କୃତ୍ରିମ ବୁଦ୍ଧିମତା କଣ ସତରେ ଦେଇପାରିବ ଜେଜେମା’ଙ୍କ ସ୍ପର୍ଶର ଉଷ୍ମତା? ଗେହ୍ଲାକରି କୋଳେଇ ନେଇପାରିବ? କୋଳକୁ ଆଉଜିଯାଇ ତାଙ୍କ ଶାଢିରେ ଗୁଡେଇ ହୋଇଗଲେ ସେଦିନର ଅଦ୍ଭୁତ ମନମତାଣିଆ ସୁଗନ୍ଧରେ ମହକେଇ ଦେଇପାରିବ ତାକୁ?? କେଜାଣି କାହିଁକି, ଖୁବ୍ ଛଟପଟ ଲାଗୁଥିଲା । ଜେଜେମା’ ଆସିବେ ବୋଲି ଘରର ସବୁ ଛୋଟବଡ ସଦସ୍ଯ ଖୁସିଥିଲେ । ସାନଦାଦା ବିଦେଶରୁ କୃତ୍ରିମ ବୁଦ୍ଧିମତାର ପ୍ରଶିକ୍ଷଣ ନେଇ ଫେରିଛନ୍ତି । ତାଙ୍କ କହିବା ଅନୁସାରେ ବାପା ବଗିଚାର କଡ ପଟକୁ ତିଆରି କରିଥିବା ଅସ୍ଥାୟୀ ତମ୍ବୁ ଭିତରେ ଜେଜେମା’ ଆସି ପହଁଚିବେ ଆଜି । କଥାଟି ଅବାସ୍ତବ ଲାଗୁଥିଲେ ମଧ୍ଯ ବିଶ୍ୱାସ କରିବାକୁ ବାଧ୍ଯ ହେଉଥିଲା ସାର୍ଥକ ।
ଯୌଥ ପରିବାରଟିରେ ତାକୁ ମିଶାଇ ସେମାନେ ଆଠଜଣ ଭାଇ ଭଉଣୀ । ସମସ୍ତଙ୍କଠାରୁ ବଡ ସେ । ଜେଜେମା’ଙ୍କ ସହ ପିଲାଦିନର କିଛି ବର୍ଷ କଟିଛି ତା’ର । ଘର ଭିତରେ ସବୁଠାରୁ ଚଞ୍ଚଳ ଓ ସକ୍ରିୟ ମଣିଷଟି ହଠାତ୍ ଚୁପ୍ହୋଇଗଲେ ବଦଳିଯାଏ ଅନେକକିଛି । ଛୋଟ ପିଲାଟିଏ ହେଲେ ବି ଖୁବ୍ ପ୍ରଭାବିତ ହୋଇଥିଲା ସେ ସମୟରେ ସାର୍ଥକ । ସ୍ଥିର ହୋଇ ରହିଗଲା ସବୁକିଛି । କିଛିଦିନ ପାଇଁ ସ୍ତବ୍ଧ ହୋଇ ରହିଗଲେ ସମସ୍ତେ । ଆଜିକୁ ଆଠବର୍ଷ ତଳର କଥା । ନୀଳ ରଙ୍ଗର ଶାଢିରେ ଶୋଇ ରହିଥିବା ସଦାଚଞ୍ଚଳ ଜେଜେମା’ଙ୍କର ଶାନ୍ତ ମୁହଁଟି ଏବେବି ସ୍ମୃତି ହୋଇ ସଜଳ ଅଛି ତା’ ମନରେ ।
