“ଆମ କଟକ ଯିବା କଥା ବାପାଙ୍କୁ କହିଛ?” ସୁମନ୍ତ କଡ ଲେଉଟାଇ ପଚାରିଲେ ନୀମାକୁ। ଘରକାମ ଛିଣ୍ଡେଇ ନୀମା ଶେଯକୁ ଆସିଲା ବେଳକୁ ସୁମନ୍ତ ଶୋଇପଡିଥିଲେ କାନ୍ଥକୁ ମୁହଁ କରି। ଲୁଗା ବଦଳେଇ ନୀମା ତାଙ୍କୁ ପିଠି କରି ଶୋଇଲା। ନିଦ ହେଉନଥିଲା ତା’କୁ। ଦିନଯାକର କଥା ଛଟପଟ ହେଉଥିଲା ମନ ଭିତରେ। ସୁମନ୍ତଙ୍କୁ କହିଦେଇଥିଲେ ମନ ହାଲକା ହୋଇଯାଇଥାଆନ୍ତା। ସୁମନ୍ତଙ୍କ ପ୍ରଶ୍ନ ଶୁଣି ଚିତ୍ ହୋଇ ଶୋଇଗଲା ସେ।” ଆରେ, ତୁମେ ଶୋଇନ ଏଯାଏଁ? ଆଖି ବୁଜି ହୋଇଥିଲା ତୁମର। ଭାବିଲି ଶୋଇପଡିଲଣି।” ନୀମା କହିଲା । “ନା ମ ! ନିଦ ଆସୁନି। ଭାରି ଛଟପଟ ଲାଗୁଛି। ବାପାଙ୍କୁ କେମିତି କହିବା ଆମେ କଟକ ବାହାରିଛେ ବୋଲି। ବାପାଙ୍କର ସବୁବେଳେ ଇଚ୍ଛା ତାଙ୍କୁ କିଏ କଟକ ନେଇଯାଆନ୍ତା। ଦେଖନ୍ତେ ତାଙ୍କ କଟକକୁ ମନଭରି ସେ। କେତେଥର କହିଲେଣି ଏକଥା ମୋତେ। ତାଙ୍କର ଏ ବୟସରେ ଆଉ ଏତେ ଅସୁସ୍ଥତା ଭିତରେ କେବେ କଟକ ନେବାକୁ ସାହସ ହୋଇନି ମୋର। ଆଉ ଏବେ ଆମେ ଦୁହେଁ ଯିବାକଥା ଶୁଣିଲେ ସେ ନିଶ୍ଚୟ ମନକଷ୍ଟ କରିବେ। ” ସୁମନ୍ତଙ୍କ କଣ୍ଠ ଓଦା ଲାଗୁଥିଲା। ନୀମା କଡ ଲେଉଟାଇ ସୁମନ୍ତଙ୍କ ଆଡକୁ ଚାହିଁଲା।
“ବାପା ତୁମକୁ କିଛି କହୁଥିଲେ ଆଜି? ” ନୀମା ସ୍ୱର ନିମ୍ନକରି ପଚାରିଲା ସୁମନ୍ତଙ୍କୁ। “କି କଥା? ତୁମେ କହିସାରିଲଣି କି ତାଙ୍କୁ ଆମର କଟକ ଯିବାକଥା?”
