ଘଣ୍ଟଶିଳା


      ଦଳଦଳ ହୋଇ ଉଡି ଆସୁଥିଲେ ଦୂରଦେଶରୁ ସେମାନେ। ଅଳ୍ପ ଶୀତୁଆ ସନ୍ଧ୍ୟାରେ ମୋଟର ଲଞ୍ଚର କଡପଟୁଆ ସିଟ୍‌ରେ ବସି ସେମାନଙ୍କୁ ଦେଖୁଥିଲା ଜାଈ। ଚିଲିକାର ପାଣି ଉପରେ ଅସ୍ତସୂର୍ଯ୍ୟଙ୍କର କିରଣ ପଡି ଚକ୍‌ଚକ୍ ହେଉଥିଲା। ଅପେକ୍ଷାକୃତ ସ୍ଥିର ଥିଲେ ମଧ୍ୟ ଚହଲୁଥିଲା ପାଣି କୁନିକୁନି ଢେଉ ଭାଙ୍ଗି। ପକ୍ଷୀଦଳଟିଏ ମଝିରେ ମଝିରେ ଖୁବ୍ ପାଖକୁ ଆସି ଯାଉଥିଲେ। ଝପାକ୍...। ପାଣିରେ ଥଣ୍ଟ ବୁଡେଇ ଡେଣାଝାଡି ଉଡି ଯାଉଥିଲେ ଆକାଶକୁ। ଏବେ କାହା କାହା ଥଣ୍ଟରେ ମାଛଟିଏ ଛଟପଟ ହେଉଥିଲା ମୁକ୍ତି ପାଇବାକୁ। କିଏ ପୁଣିଥରେ ଚିଲିକାର ଜଳରାଶି ଭିତରୁ ତା' ଇପ୍ପିତ ସୁନାମାଛର ସନ୍ଧାନରେ ଥିଲା। ପକ୍ଷୀମାନଙ୍କର କାକଳିରେ ଆକୃଷ୍ଟ ଥିଲେ ମଧ୍ୟ ଜାଈ ଭିତରେ ଚଢେଇର ଥଣ୍ଟରେ ଜାବ ପଡିଥିବା କୁନିମାଛଟିର ଯନ୍ତ୍ରଣା ଅନୁଭୂତ ହେଉଥିଲା।ଏବେ ଆକାଶରେ ଉଡୁଥିବା ମାଛଟିର ଭାଗ୍ୟ ବନ୍ଧାପଡିଛି ନିର୍ଦ୍ଦୟ ପକ୍ଷୀଟିର ଥଣ୍ଟରେ। ଏଇ କେଇ ମୁହୂର୍ତ୍ତ ଉଡିବାର ସୁଖ କଣ ଉପଲବ୍ଧି କରିପାରୁଥିବ ସେ କୁନିମାଛଟି। ଠିକ୍ ତା' ପରି ???

        ଚିଲିକା କୂଳର ଝିଅ ଜାହ୍ନବୀ। ଜାହ୍ନବୀ ନାଁଟି ତାର ଖାଲି ସରକାରୀ କାଗଜରେ ଲେଖା। ଓଠତଳର କଳାଜାଈଟି ତା' ନାଁଟିକୁ ଜାଈ କରିଦେଲା ସମସ୍ତଙ୍କ ପାଇଁ। ବାପା ଗେହ୍ଲାରେ ଡାକିଲେ 'ଜାଈ' । ସାଇ ପଡିଶା ସାଙ୍ଗ ସୁଖ ମଧ୍ୟ ସେଇ ନାଁରେ ଚିହ୍ନିଲେ। ନାଁଟି ତାର 'ଜାଈ' ହୋଇଗଲା କାଳକ୍ରମେ। ଆହୁଲା ମାରି ଡଙ୍ଗା ଚଳାଉଥିଲେ ଜେଜେ। ଚିଲିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଡଙ୍ଗାରେ ନେଇ ବୁଲେଇ ଆଣୁଥିଲେ ସାରା ହ୍ରଦଟିକୁ। ଡଙ୍ଗା ବାହୁଥିଲେ, ଗପ କହୁଥିଲେ। ଗପଛଳରେ ପର୍ଯ୍ୟଟକମାନଙ୍କୁ ଶୁଣାଉଥିଲେ ମରାଳମାଳିନୀ ଚିଲିକାର ଐତିହ୍ୟ। ମାଣିକପାଟଣା ଗାଁ ଆଉ ମାଣିକ ଗଉଡୁଣୀ କଥା। କାଞ୍ଚି ଅଭିଯାନ ସମୟରେ ଚିଲିକାକୂଳରେ ତୃଷିତ ବଡଠାକୁର ଓ ଶ୍ରୀଜଗନ୍ନାଥଙ୍କୁ ଦହି ପିଆଇଥିବା ମାଣିକ ନାଁରେ ମାଣିକପାଟଣା ଗାଁ ହୋଇଥିବା କଥା ଶୁଣି ଆହ୍ଲାଦିତ ହେଉଥିଲେ ଲୋକେ।କାଳିଜାଈର କାହାଣୀ ଆଖିରୁ ଲୁହ ଝରାଉଥିଲା। ଜେଜେ ପୁଣି ଦୂରରୁ ଦେଖାଉଥିଲେ ଭାଲେରୀ, ଘଣ୍ଟଶିଳା ପାହାଡ । ପୂର୍ବ କାଳରେ ସାଧବ ପୁଅ ଜାଭା, ବୋର୍ଣ୍ଣିଓ ଦ୍ୱୀପରୁ ବଣିଜ ସାରି ଫେରିଲାବେଳେ ଘଣ୍ଟଶିଳା ପାହାଡରେ ବାଜୁଥିଲା ଘଣ୍ଟ। ରାସ୍ତା କଢେଇ ଆଣୁଥିଲା ଘରଫେରନ୍ତା ବଣିକ ପୁଅକୁ। ଗପରେ ଗପରେ ଜେଜେ ଅତୀତକୁ ଫେରିଯାଉଥିଲେ । ବଖାଣୁଥିଲେ ଅତ୍ୟାଚାରୀ ରକ୍ତବାହୁର କଥା। ରକ୍ତବାହୁର ଆକ୍ରମଣ ବେଳେ ଚିଲିକା ଗର୍ଭର ଗୋପାଳୀରେ ପାତାଳୀ କରେଇ ଲୁଚେଇଥିଲେ ଜଗାବଳିଆଙ୍କୁ ରାଜା ଶୋଭନଦେବ। ରକ୍ତବାହୁ ଉପରେ କୃଦ୍ଧହୋଇ ସମୁଦ୍ର ମାଡିଆସିଥିଲା ଓ ନାଶ କରିଥିଲା ସୈନ୍ୟସୀମନ୍ତଙ୍କ ସହ ରକ୍ତବାହୁକୁ। କ୍ରୋଧ ସମାପନ ପରେ ସ୍ୱସ୍ଥାନକୁ ଫେରିବା ବେଳେ ଛାଡିଦେଇଥିଲା ଚିଲିକାର ଜଳରାଶିକୁ ଯାହା ହ୍ରଦଟିଏ ହୋଇ ନିଜର ସୌନ୍ଦର୍ଯ୍ୟରେ ମୋହିବାକୁ ଲାଗିଲା ସମସ୍ତଙ୍କୁ। ଅଳ୍ପ ମିଠା ଅଳ୍ପ ଖାରି ପାଣିରେ ସାଇତିଲା ରାଶିରାଶି ଜଳ ସମ୍ପଦ। ମାୟାରେ ବାନ୍ଧିଲା କବିପ୍ରାଣ, ଲେଖିବାକୁ ପ୍ରେରିତ କଲା କେତେକେତେ କାବ୍ୟ କବିତା। ଜେଜେ ଗପ କହୁକହୁ ହଜିଯାଉଥିଲେ ଚିଲିକାର ପ୍ରେମରେ।ଜେଜେଙ୍କ ଗପ ଓ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ପର୍ଯ୍ୟଟକମାନେ ଫେରିଗଲା ପରେ ଜେଜେ ପାଉଥିଲେ ଅକଳନ ଆତ୍ମସନ୍ତୋଷ।

