ଥାଆନ୍ତା ଯଦି ମୋର….


    ଭାଣିଜୀ ବାହାଘର। ମାସେ ଆଗରୁ ଲୁଗାପଟା କିଣାକିଣି କାମ ସାରିଛି ତନିମା। ନିଜପାଇଁ ଶାଢିଟେ ବି କିଣିଛି। ଦରଜୀ ପାଖରେ ବ୍ଲାଉଜ୍ ସିଲେଇ ପାଇଁ ଦେଇ ଆସିଛି । କିଛି କସ୍‌ମେଟିକ୍ସ ଆଣିଛି ନଣନ୍ଦ ଓ ଭାଣିଜୀଙ୍କ ପାଇଁ । ଭାଣିଜୀଙ୍କୁ ଫୋନ୍‌କରି ତାଙ୍କ ମନପସନ୍ଦ ବ୍ରାଣ୍ଡର ସବୁ ଜିନିଷ କିଣିଛି ସେ । ଦୁର୍ଯୋଗ କେମିତି କେଜାଣି ହଠାତ୍ ପହଞ୍ଚିଯାଏ କବାଟ ଖଟଖଟ ନକରି ସିଧା ପାଖରେ ଆଉ କାବୁ କରିନିଏ ପଞ୍ଝାରେ ତା’ର । ସେମିତି ଦୁର୍ଘଟଣାଟିଏ ଘଟିଗଲା ତା’ ସହ ।  ଚଳେ ପାଣିରେ ଖସିଗଲା ପାଦ ଓ ନିମିଷକ ମଧ୍ଯରେ ଭଲ ମଣିଷଟି ଅଖଞ୍ଜ ହୋଇ ବସିଗଲା । ପାଦହାଡ ଭାଙ୍ଗିଛି । ଆଣ୍ଠୁଯାଏଁ ପ୍ଲାଷ୍ଟର ପିନ୍ଧାଇଦେଲେ ଡାକ୍ତର । ଚଲାବୁଲା  ସବୁ ନିୟନ୍ତ୍ରଣରେ ।
   ଖବରଟି ବିଜୁଳି ବେଗରେ ଖେଳିଗଲା ପରିବାରସାରା । ଆହା..ଚୁ ଚୁ.. ସହ କେତେନା କେତେ ଉପଦେଶ । ସାତ ସାନ ନଣନ୍ଦ ଓ ଝିଅ ବୟସର ଭାଣିଜୀ ବି ଉପଦେଶ ଦେବାକୁ ଭୁଲିଲେନି। “ଏମିତି ଚାଲିଥାଆନ୍ତ ସେମିତି କାହିଁକି ଚାଲିଲ? କଣପାଇଁ ତରତର ହେଉଥିଲ, ପଡିଗଲ? ଦେଖିଚାହିଁ ଚଳିବା କଥା ନା। କାମ ବେଳକୁ ଗୋଡ ଭାଙ୍ଗି ବସିଗଲ” ଏମିତି ଏମିତି ଅନେକ ଅପ୍ରୀତିକର  କଥା ମଧ୍ୟ ଶୁଣିବାକୁ ମିଳିଲା ତା’କୁ । ଭାଣିଜୀ ତ କାନ୍ଦକାନ୍ଦ ହେଉଥିଲା । ମାଈଁ ତା ବାହାଘର ସମୟରେ ସବୁଠାରୁ ବଡ ସାହସ । ବିନା ମାଈଁରେ ସେ ବାହାହେବ କେମିତି ? ତା’ କାନ୍ଦ ସଂକ୍ରମିତ ହୋଇ ଆସିଲା ତନିମା ଆଖିକୁ । ଲୁହ ପୋଛିନେଲା ସେ। “ମାମୁ ଯିବେ, ମନଦୁଃଖ କରନି । ଜୋଇଁ ନିମନ୍ତ୍ରଣ କରି ପ୍ରଥମେ ମୁଁ ଡାକିବି”  କହିଲା ତନିମା ।
      ରମେଶ ଛୁଟିନେଲେ ଅଫିସରୁ । ଭାଣିଜୀ ବାହାଘର । ଚାରିଦିନ ଛୁଟିଦେବାକୁ କୁନ୍ଥୁକୁନ୍ଥୁ ହେଉଥିଲେ ଉପରିସ୍ଥ ହାକିମ । “ଛୁଟି ଦି’ଦିନ କମେଇହେବନି?” କହିଲେ ସେ । “ନାଇଁ ଆଜ୍ଞା, ପୁରାରାତି ଟ୍ରେନ୍‌ରେ କଟିବ। ଫ୍ଲାଇଟ୍ ନାହିଁ ସେଠିକୁ । ଟ୍ରେନରେ ଯାତ୍ରା କରିବାକୁ ବାଧ୍ଯ । ଅତି କମରେ ଚାରିଦିନ ଲାଗିବ ଆଜ୍ଞା” କହିଲାବେଳେ ଭିତରେ ଯେମିତି କିଏ ଖେଞ୍ଚି ପକାଉଥିଲା ରମେଶଙ୍କୁ । ମନେପଡୁଥିଲା ଶ୍ରୀମତୀଙ୍କ କଥା “ତୁମେ ତ ଏକା ଚାକିରୀ କରୁଛ ! ଆଉ କିଏ କରୁଛି କି ? ବର୍ଷକରେ କିଛିଦିନ ଛୁଟିନେବାର ବ୍ୟବସ୍ଥା ଥାଇବି ତୁମେ କେବେ ଛୁଟି ନେଇଛ? କୁଆଡେ ଟିକେ ବୁଲିବାକୁ ଯାଇଛେ ଆମେ ?” ରମେଶ ନିଜକୁ ଦୃଢ କଲେ, ନିଜ ଦରଖାସ୍ତ ଉପରେ ସବୁଜ ସଙ୍କେତ ନେଇ ଫେରିଲେ ବଡ ଅଫିସରଙ୍କ କ୍ୟାବିନରୁ । ଫୋନ୍‌କରି ତୁରନ୍ତ ତନିମାଙ୍କୁ ଜଣେଇଦେଇଥିଲେ ଖୁସିଖବର।
       ତନିମା ଭଙ୍ଗାଗୋଡରେ ଘୋଷାରିହୋଇ ବାକ୍ସ ସଜାଡିଲା । ରମେଶ ସବୁକିଛି ନିଜେ ନିଜେ କରିବେ ବୋଲି କହୁଥିଲେ ମଧ୍ଯ ବାରମ୍ବାର ଭୁଲ୍ କଲେ । ତନିମା ଆଶ୍ୱାସନା ଦେଲା, “ସେଠି ମୁଁ ନଥିବି – ସବୁ ନିଜେ କରିବ । ଏବେ ମୁଁ ସଜାଡି ଦେଉଛି ବାକ୍ସ । ହେପାଜତରେ ରଖିବ । ବାହାଘର ଗହଳି, ସାବଧାନ ଥିବ । ” ହସିଲେ ରମେଶ । ଡେସ୍ଟିନେସନ୍ ବାହାଘର । ସବୁକିଛି ବ୍ୟବସ୍ଥିତ। ପୁରା କାର୍ଯ୍ୟକ୍ରମର ଭାର ନେଇଛି ନାମକରା ପ୍ରତିଷ୍ଠିତ ସଂସ୍ଥାଟିଏ । ଓଲମବିଲମ ହେବାର ସମ୍ଭାବନା ନାହିଁ । ସମସ୍ତଙ୍କ ପାଇଁ ରହିବାର ଅଲଗା ଅଲଗା ବ୍ୟବସ୍ଥା । ବ୍ୟକ୍ତିଗତ ସ୍ୱାଧୀନତାରେ ବାଧା ନାହିଁ । ସମୟ ଅନୁସାରେ ନିଜକୁ ପ୍ରସ୍ତୁତ କରି ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚିବାକୁ ହେବ । ସେଇଠି ପରିବାର ସହିତ ଦେଖାହେବ । ଦେଖାହେବ ଦେଶ ବିଦେଶରୁ ଆସିଥିବା