ଚକ୍ରବ୍ୟୁହ



      ରାତି ପାହି ଆସୁଥିଲା। କବାଟ ଆଉଜେଇ ଦେଇ ରୂପାଲି ଶୋଇ ପଡିଲା ଚଟାଣରେ। ଖଟକୁ ପିଠିକରି ନିଶ୍ଚିନ୍ତ ନିଦରେ ଶୋଇପଡିଥିଲା ସେ। ଆଜି ତା’ର ଶେଷରାତି ଏ ଘରେ।  ରାତି ବିତେଇଥିବା ଖଟଟିକୁ ଦିନର ଆଲୁଅରେ ଚାହିଁପାରେନି ରୂପାଲି। ମହଣେ ଓଜନର ଗ୍ଳାନି ତା’ଉପରେ କୁଢେଇ ହୋଇପଡେ। କେଜାଣି କେଉଁଠୁ ପୁଳେ ଅନ୍ଧାର ଘୋଡେଇ ପକାଏ ତା’କୁ। ସେ ବାଟ ପାଏନା। ଦିଗହରା ହୋଇଯାଏ। ତା’ର ଦୋଷ କଣ ସେ ଜାଣେନା। ତା’ପାଇଁ ସେତେବେଳେ ବିକଳ୍ପ କଣଥିଲା ସେନେଇ ଚିନ୍ତା କରେନି କେବେ। ଯେଉଁ ବାଟରେ ସେ ପାଦ ଦେଇଛି ସେ ବାଟ ଯେ ତାର ଇପ୍ସିତ ନଥିଲା  ସେକଥା ନିଜକୁ ବୁଝେଇବାକୁ ଚାହେଁନି ଆଉ ସେ ଏବେ। ଆଖି ବନ୍ଦ  କରିଦେଲାପରେ କେବଳ ନିଜକୁ ହିଁ ଦେଖିପାରେ ସେ। ସେତକ ସମୟକୁ କେବଳ ନିଜର କରିବାର ଚେଷ୍ଟାରେ ଖଟକୁ ପିଠିକରି ଚଟାଣ ଉପରେ ଶୋଇପଡେ ସେ। କେତେବେଳେ ନିଦ ଆସିଯାଏ ସେ  ଜାଣିପାରେନା। ସକାଳ ହେଲାବେଳକୁ ତାକୁ ପୁଣିଥରେ ସାମ୍ନା କରିବାକୁ ପଡେ ବିରାଟ ଏକ ଚକ୍ରବ୍ୟୁହକୁ ଯାହା ଭିତରେ ଥାଇ ସେ ଛଟପଟ ହେଉଥାଏ କିନ୍ତୁ ସେ ଭିତରୁ ବାହାରି ଯିବାର ଉପାୟ ନଥାଏ ତା’ ପାଖରେ। ହୁଏତ ଆଜି  ଉପାୟ ପାଇଛି ସେ। ରାତିର ଅନ୍ଧାର ଭେଦି ଦିନର ଆଲୁଅ ଦେଖିପାରିବାର ଆଶା ଟିକକ ଚିକ୍‌ମିକ୍ ତାରାଫୁଲ ପରି ଫୁଟିଉଠୁଛି ତାର ମନ ଅଗଣାରେ।
       ହାତ ଆଙ୍ଗୁଳିରେ ଗଣିଗଣି ଦେଖିଲା ରୂପାଲି ମାସ ପୂରିବାକୁ ଆଉ ସାତଦିନ ଅଛି। ଏଇ ସାତଦିନ ଭିତରେ ତାକୁ ସତୁରୀ ହଜାର ଟଙ୍କା ଯୋଗାଡ କରିବାର ଅଛି। ଗାଁ ଘର ମରାମତି ହେବ । ଭାଇର କଲେଜ୍‌ରେ ନା ଲେଖାପାଇଁ ଫର୍ମ ପକେଇବାକୁ ହେବ। ଭାଇ ଓ ବାପା ତାକୁ ଟଙ୍କା ତିଆରି ମେସିନ୍‌ଟିଏ ଭାବନ୍ତି କି କଣ କେଜାଣି !