“ନା ମ! ସେକଥା ନୁହେଁ। ବାପା ମତେ କିଛି କହିନାହାନ୍ତି କିନ୍ତୁ କାହିଁକି କେଜାଣି, ଭାରି ଚୁପ୍ଚାପ୍ ଅଛନ୍ତି ସେ। କଣ ଗୋଟେ ଭାବି ହେଉଛନ୍ତି ଯେମିତି। କଥାଛଳରେ ପଚାରିଥିଲି ଯେ କିଛି କହିଲେନି। ସିଧାସିଧା ପଚାରିବାକୁ ଇଚ୍ଛା ହେଲାନି। ତୁମକୁ କାଳେ କହିଥିବେ କିଛି। “
ନୀମାର ସ୍ୱରରେ ବାପାଙ୍କ ପାଉଁ ବ୍ୟସ୍ତତା ସ୍ପଷ୍ଟ ବାରିହୋଇ ପଡୁଥିଲା।
“ସକାଳେ ବାପାଙ୍କୁ କହିଦେବା ଆମ କଟକ ଯିବାକଥା। ଏବେ ଶୋଇପଡ” ନୀମାକୁ ଏତକ କହିଦେଇ କଡ ବୁଲାଇ ଶୋଇବାକୁ ଚେଷ୍ଟା କଲେ ସୁମନ୍ତ। “ବାପା ଆଜି ସେ ପୁରୁଣା କାଠ ଆଲମାରୀ ଖୋଲି ଚିଠି ପୁଳାକ ନେଇଗଲେ।” ନୀମା କହିବା ପରେପରେ ଚମକି ପଡି ସୁମନ୍ତ ବସି ପଡିଲେ ଖଟ ଉପରେ। “ନେଇଗଲେ ମାନେ? ତୁମକୁ ବାରମ୍ବାର କହିଛି ସେ ଚିଠିତକ ବାପାଙ୍କ ଆଖିରେ ଯେମିତି ନପଡେ। ଏତେବେଶି ଦାୟିତ୍ବହୀନ କାମ ତୁମେ କଲ କେମିତି?” ସୁମନ୍ତ ବିବ୍ରତ ହୋଇ ପଡୁଥିଲେ। ” ସେତକ ନୁହେଁ ମ! ଆହୁରି ଅନେକ ଚିଠି। ମୁଁ କଣ କରିବି? ବାପା ଆମ ଶୋଇବାଘରକୁ ଆସି ପୁରୁଣା କାଠ ଆଲମାରୀ ଖୋଲିବେ ସେକଥା ମୁଁ ସ୍ୱପ୍ନରେ ବି ଭାବି ନଥିଲି। ମାନୁଛି, ଆଲମାରୀଟି ଦିନେ ବୋଉଙ୍କର ଥିଲା। ସେ ଭିତରେ ବୋଉଙ୍କର ଲୁଗାପଟା ଏବେବି ହ୍ୟାଂଗର୍ରେ ଝୁଲୁଛି। ଥାକ ଉପରେ ବୋଉଙ୍କର ଶାୟା ବ୍ଲାଉଜ୍ ସେମିତି ଥୁଆ ହୋଇଛି। ନା ମୁଁ ତାଙ୍କ ଲୁଗାରୁ ଖଣ୍ଡେ କେବେ ପିନ୍ଧିଛି ନା ତାଙ୍କ ଅନ୍ୟ ଜିନିଷପତ୍ରରେ ହାତ ଲଗେଇଛି। ଆମ ଶୋଇବାଘରେ ସେ ଆଲମାରୀଟି ନରଖି ବାପାଙ୍କ କୋଠରୀରେ ରଖିବାକୁ ମୁଁ କହିଥିଲି ଅନେକଥର। ବାପା ନିଜେ ତ ମନା କରିଥିଲେ ତାଙ୍କ କୋଠରୀରେ ଆଲମାରୀ ରଖିବାକୁ। ବୋଉଙ୍କର ସବୁ ଜିନିଷ ମତେ ବ୍ୟବହାର କରିବାକୁ କହି ସେ ନିଜେ ନିଜେ ବାଡିପଟର ଛୋଟ କୋଠରୀଟିକୁ ଚାଲିଯାଇଥିଲେ। ଗତ ଦୁଇବର୍ଷ ଭିତରେ କେତେଥର ସେ ତାଙ୍କ ପୁରୁଣା କୋଠରୀକୁ ଆସିଛନ୍ତି? ” ଏକାନିଶ୍ୱାସରେ ଏତକ କହିପକେଇଲା ନୀମା।
