଖୁସିରେ କେତେବେଳେ ଦିନ ବିତିଗଲା ଜଣାପଡିଲାନି । ସହରଠାରୁ ଅଳ୍ପ ଦୂର ରିସୋର୍ଟରେ ଆୟୋଜନ ହୋଇଥିଲା ବନ୍ଧୁମିଳନ। ଯିବା ସମୟରେ ଅଶୋକ ସାଙ୍ଗରେ ଥିଲା । ସେ ରିସୋର୍ଟଟିଠାରୁ ଅଳ୍ପ ଦୂର ଅଶୋକର ଗାଁ । ବନ୍ଧୁମିଳନ ପରେ ସେ ତାଙ୍କ ସହ ତା’ ନିଜ ଘରକୁ ନଫେରି ଗାଁକୁ ଯିବ । ପରଦିନ ସେଇଠାରୁ  ଅଫିସ୍ ଆସିବ। ଅଶୋକ ଅଂଶୁମାନଙ୍କର ସହକର୍ମୀ । ପିଲାଦିନର ସାଙ୍ଗ ହେଲେବି ଅଫିସ୍‌ରେ ଅଶୋକ ତାଙ୍କର ଅଧସ୍ତନ  କର୍ମଚାରୀ । ସମ୍ଭ୍ରମତାର ସହ କଥାହୁଏ ସେ ଅଂଶୁମାନଙ୍କ ସହ। ଅଶୋକର ସରଳ ଅମାୟିକ ବ୍ୟବହାର  ଖୁବ୍ ଆକୃଷ୍ଟ କରେ ଅଂଶୁମାନଙ୍କୁ । ଥରେ ଦି’ଥର ଘରକୁ ଆସିଛି ଅଶୋକ ଅଫିସ୍‌ର କିଛି କାମନେଇ ।  ଅସୀମା ସହ କଥାହୋଇଛି । ତାର ଛଳଛଳ ପ୍ରକୃତିକୁ ନେଇ ଖୁବ୍ ପ୍ରଶଂସା କରେ ଅସୀମା  ଅଂଶୁମାନଙ୍କ  ଆଗରେ । ଅସୀମା ପାଖରେ ସହଜ ହେଉଥିବା ପିଲାଦିନର  ସାଙ୍ଗଟି କେଜାଣି କାହିଁକି ଦୂରେଇ ଦୂରେଇ ରହେ ଅଂଶୁମାନଙ୍କ ପାଖରୁ ।
       ହ୍ୱାଟ୍ସଆପ୍ ଗୃପ୍‌ଟିରେ ସେମାନେ ସବୁ ଯୋଡି ହୋଇଛନ୍ତି । ସ୍କୁଲ୍‌ବେଳର ସାଙ୍ଗମାନଙ୍କୁ ଏକାଠି କରି ଏତେ ବର୍ଷ ପରେ ପାଇବା ଏଇ ପ୍ରଯୁକ୍ତି ବିଜ୍ଞାନର ଉନ୍ନତି ଯୋଗୁ ସମ୍ଭବ  ହୋଇ ପାରିଛି। କୈଶୋରର ବନ୍ଧୁମାନଙ୍କ ସହ ହସଖୁସିରେ ଗପସପ କରନ୍ତି ଅଂଶୁମାନ ସେ ହ୍ୱାଟ୍ସଆପ୍ ଗୃପ୍‌ରେ । ବ୍ୟସ୍ତ ବହୁଳ ଜୀବନ ଭିତରୁ ସମୟ କାଢି ଖୋଲିବସନ୍ତି ପୃଷ୍ଠାଟିକୁ । ସେତକ ସମୟ ସେ ଫେରିଯାଆନ୍ତି ଅତୀତର ସେ ଦିନ ଗୁଡିକୁ । ସେଇଠି ଭେଟହୁଅନ୍ତି ଅଶୋକ, ନରେନ୍ଦ୍ର, ସଚ୍ଚି, ବିଚି, ବିଥିକା, ପ୍ରାଚୀ ଓ ଅନ୍ୟମାନେ। ଅଶୋକ ଅନ୍ଯମାନଙ୍କ ସହ ସ୍ୱଚ୍ଛନ୍ଦରେ ଗପୁଥିବାବେଳେ ଆଦୌ ସହଜ ହୋଇପାରେନି ଅଂଶୁମାନଙ୍କ ପାଖରେ । ସେ ତାର ଅଧସ୍ତନ କର୍ମଚାରୀ । ଏକଥା ଉଚ୍ଚାରଣ ନ କଲେ ମଧ୍ଯ ସ୍ପଷ୍ଟ ବାରି ହୋଇପଡେ ତାର ଆଚାରଣରେ। ଅଂଶୁମାନ  ଚେଷ୍ଟା କରି ମଧ୍ୟ ସହଜ କରି ପାରନ୍ତି ନାହିଁ ତାକୁ ।