     ଆଜିକାଲି  ବାପା ହାତରେ କାମନାହିଁ। ପୂଜା ପର୍ବ ବେଳେ ମୂର୍ତ୍ତି ତିଆରି କରିବାକୁ ସୁଯୋଗ ମିଳେ ଅନ୍ୟ ସମୟରେ ହାତ ବନ୍ଦ। ତା’ସହିତ ବନ୍ଦ ହୋଇଯାଏ ରୋଜଗାର। ରୂପାଲି ଉପରେ ନିର୍ଭର କରନ୍ତି ପୂରା ପରିବାର। ପ୍ରତି ପନ୍ଦର ଦିନରେ ଥରେ ପ୍ରାୟ ଧମକାଇଲା ପରି ଖବର ଆସେ ଟଙ୍କା ପଠେଇବା ପାଇଁ। ରୂପାଲି କେମିତି ଟଙ୍କା ରୋଜଗାର କରେ ସେନେଇ ମୁଣ୍ଡ ଖେଳାନ୍ତି ନାହିଁ ବାପପୁଅ। ମାଆ ଥିଲାବେଳର କଥା ଅଲଗା ଥିଲା। ପାଠ ପଢିବାକୁ ଏ ସହରକୁ ଆସିଥିଲା ରୂପାଲି। ହାଡଭଙ୍ଗା ଖଟଣୀ ଖଟୁଥିଲା ମାଆ। ଦୁଇଟି ଛୋଟ ପିଲାଙ୍କୁ ଟ୍ୟୁସନ୍ ପଢାଉଥିଲା ରୂପାଲି। ପଇସା କିଛି ଆସି ଯାଉଥିଲା ହାତକୁ। ସେ ପଇସା ପଠେଇବା ପାଇଁ ମନା କରିଥିଲା ମାଆକୁ।”ସତ୍ ପଥରେ ପଇସା ରୋଜଗାର  କରିବୁ ଝିଅ। ଯେତେ କଷ୍ଟ ପଡୁ ପଛେ ।” ମାଆ କଥା ଅକ୍ଷରେ ଅକ୍ଷରେ ମାନିଥିଲା ରୂପାଲି। ମାନିଥିଲା ସେ ଅଭିଶପ୍ତ ରାତି ଆସିବା ଯାଏଁ।
     କେଜାଣି କେମିତି ବଦଳି ଗଲା ତା’ ଜୀବନ ସେଇ ରାତି ପରେ। ସେମାନେ ଛଅଜଣ ଥିଲେ। ତେଜସ୍ୱିନୀର ବାପା ବି ଥିଲେ ସେମାନଙ୍କ  ଭିତରେ। ଟ୍ୟୁସନ୍ ପଢେଇବାକୁ ତାଙ୍କ ଘରକୁ ଯିବା ଭିତରେ କେବେ ସେ ଦେଖିପାରି ନଥିଲା ସେ ନୃଶଂସ ଲୋକଟିକୁ।  ଚିହ୍ନିବାର ଚେଷ୍ଟା ବି ତ କରିନଥିଲା କେବେ। କହନ୍ତି ଦୁଃଖ କେବେ ଏକା ଆସେନି, ଆସେ ତା’ ସାଙ୍ଗ ସାଥୀମାନଙ୍କ  ସହ। ମାଆ  ଚାଲିଗଲା ସଡକ ଦୂର୍ଘଟଣାରେ ଠିକ୍ ପରେପରେ ରୂପାଲିକୁ ଝୁଣି ଖାଇଗଲେ ସେମାନେ।
