ରାସ୍ତା ସେପାଖ ଲାଇବ୍ରେରୀଟିର ଲମ୍ବି ଯାଇଥିବା ପାହଚ ଉପରେ ଏଇ କେଇଦିନ ହେବ ମୁଁ ଦେଖୁଛି ତାକୁ । କିଛି ମାସ ତଳେ ଲାଇବ୍ରେରୀଟିଏ ତିଆରି ହୋଇଛି ଏଠି, ମୋ ଅଫିସର ଅନତି ଦୂରରେ । ଶୁଣିଛି, ଲାଇବ୍ରେରୀଟିକୁ ଗଢ଼ିବା ପଛରେ ଅଛି ବହିକୁ ଭଲ ପାଉଥିବା କେତେଜଣ ମଣିଷଙ୍କ ଉଦ୍ୟମ । ସେମାନଙ୍କ ଭିତରୁ ଜଣଙ୍କଘରେ କାଚ ଆଲାମାରିରେ ସେ ସଜାଡି ରଖୁଥିବା ଅଳ୍ପ କିଛି ବହିକୁ ନେଇ କୁଆଡେ ଆରମ୍ଭ ହୋଇଥିଲା ଏ ଲାଇବ୍ରେରୀଟି । ସ୍ଥାୟୀ ଘରଟିକୁ ଉଠି ଆସିବାପରେ ବେଶ୍ ଗୁଡ଼ାଏ ବହି ସଂଗୃହିତ ହୋଇ ପାରିଛି ଲାଇବ୍ରେରୀଟିରେ । ଅନେକ ବୟସ୍କ ଲୋକ ନିଜ ନିଜର ବହି ଦାନ ମଧ୍ୟ କଲେଣି । ବହୁ ଦୁର୍ଲଭ ବହି ପଢ଼ିବାର ସୁଯୋଗ ପାଇଛି ମୁଁ ଏଇ ଅଳ୍ପ ଦିନ ଭିତରେ । ଅଫିସ୍ କାମର ଚାପରେ ବିଶେଷ ପଢ଼ାପଢ଼ି କରି ପାରୁନଥିବାରୁ ମୋ’ ମନରେ ସୃଷ୍ଟି ହେଉଥିବା ଅବସୋସ ଲାଇବ୍ରେରୀଟି ଏଇଠି ହେବାପରେ ଅନେକ କମିଛି । ଅଫିସ୍ ରୁ ଫେରିବା ସମୟରେ କିଛି ସମୟ ବସିଯାଏ ଲାଇବ୍ରେରୀରେ । ନିରୁ ଗଲାପରେ ଖୁବ୍ ଏକା ଲାଗୁଛି । ପିଲାଏ ବି ଦୂରରେ । ନିଜ ନିଜର କର୍ମ ଜଞ୍ଜାଳରେ ବ୍ୟସ୍ତ । ଭଲଲଗେ ବହି ସହ ଏକାତ୍ମହେବାର ସେ ସମୟତକ ।
ସବୁ ଠିକ ଚାଲିଥିବାବେଳେ କେବଳ ବାଧକ ସାଜିଛି ଲାଇବ୍ରେରୀର ପ୍ରବେଶ ଦ୍ଵାର ତଳକୁ ଲମ୍ବି ଯାଇଥିବା ସେତକ ପାହଚ । ଧିରେ, ଗୋଟିଏ ଗୋଟିଏ କରି ପାହାଚ ଚଢ଼ୁଥିଲି ମୁଁ । କାହିଁକି କେଜାଣି ଖୁବ୍ ବିଚଳିତ ଲାଗୁଥିଲା ଆଜି ମୋ ମନ; କାହା ଆଗରେ ଖୋଲି ଦେବାକୁ ଛଟପଟ ହେଉଥିଲି ଅସମ୍ଭବ ଭାବରେ ଚାପି ହୋଇ ରହିଥିବା ମୋ ଭିତରର ମୁଁ କୁ । ତା’ ସହିତ ଦେଖା ହୋଇଗଲେ ସବୁକଥା କହିପକେଇବାକୁ ଉଚ୍ଛନ୍ନ ହେଉଥିଲି ମୁଁ । ତାକୁ ଖୋଜୁଥିଲି ମନେମନେ ।