      ଜେଜେଙ୍କ ଅମଳରେ ହିଁ ଚିଲିକାରେ ପଡିଲା ମୋଟରଲଞ୍ଚ୍। ଟିକେ ଦୁଃଖି ହେଲେ ସେ। ପକ୍ଷାଘାତ ରୋଗରେ ଶେଜ ଧରିଥିବା ତାଙ୍କୁ କେଜାଣି କାହିଁକି ଆକର୍ଷି ପାରିଲାନି ମୋଟରଲଞ୍ଚ୍‌ର ମୋହ। କାତମରା ଡଙ୍ଗାର ଆକର୍ଷଣ ନିଆରା। ଚିଲିକାର ଜଳରାଶିରେ ହଲିହଲି ଝୁଲିଝୁଲି ପାଣିସହ ନିଜକୁ ଯୋଡିନେଇ ପ୍ରକୃତି ସହ ଏକାତ୍ମ ହୋଇ ଘୂରି ବୁଲିବାର ଆନନ୍ଦ କଣ ଏ ମୋଟରଲଞ୍ଚ୍ ଦେଇପାରିବ? ଜେଜେ ଆଶଙ୍କାରେ ଥିଲେ ଓ ନିଜର କୂଳବେଉଷାର ଅବକ୍ଷୟ ଦେଖି ଦୁଃଖି ହୋଇଯାଉଥିଲେ ବୋଧହୁଏ। ବାପା କିନ୍ତୁ ଖୁବ୍ ଖୁସୀଥିଲେ। ଅତି ଶୀଘ୍ର ମୋଟରଲଞ୍ଚ୍ ଚଲେଇବା କଳାଟି ଶିଖିନେଇ ଚିଲିକାକୁ ନିଜ ଅକ୍ତିଆରରେ ରଖିପାରିଥିବାର ଆନନ୍ଦରେ ଉତ୍‌ଫୁଲ୍ଲ ଥିଲେ। ମୋଟରଲଞ୍ଚ୍ ଚଲାଇ ପର୍ଯ୍ୟଟକମାନଙ୍କୁ ଚିଲିକାରେ ବୁଲାଇ ଘରକୁ ଫେରିଲାପରେ ସେ କିନ୍ତୁ ଜେଜେଙ୍କପରି ସାଙ୍ଗରେ ବାନ୍ଧି ଆଣିପାରୁନଥିଲେ କାହା ହୃଦୟକୁ। ମୋଟରଲଞ୍ଚ୍‌ରେ ଗପ ଶୁଣିବାକୁ କାହାର ଧୈର୍ଯ୍ଯ ନଥାଏ। ଉଡନ୍ତା ଚଢେଇ, ଡଲ୍‌ଫିନ୍ ଦେଖା ସହ ତୀବ୍ର ଗତିରେ ପାଣି ଉପରେ ଚାଲୁଥିବା କଳଡଙ୍ଗାରୁ ଫଟୋ ଭିଡିଓ ନେବାର ଏକ ସ୍ଵତନ୍ତ୍ର ମଜାରେ ମତୁଆଲା ସଭିଏଁ। ସେଥିରେ ନା ଥାଏ ଆପଣାପଣ ନା ଥାଏ ଅତୀତର ସ୍ମୃତିକୁ ରୋମନ୍ଥନ କରିବାର ପ୍ରବୃତ୍ତି। କାର୍ଯ୍ୟ ଶେଷକରି ବାପା ଫେରୁଥିଲେ ଏକାଏକା ଶ୍ରାନ୍ତକ୍ଳାନ୍ତ ହୋଇ।


     ‘ଜାଈ’ଖୁବ୍ ଶୀଘ୍ର ବାହାହୋଇ ଦୁବାଇ ଚାଲିଯିବ। ତା’ ଭାବୀପତି ସେଠି ତେଲ କମ୍ପାନୀରେ ଚାକିରୀ କରେ। ଏକଦା ଚିଲିକା କୂଳରେ ଥିବା ତା’ ପିତୃପୁରୁଷଙ୍କ ଘର ବିକିଦେଇ ସେ ଏବେ ଭୁବନେଶ୍ୱରରେ କୋଠା ବନେଇଛି। ଆସନ୍ତାମାସରେ ବାହାଘର। କାଳିଜାଈ ମନ୍ଦିରରେ ନିର୍ବନ୍ଧ କରିବାକୁ ଭାବୀ ଶାଶୂ ଶ୍ବଶୁର, ବାପାମାଆଙ୍କ ସହ ଜାଈ ଆସିଥିଲା ଆଜି।