      ଅଶୋକ ତାଙ୍କ ସହ ଏକାଠି ବନ୍ଧୁମିଳନରେ ଯୋଗ ଦେବାକୁ ଯିବା ଏକ ସଂଯୋଗ । ଗାଡିନେଇ ଅଂଶୁମାନ ମୂଖ୍ଯ ରାସ୍ତାକୁ ଆସିବାବେଳେ ବସ୍ ପାଇଁ ଅପେକ୍ଷା କରିଥିବା ଅଶୋକ ସହିତ ଦେଖାହୋଇଥିଲା ଓ ଗାଡି ଅଟକାଇ ସେ ଅଶୋକକୁ ସାଙ୍ଗରେ ଯିବାକୁ କହିବାପରେ ଅଶୋକ ଅପ୍ରସ୍ତୁତ ହୋଇ ପଡୁଥିଲା । “ସାଙ୍ଗମାନଙ୍କ  ଭିତରେ ଏତେ ଔପଚାରିକତା ରହିବା ଉଚିତ୍ ନୁହେଁ । ଆସ ଗାଡିରେ ବସ ।” ଆଦେଶ ଦେବାପରି କହିଥିଲେ ଅଂଶୁମାନ। କଥାମାନି ଅଶୋକ ଅଗତ୍ୟା  ଆସି ବସିଥିଲା ତାଙ୍କ ପାଖ ସିଟ୍‌ରେ । ଖୁବ୍ ସଂକୁଚିତ ହୋଇ  ବସିଥିଲା ସେ । ହାତରେ ଧରିଥିବା ତା’ର ବଂଶୀଟିକୁ ଟିକିଏ ନିରୀକ୍ଷଣ କରି ଅଂଶୁମାନ କହିଲେ “ବାଃ, ଏ ବାଉଁଶ ନଳୀଟି ଭିତରୁ ମନ ମତାଣିଆ ସ୍ୱରଟିଏ ସୃଷ୍ଟି କରିବାର ଅପୂର୍ବ କ୍ଷମତା ଅଛି ତୁମର ଅଶୋକ । ଆଜି ମୁଁ ତୁମ ଅଫିସ୍‌ର କର୍ମଚାରୀ ନୁହେଁ, ବନ୍ଧୁକୁ ଶୁଣେଇବନି ତୁମର ବଂଶୀ?” ଏଥର ତାଙ୍କ ସ୍ୱରରେ ଆନ୍ତରିକତା ବୋଳି ହୋଇ ରହିଥିଲା । ଅଶୋକ ହସିଦେଲା । ସଂକୋଚଭାବ କଟିଯାଇ ଉଜ୍ଜ୍ୱଳ ଦିଶିଲା ତା’ର ମୁହଁ । ବଂଶୀଟିକୁ ଧୀରେଧୀରେ ସାଉଁଳେଇ ନେଲା ହାତରେ।
    “ମଣିଷ  ଜୀବନ ବି ଏ ବଂଶୀ ପରି ନୁହେଁ କି? ଚଳଚଞ୍ଚଳ ହସଖୁସି ଭିତରେ କେତେବେଳେ ମଧୁର ପୁଣି କେତେବେଳେ ଦୁଃଖର ସୁରରେ ନିଜକୁ ହଜେଇ ଆଗକୁ ବଢେ ସେ । କେତେବେଳେ ପୁଣି ପାଲଟିଯାଏ ବାଉଁଶ ନଳୀଟିଏ । ଅଖୋଜା ଅଲୋଡା । ସମସ୍ତଙ୍କ ଭିତରେ ନିଜର ଅସ୍ତିତ୍ବକୁ ଜାହିର  କରିବାକୁ ତାକୁ ସୁରଦେଇ ଗାଇବାକୁ ହେବ ଜୀବନ ସଂଗୀତ।” ପ୍ରଗଳ୍ଭ ହୋଇ କହିଥିଲା ଅଶୋକ। ସତରେ, ବାଉଁଶ ନଳୀରୁ ବଂଶୀଟିଏ ହେବା ଓ ନିଜ ଗୁଣରେ ମନ ମୋହି ସମସ୍ତଙ୍କର ଆଦରଣୀୟ ହେବା ହିଁ ତ ମଣିଷ  ଜୀବନର ଲକ୍ଷ୍ୟ । ଭଲ ମଣିଷଟିଏ ହେବାକୁ କିଏ ବା ନଚାହେଁ ? ଅଂଶୁମାନ ସହମତ ହେଲା ଅଶୋକର କଥାରେ । ପିଲାଦିନର ସ୍ମୃତିସବୁ ହାତ ଧରାଧରି ହୋଇ ପାଖରେ ଠିଆହେଲେ । ଗପସପ ଭିତରେ ପିକ୍‌ନିକ୍ ଜାଗାରେ ପହଁଚିଥିଲେ ଦୁହେଁ ।
    ସାଙ୍ଗମାନଙ୍କ ସହ ହସଖୁସିରେ କଟିଥିଲା ସାରାଦିନ । ଅନେକ ଦିନପରେ ଅଶୋକର ବଂଶୀଟିକୁ ବଜାଇବାର ଉପକ୍ରମ  କରିଥିଲେ ଅଂଶୁମାନ । କିଛିମାତ୍ରାରେ ସଫଳ ହୋଇଥିଲେ ମଧ୍ଯ । ପିଲାଦିନେ ଏକାଠି ବଂଶୀ ବଜାଇବାର  ଦିନସବୁ ମନେ ପକାଇ ଆମୋଦିତ ହୋଇଥିଲେ ଦୁହେଁ । ଫେରିବା ସମୟ ଆସିଯାଇଥିଲା । ପରସ୍ପରଠାରୁ ବିଦାୟ ନେବାବେଳେ ଆଗତ ବର୍ଷରେ ପୁଣି ଦେଖାହେବାର ପ୍ରତିଶୃତି ଦିଆନିଆ ବେଶ୍ ଭାବଗମ୍ଭୀର କରିଥିଲା ପରିବେଶ । ଶେଷରେ ଅଶୋକର ଶେଷ ବଂଶୀସ୍ୱନର କରୁଣ ମୂର୍ଚ୍ଛନା ଛୁଇଁଗଲା ସବୁରି ହୃଦୟ ।

          ଫେରିବାର ଉପକ୍ରମ କରୁଥିଲେ ସମସ୍ତେ ।  ହାଲିଆ  ଲାଗୁଥିଲା ଭାରି । ସେଇଠାରୁ ଟ୍ରେକର୍‌ରେ ଗାଁକୁ ଚାଲିଯିବ ଅଶୋକ । ପରସ୍ପର ଠାରୁ ବିଦାୟ ନେବାବେଳକୁ ଅଂଶୁମାନ ଭିଡି ଧରିଥିଲେ ତାକୁ ଭାବପ୍ରବଣ ହୋଇ । ପିଲାଦିନର ପ୍ରିୟବନ୍ଧୁକୁ ନିବିଡ ଭାବରେ ଅନୁଭବ କରୁଥିଲେ ସେ । କେତେକେତେ ସ୍ମୃତି ତାଜା ହୋଇଯାଇଥିଲା ସାରାଦିନର ଗପସପ ହସଖୁସି ଭିତରେ । ଅଂଶୁମାନ ଆଦୌ ମୁକୁଳି ପାରୁନଥିଲେ ସେ ଅପୂର୍ବ ମୁହୂର୍ତ୍ତମାନଙ୍କ କବଳରୁ । ମୁକୁଳିବାକୁ ଚାହୁଁ ନଥିଲେ । କେମିତି ଗୋଟେ ସମ୍ମୋହନଭାବ ଆବୋରି ବସିଥିଲା ତାଙ୍କୁ । ସେଇଠି ନିଜ ହାତର ବଂଶୀଟିକୁ ଅଂଶୁମାନଙ୍କ ହାତରେ ଧରାଇ ଦେଇଥିଲା ଅଶୋକ। “ଆଜି ବନ୍ଧୁର ଏ ଉପହାରଟି ଗ୍ରହଣ କରିବନି ?” ଥରଥର କଣ୍ଠରେ କହିଥିଲା ସେ । ଏକ ନିବିଡ ବନ୍ଧୁତାର ସଶ୍ରଦ୍ଧ ଅନୁରୋଧ । ଅଂଶୁମାନ ବଂଶୀଟିକୁ ଆଦରରେ ହାତକୁ ନେଇ ଆହ୍ଲାଦିତ ହେଲେ ।
       ପାର୍କିଂରୁ ଗାଡି କାଢି ରାସ୍ତା ଆଡକୁ ବୁଲେଇ ଆଣିଲା ବେଳକୁ ରାସ୍ତା ଧାରରେ ଦୁଇହାତ ଯୋଡି ନମସ୍କାର କଲା ଅଶୋକ । କାଚ ଖସାଇ ପାଖକୁ ଡାକିଲେ ଅଂଶୁମାନ । ବନ୍ଧୁ ଅଶୋକକୁ ସହଜ କରିବାପାଇଁ ନମ୍ର  ଭାବରେ ଗାଡିରେ ବସିବାପାଇଁ ଇସାରା ଦେଲେ ।
        ଅଶୋକକୁ ଆଶ୍ଚର୍ଯ୍ଯ  କରି ଗାଡି ଗଡିଗଲା ତା’ ଗାଁ ଦିଗକୁ । ଅଳ୍ପ ସମୟ ପରେ ପହଁଚିଗଲେ ସେମାନେ ନୂଆଣିଆ ଚାଳଘରଟି ପାଖରେ । ଘର ଭିତରେ ପାଦ ଦେଇ ସ୍ତବ୍ଧ ହୋଇ ରହିଗଲେ ଅଂଶୁମାନ । କାନ୍ଥରେ ଫଟୋ ହୋଇ ଝୁଲୁଥିଲେ ସଦାନନ୍ଦ ମଉସା ଓ ନିର୍ମଳା ମାଉସୀ । ଘର ଭିତରୁ ଭାସି ଆସୁଥିଲା କାହାର ଅସୁସ୍ଥ  କୁନ୍ଥାଣ । ଦୁଆର ବନ୍ଧକୁ ଆଉଜି ହାତେଲମ୍ବ ଓଢଣା ଟାଣି ଠିଆହୋଇଥିଲା ଅଶୋକର ଭାଇବୋହୂ । ଅଶୋକ ଓ ଅଭିନ୍ନ ଦୁହେଁ ଜାଆଁଳା ଭାଇ ହେଲେବି ତଳ ଉପର ଶ୍ରେଣୀରେ ପଢୁଥିଲେ । ଦୁହେଁ ଅଂଶୁମାନଙ୍କର ସାଙ୍ଗ । ଆଜି ବନ୍ଧୁମିଳନରେ ଅଭିନ୍ନର ନା ଉଚ୍ଚାରଣ  କରି ନଥିଲା ଅଶୋକ। କେହି ବି ତ ମନେ ପକାଇ ନଥିଲେ ତାକୁ । କେତେ ଅବୁଝା ଏ ଜୀବନ ଗଣିତ ସତେ !  ଆଖି ଆଢୁଆଳରେ ଥିବା ମଣିଷମାନେ ନେପଥ୍ୟରେ ରହିଯାଆନ୍ତି କି ସତରେ ? କେତେ ଶୀଘ୍ର ଭୁଲିହୋଇଯାଆନ୍ତି ସେମାନେ । ଅଂଶୁମାନ ଲଜ୍ଜିତ  କଣ୍ଠରେ କହିଲେ, “ଅଶୋକ, କେବେବିତ କହିନ ଅଭିନ୍ନ ବିଷୟରେ?” ଅଶୋକ ସଂକୁଚିତ ହେଲା । “ଗତ ଦି’ବର୍ଷ ହୋଇଗଲା ଛୁଟି ପାଇଁ ବାରମ୍ବାର  ଦରଖାସ୍ତ  ଦେଇଛି। ତା’ର