     ସେଦିନ ତେଜସ୍ୱିନୀ ଓ ତା’ମାଆ ଗାଁକୁ ଯାଇଥିବାର ଖବର ନଥିଲା ରୂପାଲି ପାଖରେ। ସନ୍ଧ୍ୟାରେ ନିଜର କ୍ଲାସ୍ ପରେ ତାଙ୍କ ଘରକୁ ତାକୁ ପଢେଇବାକୁ ଯାଏ ରୂପାଲି। ସେଦିନ ବି ଯାଇଥିଲା। ସନ୍ଧ୍ୟା ଯାଇ ରାତି ଆସିଲା। ଆକାଶରେ ପୂର୍ଣ୍ଣମୀର ତୋଫାଜହ୍ନ କିରଣ , ବିଛେଇହୋଇ ପଡୁଥିଲା ଚାରିଆଡ।  ରୂପାଲିର ଜୀବନାକାଶରେ କିନ୍ତୁ ଘୋଟି ଯାଉଥିଲା କାଳିମା ।  ଅଣନିଶ୍ୱାସୀ ହୋଇପଡୁଥିଲା ରୂପାଲି କିନ୍ତୁ ଖୋଜିପାଉ ନଥିଲା ମୁକ୍ତିର ବାଟ। ସେମାନେ ଛଅଜଣ ଅନ୍ଧାର ଗର୍ତ୍ତ  ଭିତରକୁ ଠେଲିଦେଲେ ତାକୁ । ରାତି ପୁଣି ଏମିତି ଆସେ??  ଏତେ ବିଭତ୍ସ ଭାବରେ?
      ପ୍ରଥମ କିଛିଦିନ ନିଜକୁ ଘୃଣାକଲା ରୂପାଲି। ଯେତେଥର ନିଜକୁ ଦର୍ପଣରେ ଦେଖିଲା ସେତେଥର ଲଜ୍ଜାରେ ସଙ୍କୋଚରେ ମୋଡିହୋଇ ମେଞ୍ଚା ହୋଇଗଲା।ନିଜକୁ ଶେଷ କରିଦେବାକୁ ମନ ଚାହୁଁଥିଲା କିନ୍ତୁ ବିବେକ ବାଧାଦେଲା। ହୃଦୟ ଭିତରୁ କେହି ଜଣେ ଆଉଁସିଦେଲା। ଦମ୍ଭ ଦେଲା। କାହିଁକି ଦୁର୍ବଳ ହେବ ସେ? ଭୁଲ୍ ତ ସେ କରିନି। କାହିଁକି ଦଣ୍ଡ ପାଇବ? ଧୀରେଧୀରେ  ସଜାଡିଲା ନିଜକୁ।ଦୃଢ ହୋଇ ପାଦ ଥାପିଲା ଭୂଇଁ ଉପରେ। ବାପାଭାଇଙ୍କୁ କହିଲାନି କିଛି। ସେଜାଣେ ସେମାନଙ୍କୁ କହି କିଛି ଲାଭନାହିଁ। ବୋଧହୁଏ କାହାକାହା ଭାଗ୍ୟରେ ଏମିତି ଦୁଃଖକଷ୍ଟ ଥାଏ। ସେ କଷ୍ଟକୁ ତାକୁ ସାମ୍ନା କରିବାକୁ ହେବ। ଲଢିବାକୁ ହେବ।
        ରୂପାଲି ସହରକୁ ଆସିଲା। ପଇସା ରୋଜଗାରର ରାସ୍ତା ଖୋଜିଲା। ପାଖରେ ସାଇତିଥିବା ଅଳ୍ପ କିଛି ଟଙ୍କାକୁ ଜଗିରଖି ଚଳିବାପରେ ରୋଜଗାରର କୌଣସି ବାଟ ପାଇ ନଥିଲା ରୂପାଲି । ଶେଷରେ ଆଉ ଉପାୟ ନପାଇ ଇଚ୍ଛା ନଥାଇ ବି ନିଜ ଦେହକୁ ରୋଜଗାରର ମାଧ୍ୟମ କଲା ସେ।  