ସେଇଠି ପାହାଚ ଉପରେ ତାକୁ ବସିଥିବାର ଦେଖି ଆସୁଥିଲି କେଇଦିନ ହେବ । ମଝିପାହଚର କଡ ପଟୁଆହୋଇ ବସିଥାଏ ସେ । ସ୍ତ୍ରୀ ଲୋକଟିଏ ଏମିତି ସର୍ବସାଧାରଣରେ ବସିବା ଖୁବ୍ ଦୃଷ୍ଟିକଟୁ ହେଉଥିଲେ ମଧ୍ୟ କେହି କିଛି କହିପାରୁ ନାହାନ୍ତି ତାକୁ । ପ୍ରାୟ ସମୟରେ କେହି ନା କେହି ତା ପାଖରେ ବସି ଥିବାର ଦେଖିଛି ମୁଁ । ବସିଥିବା ଲୋକଟି କିଛି କହୁଥିବ, ଆଉ ସେ ସ୍ତ୍ରୀ ଲୋକଟି ଖୁବ୍ ନିଷ୍ଠାର ସହିତ ଶୁଣୁଥିବ ତା କଥା । ପ୍ରଥମ ଦିନ ଅରୁଚିକର ଲାଗୁଥିଲେ ମଧ୍ୟ ଦିନେ ଦୁଇଦିନ ପରେ ଅନୁସନ୍ଧିତ୍ସୁ ମନନେଇ ଟିକେ ପାଖେଇ ଯାଇଥିଲି ତା ନିକଟକୁ । ସେଦିନ ତା ପାଖରେ ପ୍ରାୟ ଆଣ୍ଠେଇ ବସିଥିବା ଯୁବକଟି ଖୁବ୍ ଭାରାକ୍ରାନ୍ତ ମନେ ହେଉଥିଲା । ମୁହଁଟି ଝାଉଁଳି ପଡ଼ିଥିଲା ତା’ର । ସେଇ ସ୍ତ୍ରୀ ଲୋକଟିର ମୁହଁକୁ ଏକ ଲୟରେ ଚାହିଁ ରହି କଣସବୁ କହୁଥିଲା ଧିରେ ଧିରେ। ଅସ୍ବାଭାବିକ ଭାବରେ କ୍ଷୀଣ ଥିଲା ତା’ ସ୍ଵର । ମୁଁ ଟିକେ ପାଖେଇ ଗଲା ବେଳକୁ ସେ ଏକଦମ୍ ଚୁପ୍ ହୋଇଗଲା ।
— “କିଛି କହିବେ?” ମଧୁର କଣ୍ଠରେ ସ୍ତ୍ରୀ ଲୋକଟି ସିଧାସଳଖ ମୋ ଆଡେ ଚାହିଁ ପଚାରିଲା ।
ଟିକେ ଅପ୍ରସ୍ତୁତ ହୋଇପଡ଼ି ଫେରି ଆସିଥିଲି । ପାହାଚ ବାଡକୁ ଆଉଜେଇ ସ୍ତ୍ରୀ ଲୋକଟିର ଛୋଟ ବ୍ୟାଗ୍ ପାଖରେ କାନ୍ଥକୁ ଡେରି ସେ ରଖିଥିବା ବାଉଁଶ ବାଡି ଆଗରେ ବଡ କାଗଜଟିରେ ସ୍ପଷ୍ଟ ଲେଖାଥିଲା
– ‘କିଛି କହିବେ? କୁହନ୍ତୁ, ମୁଁ ଶୁଣିବି ଆପଣଂକ ମନକଥା’।
—ଏ କେମିତି କଥା ? କିଏ କାହିଁକି କହିବ ଅଜଣା ଅଶୁଣା ମଣିଷଟିଏକୁ ନିଜ ମନର କଥା ? ସ୍ତ୍ରୀ ଲୋକଟି ଏ ପ୍ରକାର ଅଦ୍ଭୁତ ପ୍ରୟାସ କରିବା ପଛରେ କାରଣ କଣ ? ଫେରି ଆସିଥିଲି ସେଦିନ ।