ଚିକିତ୍ସା ପାଇଁ ଦୌଡିଛି ଗାଁକୁ । ମିଛ ଦରଖାସ୍ତ  ଭିତରେ ମୋର ସତ ଦରଖାସ୍ତ ବି ପ୍ରଶ୍ନବାଚୀ ପାଲଟିଛି । ପ୍ରମୋସନ୍ ଅଟକି ଯାଇଛି । ଭାଇ ମୋର ସୁସ୍ଥ  ହୋଇଯିବ ଏ ଆଶାରେ ମୁଁ ଏବେ ବି ଧାଇଁଛି” । କହୁକହୁ ଛେପ ଢୋକିଲା ଅଶୋକ। ଅଂଶୁମାନ ନିଜକୁ ଦୋଷୀ ମଣୁଥିଲେ । କେମିତି ସେ ଭୁଲିଗଲେ ଅଭିନ୍ନର କଥା? ଥରେ ତ ପଚାରି ନାହାନ୍ତି ଅଶୋକକୁ ତା’ ବିଷୟରେ? କାହିଁକି? ଦୀର୍ଘଶ୍ୱାସ ନେଇ ଚୁପ୍‌ଚାପ୍ ଠିଆ ହୋଇ ସେ ଦେଖୁଥିଲେ ଅଶୋକର ଭଙ୍ଗାରୂଜା ସଂସାର ।
        ଅଭିନ୍ନର ହାତ ଭିତରୁ ନିଜର ହାତକୁ ମୁକୁଳେଇ ଆଣିବାକୁ ଢେର୍ ସମୟ ଲାଗିଥିଲା ଅଂଶୁମାନଙ୍କୁ । ଆଜିର ବନ୍ଧୁମିଳନ ସମ୍ପୂର୍ଣ୍ଣ ମନେହେଉଥିଲା ଅଭିନ୍ନକୁ ଦେଖିବା ପରେ । ତିନି ବନ୍ଧୁ ଏକାଠି କିଛି ସମୟ ଗପସପ କଲେ । ଦିନସାରାର କଥା ଅନ୍ୟସବୁ ବନ୍ଧୁମାନଙ୍କ ବିଷୟରେ ପଚାରି ପଚାରି ବୁଝୁଥିଲା ଅଭିନ୍ନ। ପେଟରେ ଭୋକ ନଥିଲେ ବି ଭାଇବୋହୂ ହାତ ତିଆରି ପିଠା ଖିରି ଖାଇଥିଲେ ଦୁହେଁ। ଫେରିବା ବେଳକୁ ଘଟିଗଲା ସେ ଅପ୍ରତ୍ୟାଶିତ ଘଟଣାଟି । ମୁଣ୍ଡରୁ ଓଢଣା ଖସାଇ ବେଲପଣା ଗ୍ଲାସ୍‌ଟିଏ ବଢାଇଦେଲା ମାଳ । କହିଲା “ମୁଁ ବି ତ ଆଜିର ବନ୍ଧୁମିଳନର ଅଂଶଟିଏ” । ଚେନାଏ ହସ ଲାଖି ରହିଥିଲା ତା’ ଅଧରରେ । “ମାଳତୀ” ଅସ୍ପଷ୍ଟ ଚିତ୍କାରଟିଏ ବାହାରି ଆସିଲା ପାଟିରୁ । ଅଭିନ୍ନର ପତ୍ନୀ ଓ ଅଶୋକର ଭାଇବୋହୂ ମାଳ ଯେ ତାଙ୍କ କୈଶୋରର ପ୍ରିୟ ସଖି ମାଳତୀ ଏ ଧାରଣା ନଥିଲା ତାଙ୍କର । ହଠାତ୍ ସବୁକିଛି ଓଲଟପାଲଟ ହୋଇ ଯାଇଥିଲା ମନ ଭିତରେ କ୍ଷଣିକ ପାଇଁ । ଅତୀତର ଚପଳା କିଶୋରୀ ବାନ୍ଧବୀଟି ଛୁଇଁଦେଲା  ହୃଦୟର ସେଇ ଦରଦୀ କୋଣଟିକୁ ଯେଉଁଠି କେବେଦିନେ ଜାଗାମାଡି ବସିଥିଲା ସେ। ପର ମୁହୂର୍ତ୍ତରେ ନିଜକୁ ସଜାଡି ନେଲେ ଅଂଶୁମାନ । ପ୍ରକୃତିସ୍ଥ  ହେଲେ ।