ସମ୍ପର୍କୀୟମାନଙ୍କ ସହ । ଦୀର୍ଘଦିନପରେ ଦେଖାହେବାର ଆଗ୍ରହ ଉତ୍ସାହ ଥିବ ମନରେ । ସେଇଠି ସ୍ୱଳ୍ପ ସମୟ ପାଇଁ ମିଳିଥିବ ନିଜ ନିଜ କୋଠରୀ । ହାତ ପାଆନ୍ତାରେ ସାଙ୍ଗରେ ବାନ୍ଧି ଆଣିଥିବା ଜିନିଷପତ୍ର । ଗୋଟେ ଦୁଇଟି ସୁଟକେଶ୍ । ଜିନିଷପତ୍ର ହଜିବାର ବା ଖୋଜିହେବାର ସମ୍ଭାବନା ନଥାଏ ଏପରି ବ୍ଯବସ୍ଥା ଭିତରେ ।
        ରମେଶଙ୍କ କଥାଶୁଣି ତନିମା ନିଜ ବିବାହ ସମୟର ଅନୁଭୂତି ମନେପକେଇ ହସି ପକେଇଲା। ତା’ ମଙ୍ଗଳକୃତ୍ୟ ରାତି । ଯୋଡିଯାଡି ହୋଇ ଶୋଇଥିଲେ ସେମାନେ । ଦଦେଇ ଝିଅ, କକେଇ ଝିଅ, ମାଉସୀଝିଅ ଓ ମାମୁଝିଅହୋଇ ଶୋଇଥିଲେ ସେମାନେ ସାତଭଉଣୀ । ମୁଣ୍ଡତଳେ ଥିଲା ଦୁଇଟି ତକିଆ ଆଉ ମେଞ୍ଚାଏ ଲୁଗାପଟା ।  ମୋଡିମାଡି ତକିଆ ବନେଇ ସେତକ ମୁଣ୍ଡତଳେ ଦେଇ ଶୋଇଥିଲେ ସେମାନେ । ଫୁସୁରୁ ଫାସର ଗପସପ ହେଉହେଉ କେତେବେଳେ କିଏ ଢୁଳେଉ ପଡିଛି ତାର ହିସାବ ରଖିଛି ବା କିଏ ? ମାତ୍ର ରାତି ପାହିଲାବେଳକୁ ତନିମା ହାତର ମଞ୍ଜୁଆତିରେ ମୁହଁନାଲି କରି ବସିଥିଲେ ଦି’ ଭଉଣୀ । ସେତେବେଳେ ମେହେନ୍ଦୀ ନଥିଲା କି ମେହେନ୍ଦୀ ବୋଲି ସନ୍ଧ୍ୟାଟିଏ ପାଳିତ ହେଉନଥିଲା । ସାଙ୍ଗେସାଙ୍ଗେ ନାଲି ପଡିଯାଉଥିବା ରାସାୟନିକ ମେହେନ୍ଦୀ କଥା କିଏ ଜାଣିଥିଲା ? ନିଦ ବାଉଳାରେ ସେ ସାଉଁଳାଇ ଦେଇଛି ଦି’ଭଉଣୀଙ୍କ ହଳଦୀମଖା ମୁହଁ । ଭଉଣୀ ଦିହେଁ ମୁହଁ ଶୁଖେଇଲେ । ତାଙ୍କର ନାଲି ମାଙ୍କଡ ମୁହଁକୁ ଲୁଚେଇବାକୁ ମୁହଁ ଘୋଡେଇ ବୁଲିଲେ । ବାହାଘର ମଜା ତାଙ୍କର ନଷ୍ଟ  ହୋଇଗଲା ବୋଲି ସେଦିନ ମନଦୁଃଖ ହେଉଥିଲେ ବି ପରବର୍ତ୍ତୀ ସମୟରେ ବେଶ୍ ରୋଚକ କଥାଟିଏ ହୋଇ ହସର ଖୋରାକ ଯୋଗାଇଥିଲା ଘଟଣାଟି । ସେଦିନର ସେ କଥାଟି ମନେପଡି ହସି ପକାଇଲା ତନିମା ।
