ବସଷ୍ଟାଣ୍ଡ ଯାଏଁ ଛାଡିବାକୁ ବାପା ଆସିଥିଲେ ସାଙ୍ଗରେ। ଦି’ପହର ଶ୍ରାଦ୍ଧ ପରେ ବୋଉ ଓ ପଡିଶାଘର ଭାଇବୋହୂ ରମା ମିଶି ଦୀପ ସଜାଉଥିଲେ ଅଡଙ୍ଗରେ,ଦାଣ୍ଡ ଦୁଆରେ । ତୁଳସୀ ଚଉରା ପାଖରେ ବୋଉ ଥୋଇ ଦେଇସାରିଥିଲା ଘିଅ ଭର୍ତ୍ତିକରି ଗହୀରିଆ ଦୀପଟିଏ। ରାତିସାରା ଜଳିବ ସେ ଦୀପଟି। କାନ୍ଥକୁ ଡେରେଇ ହୋଇ ଥୁଆ ହୋଇଥିଲା କାଉଁରିଆ କାଠି ବିଡାଟି।
– “କେତେ କରି କହିଲି ପିଲାଙ୍କୁ ନେଇ ଆସିବାକୁ । ମୋ କଥା ଶୁଣିଲୁନି। ଏବେ ଦୀପାବଳି ସଂଧ୍ୟାରେ ବାହାରୁଛୁ । ଏମିତି କିଏ କରେ?” – ବୋଉ କାନ୍ଦ କାନ୍ଦ ହେଉଥିଲା ସକାଳୁ।
– “ଦିନଟିଏ ପରେ ରାନୁର ପରୀକ୍ଷା। ସେ ତ ଆସିପାରି ନଥାଆନ୍ତା। ତାକୁ ଘରେ ଏକା ଛାଡି ସୁରମା ଆସିଥାଆନ୍ତା କେମିତି ?” ମୁଁ ବୋଉକୁ ବୁଝେଇବାକୁ ଚେଷ୍ଟା କରୁଥିଲି । ପ୍ରତି ମୁହୂର୍ତ୍ତରେ ମୋର କାହିଁକି ମନେହେଉଥିଲା ବୋଉ ମତେ ବୁଝୁ ନଥିଲା । ବୋଉ ଭିତରେ ଅସନ୍ତୋଷ କୁହୁଳି ଉଠୁଥିଲା ବେଳକୁବେଳ । ଫେରନ୍ତା ବେଳ ପାଖ ହୋଇ ଆସିଲା । ବୋଉ ସଜାଡିଥିବା ବଡ ବଡ ବ୍ୟାଗ୍ ଦୁଇଟା ସାଇକେଲ୍ ଆଗରେ ଝୁଲେଇଦେଇ ମୋ ଆସିବାକୁ ଅପେକ୍ଷା ରଖିଥିଲେ ବାପା। ବୋଉକୁ ଟିକେ କୁଣ୍ଢେଇ ଧରିବାକୁ ମୋର ଖୁବ୍ ମନ ହୋଇଥିଲା ସେତେବେଳେ। ସେଇକଥା କହିବାକୁ ଅଡଙ୍ଗ ଯାଏଁ ଚାଲିଗଲି। ମତେ ପାଖରେ ଦେଖି ରମା ମୁଣ୍ଡ ଉପର ଓଢଣା ଆଉଟିକେ ଟାଣିନେଇ କଡେଇ ଠିଆ ହୋଇପଡିଥିଲା ।
– “ବାହାରିଲୁଣି?” – କହି ବୋଉ ଉଠି ପଡିଥିଲା। ଦୀପ ତେଲ ବୁଡେଇ ସଳିତା ସଜାଡୁଥିବା ତେଲହାତ ମୋ ଜାମାରେ ଲାଗି ନ ଯାଉ ସେନେଇ ବୋଉ ଯତ୍ନଶୀଳ ଥିଲା। କେଜାଣି କାହିଁକି ସେଇ ମୁହୂର୍ତ୍ତରେ ମୁଁ ଟିକେ ଅଧିକ ଭାବପ୍ରବଣ ହୋଇଗଲି ଓ ଦୁଇ ହାତରେ କୁଣ୍ଢେଇ ଧରିଲି ବୋଉକୁ। ତା’ ପଣତ କାନିରେ ସେ ପୋଛିଦେଲା ମୋ ଓଦା ଆଖିକୁ। ଆମେ ଦୁହେଁ ଧରାଧରି ହୋଇ ଆମପଟ ପିଣ୍ଡା ଯାଏଁ ଚାଲି ଆସିଲୁ। ପାହାଚ ଦେଇ ଦାଣ୍ଡକୁ ଓହ୍ଲେଇ ଗଲାବେଳେ ବୋଉର ପାଦଛୁଇଁବାକୁ ନଇଁ ପଡିଥିଲି ମୁଁ । ଧାଡିଧାଡି ହୋଇ ସଜା ହୋଇ ରହିଥିଲା ଦୀପ ଦାଣ୍ଡ ଦୁଆର,ପିଣ୍ଡା ଓ ପିଣ୍ଡାକୁ ପିଣ୍ଡା ଲାଗି ରହିଥିବା ଅଡଙ୍ଗ ଧାରରେ । ବଡବଡୁଆଙ୍କ ଉଦ୍ଦେଶ୍ଯରେ କାଉଁରିଆ କାଠି ଜଳାହେବ ଆଜି। ଛୋଟ ଛୋଟ କାଉଁରିଆ ଦୁଇଖଣ୍ଡ ସାଙ୍ଗରେ ନେଇ ଆସିଥିଲି ମୁଁ, ଫ୍ଲାର୍ଟଘରେ ଛୋଟ ବାଲକୋନିରେ ସେ କାଠି ଦୁଇଖଣ୍ଡକୁ ଜାଳିଦେଇ ଆମ ପରମ୍ପରା ପ୍ରତି ନିଜର ସମ୍ମାନ ଜଣେଇବା ଉଦ୍ଦେଶ୍ଯରେ।
ବସ୍ ଭୁବନେଶ୍ବରରେ ପହଁଚିଲା ଯାଏଁ ବାପାବୋଉଙ୍କର ମୁହଁ ମୋ ଆଖି ଆଗରେ ଭାସି ବୁଲୁଥିଲା। ନିଜକୁ ଖୁବ୍ ଦୃଢ ଓ ନିର୍ବିକାର ଦେଖାଉଥିବା ବାପାଙ୍କ ଭିତରର ଆବେଗ କୂଳଲଂଘି ବେଳେବେଳେ ପ୍ରକାଶ ପାଇଯାଏ ତାଙ୍କ ବ୍ଯବହାରରେ। ଶତ ଚେଷ୍ଟା ସତ୍ତ୍ୱେ ନିଜକୁ ଲୁଚେଇ ପାରନ୍ତି ନାହିଁ ସେ ।ସାଇକେଲ୍ ରେ ବ୍ୟାଗ୍ ଦୁଇଟି ଝୁଲେଇ ବାପା ମତେ ବସଷ୍ଟାଣ୍ଡ ଯାଏଁ ଆଣିବା ବାଟରେ ମୁଁ ଚୁପ୍ ଥିଲି, ବାପା କେବଳ କହୁଥିଲେ। ଆଜି ମୋ ପିଲାଦିନକୁ ଖୁବ୍ ମନେ ପକଉଥିଲେ ବାପା। ଜେଜେ ଜେଜେମା’ଙ୍କ ସହ ଦୀପାବଳି ଓ କାଳୀପୂଜା ପାଳନ କରିବାର ପିଲାଦିନର ମୋର ଛୋଟଛୋଟ ଖୁସି କଥାସବୁ କହିବାବେଳେ ବାପା ଭାବବିହ୍ୱଳ ହୋଇପଡୁଥିବାବେଳେ, ସେସବୁ ସ୍ମୃତି ସହ ମୁଁ ନିଜକୁ ଆଦୌ ଯୋଡି ପାରୁନଥିଲି । ଭୁବନେଶ୍ବରରେ ଶୀଘ୍ର ଘରେ ପହଁଚିବା ପାଇଁ ମୋ ଭିତରେ ଅଧିକ ଉତ୍କଣ୍ଠା ରହିଥିଲା ସେତେବେଳେ। ବସ୍ ଯେତେଯେତେ ଦୂରେଇ ଯାଉଥିଲା, ଗାଁ ସେତେସେତେ ପଛକୁ ଫେରିଯାଉଥିଲା ଆଉ ତା’ ସହ ମୋ ମନ ବି ଗୁଡେଇ ତୁଡେଇ ହୋଇ ପଡୁଥିଲା। ଆକାଶରେ ମେଘ ଘୋଡେଇ ହେଇ ଆସୁଥିଲା ଆସନ୍ନ ବର୍ଷାର ସୂଚନା ଦେଇ।
ସଂଧ୍ୟା ହୋଇଯାଇଥିଲା ଓ ସାମାନ୍ଯ ବର୍ଷା ଆରମ୍ଭ ହୋଇ ଯାଇଥିଲା ମୁଁ ଘରେ ପହଁଚିବା ବେଳକୁ । ଆପାର୍ଟମେଣ୍ଟର ଚତୁର୍ଥ ମହଲାରେ ଆମଘର ରଙ୍ଗ ବେରଙ୍ଗ ଲିଚୁ ଆଲୁଅରେ ସଜେଇ ହୋଇ ଅପୂର୍ବ ଦିଶୁଥିଲା। ଆପାର୍ଟମେଣ୍ଟର ସବୁ ଘର ଆଲୋକମାଳାରେ ସଜ୍ଜିତ ହୋଇଥିଲେ । ଚାରିଆଡ ଦୀପାବଳିର ଗହଳଚହଳ। ଭୂମିରୁ ଭୂମାଯାଏଁ ବାଣ ବାରୁଦ ଆଉ ଆଲୋକର ପ୍ରତିଯୋଗିତା । ମୁଁ ଘରେ ପହଁଚି ସୁରମାଙ୍କ ହାତକୁ ବଢେଇ ଦେଇଥିଲି ବୋଉ ଦେଇଥିବା ବ୍ୟାଗ୍ ଦୁଇଟି ଓ ଧୁଆଧୋଇ ହେବାକୁ ଚାଲିଯାଇଥିଲି।