ମୋଡିସାପ ଡିଜାଇନର ସ୍ୱେଟରଟିକୁ କାଢି ଆଉଁସିଦେଲା ସାର୍ଥକ। ଜେଜେମା’ ବୁଣିଥିଲେ ତା’ପାଇଁ । ସ୍ୱେଟର ବୁଣିବା ସମୟରେ ଜେଜେମା’ଙ୍କର ଏକାଗ୍ରତା ସେ ଦେଖିଛି । ଦେଖିଛି ଅଭ୍ୟସ୍ତ ହାତରେ ସେ ବୁଣୁଥିବା ସ୍ୱେଟର୍, ମଫଲର୍, ସାଲ୍କୁ ନେଇ ଘରେ ବାହାରେ ଆଦର ପାଉଥିବା ଜେଜେମା’ଙ୍କୁ । ପୁଣିଥରେ ହାତରେ ଧୀରେ ସାଉଁଳେଇ ନେଲା ସେ ସ୍ୱେଟର୍ଟିକୁ। ଅପୂର୍ବ ସୁଗନ୍ଧରେ ମହକିଗଲା ତା’ ମନପ୍ରାଣ।
ଜେଜେମା’ଙ୍କ ସହ ଏକାଠି କଟାଇଥିବା ଅତୀତର ଦିନଗୁଡାକ ମନେପଡିଗଲା । ଜେଜେମା’ଙ୍କ କୋଳରେ ପଶିଯାଇ ବୁଢୀ ଅସୁରୁଣୀ ଗପ ଶୁଣୁଥିଲା ସେ । ଡରିଯାଇ ଜାବୁଡି ଧରୁଥିଲା ତାଙ୍କୁ । ବାପାବୋଉ ଏବେବି ସେକଥା ମନେପକାଇ ହସନ୍ତି । ସେମାନଙ୍କ କଥୋପକଥନରେ ସ୍ମୃତିସଜଳ ହୋଇ ରହିଛି ଜେଜେମା’ଙ୍କ ସହ କଟିଥିବା ତା’ ପିଲାଦିନ । ବିବେକ, ଅର୍ଜୁନ, ରୂପା ଓ ଅନ୍ୟମାନେ ପରକୁ ପର ଆସିଥିଲେ । କେଜାଣି ଜେଜେମା’ଙ୍କ ସହ ସେମାନଙ୍କର ସ୍ମୃତି କେତେ ? ସେମାନେ କଣ ତା’ ପରି ବେଳ ଅବେଳରେ ଝୁରି ହେଉଥିବେ ଜେଜେମା’ଙ୍କୁ ? ଆଜି କଣ ସତରେ ଜେଜେମା’ଙ୍କୁ ଭେଟି ସେଇ ପିଲାଦିନର ଅନୁଭବ ପାଇବ ସେ ? ପାଇବେକି ଅନ୍ୟମାନେ? ସମୟ ପୂର୍ବରୁ ନିଜକୁ ପ୍ରସ୍ତୁତ କରିବାକୁ ସାର୍ଥକ ଗାଧୁଆଘରେ ପଶିଗଲା ।
ପାଣି ଝରଝର ହୋଇ ଝରିପଡୁଥିଲା ସାୱାର୍ରୁ । ସାର୍ଥକ ଫେରିଗଲା ତା’ର ପିଲାଦିନକୁ ପୁଣିଥରେ । ସ୍ମୃତିହ୍ରାସ ରୋଗରେ ଜେଜେମା’ ପିଡୀତ ହେବାପରେ ଖୁବ୍ ବିଚଳିତ ହୋଇ ପଡୁଥିଲେ ତାଙ୍କ ସହ ଘରର ଅନ୍ୟମାନେ । ସେ ସବୁ କଥା ମନେପକାଇ ବୋଉ ଲୁହଲୁହ ହୋଇଯାଏ ଅନେକ ସମୟରେ । ଅଳ୍ପ ବୟସରେ ବୋଉ ମାତୃହରା ହୋଇଥିଲା ଓ ସେଇ ଅଳ୍ପ ବୟସରେ ବାପାଙ୍କୁ ବାହାହୋଇ ଜେଜେମା’ଙ୍କର ସ୍ନେହ ସୌହାର୍ଦ୍ଦ୍ୟ ପାଇଥିଲା । ବୋଉର ଜେଜେମା’ଙ୍କ ପ୍ରତି ଥିଲା ଗଭୀର ଅନୁରକ୍ତି । ସ୍ମୃତି ହ୍ରାସ ହେବାପରେ ଧୀରେଧୀରେ ସମସ୍ତଙ୍କ ଠାରୁ ଦୂରେଇଗଲେ ଜେଜେମା’ । ନିଜ ଭିତରେ ସଂକୁଚିତ କରିନେଲେ ନିଜକୁ । ତାଙ୍କ ସାନ୍ନିଧ୍ୟଟିକେ ପାଇବାକୁ ଆତୁର ହୋଇପଡୁଥିଲା ସାର୍ଥକ । ଅସ୍ୱାଭାବିକ ଲାଗୁଥିଲା ପରିବେଶ । ବାପାବୋଉ ଆକଟ କରୁଥିଲେ । “ଜେଜେମା’ ଅସୁସ୍ଥ, ତାଙ୍କୁ ହଇରାଣ କରନା” କହି ଦୂରେଇ ରଖୁଥିଲେ ତାଙ୍କ ପାଖରୁ । ଜେଜେମା’ ଚାଲିଗଲାପରେ ସେଦିନଗୁଡିକୁ ଖୁବ୍ ଝୁରିଛି ସାର୍ଥକ ।
ଅଳ୍ପ ଦିନ ତଳେ ଟ୍ରଙ୍କ୍ ଭିତରେ ସାଇତାହୋଇ ରହିଥିବା ସ୍ୱେଟରଟିକୁ କାଢିଆଣି ବୋଉ ସେମାନଙ୍କୁ ଦେଖାଉଥିବାବେଳେ ତା’ଠାରୁ ସେଇଟି ମାଗିଆଣି ପାଖରେ ରଖିଛି ସାର୍ଥକ । ଜେଜେମା’ ଖୁବ ମନେପଡୁଥିଲେ । ଏଇ ସ୍ୱେଟରଟିକୁ ସେ ପିନ୍ଧିବ କି ଆଜି ଜେଜେମା’ ଆସିବା ସମୟରେ ? ତା’ ଦେହରେ ନିଜ ହାତବୁଣା ସ୍ୱେଟର୍ ଦେଖି ଖୁସିହେବେ ଜେଜେମା’ । ତାଙ୍କ ପାଖକୁ ଟାଣିନେଇ ଗେହ୍ଲା କରିବେ କି ସେ ? ଗେହ୍ଲା ହେବା କଥା ଭାବୁଭାବୁ ସାର୍ଥକ ଟିକେ ଲାଜେଇ ଗଲା । ଏବେ ସେ ବଡ ହୋଇଗଲାଣି । ଆଉ କଣ କୁନିପିଲା ଅଛି ଯେ ଜେଜେମା’ଙ୍କ କୋଳରେ ପଶିଯାଇ ଗେହ୍ଲା ହେବ ? ନିଜକୁ ନିଜେ ପ୍ରଶ୍ନ କଲା ସାର୍ଥକ । ସତରେ ଜେଜେମା’ ଆସୁଛନ୍ତି ? ଆସିବେ କି ତାଙ୍କର ପ୍ରିୟ ନୀଳ ରଙ୍ଗର କୁମ୍ଭପକା ଶାଢିଟି ପିନ୍ଧି ?