ଆଜି ଥିଲା ଏକ ପବିତ୍ର ବେଳା। କଥାରେ କଥାରେ ପୁଅକୁ ପ୍ରଶଂସାରେ ପୋତି ପକାଉଥିଲେ ଭାବୀ ଶ୍ବଶୁର। କାହିଁକି କେଜାଣି ଜାଈ ପ୍ରଭାବିତ ହୋଇପାରୁନଥିଲା ତାଙ୍କ କଥାରେ। ସେଘର ଚଳଣୀରେ ନିଜକୁ ଖାପ ଖୁଆଇବାର କାଳ୍ପନିକ ଚିତ୍ରରେ ବି ଅବଶ ହେଇ ପଡୁଥିଲା ତା’ ମନ। ଅଂଶୁମାନକୁ ଭଲପାଏ ସେ। ଦୁହିଁଙ୍କର ପରସ୍ପର ପ୍ରତି ଅଗାଢ ପ୍ରେମ। ସଂସାର ଗଢିବାକୁ ସେତକ ଯଥେଷ୍ଟ ମନେହୁଏ ଜାଈକୁ। ସୁନ୍ଦର ସୁଖୀ ସଂସାରଟିଏର ପରିକଳ୍ପନାରେ ମନ ତା’ର ଆନନ୍ଦରେ ନାଚିଯାଏ। ଅଂଶୁମାନର ହାତଧରି ଜୀବନପଥରେ ଚାଲିବାକୁ ତା’ ଭିତରର କୋମଳ ଇଚ୍ଛା ଟିକକକୁ ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି ତା’ ବାପାବୋଉ।”ଖୁବ୍ ପଇସା ରୋଜଗାର କରୁଛି ଏ ପୁଅଟି। ତୋର ସୌଭାଗ୍ଯ ଯେ ସେମାନେ ତତେ ବୋହୂ କରିନେବାକୁ ରାଜି ହୋଇଛନ୍ତି”। ବୋଉର କଥାଶୁଣି ଲୁହ ଲୁଚେଇଛି ଜାଈ।


      ସୁରୁଖୁରୁରେ ନିର୍ବନ୍ଧ ସରିଛି ଆଜି। ତା’ ହାତରେ ନୂଆ ମୁଦିଟା ଚକ୍‌ଚକ୍ ହେଉଛି। ସବୁ ଚକ୍‌ଚକ୍ କରୁଥିବା ଦ୍ରବ୍ୟ ସୁନା ନୁହେଁ।ଖୁସି ହୃଦୟକୁ ପ୍ଳାବିତ କରି ବୋହିଆସେ, ସୁନାରେ ଛାଉଣୀ ହେବା ନହେବା ସୁଖର ମାପକାଠି ନୁହେଁ। ଏକଥା ବାରମ୍ବାର ତା’ ମନ କହୁଥିଲା। ଖୁବ୍ ବିଚଳିତ ଲାଗୁଥିଲା ତାକୁ।
କୂଳରେ ପହଁଚିଗଲେ ସେମାନେ ଘରକୁ ଯିବେ। ଜେଜେଙ୍କ ଆଶୀର୍ବାଦ ନେଇ ଭୁବନେଶ୍ବର ଫେରିଯିବେ ତା’ ଶାଶୂଘର ଲୋକେ। କୂଳ ଆଉ ଅଳ୍ପ ବାଟ ରହିଲା।