କାର୍ଯ୍ୟରୁ ଅବସର ନେବାର ଦିନ ପାଖେଇ ଆସୁଥିଲା । ମନ ଅଧିକରୁ ଅଧିକ ବିଚଳିତ ହେଉଥିଲା । ଆଣ୍ଠୁଗଣ୍ଠି ରୋଗଟା ହଇରାଣ କରୁଛି ଏଇ କେଇଦିନ ହେଲା । ଲାଇବ୍ରେରୀରେ ଦିନେ ବହି ଖୋଜୁଥିଲାବେଳେ ତାକୁ ଦେଖିଥିଲି ସେଠାରେ । ଖୁବ୍ ମନଦେଇ ପଢ଼ୁଥିଲା ସେ ବହିଟିକୁ । ହାତ ପାହାନ୍ତାରେ ଥିବା ବହିଟିଏ ନେଇ ସେ ବସିଥିବା ଟେବୁଲ ପାଖାପାଖି ଆଉ ଗୋଟିଏ ଟେବୁଲରେ ବସିଯାଇଥିଲି ମୁଁ । ଘରକୁ ଫେରିବା ଡେରି ହେଉଛି ଜାଣି ବି ବେଶ୍ ସମୟ ବସି ରହିଥିଲି ସେଠି । ଭଲକରି ତାକୁ ଟିକେ ଦେଖିବାର ଉଦ୍ଦେଶ୍ୟ ଥିଲା ମୋର ।
ବୟସ ଏଇ ତିରିଶ ପଇଁତିରିଶ ହୋଇଥିବ । ପଢାପଢ଼ିରେ ଆଗ୍ରହ ଅଛି ବୋଲି ମନେ ହେଉଛି । ଲାଇବ୍ରେରୀର ପାହାଚ ଉପରେ ବସି ଅଜଣା ଲୋକଙ୍କୁ ନିମନ୍ତ୍ରଣ କରୁଛି; ପାଖରେ ବସେଇ ତାଙ୍କ ସହ କଥାହେଉଛି ଘଣ୍ଟା ଘଣ୍ଟା ! ଓଃ, କି ପ୍ରକାର ଝିଅ ଇଏ । କଣ ଚରିତ୍ରହୀନା ନା ଦେହଜୀବୀ ? ମୋ’ ଭିତରେ ତା ପ୍ରତି ଅସମ୍ମାନ ବଢୁଥିଲା । ମୁଁ ଫେରିଆସିଥିଲି । ସେ ସେମିତି ବସିଥିଲା ଓ ଏକାଗ୍ର ଚିତ୍ତରେ ପଢି ଚାଲିଥିଲା ବହିଟିକୁ ।
-‘ଆଜିକାଲି କିଏ କାହା କଥା ଶୁଣୁଚି ଯେ? ସମସ୍ତେ କେବଳ କହିବା ଚେଷ୍ଟାରେ । କାହାକୁ ଦୋଷ ଦେଇ ଲାଭ ନାହିଁ । ବାପା ମାଆ କଣ ଶୁଣୁଛନ୍ତି ଛୁଆଙ୍କୁ? ଛୁଆମାନେ ବାପାମାଆଙ୍କୁ ଶୁଣୁନାହାନ୍ତି କହି ଦୋଷ ଲଦାଲଦି ହେଲେ କି ସମାଧାନ ହେବ?’ ପରିଡ଼ା ବାବୁ ଖୁବ୍ ଶାନ୍ତ ସ୍ଵରରେ କହୁଥିଲେ । ଟିକେ ଆଶ୍ଚର୍ଯ୍ୟ ହେଲି ।
-‘ବେଶ୍ ଭଲ କଥାଟିଏ କହିଲେ ଆପଣ’ ।
-‘ମୁଁ ନୁହେଁ, ଏକଥା ସେ ମତେ ବୁଝେଇଛି’ ।
-‘କିଏ’? ତତକ୍ଷଣାତ୍ ମୋ ପାଟିରୁ ବାହାରି ପଡ଼ିଲା ।