ଆଖି ଓଦାହୋଇ ଆସିଥିଲା । ଡାକ୍ତରଖାନାର ଶେଯ ଉପରେ ଧଳାଲୁଗା ଘୋଡିହୋଇ ଶୋଇଥିବା ଜେଜେମା’ଙ୍କର ଚେହେରା ଝାପ୍ସା ହେଇ ଦିଶିଯାଉଥିଲା ଆଖିକୁ। ନୀଳ ରଙ୍ଗର ଶାଢିରେ ଜେଜେମା’ ଖୁବ୍ ଆକର୍ଷଣୀୟା ଦିଶନ୍ତି । ପ୍ରାୟ ସମୟରେ ଜେଜେମା’ନୀଳ ରଙ୍ଗର ଶାଢି ହିଁ ପିନ୍ଧନ୍ତି । ସେଦିନ ଡାକ୍ତରଖାନାର ଶେଯ ଉପରେ ଧଳା ଲୁଗାଟିଏ ଗୁଡେଇ ହୋଇ ଶୋଇଥିବା ଜେଜେମା’ ଏତେ ଅଧିକ ମ୍ଳାନ ଦିଶୁଥିଲେ ଯେ ନିଜ ଆଖିର ଲୁହକୁ ଅଟକେଇ ପାରୁ ନଥିଲା ସାର୍ଥକ । ଘରେ କିନ୍ତୁ ବୋଉ ଓ ଅନ୍ୟମାନେ ନୀଳ ରଙ୍ଗର ଶାଢିରେ ସଜେଇ ବିଦା କରିଥିଲେ ଜେଜେମା’ଙ୍କୁ ।
ହାତରେ ବେଲୁନ୍ ଓ ପେଁକାଳିଟେ ଧରି ଟୁନା ଦୌଡି ଆସି କୁଣ୍ଢେଇ ଧରିଲା ସାର୍ଥକକୁ, “ଜେଜେମା’ଙ୍କୁ ମୁଁ ବେଲୁନ୍ ଦେବି। ପେଁକାଳି ବଜେଇ ଶୁଣେଇବି । ଖନିଖନି ସ୍ୱରରେ କହୁକହୁ ଟୁନା ଦୌଡୁଥିଲା ଏଘର ସେଘର । ସାନଦାଦାଙ୍କର ପୁଅ ଏଇ ଟୁନା । ବିଦେଶରୁ ଫେରିଥିବା ଦାଦାଙ୍କୁ ସେ ତା’ ଜନ୍ମପରେ ଏଇ ପ୍ରଥମ ଦେଖୁଛି। ସେ ବି ଅନ୍ୟମାନଙ୍କ ସହ ମିଶି ସାନଦାଦାଙ୍କୁ ଦାଦା ଡାକୁଛି । ତା’ଠାରୁ ବାପା ଡାକ ଶୁଣିବାକୁ ଆତୁର ହେଉଥିବେ ନିଶ୍ଚୟ ଦାଦା । ତା’ ଜନ୍ମ ଖବର ପାଇଲା ବେଳକୁ ଦାଦା ଥିଲେ ବିଦେଶରେ । ବାପା ତାଙ୍କୁ ମୋବାଇଲ୍ରେ ଭିଡିଓ କରି ଦେଖାଇଥିଲେ କୁନିପୁଅକୁ। ଗୁରୁଜନଙ୍କ ଗହଣରେ ଖୁଡୀ ଓ ପୁଅକୁ ଦେଖି ଲାଜେଇ ଯାଇଥିଲେ ଦାଦା। ସେ ହାତରେ ଧରିଥିବା ବିଦେଶରେ ମିଳୁଥିବା ଟୁନା ନାମକ ମାଛକୁ ଦେଖେଇଥିଲେ ଖୁଡୀଙ୍କୁ ଓ ସେ ମାଛଟିକୁ ଗୋଟାସୁଦ୍ଧା ଖାଆନ୍ତି କହୁକହୁ ପାଟିରେ ପୂରେଇ ଦେଇଥିଲେ । ସ୍ୱଭାବରେ ଦାଦା ଟିକେ ଲାଜକୁଳା । “ହେଇ, ତୋ ପୁଅକୁ ଦେଖେ ” କହି ବାପା ହସିଦେଇଥିଲେ। ଫୋନ୍ ରଖିଲା ପରେ ବାପା କହିଲେ ” ଲାଜକୁଳା