ପୁଅବୋହୂଙ୍କୁ ନିଜ କଣ ପଟିଆ କୋଠରୀଟି ଦେଇ ଏବେ ଏବେ ବାପାବୋଉଙ୍କ କୋଠରୀକୁ ନିଜର ଶୋଇବାଘର କଲେ ସେମାନେ। ଆଜିଯାଏଁ ତ ବାପାବୋଉଙ୍କ କୋଠରୀ ଥିଲା ସେଇଟି। ଏଯାଏଁ ବି ପାଟିରୁ ସେଇଆ ବାହାରୁଛି ତାଙ୍କର। ନୀମା ଅଭିମାନରେ ମୁହଁ ଫୁଲାଇଲା। ନିଜ କୋଠରୀ ବୋଲି ଆଉ କିଛି ଅଛି କି ତା’ର ଏ ଘରେ? କାନ୍ଦକାନ୍ଦ ହୋଇଗଲା ନୀମା । ସୁମନ୍ତ ଚୁପ୍ ହୋଇ ବସିଲେ ଅନେକ ସମୟ।କଣ ଭାବିଲେ କେଜାଣି ନୀମାକୁ ପାଖକୁ ଟାଣିନେଇ ଟିକେ ଆଦର କରି ନରମ ଗଳାରେ ଶୋଇଯିବାକୁ କହିଲେ ଓ ନିଜେ ଶୋଇପଡିଲେ।
ସୁମନ୍ତ ଶୋଇପଡିଥିଲେ। ଆଖିକୁ କିନ୍ତୁ ନିଦ ଆସୁନଥିଲା ନୀମାର। ସୁମନ୍ତଙ୍କୁ ଅଧାକଥା କହିଛି ସେ। ସୁମନ୍ତ ଅଫିସ୍ ଯିବାପରେ ବାପା ତା’କୋଠରୀକୁ ଆସିଥିଲେ। ଦୀର୍ଘ ଷାଠିଏ ବର୍ଷ ଧରି ନିଜ ଶୋଇବାଘର ବୋଲି ଚିହ୍ନିଥିବା ସେ କୋଠରୀଟିକୁ କେମିତି ଗୋଟେ ଅସହାୟ ଆଖିରେ ଚାହିଁ କବାଟ ପାଖରେ ଠିଆ ହୋଇଥିବା ବାପାଙ୍କୁ ଘର ଭିତରୁ ଉଠିଆସି ସେ କହିଥିଲା,”କଣ ହେଲା ବାପା? କିଛି କହିବାର ଅଛି କି? ଏ କୋଠରୀରୁ କିଛି ଦରକାର ଥିଲା ଯଦି ମତେ କହିଥାଆନ୍ତେ। ମୁଁ…।”ତାକୁ କଥା ଶେଷ କରିବାକୁ ନଦେଇ ବାପା କହିଥିଲେ, “ଭିତରକୁ ଆସିବି ନୀମା?” ବାପା ତା’ଠାରୁ ଅନୁମତି ମାଗୁଥିଲେ। ନିଜ କୋଠରୀକୁ ଆସିବାପାଇଁ ସେ ନୀମା ପାଖରୁ ‘ହଁ’ ଶୁଣିବାର ଅପେକ୍ଷା ରଖି ଠିଆହୋଇ ରହିଥିଲେ ଦୁଆର ସେପାଖେ। “ଆସନ୍ତୁ ବାପା, ଆସନ୍ତୁ ଭିତରକୁ।” ତାଙ୍କ ହାତଧରି ଭିତରକୁ ପାଛୋଟିନେଲା ନୀମା। ବାପା କିନ୍ତୁ ଅଟକି ଯାଇଥିଲେ ଦୁଆର ପାଖକୁ ଲାଗି ଥୁଆହୋଇଥିବା ପୁରୁଣା କାଠ ଆଲମାରୀଟି ପାଖରେ। ଆଲମାରୀଟିକୁ ଖୋଲିବାର ଅନୁମତି ନେବାର ବିକଳ ଚିତ୍ରଟି ଏଥର ଲୁହ ଲୁହ ହୋଇ ଝଲକି ଉଠୁଥିଲା ତାଙ୍କ ଆଖିରେ। ଖୁବ୍ ଶୀଘ୍ର ନୀମା ପଢିନେଲା ସେ ଆଖିର ଭାଷା। ଖୋଲିଦେଲା ଆଲମାରୀର ଦୁଆର। ଭିତରେ ବୋଉଙ୍କର ଶାଢି, ବ୍ଲାଉଜ୍, ଶାୟା ଉପରେ କୋମଳ ହାତଟିଏ ବୁଲେଇ ନେଇ ବାପା ନଇଁ ପଡିଲେ ତଳ ଥାକକୁ। କିଛି ଲୁଗା ଚଉତାହୋଇ ରହିଛି ସେ ଥାକରେ। ଅଛି କିଛି କାଗଜପତ୍ର।