ହଠାତ୍ କଳା ହାଣ୍ଡିଆ ମେଘ ଘୋଡେଇ ଆସିଲା ଆକାଶରେ। ଅଦିନିଆ ମେଘ। ଏବେ ଏବେ ଉଡୁଥିବା ପକ୍ଷୀମାନେ କାହିଁ ଦେଖାଯାଉନାହାନ୍ତି ଆଉ। ମେଘକୁ ଦେଖି ସେମାନେ ବୋଧହୁଏ ଓହ୍ଲେଇ ପଡିଛନ୍ତି କେଉଁ ନିରାପଦ ଆଶ୍ରୟସ୍ଥଳରେ। ନଳବଣରେ ନା ଚଢେଇଗୁହା ପାହାଡରେ? ଜାଈ ଉପରେ ଟୋପାଟୋପା ବର୍ଷା ପଡୁଥିଲା। ଅନ୍ୟମନସ୍କ ହୋଇ ସେଇଠି ସେମିତି ବସିଥିଲା ସେ। ଖୁବ୍ ଜୋର୍‌ରେ ଦୋହଲିଗଲା ମୋଟରଲଞ୍ଚ୍। ବିକଟ ଶବ୍ଦ କରି ଅଟକିଗଲା ସେଇଠି। କୂଳ ଏବେବି ଅଛି କିଛିବାଟ। ବୋଟ୍ ଯାକର ଲୋକ ଆତଙ୍କରେ ଠିଆ ହୋଇ ପଡିଛନ୍ତି।ଦଲକାଏ ପାଣି ପଶି ଆସିଲା ଲଞ୍ଚ୍ ଭିତରକୁ। ଚିତ୍କାର କରି ଉଠିଲେ ସେମାନେ। ପୁଣି ଦଲକାଏ। ଆଃ…। କେଇ ମୁହୂର୍ତ୍ତ ଭିତରେ ଛୋଟ ମୋଟରଲଞ୍ଚ୍‌ଟି ଭାରସାମ୍ୟ ହରେଇ ବସିଲା।


      କୂଳରେ ପହଁଚି ଓଦା ସରସର ଦେହରେ ଠିଆ ହୋଇଥିଲା ଜାଈ। ଏତକ ବାଟ ସେ ପହଁରି ଆସିଛି। ଅଂଶୁମାନ ଘଣ୍ଟଶିଳା ପାହାଡ ପାଖରେ ନୂଆ ଖୋଲିଥିବା କଲେଜ୍‌ରେ ଅଧ୍ୟାପକ ହୋଇ ଯୋଗ ଦେଇଛି। ତା’ ନିଜ ପାଖରେ ବି ସେ ଏକା କଲେଜ୍‌ରେ ଯୋଗ ଦେବାପାଇଁ ଆସିଥିବା ନିଯୁକ୍ତିପତ୍ର ଅଛି। ଆସନ୍ତାକାଲି ଶେଷ ତାରିଖ। ବୁଡିଯାଉଥିବା ମୋଟରଲଞ୍ଚ୍‌କୁ କୂଳକୁ ଆଣିବାକୁ ଲୋକମାନେ ହୁଲି ଡଙ୍ଗା ନେଇ ବାହାରିଗଲେଣି।ମୋଟରଲଞ୍ଚ୍‌ରେ ଥିବା ସମସ୍ତଙ୍କୁ ନିରାପଦରେ କୂଳକୁ ଫେରେଇ ଆଣିବେ ସେମାନେ। ଘରଆଡେ ପାଦ ବଢେଇଲା ଜାଈ। ଅଥଳଥଳ ସମୁଦ୍ରକୁ ଲଂଘିବାର କ୍ଷମତା ତା’ପାଖରେ ଅଛି। ଲଢିବ ସେ। ଜିତିବ ବି। ତା’ ନିଷ୍ପତ୍ତିକୁ ସମର୍ଥନ କରୁଥିବା ଜେଜେଙ୍କ ଆଶୀର୍ବାଦ ନେଇ ସେ ପହଁଚିଯିବ ଚିଲିକାକୂଳର ସେ କଲେଜ୍‌ରେ ଯେଉଁଠାରୁ ଘଣ୍ଟଶିଳା ପାହାଡଟି ପୂରା ଦିଶୁଥିବ ତା’କୁ। ସେ ପାହାଡ ଉପରୁ ଦିଗବାରେଣୀ ଘଣ୍ଟି ବାଜୁଥିବାର ଏବେ ସ୍ପଷ୍ଟ ଶୁଣିପାରୁଥିଲା ଜାଈ।
…….

Leave a Reply