ପିଲାଟା। ପୁଅକୁ ଦେଖି ତା’ ଆଖି ଆଉ ମୁହଁର ଖୁସିକୁ ଲୁଚେଇବାକୁ ଯାଇ ଟୁନା ମାଛ ଦେଖଉଛି”। ବାପାଙ୍କର ହସ ସଞ୍ଚରି ଆସିଥିଲା ବୋଉ ଓ ଖୁଡୀଙ୍କ ଓଠରେ। ଖୁଡୀ ବି ଲାଜେଇଯାଇ ଲୁଗାକାନି ମୁହଁରେ ଚାପିଥିଲେ। ହସୁଥିଲେ ଥିରିଥିରି । ସେଇଦିନ ସର୍ବ ସମକ୍ଷରେ ବାପା କୁନିପୁଅର ନା ରଖିଥିଲେ ଟୁନା।
ସାର୍ଥକର ଆଜି କାହିଁକି ସବୁକିଛି ମନେ ପଡୁଥିଲା। ଟୁନା ଆଡକୁ ଚାହିଁ ହସି ପକେଇଥିଲା ସେ । ଜେଜେମା’ଙ୍କୁ ପ୍ରଥମ କରି ଦେଖିବ ଆଜି ସେ । ସତରେ କଣ ସେ ପାଇପାରିବ ଜେଜେମା’ଙ୍କର ସେ ମମତାଭରା ସ୍ପର୍ଶ ? ଜେଜେମା’ଙ୍କ ସହ ମିଶିବାର ଆଗ୍ରହ ଥଳକୂଳ ମାନୁ ନଥିଲା ଟୁନାର । ସାନ ସାନ ସବୁ ଭାଇ ଭଉଣୀ ଖୁବ୍ ଉତ୍ସାହିତ ଥିଲେ । କେବେ ଦେଖି ନଥିବା ଜେଜେମା’ଙ୍କୁ ନେଇ ଅନେକ କଳ୍ପନା ଜଳ୍ପନା ଚାଲୁଥିଲା ସେମାନଙ୍କ ଭିତରେ । ଘରର ପରିବେଶ ଉତ୍ସବମୁଖର ଥିଲା । କ୍ରମଶଃ ମୋହଗ୍ରସ୍ତ ହୋଇପଡୁଥିଲା ସାର୍ଥକ । ସାୱାର୍ର ପାଣି ଝରଝର ହୋଇ ଝରିପଡୁଥିଲା ତା’ ମୁଣ୍ଡ ଉପରେ।
ନିର୍ଦ୍ଦିଷ୍ଟ ସମୟ ଉପସ୍ଥିତ ହେଲା । ପରିବାରର ସଦସ୍ଯମାନେ ତମ୍ବୁ ଭିତରେ ଅପେକ୍ଷା ରଖିଲେ ସେ ଇପ୍ସିତ ମୁହୂର୍ତ୍ତକୁ । ଦିନ ଦ୍ୱିପ୍ରହରରେ ସବୁଆଡ ବନ୍ଦ କରି ଅନ୍ଧାର କରି ରଖାଯାଇଥିଲା ସେ କୋଠରୀଟିକୁ । ଜେଜେବାପାଙ୍କୁ ସାଙ୍ଗରେ ନେଇ ସେଠାକୁ ଯିବାର ଦାୟିତ୍ବଥିଲା ସାର୍ଥକ ଉପରେ । ଜେଜେବାପା ପ୍ରସ୍ତୁତ ହୋଇଯାଇଥିଲେ ନିର୍ଦ୍ଧାରିତ ସମୟ ପୂର୍ବରୁ। ସାମାନ୍ଯ ଡେରି ହୋଇଯାଇଥିଲା ସାର୍ଥକର । ଜେଜେବାପା ଜାବୁଡି ଧରିଥିଲେ ତାର ଡାହାଣ ହାତକୁ । “ଜଲ୍ଦି ଚାଲ୍। ସେ ଆସିଯିବ “। ସାର୍ଥକ ବୁଝିପାରୁଥିଲା ଜେଜେବାପାଙ୍କର ଉତ୍କଣ୍ଠା । ତରତର ହେଲା ସେ । ବାଁ ହାତରେ ଜେଜେବାପା ଧରିଥିବା ପୁଟୁଳିଟି କଣ ବୋଲି ପଚାରିବ ପଚାରିବ ହୋଇ ପଚାରିପାରୁନଥିଲା । ବଗିଚାରେ ପହଁଚି ଅନ୍ଧାର ତମ୍ବୁ ଭିତରକୁ ପାଦ ବଢେଇଲା ସାର୍ଥକ। ଜେଜେବାପାଙ୍କୁ ସମସ୍ତେ ପାଛୋଟିନେଲେ । ସାର୍ଥକ ଚୁପ୍ଚାପ୍ ଭିତରେ ଯାଇ ବସିଲା। ସାନଦାଦା ସମସ୍ତଙ୍କ ଉପସ୍ଥିତିରେ ଜେଜେମା’ଙ୍କୁ କଣ ସବୁ ପ୍ରଶ୍ନ ପଚରାଯାଇପାରିବ ବୁଝାଇଦେଲେ । କୋଳାହଳ ନ କରିବାକୁ ଉପଦେଶ ଦେବାପରେ ଜେଜେମା’ଙ୍କ ଆସିବାକୁ ଅପେକ୍ଷା କରି ରହିଲେ ସମସ୍ତେ ।
ଆଲୋକର ଶିଖାଟିଏ ଭିତରେ ଜେଜେମା’ ଉପସ୍ଥିତ ହେଲେ । ପୁରା ପରିବାର ସ୍ତବ୍ଧ ହୋଇ ଚାହିଁ ରହିଥିଲେ । ଚାହିଁ ରହିଲା ସାର୍ଥକ ଜେଜେମା’ଙ୍କୁ । ଠିକ୍ ପରେପରେ ଆଖି ଫେରେଇ ଚାହିଁଲା ଜେଜେବାପାଙ୍କୁ । ଏକ ସମ୍ମୋହନଭାବ ଆଛନ୍ନ କରି ରଖିଥିଲା ତାଙ୍କ ମୁହଁକୁ । ଏକ ଲୟରେ ସେ ଚାହିଁ ରହିଥିଲେ ଜେଜେମା’ଙ୍କୁ । ନିରବରେ ଠିଆ ହୋଇ ରହିଥିବା ଜେଜେମା’ ଅପେକ୍ଷା ରଖିଥିଲେ ଦର୍ଶକଙ୍କ ପ୍ରଶ୍ନ । ପଚାରିଲା ମାତ୍ରେ ଉତ୍ତର ରଖିବେ। ପ୍ରଶ୍ନ ସହିତ ଉତ୍ତର ବି ଖଞ୍ଜା ହୋଇ ରହିଛି ତାଙ୍କ କୃତ୍ରିମ ଶରୀର ଭିତରେ । ସାର୍ଥକ ଉତ୍ତେଜିତ ହୋଇ ପଡିଲା । ଲୁହ ଭରିଗଲା ତା’ ଆଖିରେ । ଜେଜେମା’ଙ୍କୁ କୁଣ୍ଢେଇ ଧରିବ ସେ । ଫେରିପାଇବ ସେ କୋମଳ ସ୍ପର୍ଶ ଯାହାକୁ ସେ ଝୁରିହୋଇଛି ବିଗତ ଦିନଗୁଡିକରେ । ଜେଜେମା’ଙ୍କୁ ଛୁଇଁବାର ବାରଣ ଥିବା ସତ୍ତ୍ୱେ ସାର୍ଥକ ଆଗେଇଗଲା ତାଙ୍କ ଆଡକୁ । ସାମାନ୍ୟ ଦୂରତାରେ ଝୁଣ୍ଟି ପଡିଲା କିଛିଗୋଟେ । ଆଣ୍ଠେଇ ପଡିଲା ତଳେ । ବୁଜି ହୋଇଗଲା ଦୁଇଆଖି । ପାଟିରୁ ବାହାରିପଡିଲା ଯନ୍ତ୍ରଣା କାତର ଶବ୍ଦଟିଏ- “ଆଃ….”। “ଟେକ୍ କେୟାର୍” – ଜେଜେମା’ଙ୍କ କଣ୍ଠରୁ ତୁରନ୍ତ ଶୁଣାଗଲା ତା’ପାଇଁ ଔପଚାରିକ ଶବ୍ଦଟିଏ। କେତେ ନିଷ୍ପ୍ରଭ ଯନ୍ତ୍ରଚାଳିତ ଥିଲା ସେ ସ୍ୱର !