ତା’ଭିତରେ ନାଲି ପାଟକନା ଗୁଡାହୋଇ ସାଇତା ଚିଠି, ପୁରୁଣା ଚାଦର ତିନି ଚାରିଟି। ବାପା ସେଇ ଥାକରୁ ଜିନିଷ ଆଡେଇ ଥାକଟିକୁ ଟେକିବାକୁ ଚେଷ୍ଟା କଲେ। ନୀମା ଆଶ୍ଚର୍ଯ୍ୟ ହେଲା। ଥାକଟିକୁ ଭିଡି କଣ କରୁଛନ୍ତି ବାପା? ନଇଁପଡି ସେ ସାହାଯ୍ୟ କରିବା କ୍ଷଣି ଥାକଟି ଉପରକୁ ଉଠିଗଲା ଓ ତା’ତଳକୁ ଚୋରା ଥାକଟିଏ ବାହାରି ପଡିଲା। ବାପା ଉଠେଇନେଲେ ପୁଳାଏ କାଗଜ ସେ ଥାକରୁ। ସେତକ କାଖରେ ଯାକି ବାହାରିଗଲେ ଘରୁ।
‘କି କାଗଜ ଉଠେଇନେଲେ ବାପା ? ସେ ଚୋରା ଥାକରେ ଏତେବର୍ଷ ଧରି କି କାଗଜ ସାଇତା ହୋଇ ରହିଥିଲା? ବାପା ମନେରଖି ନେଇଗଲେ କାଗଜ ବିଡାଟି’। ନୀମା ଛଟପଟ ହେଲା। ସେ ପୂରୁଣା କାଠ ଆଲମାରୀଟିରେ ଏମିତି ଚୋରା ଥାକଟିଏ ଥିବା କଥା ସେ କେମିତି ଜାଣି ନଥିଲା ଏଯାଏଁ! ବୋଉ କେବେ ସେ ଥାକ ଖୋଲିବାର ସେ ଦେଖିନି। କଣ ହୋଇଥିବ ସେ କାଗଜ? କେଜାଣି କାହିଁକି ଶାନ୍ତ କରିପାରୁନଥିଲା ସେ ନିଜ ମନକୁ। ସୁମନ୍ତଙ୍କୁ କହିବାକୁ ସାରାଦିନ ଅପେକ୍ଷା କରିଛି ସେ। ବାପା କେମିତି ଗୁମ୍ସୁମ୍ ହୋଇ ରହିଛନ୍ତି ସେଇ ସକାଳ ପହରୁ। ସେ କାଗଜତକ ନେଇଗଲାପରେ ଅନେକ ସମୟ ନିଜ କୋଠରୀ ଭିତରେ ଥିଲେ। ବୋଧହୁଏ ସେ କାଗଜପତ୍ର ସହିତ ନିଜ ଅତୀତକୁ ଖୋଜୁଥିଲେ। ନୀମା ତାଙ୍କୁ ଏକା ଛାଡିଦେଇଥିଲା। ସବୁଦିନ ପରି ତାଙ୍କ ସହ ଏଣୁତେଣୁ ଗପିବାରୁ ନିବୃତ୍ତ ରହିଥିଲା ସେ। ଦିନଯାଇ ରାତିହେଲା, ବାପା ତଥାପି ସହଜ ହୋଇପାରୁନଥିଲେ। କ’ଣ ଥିଲା ସେ କାଗଜଗୁଡାକରେ ଯାହା ବାପାଙ୍କୁ ଏତେବେଶି ପ୍ରଭାବିତ କରି ରଖିଛି? ସେ ଭିତରୁ ନିଜକୁ ମୁକୁଳେଇ ପାରୁନାହାନ୍ତି ବାପା? ନୀମା ଶୋଇବାକୁ ଚେଷ୍ଟାକରି ଆଖି ବୁଜିନେଲା।