-‘ସେ ଝିଅଟି । ଲାଇବ୍ରେରୀ ପାହାଚରେ ଭେଟିଥିଲି ତାକୁ । ସେ ସମସ୍ତଙ୍କୁ ଶୁଣୁଛି । ଯିଏ ଯାହା କହୁ, ଖୁବ୍ ଧୈର୍ଯ୍ୟର ସହ ଶୁଣୁଛି ସେ । ଆଜିକାଲି ନ ହେଲେ କିଏ ବା କାହା କଥା ଶୁଣୁଛି ? ଝିଅଟି ମନସ୍ତତ୍ତ୍ୱରେ ଗବେଷଣା କରୁଛି’ । ପରିଡ଼ା ବାବୁଙ୍କ ଆଖିରେ ଝିଅଟି ପ୍ରତି ଶ୍ରଦ୍ଧା ଦେଖିପାରିଥିଲି ସେଦିନ ।
ସ୍ତ୍ରୀ ଲୋକଟିଏ ଏମିତି ମନଦେଇ ଲୋକଙ୍କୁ ଶୁଣୁଛି, ଅପେକ୍ଷା ରଖିଛି ସେଇମାନଙ୍କୁ, ଯେଉଁମାନେ ନିଜକୁ ଖୋଲିଦେବେ ତା’ ପାଖରେ । ସେ ଶୁଣିବ ସେମାନଙ୍କୁ । ନିଜର ବହୁମୂଲ୍ୟ ସମୟ ବିନିମୟରେ ଶୁଣିବ କେବଳ ସେମାନଙ୍କ କଥା । ‘ଅଦ୍ଭୁତ’- ସେଦିନ ସ୍ୱଗତୋକ୍ତି କରିଥିଲି ମୁଁ । ସେ ଚରିତ୍ରହୀନା ନୁହେଁ । ନୁହେଁ ଦେହଜୀବୀ । ସେ ସାଧାରଣ ସ୍ତ୍ରୀ ଲୋକଟିଏ, ସ୍ନେହମୟୀ ନାରୀଟିଏ । ଏତେବଡ଼ ଦୁନିଆରେ ଯାହାକଥା ଶୁଣିବାକୁ କେହିନାହିଁ, ସେଇମାନଙ୍କୁ ଶୁଣିବାକୁ ପଣ କରିଛି ସେ । ନିଜକୁ ଯୋଡିଦେବାକୁ ଚାହେଁ ସେ, ସେଇ ମଣିଷମାନଙ୍କ ସହ ଆପଣାପଣରେ । ତା’ ଆଗରେ ନିଜକୁ ଖୋଲିଦେବାପରେ ହାଲ୍କା ହୋଇଯିବ ଭାରାକ୍ରାନ୍ତ ମନଟିମାନ ।
ଖୁବ୍ ବିଚଳିତ ଲାଗୁଥିଲା ମତେ । ଚଢ଼ିଗଲି ପାହାଚ ପରେ ପାହାଚ । ଖୋଜିହେଲି ତାକୁ । ସେଇ ସ୍ତ୍ରୀ ଲୋକଟିକୁ । ଆଜି ତାକୁ କହିବାକୁ ଅନେକ କିଛି ଉବୁଟୁବୁ ହେଉଛି ମୋ ଭିତରେ, ଯାହା ହୁଏତ କହି ହେବନାହିଁ ଆଉ କାହାରିକୁ …
****
ଭଲ ଗପଟିଏ। ଶୁଭେଛା । ଗପର ଶୀର୍ଷକ
କିନ୍ତୁ ଠିକ୍ ଲାଗିଲାନି ମତେ।
LikeLike
ଧନ୍ୟବାଦ,ହିରଣ୍ମୟୀ । ଚରିତ୍ରହୀନା ନାଁ ଦେବାଆଗରୁ ମୁଁ ଗପର ନାଁ ‘କିଛି କହିବେ?’ ରଖିଥିଲି । ପରେ ଲାଗିଲା ସେ ନାରୀଟି କଣ ଚରିତ୍ରହୀନା ? କାହିଁକି ତାକୁ କେହି ସନ୍ଦେହ ଚକ୍ଷୁରେ ଦେଖିବ? ତେଣୁ ଗପର ନାଁ ଚରିତ୍ରହୀନା ରଖିଥିଲି । ତୁମର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ।
LikeLike