    ଅସଜ ଶରୀରରେ ବାହାଘରରେ ଯୋଗଦେଇ ପାରିବନି। ଦେଖାହେବନି ବନ୍ଧୁବାନ୍ଧବଙ୍କ ସହ ଭାବୁଭାବୁ ଲୁହଲୁହ ହେଲା ଆଖି । ଏଇତ ଗୋଟିଏ ଗୋଟିଏ ସୁଯୋଗ ପରିବାର ସହ ଏକାଠି ହେବାର । ଦୁର୍ଭାଗ୍ଯକୁ କାହାର ବା ହାତ ଅଛି ! ଆଖି କୋଣରୁ ଲୁହ ପୋଛି ଶୁଖିଲା ମୁହଁରେ ଜିନିଷପତ୍ର  ସଜଡାସଜଡି କରିଦେଲା ତନିମା । ନିଜପାଇଁ କିଣିଥିବା ଶାଢିଟିକୁ ସାଉଁଳେଇ ନେଲାବେଳେ ବୋଲ ନମାନି ଖସି ପଡିଲା ଦି’ଟୋପା ଲୁହ ତା’ ଆଖିରୁ ।
      ରାତି ଏଗାରଟାରେ ଟ୍ରେନ୍। ସକାଳୁ ସକାଳୁ ରମେଶ ପହଞ୍ଚିବେ କୋରାପୁଟରେ। ଅଫିସ୍‌ରୁ ଫେରିବାରେ ବହୁତ  ଡେରିକଲେ ସେ । ତନିମା ଶେଯ ଉପରୁ ଜୁଳୁଜୁଳୁ ହୋଇ ଚାହୁଁଥାଏ ଦୁଆର  ଆଡକୁ । ସାହାଯ୍ଯକାରୀ ଝିଅଟିକୁ ବାରମ୍ବାର  ଦୁଆର  ଖୋଲି ଦେଖିନେବାକୁ ତାଗିଦ  କରୁଥାଏ । ଆଜି ଭାଣିଜୀର ମଙ୍ଗନ । ରମେଶଙ୍କୁ ମାତ୍ର ଚାରିଦିନ  ଛୁଟି ମିଳିଛି । କାଲି ଦିନବେଳା ବାହାଘର । ରାତିକୁ ଭୋଜି । ପରଦିନ ଝିଅ ବିଦା । ତୃତୀୟ ଦିନ ରାତିକୁ ଟ୍ରେନ୍‌ରେ ବସିଲେ ଚତୁର୍ଥ ଦିନ ଘରେ ପହଞ୍ଚି ତୁରନ୍ତ ଅଫିସ ଯିବେ । ରାତି ଅନିଦ୍ରା ବାଧିବ ନିଶ୍ଚୟ । କଣ ଆଉ କରାଯିବ ? ବାହାଘର ପରେ ଦୁଇଦିନ ମାଆଙ୍କ ପାଖରେ ରହି ପାରିବାର ଖୁସିରେ ରମେଶ ଉତ୍‌ଫୁଲ୍ଲିତ  ହେବାର ଲକ୍ଷ୍ୟ କରି  ଆମୋଦିତ ହେଉଥିଲା ତନିମା । “ଏତେ ଡେରି?” ଅଫିସ୍‌ରୁ ଘରେ ପହଞ୍ଚୁ ପହଞ୍ଚୁ ତନିମା ତାଗିଦ୍ କଲା । “ହଉ, ଜଲ୍ଦି ଖାଇନେଇ ବାହାରିପଡ । ଟ୍ରେନ୍ ଛାଡି ନଦିଏ ଯେମିତି।” ରମେଶ ତରତର ହେଲେ । ଭଙ୍ଗା ପାଦକୁ ଘୋଷାରିଘୋଷାରି ଦୁଆର ପାଖରେ ଠିଆ ହୋଇ ଲୁହ ଛଳଛଳ ଆଖିରେ ବିଦା କଲାବେଳେ ଭାଣିଜୀଙ୍କୁ ଗୁଡାଏ  ଆଶୀର୍ବାଦ କରି ପକାଇଲା ତନିମା । ରମେଶଙ୍କ ସହିତ  ତାର ଆଶୀର୍ବାଦ ବୋହି ହୋଇଯିବ ଭାଣିଜୀ ପାଖକୁ ସତେ କି !