ସକାଳ ହେଲା। ସବୁଦିନ ପରି ପ୍ରାତଃଭ୍ରମଣରୁ ଫେରି ବାପା ଜାଫ୍ରିଲଗା ଦାଣ୍ଡପିଣ୍ଡାରେ ଚେୟାର୍ରେ ବସିଲେ। ନୀମା ଚା’ ନେଇ ତାଙ୍କ ପାଖକୁ ଗଲା। “କଟକ କେତେବେଳେ ଯିବ? ” ବାପା ପଚାରିଲେ। ଟିକେ ଚମକି ପଡିଲା ନୀମା। କଟକ ଯିବାକଥା ବାପା ଜାଣିଗଲେଣି ତେବେ! ମନ ଖରାପ ହେବ ତାଙ୍କର। କଣ କେମିତି ବୁଝେଇବ ସେ ନେଇ ନିଜକୁ ସଜାଡିନେଲା ସେ। ବାପା ହସିଦେଲେ ଟିକେ। କହିଲେ, “ଯାଅ, ବୁଲିଆସ। ଫେରିବାବେଳେ କଟକ ମାଟିରୁ ମୁଠେ ଆଣିଥିବ। ତା’ ମହକରେ ମୋ ହଜିଯାଇଥିବା ଅତୀତକୁ ପାଇବି ମୁଁ। ” ବାପା ଟିକେ ପ୍ରଗଳ୍ଭ ଲାଗୁଥିଲେ। ଗତକାଲିର ଗୁମ୍ସୁମ୍ ଭାବ କଟିଯାଇଥିଲା। ନିଜକୁ ବୁଝେଇଦେଲେଣି ସେ ଏ ଭିତରେ। ଟେବୁଲ୍ ଉପରେ ଥିବା କାଗଜତକ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରି ସେତକ ନେଇ ଆସିବାକୁ କହିଲେ ସେ। ଗତ କିଛିଘଣ୍ଟା ଧରି ଛଟପଟ କରି ରଖିଥିବା ସେ ପୁଳାକ କାଗଜ ତାଙ୍କ ହାତକୁ ଆଣି ବଢେଇଦେଲା ନୀମା ଓ କଣ ସେସବୁ ପଚାରିବା ପୂର୍ବରୁ ବାପା କହିଲେ, “ଏସବୁ ଖୋକାଭାଇଙ୍କ ଗୀତ। ତୋ ବୋଉର ଓ ମୋର ପ୍ରିୟ ଗୀତ ଯାହାକୁ ଲେଖିରଖିଛି ତୋ ବୋଉ। ସାରା କଟକ ମିଳିବ ଏ ଗୀତରେ। କାଲି ସାରାଦିନ ସାରାରାତି ପଢିଛି ମୁଁ ତାକୁ। ତୋ ବୋଉର ହାତଲେଖା ଅକ୍ଷର ଭିତରେ ଓ ଖୋକାଭାଇଙ୍କ ଗୀତ ଭିତରେ ମୋ ଅତୀତକୁ ଗୋଟେଇଛି , ସାଉଁଟିଛି। ବାକି ରହିଛି ସେ ମାଟିକୁ ଛୁଇଁବାର କାମନା ଟିକକ। ନେଇ ଆସିବୁ ମାଆ, ମୁଠାଏ କଟକ ମାଟି”। ବାପା ହାତରେ ଧରିଥିବା କାଗଜ ପୁଳାକ ଭିତରେ ନୀମା ଦେଖିପାରୁଥିଲା ଶାଶୂଙ୍କର ହସ୍ତାକ୍ଷର । ଅନୁଭବ କରି ପାରୁଥିଲା ଶ୍ୱଶୂରଙ୍କ ସ୍ପର୍ଶକାତର ମନକୁ। ସୁମନ୍ତ ପାଖରେ ଠିଆହୋଇଥିଲେ ଆସି। “ବାପା, ଜାଣିଲେଣି ତେବେ ଆମେ କଟକ ଯିବାକଥା?” ନୀମା ଆଶ୍ଚର୍ଯ୍ଯ ହୋଇ କହିଲା, “ତୁମେ କହିନ?” ବାପାଙ୍କ ଆଖିରେ ଚପଳ ହସ। “ତୁମମାନଙ୍କ କଥାବାର୍ତ୍ତାରୁ ଠଉରେଇନେଇଛି ମୁଁ। ତୁମମାନଙ୍କ ପରି କଟକ ମୋପାଇଁ ବି ଗୋଟେ ଆକର୍ଷଣ। ତୁମେ ଦୁହେଁ ଯାଅ। ବୁଲିଆସ। ମୋ ପାଇଁ କଟକରୁ ମୁଠାଏ ମାଟି ଆଣିବାକୁ ଭୁଲିବନି ଯେମିତି।”
……….