         ଅଶୋକକୁ ସେଇଠି ଛାଡି ଘରମୁହାଁ ଅଂଶୁମାନ ଗାଡିରେ ବସି ଷ୍ଟିଅରିଂ ଧରିଲେ। ମନ ଫେରିଗଲା କାହିଁ କେତେବର୍ଷ ତଳକୁ। ସ୍କୁଲ୍ ଫେରନ୍ତା ମାଳତୀ ବସ୍ତାନୀ କାନ୍ଧରେ ପକାଇ ଦ୍ୱାର ବନ୍ଧରୁ ଲୁଚି ଦେଖୁଥିବ କି ତାଙ୍କୁ?ଆଖି ଖୋଜିହେଲା ପିଲାଦିନର ସେ ସ୍ମୃତିକୁ ପୁଣିଥରେ । ମାଳତୀ କିନ୍ତୁ ଠିଆ ହୋଇ ନଥିଲା ଦ୍ୱାରବନ୍ଧରେ । ମର୍ଯ୍ୟାଦାର ଓଢଣୀ ଟାଣିନେଇ ଫେରି ସାରିଥିଲା ତା’ ସଂସାରକୁ । ବଶମ୍ବଦ ମୁଦ୍ରାରେ ଗାଡି ପାଖକୁ ଲାଗି ଠିଆହୋଇଥିଲା  ଅଶୋକ ହାତଯୋଡି ।   ସାରାଦିନର ବନ୍ଧୁଟି ଲେଉଟାଣି ସଂଜ ବେଳକୁ ପୁଣି ପାଲଟି ଯାଇଥିଲା ଅଧସ୍ତନ କର୍ମଚାରୀଟିଏ । ହାତ ବଢେଇ ତା’ ହାତକୁ ଛୁଇଁଲେ ଅଂଶୁମାନ “ମାଳ ଓ ଅଭିନ୍ନଙ୍କୁ ଦେଖିବାପରେ ଆଜିର ବନ୍ଧୁମିଳନରେ ସାମାନ୍ଯ ପୂର୍ଣ୍ଣତା ଆସିଲା । ଅନ୍ଯମାନଙ୍କୁ ବି ଖୋଜିବା ଯେଉଁମାନେ ଏବେବି ଆଖି ଆଢୁଆଳରେ ରହିଯାଇଛନ୍ତି । ମତେ ସାହାଯ୍ଯ କରିବ, ଅଶୋକ?” ଅଶୋକର ଆଖିରେ ଖୁସି ଝଲସୁଥିଲା । ସହଯୋଗର ହାତଟିଏ ବଢାଇ ଦେଇ ସେ କହିଲା, “ଅଖୋଜା ଅଲୋଡା ଶବ୍ଦଟି ବନ୍ଧୁର ଅଭିଧାନରେ ରହିନାହିଁ କେବେ। ସବୁ ବନ୍ଧୁ ସବୁବେଳେ ଦୂର୍ଲଭ । ସେଥିପାଇଁ ପରା ସରଗରୁ ଦେବତା ବି ଓହ୍ଲେଇ  ଆସନ୍ତି ଧରାକୁ, ପାଇବାକୁ ବନ୍ଧୁତାର ଅମୃତରୁ ଧାରେ।
       ଏଥର ଠିକ୍ ବାଟ ଧରିଥିଲା ଘରବାହୁଡା ଗାଡି। ଦୂରରୁ ଦିଶୁଥିଲା ଘର।ଅସୀମା ଅପେକ୍ଷା କରିଥିବ ସେଠି।  ଅଶୋକର ଶେଷକଥା କେଇପଦ ଗୁଣୁଗୁଣେଇଲେ ଅଂଶୁମାନ – କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯାର ପ୍ରାପତି ଲାଗି ଦେବତା ନର….।
……..

Leave a comment