         ଟ୍ୟାକ୍ସିରେ ବସିପଡି ଷ୍ଟେସନ  ପାଖରେ ପହଞ୍ଚି ଗୋଡ ପାଖରୁ ହାତବ୍ୟାଗ୍‌ଟି ଉଠେଇ ନେଲାବେଳକୁ ରମେଶ ଜାଣିପାରିଲେ ତରତରରେ ଆସିବା ବେଳେ ଗୋଟେ ଗୋଡରେ ଧଳା ଆଉ ଆର ଗୋଡରେ କଳା ମୋଜା ପିନ୍ଧି ଆସିଛନ୍ତି ସେ । ‘ଓହୋ, ବଦଳ ହେଲା ଯଦି ପାଉଁଶିଆ କି ମାଟିଆ  ମୋଜାଟେ ହେଲେ ପିନ୍ଧି ପକେଇଥାଆନ୍ତେ । ଏମିତି ଧଳାକଳା ରଙ୍ଗ ତାଙ୍କ ଆଖିକୁ କେମିତି ଦିଶିଲାନି ଯେ? ସେଇଠି ଦୁଆର ବନ୍ଧରେ ଠିଆ  ହୋଇଥିଲା ତନିମା । ସେ ବି…’ ପାଦରୁ ମୋଜା କାଢିବାକୁ ସମୟ ନଥିଲା ହାତରେ । ଟ୍ୟାକ୍ସି ବାଲାର ପଇସା ତୁଟେଇ ରମେଶ ଦଉଡି ଧପାଲି ପଶିଲେ ଷ୍ଟେସନରେ। ଟ୍ରେନ୍ ଆସି ଠିଆ ହୋଇଯାଇଥିବ ନିଶ୍ଚୟ।
     ସୁଟକେଶ୍ ଦୁଇଟି ଘୋଷାରି ନେଇ ଷ୍ଟେସନ୍ ଭିତରକୁ ପହଞ୍ଚିଲା ବେଳକୁ ଟ୍ରେନ୍ ଠିଆ ହୋଇଛି ଆଖି ଆଗରେ । ଓହୋ, ରକ୍ଷା ହୋଇଛି । ଶାନ୍ତିର ଲମ୍ବା ନିଶ୍ବାସଟିଏ ବାହାରି ଆସିଲା ଆପେଆପେ । ଏଥର ଗତି ଧିମା କରି ଟ୍ରେନ୍‌ରେ ଚଢି ସୁଟକେଶ୍‌କୁ ସିଟ୍ ତଳେ ଚେନ୍‌ରେ ବାନ୍ଧିଦେଇ ଉପର ବର୍ଥରେ ଥିବା ନିଜ ସିଟ୍‌କୁ ଉଠିଯାଇ ଚାଦର ବିଛେଇ ଗଡିପଡିଲେ ସେ ଲମ୍ବ ହୋଇ । ତନିମାର ଉପଦେଶ କାନରେ ବାଜୁଥିଲା ବାରମ୍ବାର । “ଭଲକରି ଚେନ୍‌ରେ ତାଲା ପକେଇ ବାନ୍ଧିଦେବ ସୁଟ୍‌କେଶ୍ । ଯାଉଯାଉ କୁମ୍ଭକର୍ଣ୍ଣ  ନିଦରେ ଶୋଇ ପଡିବନି । ଟ୍ରେନ୍ ଛାଡିବାଯାଏଁ ଚେଇଁଥିବ । ନୂଆ ଜିନିଷ  ଗୁଡାକ ଭର୍ତ୍ତି ହୋଇଛି ସୁଟକେଶ୍‌ରେ । ସୁଟକେଶଟା ବି ନୂଆ”। ଭାଣିଜୀ ପାଇଁ ସବୁ ଜିନିଷ ତା’ରି ଭିତରେ ଭରି ପଠେଇଛି ତନିମା । ସୁଟକେଶ ସହ ସବୁ ଜିନିଷ ଭାଣିଜୀର । ବାଟରେ ଠାଉକା ଚୋର ଉଠେଇ ନଯାଏ ଯେମିତି । ମୁଣ୍ଡ  ତଳକୁ କରି
ସୁଟକେଶକୁ ନିଘା ରଖିଥିଲେ ରମେଶ । ଟ୍ରେନ୍ ଛାଡିଲା । ଆଶ୍ୱସ୍ତ ହୋଇ ଆଖି ବୁଜି ଶୋଇପଡିଲେ ସେ ।
     କେହି ଜଣେ ହଲେଇ ଦେଇ ଉଠେଇଦେଲା ତାଙ୍କୁ, “ଆପ୍ ମେରା ସିଟ୍ ମେ କ୍ୟା କର୍ ରହେ ହେଁ ? ନିଦ ମଳମଳ ହୋଇ ଉଠି ବସିଲେ ରମେଶ । “ଆପଣ? କିଏ ? ମତେ କାହିଁକି ଉଠଉଛନ୍ତି?” ଏପଟ ସେପଟ ବୁଲି ଆସିଲା ଆଖି । କିଏ କିଏ ଶୋଇଛନ୍ତି, ଆଉ କିଏ ଶୋଇବାର ଉପକ୍ରମ କରୁଛି। ଷ୍ଟେସନ୍‌ରେ ଗାଡି ଅଟକିଛି। “ମୁଝେ ମୁମ୍ବାଇ  ଜାନା ହେ। ଏ ମେରା ସିଟ୍ ହେ । ଆପ୍‌କା ଟିକେଟ୍ ଦେଖାଇଏ । ଆପ୍‌କୋ କାହାଁ ଜାନା ହେ” ? ଏକ ନିଶ୍ବାସରେ ବଡ ପାଟିରେ କହି ଯାଉଥିବା ସେ ଭଦ୍ରଲୋକଙ୍କୁ ଚାହିଁ ଥ’ ହୋଇ ରହିଯାଇଥିଲେ ରମେଶ । ଟ୍ରେନ୍ ଛାଡିଦେଇଥିଲା । କଳାକୋର୍ଟ ପିନ୍ଧି ଟିକେଟ୍ ତଦାରଖ କରିବାକୁ ଆଗେଇ ଆସୁଥିଲେ କଳା କିଟିକିଟି ଭଦ୍ରଲୋକ ଜଣେ ।
      ତଳ ସିଟ୍‌ରେ ଶୋଇବାକୁ ଯାଉଥିବା ଯୁବକ ଜଣକ ଠିଆ ହୋଇ ପଡି କଥାଟିକୁ ସହଜ କରିବାକୁ ଚେଷ୍ଟା କରୁଥିଲେ । ଷ୍ଟେସନକୁ ତରତର ହୋଇ ଆସି ରମେଶ ବିପରୀତ ଦିଗକୁ ମୁହାଁଇଥିବା ଅନ୍ୟ ଏକ ଟ୍ରେନ୍‌ରେ ଚଢିଯାଇଥିଲେ । ଟ୍ରେନ୍ ଛାଡିଦେବାପରେ ମଧ୍ଯ  ସେ ଭୁଲ୍ ଟ୍ରେନ୍‌ରେ ଚଢିବା କଥା ଜାଣିପାରିନଥିଲେ । ତାଙ୍କ ଟ୍ରେନ୍ ସେଇ ପ୍ଲାର୍ଟଫର୍ମକୁ ଆସିଥିବ କିଛି ସମୟ ପରେ । ରମେଶ କିଛି କହିବା ପୂର୍ବରୁ ବିବେକୀ ଟିକେଟ୍ କଲେକ୍ଟର୍ ପର ଷ୍ଟେସନରେ ତାଙ୍କୁ ଓହ୍ଲେଇ  ଯିବାର ଉପଦେଶ ଦେଇ ଅନ୍ଯମାନଙ୍କର ଟିକେଟ୍ ଯାଞ୍ଚ  କରିବାରେ ଲାଗିଲେ ।
       ଦେହହାତରୁ ଜୀବନ ଛାଡି ଯାଉଥିଲା ଯେମିତି । ଦୁର୍ଯୋଗ କଣ ଏମିତି ଆସେ ? ରମେଶ ଚେନ୍ ଖୋଲି ସୁଟକେଶ ଦୁଇଟି କାଢିଲେ ସିଟ୍ ତଳୁ । ସେଇଠି କିଛି ସମୟ ଠିଆ ହୋଇ ରହିଲେ ସେ । ଏବେ କଣ କରିବେ ?  ମୁଣ୍ଡ ଝାଇଁ ମାରୁଥିଲା । ଉପରକୁ ଉଠିଯାଇ ସେ ଭଦ୍ରଲୋକ ଆରାମରେ ଗଡି ପଡିଥିଲେ ସିଟ୍ ଉପରେ । ଚାହୁଁଚାହୁଁ ତାଙ୍କ ଘୁଙ୍ଗୁଡି ସ୍ୱର ବି ଶୁଣାଗଲା ।
      ପର ଷ୍ଟେସନକୁ ଅପେକ୍ଷା କରି ରମେଶ ଦୁଆର ପାଖକୁ ଘୁଞ୍ଚି ଆସିଥିଲେ । ରାତି ପାହିଲେ ଭାଣିଜୀ ବାହାଘର । କେମିତି ପହଞ୍ଚିହେବ ସେଠି ! ଦୀର୍ଘ ନିଶ୍ବାସଟିଏ ବାହାରି ଆସିଲା ଛାତି ଥରେଇ । ଚୁପିଚୁପି କିଏ କାନରେ କହୁଥିଲା, “ଥାଆନ୍ତା ଯଦି ତୋର ବିହଙ୍ଗ ପକ୍ଷ….।
…………….

Leave a comment