ଏ ତା’ ଜେଜେମା’ ନୁହଁନ୍ତି । ଧାଇଁ ଆସିଥାଆନ୍ତେ ଜେଜେମା’ । କୋଳେଇ ନେଇଥାଆନ୍ତେ ତାକୁ । ଆଉଁସି ଦେଇଥାଆନ୍ତେ ତାର ଦେହମୁଣ୍ଡ । “ମୋ ଧନକୁ କିଏ ମାଇଲା ଲୋ” କହି ଦୁମ୍ଦୁମ୍ କରି ପିଟିଦେଇଥାଆନ୍ତେ ଭୂଇଁକୁ । ଆଖିର ଲୁହ ବୋଲ ନମାନି ଗଡିଯାଉଥିଲା ଧାରଧାର ହୋଇ । ଜେଜେବାପା କୋଳେଇ ନେଇଥିଲେ ତାକୁ । ପୋଛିଦେଲେ ତା’ମୁହଁ । ଆଖି ଖୋଲିଲା ସେ । ତାଙ୍କ ବାଁ ହାତର ପୁଟୁଳି ଭିତରୁ କାଢି ହାତରେ ଧରିଥିବା ନୀଳ ଶାଢିରେ ଜେଜେବାପା ଢାଙ୍କି ଧରିଥିଲେ ସାର୍ଥକକୁ । ଭୁରୁଭୁରୁ ହୋଇ ମହକି ଯାଉଥିଲା ଜେଜେମା’ଙ୍କ ଦେହର ବାସ୍ନା ସେ ଶାଢି ଭିତରୁ । ଖେଳି ବୁଲୁଥିଲା ଘରସାରା । ସେ ସୁଗନ୍ଧରେ ବିଭୋର ହେଇଯାଉଥିଲା ସାର୍ଥକ।କୃତ୍ରିମ ବୁଦ୍ଧିମତା ଜେଜେମା’ଙ୍କୁ ନେଇ ଆସିଥିଲା ଏକ ଯାନ୍ତ୍ରିକ ରୂପରେ । ନାଃ। ଜେଜେମାଙ୍କର କୋମଳ ସ୍ପର୍ଶକୁ, ତାଙ୍କର ନିରୁତା ବାତ୍ସଲ୍ୟସ୍ନେହକୁ ଫେରେଇ ଆଣିବାରେ ଅସମର୍ଥ ଥିଲା କୃତ୍ରିମ ବୁଦ୍ଧିମତା । ଶାଢିଟିକୁ ଦୁଇ ହାତରେ ଚାପିଧରି ଏକ ଗଭୀର ଆଶ୍ଳେଷ ଭିତରେ ଜେଜେମା’କୁ ଅନୁଭବ କରିବାକୁ ଚେଷ୍ଟା କରୁଥିଲା ସାର୍ଥକ। ଘର ଯାକର ସମସ୍ତେ ଜେଜେମା’ଙ୍କୁ ପଚାରି ଚାଲିଥିଲେ କିଛି ସମୟ ଆଗରୁ ଶିଖିଥିବା ପ୍ରଶ୍ନସବୁ । ସାର୍ଥକର ହାତଧରି ଜେଜେବାପା ବାହାରି ଆସିଥିଲେ ତମ୍ବୁ ଭିତରୁ ନିଃଶବ୍ଦରେ ।
………..