ବୋଉ ପଠେଇଥିବା ପିଠାରେ ଆଜି ଦୀପାବଳି ସଂଧ୍ୟା ଖୁବ୍ ମହକିବ । ରାନୁର ପରୀକ୍ଷା ପାଇଁ ପଢାପଢି କେମିତି ଚାଲିଛି କେଜାଣି? ମୁଁ ଟିକେ ବିଚଳିତ ଥିଲି ଭିତରେ ଭିତରେ। ହଠାତ୍ ବିଜୁଳି ଚମକିଲା। ଗାଧୁଆ ଘରର ଅଧାଖୋଲା ଝରକା ଦେଇ ପଶି ଆସିଲା ପୁଳାଏ ଆଲୁଅ। ଖୁବ୍ ଗୋଟେ ଶବ୍ଦକରି ଘଡଘଡି ମାରିଲା। କେଉଁଠି ପାଖରେ ବିଜୁଳି ପଡିଲାକି? ଥରିଗଲା ଛାତି। ଲାଇଟ୍ କଟିଗଲା। ଘର ଭିତରଟା ଅନ୍ଧାର ହୋଇଗଲା। ସେଇ ଅନ୍ଧାରରେ ଦରାଣ୍ଡି ଦରାଣ୍ଡି ଝରକା ବନ୍ଦ କରିଦେଇ ବାହାରି ଆସିଲି ବାହାରକୁ।
ଟେବୁଲ୍ ଉପରେ ସୁରମା ସଜେଇ ରଖିଥିଲେ ବୋଉ ପଠେଇଥିବା ପିଠାସବୁ ଭିନ୍ନ ଭିନ୍ନ ଥାଳିରେ। ଠାକୁର ଘରର ଖୋଲା ଦୁଆର ମୁହଁରେ ବୋଉ ପଠେଇଥିବା ଘିଅଦୀପଟି ଜାଳି ଦେଇଥିଲା ରାନୁ। ଲିଚୁ ଲାଇଟ୍ ସହ ଘରର ବିଜୁଳିବତୀସବୁ ନିଜ ନିଜର ଅସ୍ତିତ୍ବ ହରେଇ ବସିଥିଲେ। ସାରା କଲୋନି ଅନ୍ଧାରରେ ବୁଡି ଯାଇଥିବା ବେଳେ ଆମଘରୁ ବିଚ୍ଛୁରିତ ହେଉଥିଲା ସ୍ନିଗ୍ଧ କୋମଳ ଆଲୋକର ଧାରାଟିଏ ବୋଉ ପଠେଇଥିବା ମାଟିଦୀପଟିରୁ । ଆଲୋକିତ ହୋଇ ରହିଥିଲା ଆମଘର ସେ ଦୀପର ଆଲୋକରେ। କୃତ୍ରିମ ରଙ୍ଗ ବେରଙ୍ଗର ଆଲୋକ ପରିବର୍ତ୍ତେ ବୋଉର ମାଟିଦୀପର ଆଲୋକରେ ଆଲୋକିତ ହେଉଥିଲା ଆମ ଘରର କୋଣ ଅନୁକୋଣ। ବୋଉ ପାଖରୁ ଆଣିଥିବା କାଉଁରିଆ କାଠି ଜଳାଇ ମୁଁ ଜେଜେ , ଜେଜେମା’ଙ୍କୁ ମନେ ପକାଇ ଶ୍ରଦ୍ଧା ସମ୍ମାନ ଜଣେଇ କହିଲି, “ବଡବଡୁଆ ହେ,ଅନ୍ଧାରେ ଆସି ଆଲୁଏ ଯାଅ। ବାଇଶି ପାହାଚରେ ଗଡଗଡଉଥାଅ।” ସୁରମା ଓ ରାନୁ ବି ମୋ ହାତ ଧରିନେଇଥିଲେ। କାଉଁରିଆ କାଠି ଜଳୁଥିଲା ଦିକିଦିକି ହୋଇ। ପୂର୍ବପୁରୁଷଙ୍କ ସହ ବାପାବୋଉଙ୍କର ଆଶୀର୍ବାଦ ମଧ୍ୟ ଆମ ଉପରେ ଝରିପଡିବାର ଅନୁଭବ କରିପାରୁଥିଲି ମୁଁ । ସକାଳେ ବାପା ମନେ ପକାଉଥିବା ମୋର ପିଲାଦିନର ସ୍ମୃତି ଆଲୋକରୁ ମୁଠାଏ ଏବେ ମୋ ହାତରେ..
……..