ତା’ର ପ୍ରଥମ ରୋଜଗାରକୁ ହାତରେ ଧରି ଘରକୁ ଫେରି ବାପା ହାତରେ ଦେଲା। ଉଜ୍ଜ୍ୱଳ  ଦିଶିଲା ବାପାର ମୁହଁ। ଭାଇ କୁଣ୍ଢେଇ ପକେଇଲା ତାକୁ। “ଅପା, ମୁଁ ପାଠ ପଢିବି। ଖୁବ୍ ପଢିବି। ” ସେ ଚାହିଁଲା ଭାଇର ମୁହଁକୁ। ଭରସା ଯୋଗ୍ୟ ଲାଗିଲାନି ସେ ମୁହଁ। ଫେରିପଡି ଠାକୁରଘରେ ପଶିଲା। ମାଆର ଫଟୋଟେ ଠାକୁରଘରେ ରଖିଥିଲା ମାଆ ଚାଲିଗଲା ପରେ। ସେଇଠି ହାତଯୋଡି ବସିଲା। ଚାହିଁଲା ମାଆକୁ। ଜାଲୁଜାଲୁ ଦିଶୁଥିଲା ମାଆ ତା’ ଆଖିର ଲୁହରେ।  ଫଟୋଟି ନେଇ ଆସିଲା ସାଙ୍ଗରେ  ସେଦିନ। ସେଇ ଶେଷ। ତା’ପରେ ଆଉ ଘରକୁ ଯାଇନି ସେ। କେବଳ ଟଙ୍କା ପଠେଇ ଚାଲିଛି ବାପାଭାଇଙ୍କ ପାଇଁ।
       ଏ ଚକ୍ରବ୍ୟୁହ  ଭିତରୁ ସତରେ କଣ ମୁକ୍ତି ପାଇବ ସେ ? ରାତିର ଅନ୍ଧାରରେ ତା’ରି ପରି ବାଟ ହରେଇ ବସୁଥିବା ଝିଅମାନଙ୍କ  ପାଇଁ ଏବେ ଏବେ ଖୋଲିଥିବା ଅନାଥାଶ୍ରମରେ ପାଠ ପଢେଇବା ପାଇଁ ଚାକିରୀଟିଏ ଯୋଗାଡ କରିଛି ସେ। ଖୁବ୍ ଶୀଘ୍ର ସେଇଠି ଯୋଗଦେବ। ‘ଆଲୋକ ଆବାସ’ ଆଶ୍ରୟ ସ୍ଥଳଟିଏ ସହରରୁ ଟିକେ ଦୂରରେ। ସେଇଠି ସେ ନେବ ଆଶ୍ରୟ।  ରୂପାଲି ବାହାରି ଆସିଲା ଘର ଭିତରୁ। ଥରେ ବି ବୁଲି ଚାହିଁଲାନି ସେ ଘର ଆଡେ। ବାହାରେ ବିଛେଇ ହୋଇ ପଡିଛି ସକାଳର ଆଲୁଅ। ଏଥର ରାତିକୁ ସେ ଭରିଦେବ ଜ୍ୟୋତ୍ସ୍ନାର  ଆଲୋକରେ। ପାଠ ପଢେଇବା ସହ ଦୃଢ ହୋଇ ଠିଆ ହେବାକୁ ସାହସ ଯୋଗେଇବ ଝିଅମାନଙ୍କୁ। ସେଇ ଝିଅମାନଙ୍କୁ ଯେଉଁମାନେ ରାତିର କରାଳ ରୂପ ହିଁ ଦେଖିଛନ୍ତି କେବଳ। ରାତି ବି ସମ୍ଭାବନାର ବାର୍ତ୍ତାନେଇ ଆସେ ସ୍ନିଗ୍ଧ ଶୀତଳ ଜହ୍ନ ଆଲୁଅରେ ଆଶାର ଦିପାଳୀ ଜାଳି, ଏକଥା ସେ ଅନୁଭବ କରିବ ଓ କରାଇବ ସେ ଝିଅମାନଙ୍କୁ। ରୂପାଲି ପାଦ ବଢାଇଲା ଆଗକୁ ଚକ୍ରବ୍ୟୁହ ଭେଦକରି ..
………

         

Leave a comment